ରାତି ଅଧରେ ପ୍ରଚାର କରୁଛନ୍ତି ବିଜେପି ପ୍ରାର୍ଥୀ, ଏକାଧିକ ଲୋକଙ୍କ ସହ କରୁଛନ୍ତି ଅନ୍ଧାରୀ ବିଜେ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନରେ ଆଚରଣବିଧି ଭାଙ୍ଗୁଛି ବିଜେପି । ଏନେଇ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି । ବିଜେଡିର ଅଭିଯୋଗ ଅନୁସାରେ ରାତି ଅଧରେ ପ୍ରଚାର କରୁଛନ୍ତି ବିଜେପି ପ୍ରାର୍ଥୀ । ନିର୍ବାଚନ ଆଚରଣବିଧି ଅନୁସାରେ ରାତି ୧୦ଟା ପରେ ପ୍ରଚାର ମନା । ମାତ୍ର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଗତକାଲି ରାତି ଗୋଟାଏରୁ ଦୁଇଟା ମଧ୍ୟରେ ଲଳିତ ହେରିଟେଜ ନିକଟ ସାମସଙ୍ଗ ଛକରେ ସହଯୋଗୀଙ୍କ ସହିତ ପ୍ରଚାର କରିଥିଲେ । ଏହି ସମୟରେ ମାଇକ୍ରୋଫୋନ୍ ମଧ୍ୟ ବ୍ୟବହାର କରିଥିଲେ । ଯାହାର ଭିଡିଓ ଫୁଟେଜକୁ ସିଇଓଙ୍କ ନିକଟରେ ଦାଖଲ କରିଛି ବିଜେଡି ।

ବିଜେପି ଜାଣିସାରିଲାଣି ଝାରସୁଗୁଡ଼ାରେ ଏକ ତରଫା ନିର୍ବାଚନରେ ବିଜେଡି ଜିତିବ । ପଦମପୁର ଭଳି ଏଠାରେ ଶୋଚନୀୟ ଭାବେ ପରାସ୍ତ ହେବ ବିଜେପି । ପୂର୍ବରୁ ବିଜେପୁର ଓ ପଦମପୁରରେ ହିଂସା କରିଆସିଛନ୍ତି ବିଜେପି କର୍ମୀ । ଆଚରଣବିଧି ଭାଙ୍ଗିବା ସେମାନଙ୍କର ଅଭ୍ୟାସ ବୋଲି ବିଜେଡି ଅଭିଯୋଗ କରିଛି ।