ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା, ପୁରୀ ସମୁଦ୍ର କୂଳରେ ଲାଗିଲା ନାଲି ପତାକା

ପୁରୀ: ପୁରୀ ସମୁଦ୍ର କୂଳରେ ଲାଗିଲା ନାଲି ପତାକା । ଗତ ଦୁଇଦିନରେ ସମୁଦ୍ରରେ ୪ଟି ଜୀବନ ଯିବାପରେ ପ୍ରଶାସନ ପକ୍ଷରୁ ସମୁଦ୍ର କୂଳରେ ଲଗାଯାଇଛି ନାଲି ପତାକା । ସଂପୃକ୍ତ ସ୍ଥାନରେ କୌଣସି ପର୍ଯ୍ୟଟକ ଯେଭଳି ସ୍ନାନ ନକରିବେ ସେନେଇ ଲାଗିଛି କଟକଣା । ତେବେ କିଛି ପର୍ଯ୍ୟଟକ ଏହାକୁ ଅବମାନନା କରୁଥିବା ଦେଖିବାକୁ ମିଳିଛି । ସମୁଦ୍ର କୂଳରେ ଉପସ୍ଥିତ ଥିବା ଲାଇଫ ଗାର୍ଡମାନେ ପର୍ଯ୍ୟଟକଙ୍କୁ ବିପଦପୂର୍ଣ୍ଣ ସ୍ଥାନରେ ନଗାଧୋଇବା ପାଇଁ ଅନୁରୋଧ କରୁଥିଲେ ମଧ୍ୟ ଏହାକୁ ପର୍ଯ୍ୟଟକ ମାନୁନଥିବା ଦେଖିବାକୁ ମିଳିଛି ।

ସେହିପରି ବିସ୍ତିର୍ଣ୍ଣ ବେଳାଭୂମିକୁ ୧୪ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ମାତ୍ର ଶହେ ଜଣ ଲାଇଫ ଗାର୍ଡ ପର୍ଯ୍ୟଟକଙ୍କ ସୁରକ୍ଷା ଦାୟିତ୍ବରେ ଅଛନ୍ତି । ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ସହ ଅତ୍ୟାଧୁନିକ ଉପକରଣର ଆବଶ୍ୟକତା ରହିଛି ବୋଲି ଦାବି କରିଛନ୍ତି ପର୍ଯ୍ୟଟକ । ଏପଟେ ପ୍ରଶାସନ ପକ୍ଷରୁ ବେଳାଭୂମିର କୌଣସି ସ୍ଥାନରେ ସାଇନ୍ ବୋର୍ଡ ଲଗାଯାଇ ନଥିବାରୁ ପର୍ଯ୍ୟଟକ ମାନେ ସଚେତନ ହୋଇପାରୁ ନାହାନ୍ତି ।