spot_img
Home Blog Page 3347

ଜରୁରୀକାଳୀନ ଅବତରଣ କଲା ଭାରତୀୟ ନୌସେନାର ହେଲିକପ୍ଟର, ୩ କର୍ମଚାରୀ ସୁରକ୍ଷିତ ଉଦ୍ଧାର

ନୂଆଦିଲ୍ଲୀ : ଭାରତୀୟ ନୌସେନାର ଏକ ହେଲିକପ୍ଟର ଆଜି ମୁମ୍ବାଇ ସମୁଦ୍ର ଉପକୂଳରେ ଜରୁରୀ ଅବତରଣ କରିଛି । ଏହି ଘଟଣା ପରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ହେଲିକପ୍ଟରରେ ଥିବା ୩ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।

ଏହି ଆଧୁନିକ ଲାଇଟ୍ ହେଲିକପ୍ଟର (ଏଲଏଲଏଚ୍) ନିୟମିତ ଉଡାଣ ଭରି ସମୁଦ୍ର ତଟରେ ଅବତରଣ କରିଥିଲା । ହେଲେ ଏହା ଜରୁରୀ ଅବତରଣ କରୁଥିବା ଜାଣିବା ପରେ ନୌସେନା ପକ୍ଷରୁ ହେଲିକପ୍ଟରରେ ଥିବା ୩ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସେପଟେ ଏହି ଘଟଣାର ଯାଞ୍ଚ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ସାମ୍ବାଦିକଙ୍କ ସହ ହୋଲି ପାଳିଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ବର  :  ଆଜି ରଙ୍ଗର ପର୍ବ ହୋଲି । ପୁର ପଲ୍ଲି ଠାରୁ ଆରମ୍ଭ କରି ସବୁଠି ରଙ୍ଗ ଉତ୍ସବ ପାଳୁଛନ୍ତି ଲୋକେ । ଏହି ଅବସରରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସାମ୍ବାଦିକ ମାନଙ୍କ ସହ ହୋଲି ପର୍ବ ପାଳନ କରିଛନ୍ତି । ଅବିର ଲଗାଇ ସଭିଙ୍କୁ ହୋଲିର ଅଭିନନ୍ଦନ ଜଣାଇଛନ୍ତି । ପବିତ୍ର ହୋଲି ଉପଲକ୍ଷେ ରାଜ୍ୟ ବାସୀଙ୍କ ସୁଖ, ସମୃଦ୍ଧି କାମନା କରିଛନ୍ତି  ।

ନିଜ ବାସ ଭବନରେ ସାମ୍ବାଦିକ ମାନଙ୍କ ସହ ଖୁବ୍ ଉତ୍ସାହରେ ହୋଲି ପାଳନ କରିବା ସହ ସେମାନଙ୍କ ନିଷ୍ଠା ଏବଂ ପରିଶ୍ରମ ଦେଖି ପ୍ରଶଂସା ଏବଂ ଉନ୍ନତି କାମନା କରିଛନ୍ତି । ସେ କହିଛନ୍ତି କି, ସାମ୍ବାଦିକତାରୁ ହିଁ ମୁଁ ରାଜନୀତିକୁ ଆସିଛି, ଏ କ୍ଷେତ୍ର ପ୍ରତି ଦୁର୍ବଳତା ରହିଛି । ଆଜି ସାମ୍ବାଦିକ ଭାଇମାନେ ଆଜି ମୋ ସହ ହୋଲି ଖେଳିବାକୁ ଆସିଛନ୍ତି ସେଥିପାଇଁ ମୁଁ ଖୁସି ଲାଗୁଛି । ଆପଣମାନେ ଯେଉଁ ପରି ବୁଲିବୁଲି ଖବର ସଂଗ୍ରହ କରୁଛନ୍ତି ତାହା ପ୍ରଶଂସନୀୟ ।

ସିସୋଦିଆଙ୍କ ଗିରଫକୁ ବିରୋଧ କରି ସାତ ଘଣ୍ଟା ଧ୍ୟାନରେ ବସିଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ :  ଧ୍ୟାନରେ ବସିଲେ  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ସାରା ଦେଶ ପାଇଁ ପ୍ରାର୍ଥନା ପାଇଁ  ଏଭିଳି ପଦକ୍ଷେପ ନେଇଛନ୍ତି ଆପ୍ ମୁଖ୍ୟ । ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲଗାତର ୭ ଘଣ୍ଟା ଧରି ସେ ଧ୍ୟାନରେ ବସିବା ଆରମ୍ଭ କରିଛନ୍ତି । ଦେଶର ଶୁଭ କାମନା କରି ସେ ଏଭଳି କରିଛନ୍ତି ।ଏଥି ସହିତ ସେ  ତାଙ୍କର ଦୁଇ ବରିଷ୍ଠ ମନ୍ତ୍ରୀ ମନୀଷ ସିସୋଡିଆ ଏବଂ ସତେନ୍ଦ୍ର ଜୈନଙ୍କୁ ଗିରଫ ପ୍ରତିବାଦ ପାଇଁ ମଧ୍ୟ ଧ୍ୟାନରେ ବସିଛନ୍ତି  ।

ଧ୍ୟାନରେ ବସିବା ପୂର୍ବରୁ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେ କହିଛନ୍ତି କି, ଯିଏ ସ୍କୁଲ ଓ ହସ୍ପିଟାଲ ନିର୍ମାଣ କରୁଛି ତାକୁ ପ୍ରଧାନମନ୍ତ୍ରୀ ଜେଲ ପଠାଉଛନ୍ତି । ହେଲେ ଯେଉଁମାନେ କୋଟି କୋଟି ଟଙ୍କା ଲୁଟିଛନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ନିଜ ପାଖରେ ରଖୁଛନ୍ତି ।

କେଜ୍ରିୱାଲ ମଙ୍ଗଳବାର ଦିନ କହିଥିଲେ କି,  ହୋଲି ଅବସରରେ ସେ ପୁରା ଦେଶ ପାଇଁ ପ୍ରାର୍ଥନା କରିବେ । ସେ ଦାବି କରିଥିଲେ କି ଦେଶପାଇଁ ଯିଏ ଭଲ କାମ କରୁଛି ସରକାର ତାଙ୍କୁ ଜେଲରେ ଭର୍ତ୍ତି କରୁଛନ୍ତି ।

ହୋଲିରେ ଗଡିଲା ମୁଣ୍ଡ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ

ଆଠଗଡ଼ : ଆଠଗଡ଼ ତିଗିରିଆ ଥାନା ନୂଆପାଟଣା ବାଲିସାହିରେ ସଂଘବଦ୍ଧ ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଖଣ୍ଡା ଓ କଟୁରୀରେ ଗୋଟିଏ ପରିବାରର ୩ ଜଣଙ୍କୁ ମରଣାନ୍ତକ ଭାବେ ସଂଘବଦ୍ଧ ଆକ୍ରମଣ ହୋଇଛି । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ନୂଆପାଟଣା ଗାଁର ଚିନ୍ତାମଣି ବେହେରା । ଘଟଣାସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାରେ ପୋଲିସ ଦୁଇ ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ପବିତ୍ର ହୋଲି ଏବଂ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରଙ୍ଗ, ଆନନ୍ଦ ଏବଂ ଭାଇଚାରାର ପର୍ବ ହୋଲି ଏବଂ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଟ୍ବିଟ୍ କରି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ସଭିଏଁ ଆନନ୍ଦର ପବିତ୍ର ପର୍ବକୁ ଆନନ୍ଦ ଉତ୍ସାହର ସହ ସୁରକ୍ଷିତ ଭାବେ ପାଳନ କରନ୍ତୁ ଏବଂ ହୋଲି ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିମୟ ହେଉ ବୋଲି ସେ କହିଛନ୍ତି ।

ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏବଂ ବିଜୁ ଜନତା ଦଳ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ମଧ୍ୟ ମଧ୍ୟ ରାଜ୍ୟବାସୀଙ୍କୁ ହୋଲି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଭୁ ରାଧାଗୋବିନ୍ଦଙ୍କ ଅପାର କୃପାରୁ ସଭିଙ୍କ ଜୀବନ ରଙ୍ଗମୟ, ନିରାମୟ ଓ ସୁଖମୟ ହେଉ ବୋଲି ଆହ୍ବାନ ଦେଇଛନ୍ତି ।

ସବୁଠି ଜମୁଛି ରଙ୍ଗର ମାହୋଲ । ହୋଲି ରଙ୍ଗରେ ରଙ୍ଗେଇ ହୋଇଛି ସାରା ଦେଶ । ରଙ୍ଗର ଏହି ପର୍ବକୁ ଦେଶର ବିଭିନ୍ନ ସ୍ଥାନରେ ଖୁବ ଧୁମଧାମରେ ପାଳନ କରାଯାଉଛି। ଲୋକେ ଏକାଠି ହୋଇ ରଙ୍ଗ ଖେଳିବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି ।

 

ଦୀର୍ଘ ଏକ ଦଶନ୍ଧି ପରେ ଅଚଳ ସାଟେଲାଇଟକୁ ପ୍ରଶାନ୍ତ ମହାସାଗରରେ ଖସାଇଲା ‘ଇସ୍ରୋ’

ନୂଆଦିଲ୍ଲୀ : ଅଚଳ ସାଟେଲାଇଟକୁ କକ୍ଷପଥରୁ ସଫଳ ଭାବେ ଖସାଇଲା ଇସ୍ରୋ  ।  ଅଭିଯାନ ଶେଷ କରି ଅଚଳ ହୋଇଯାଇଥିବା ଏକ ସାଟେଲାଇଟ୍‌କୁ ମଙ୍ଗଳବାର ଦିନ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) କକ୍ଷପଥରୁ ବିଚ୍ୟୁତ କରିବାରେ ସଫଳ ହୋଇଛି।ସାଟେଲାଇଟକୁ ପ୍ରଶାନ୍ତ ମହାସାଗରରେ ଖସାଯାଇଛି ।

ସୂଚନା ଅନୁସାରେ ଅଚଳ ହୋଇଯାଇଥିବା ‘ମେଘା ଟ୍ରଫିକ୍ୟୁଜ୍‌-୧’ ନାମକ ସାଟେଲାଇଟ୍‌ର କକ୍ଷପଥରୁ ବିଚ୍ୟୁତ କରାଯାଇ ଖଣ୍ଡବିଖଣ୍ଡ କରାଯିବା ପରେ ପ୍ରଶାନ୍ତ ମହାସାଗର ଉପର ଆକାଶରେ ପୋଡ଼ି ଦିଆଯାଇଛି । ଏନେଇ ଟୁଇଟ୍‌ କରି ‘ଇସ୍ରୋ’ ଲେଖିଛି, ୨୦୨୩ ମାର୍ଚ ୭ ତାରିଖ ଦିନ ‘ମେଘା-ଟ୍ରପିକ୍ୟୁଜ୍‌-୧’କୁ (ଏମ୍‌ଟି-୧) କକ୍ଷପଥରୁ ନିୟନ୍ତ୍ରଣ ସହ ଅପସାରଣ କରି ବାୟୁମଣ୍ଡଳ ମଧ୍ୟକୁ ପୁନଃପ୍ରବେଶ କରାଇବାରେ ପରୀକ୍ଷା ସଫଳ ହୋଇଛି।

୨୦୧୧ ଅକ୍ଟୋବର ୧୨ ତାରିଖରେ ‘ମେଘା-ଟ୍ରପିକ୍ୟୁଜ୍‌-୧’କୁ ଲୋ ଆର୍ଥ ଅର୍ବିଟ୍‌ ମଧ୍ୟକୁ ଉତ୍‌କ୍ଷେପଣ କରାଯାଇଥିଲା। ଉଷ୍ମମଣ୍ଡଳୀୟ ପାଣିପାଗ ଓ ଜଳବାୟୁ ଉପରେ ଅଧ୍ୟୟନ କରିବା ଲାଗି ଏହା ଥିଲା ‘ଇସ୍ରୋ’ ଏବଂ ‘ଫ୍ରେଞ୍ଚ୍‌ ସ୍ପେସ୍‌ ଏଜେନ୍‌ସି’ର ମିଳିତ ଅଭିଯାନ। ଏହି ଅଭିଯାନ ୩ ବର୍ଷ ପାଇଁ ଚଳାଇବାକୁ ପ୍ରାରମ୍ଭିକ ଯୋଜନା କରାଯାଇଥିଲା । କିନ୍ତୁ, ଏହା ଦୀର୍ଘ ଏକ ଦଶନ୍ଧି ଧରି ଜଳବାୟୁ ସମ୍ବନ୍ଧରେ ଗରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଣ ଜାରି ରଖିଥିଲା।

ସେପଟେ ‘ୟୁନାଇଟେଡ୍‌ ନେସନ୍‌ସ୍‌ ଇଣ୍ଟର୍‌-ଏଜେନ୍‌ସି ସ୍ପେସ୍‌ ଡେବ୍ରିଜ୍‌ କୋଅର୍ଡିନେସନ୍‌ କମିଟି (ୟୁଏନ୍‌ଆଇଏଡିସି)କୁ  ଦିଆଯାଇଥିବା ପ୍ରତିଶ୍ରୁତି ରକ୍ଷା କରି ଅଭିଯାନ ଶେଷ କରିଥିବା ଉକ୍ତ ‘ସାଟେଲାଇଟ୍‌’କୁ ‘ଇସ୍ରୋ’ ଧ୍ବଂସ କରିଛି। ଜାତିସଂଘ ଗାଇଡ୍‌ଲାଇନ୍‌ ଅନୁସାରେ, କାର୍ୟ୍ୟକାଳ ଶେଷ ହୋଇଥିବା ସାଟେଲାଇଟ୍‌ ସବୁକୁ ନିୟନ୍ତ୍ରଣ ସହକାରେ ନିରାପଦ ଅଞ୍ଚଳ ଦେଖି ବାୟୁମଣ୍ଡଳକୁ ପୁନଃ ପ୍ରବେଶକରାଇ ନଷ୍ଟ କରିବା ଉଚିତ। ସେପଟେ ‘ଇସ୍ରୋ’ କହିଛି, ‘ମେଘା-ଟ୍ରପିକ୍ୟୁଜ୍‌-୧’ରେ ତଥାପି ୧୨୫ କିଲୋ ଇନ୍ଧନ ଥିଲା। ସେତକ ଇନ୍ଧନ ଉକ୍ତ ‘ସାଟେଲାଇଟ୍‌’କୁ ନିୟନ୍ତ୍ରଣ ସହକାରେ ବାୟୁମଣ୍ଡଳକୁ ପୁନଃ ପ୍ରବେଶ କରାଇବା ପାଇଁ ଯଥେଷ୍ଟ ଥିଲା ।

ଆଜି ଶକ୍ତି ପ୍ରଦର୍ଶନ କରିବ ପିଟିଆଇ; ଲାହୋରରେ ରଣହୁଙ୍କାର ଦେବ ପାକିସ୍ତାନ ତେହରିକ-ଇ-ଇନସାଫ୍

ଇସଲମାବାଦ : ଆଜି ପାକିସ୍ତାନ ଲାହୋରରେ ପାକିସ୍ତାନ ତେହରିକ-ଇ-ଇନସାଫର ଗର୍ଜନ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗରେ ଶକ୍ତି ପ୍ରଦର୍ଶନ କରିବ ପିଟିଆଇ । ଦଳର ନେତା ହାମ୍ମଦ ଆଝାର କହିଛନ୍ତି- ଇମ୍ରାନଙ୍କ ସ୍ବର ହେଉଛି ପାକିସ୍ତାନର ସ୍ବର । ଏହି ସ୍ବରକୁ କେହି ଅଟକାଇ ପାରିବେନାହିଁ । ଏହି ରାଲିରେ ପିଟିଆଇର ହଜାର ହଜାର କର୍ମୀ ଯୋଗଦେବା ସମ୍ଭାବନା ରହିଛି ।

ପ୍ରଧାନମନ୍ତ୍ରୀ ଥିବାବେଳେ ଦାମୀ ଗିଫ୍ଟଗୁଡିକୁ ବିକ୍ରି କରିଦେବା ଅଭିଯୋଗ କ୍ରମେ ଅଡୁଆରେ ପଡିଛନ୍ତି ଇମ୍ରାନ ଖାଁ । ତେବେ ଏହା ସରକାରଙ୍କ ଏକ ଷଡ଼ଯନ୍ତ୍ର ବୋଲି କହୁଛି ପିଟିଆଇ । ଇମ୍ରାନ ପ୍ରସଙ୍ଗରେ ପାକିସ୍ତାନର ତାତିକୁ ସରକାର ଭୁଲି ଯାଇଛନ୍ତି ବୋଲି କହିଛନ୍ତି ହାମ୍ମଦ ଆଝାର । ବାସ୍ତବ ପରିସ୍ଥିତି ସମ୍ପର୍କରେ ଇସଲାମାବାଦରେ ବସିଥିବା ଶାସକମାନେ ଅଜ୍ଞ ଅଛନ୍ତି ଏବଂ କ୍ରମଶଃ ତାହାର ପରିପ୍ରକାଶ ଘଟିବ ବୋଲି ସେ କହିଛନ୍ତି ।

ପଞ୍ଜାବ ଓ ଖାଇବର ପାଖତୁନଖାଓ୍ବାରେ ନିର୍ବାଚନ ବିଳମ୍ବ ନେଇ ପିଟିଆଇ ପକ୍ଷରୁ କିଛି ଦିନ ତଳେ ଜେଲଭରୋ ଆନ୍ଦୋଳନ ଡାକରା ଦିଆଯାଇଥିଲା । ମାତ୍ର ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ତାହାକୁ ବାତିଲ କରାଯାଇଥିଲା । ସେପଟେ ଇମ୍ରାନଙ୍କ ବିରୋଧରେ ଜାରି ଜାମିନବିହୀନ ଗିରଫ ପରଓ୍ବାନା ଉପରେ ଆସନ୍ତା ୧୩ ତାରିଖ ଯାଏ ସ୍ଥଗିତାଦେଶ ଜାରି କରିଛନ୍ତି ଇସଲାମାବାଦ ହାଇକୋର୍ଟ । ୧୩ ତାରିଖରେ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ହାଜର ହେବା ଲାଗି ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ ।

ଆଜି ଦ୍ବିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିବେ ମାଣିକ

ଅଗରତାଲା : ଆଜି ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମାଣିକ ଶାହ। ଦ୍ବିତୀୟ ଥର ଲାଗି ପଦ ଓ ଗୋପନୀୟତାର ଶପଥ ନେବେ ମାଣିକ । ଗତ ସୋମବାର ବିଜେପି ବିଧାୟକ ଦଳ ନେତା ପଦରେ ମାଣିକ ହୋଇଥିଲେ ନିର୍ବାଚିତ। ଶପଥଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବିପ୍ଳବ ଦେବଙ୍କ ପରେ ଗତବର୍ଷ ମେ ମାସରେ ମାଣିକ ଶାହ ତ୍ରିପୁରାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଗତ ନିର୍ବାଚନରେ ବିଜେପି ୩୩ଟି, ତିପ୍ରା ମୋଥା ୧୩ଟି ଆସନ ପାଇଥିବାବେଳେ ସିପିଏମ ୧୧ଟି, କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଥିଲେ ।

ଗତକାଲି ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ କନରାଡ ସାଙ୍ଗମା । ଦ୍ବିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ ନ୍ୟାସନାଲ ପିପୁଲସ ପାର୍ଟି ନେତା ସାଙ୍ଗମା । ସେହିପରି ପଞ୍ଚମ ଥର ଲାଗି ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନେଇଫୁ ରିଓ ।

ଆଜି ଆନ୍ତର୍ଜାତୀୟ ମହିଳା ଦିବସ

ନୂଆଦିଲ୍ଲୀ : ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ଆର୍ଥିକ, ରାଜନୈତିକ, ସାମାଜିକ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ବଢ଼ାଇବା ଓ ଅଧିକାର ପ୍ରତି ସଚେତନ କରିବାକୁ ଏହି ଦିନ ପାଳନ କରାଯାଏ । ଏହାଛଡ଼ା ମହିଳାଙ୍କର ଉପଲବ୍ଧିକୁ ସର୍ବସାଧାରଣରେ ପ୍ରୋତ୍ସାହନ ଦେବା ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ ।

ପ୍ରଥମେ ଆମେରିକାରେ ୨୮ ଫେବୃଆରୀ ୧୯୦୯ ରେ ଏହି ଦିନକୁ ପାଳନ କରାଯାଉଥିଲା । ସେତେବେଳେ ଏହା କେବଳ ଆମେରିକାରେ ହିଁ ସୀମିତ ଥିଲା । ପରେ ୧୯୧୦ ମସିହାରେ ଏହି ଦିବସକୁ ମାନ୍ୟତା ମିଳିଥିଲା ।

ମହିଳାମାନଙ୍କୁ ଭୋଟର ଅଧିକାର ଦେବା ଏହାର ମୂଳ ଉଦ୍ଦେଶ୍ୟ ଥିଲା। ୧୯୧୭ ମସିହାରେ, ସୋଭିଏତ୍ ୟୁନିଅନ୍ ଏହି ଦିନକୁ ଜାତୀୟ ଛୁଟିଦିନ ଭାବରେ ଘୋଷଣା କରିଥିଲା । ମିଳିତ ଜାତିସଂଘ ୧୯୯୬ ମସିହାରୁ ଏକ ବିଶେଷ ଥିମ୍ ସହିତ ଆନ୍ତର୍ଜାତୀୟ ମହିଳା ପାଳନ କରିବା ଆରମ୍ଭ କରିଥିଲା ।

ଆମେରିକା ବିରୋଧରେ ପୁଣି ଚୀନର ବଡ଼ ଧରଣର ଗୁଇନ୍ଦାଗିରି

ଆମେରିକା ବିରୋଧରେ ପୁଣି ଚୀନର ବଡ଼ ଧରଣର ଗୁଇନ୍ଦାଗିରି । ଆମେରିକାର ବିଭିନ୍ନ ବନ୍ଦରରେ ନିୟୋଜିତ ବହୁ ଚୀନ ନିର୍ମିତ କ୍ରେନ ଜରିଆରେ ଗୁଇନ୍ଦାଗିରି କରାଯାଉଥିବା ନେଇ ଆଶଙ୍କା ବ୍ୟକ୍ତ କରିଛି ଆମେରିକା । ଗତ ଜାନୁଆରୀରେ ଆମେରିକା ଆକାଶରେ ଉଡୁଥିବା ଏକ ଚୀନନିର୍ମିତ ସ୍ପାଏ ବେଲୁନକୁ ଖସାଇ ଦେଇଥିଲା ଆମେରିକା । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ବିବାଦ ଜାରି ରହିଥିବାବେଳେ ପୁଣି ଆମେରିକା ଏକ ନୂଆ ଅଭିଯୋଗ କରିଛି ।

ଚୀନ ନିର୍ମାତା ଜେପିଏମସିର ବହୁ କ୍ରେନ ବର୍ତ୍ତମାନ ଆମେରିକାର ବହୁ ବନ୍ଦରରେ ନିୟୋଜିତ ରହିଛି । ତନ୍ମଧ୍ୟରୁ ସାମରିକ ବିଭାଗ ଲାଗି ମଧ୍ୟ କେତେକ କ୍ରେନ ନିୟୋଜିତ କରାଯାଇଛି । ତେବେ କ୍ରେନଗୁଡ଼ିକର ଭୂମିକାକୁ ନେଇ ସସପେନ୍ସ ଜାରି ରହିଛି । ଏହି କ୍ରେନଗୁଡିକୁ ଆମେରିକା ଜାତୀୟ ନିରାପତ୍ତା ବିଭାଗ ଓ ପେଣ୍ଟାଗନ କର୍ମକର୍ତ୍ତା ଟ୍ରୋଜନ ହର୍ଷ ସହ ତୁଳନା କରିଛନ୍ତି ।

ଏହି କ୍ରେନଗୁଡିକରେ ଅତ୍ୟାଧୁନିକ ସେନସର ଖଞ୍ଜାଯାଇଛି ଏବଂ ଏହା ଜରିଆରେ ଅନେକ ଗୋପନ ତଥ୍ୟ ଚୀନ ହାସଲ କରୁଛି ବୋଲି ଅଭିଯୋଗ କରାଯାଇଛି । ଏପରିକି ଏହି କ୍ରେନଗୁଡିକ ଚୀନ ନିର୍ମିତ ସଫ୍ଟଓ୍ବେର ଜରିଆରେ ପରିଚାଳିତ ହେବା ସହ ଦୁଇ ବର୍ଷିଆ ଭିସାରେ ଆମେରିକାକୁ ଯାଇ ସେଠାରେ କାମ କରୁଥିବା ଚୀନ ନାଗରିକମାନେ ଗୁପ୍ତଚର ବୃତ୍ତିରେ ନିୟୋଜିତ ରହୁଛନ୍ତି ବୋଲି ଆଶଙ୍କା କରାଯାଉଛି ।

କିଛି ଦିନ ତଳେ ଆମେରିକୀୟମାନଙ୍କ ଉପରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ପ୍ରକାଶ ପାଇବା ପରେ ଆମେରିକାରେ ହୁଓ୍ବାଇ ଟେକନୋଲୋଜିର ଯନ୍ତ୍ରପାତିକୁ ନିଷିଦ୍ଧ ଘୋଷଣା କରାଯାଇଥିଲା । ବିଶ୍ବର କ୍ରେନ ମାର୍କେଟର ପ୍ରାୟ ୭୦ ଭାଗ ନିୟନ୍ତ୍ରଣ କରୁଛି ଚୀନ ଫାର୍ମ ଜେପିଏମସି ଏବଂ ପ୍ରାୟ ୧୦୦ ଦେଶକୁ ଏହି କମ୍ପାନି କ୍ରେନ ରପ୍ତାନି କରୁଛି ।