spot_img
Home Blog Page 3348

ଆଜି ରଙ୍ଗର ପର୍ବ ହୋଲି , ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ

ଭୁବନେଶ୍ବର :  ଆଜି ରଙ୍ଗର ପର୍ବ ହୋଲି । ଆଧ୍ୟାତ୍ମିକ ଭାରତ ବର୍ଷରେ ସବୁ ସମ୍ପ୍ରଦାୟ ଲୋକେ ହୋଲିକୁ ଆନନ୍ଦ ଓ ଭାତୃତ୍ବର ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି । ଗାଁଠୁ ସହର ସବୁଠି ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଉଛନ୍ତି ଲୋକେ । ସବୁଠି ଜମୁଛି ରଙ୍ଗର ମାହୋଲ । ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ସମସ୍ତେ । ମିଠା ଦେଇ ମନ ଜିଣୁଛନ୍ତି ସାଙ୍ଗ, ସାଥୀ, ଭାଇ ଓ ଭଉଣୀ ।

ହୋଲି ରଙ୍ଗରେ ରଙ୍ଗେଇ ହୋଇଛି ସାରା ଦେଶ । ରଙ୍ଗର ଏହି ପର୍ବକୁ ଦେଶର ବିଭିନ୍ନ ସ୍ଥାନରେ ଖୁବ ଧୁମଧାମରେ ପାଳନ କରାଯାଇଛି । କୋଲକାତାରେ ହୋଲି ପାଇଁ ଦେଖିବାକୁ ମିଳିଛି ସ୍ବତନ୍ତ୍ର ଉତ୍ସବ । ଦୁଇବର୍ଷ ପରେ ଲୋକେ ଏକାଠି ହୋଇ ରଙ୍ଗ ଖେଳିବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଜସ୍ଥାନରେ ପାଳିତ ହୋଇଛି ପାରମ୍ପରିକ ହୋଲି ଉତ୍ସବ । ବିଭିନ୍ନ ସଂସ୍ଥା ପକ୍ଷରୁ ଏଥିପାଇଁ ଆୟୋଜିତ ହୋଇଛି ହୋଲି ସେଲିବ୍ରେସନ । ସେହି ପିରି ବୃନ୍ଦାବନରେ କୃଷ୍ଣ ପ୍ରେମରେ ରଙ୍ଗ ଖେଳି ମଜିଛନ୍ତି ଶ୍ରଦ୍ଧାଳୁ । ରଙ୍ଗବେରଙ୍ଗ ଫଗୁରେ ରଙ୍ଗାୟିତ ବୃନ୍ଦାବନର ପବିତ୍ର ମାଟି । ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇ କୃଷ୍ଣ ଭକ୍ତିରେ ଲିନ ହୋଇ ହୋଲି ଖେଳରେ ମାତିଥିଲେ । ସେହିପରି ଜମ୍ମୁ କାଶ୍ମୀର ସୀମାରେ ପରସ୍ପରକୁ ରଙ୍ଗ ଲଗାଇ ହୋଲି ଉତ୍ସବ ପାଳିଛନ୍ତି ବିଏସଏଫ ଜବାନ ।

ପତାକା ବନ୍ଧାକୁ ନେଇ ଉତ୍ତେଜନା, ପୋଲିସର ରବର ବୁଲେଟ ମାଡ

ବାଲେଶ୍ୱର: ବାଲେଶ୍ବରରେ ପତାକା ବନ୍ଧାକୁ ନେଇ ଉତ୍ତେଜନା । ପୋଲିସର ରବର ବୁଲେଟ ମାଡ  । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ଦେଖାଯାଇଛି ଉତ୍ତେଜନା  । ଖବର ପାଇଁ ତତକ୍ଷଣାତ ପହଁଚିଥିଲା ପୋଲିସ  । କିନ୍ତୁ ଘଟଣା ଶାନ୍ତ ପଡିବା ବଦଳରେ ପୋଲିସ ଉପରକୁ ଆକ୍ରମଣ କରିଥିଲେ ଉତ୍ତେଜନାକାରୀ  ।

ବାଲେଶ୍ବର କଂସେଇ ମହଲାରେ ଘଟିଛି ଘଟଣା । ସ୍ଥିତିକୁ ଦୁଷ୍ଟିରେ ରଖି ପୋଲିସର ରବର ବୁଲେଟ୍ ମାଡ଼ । ପୋଲିସ ଉପରେ ଆକ୍ରମଣ ହୋଇଥିବା ସୂଚନା ରହିଛି । ସେପଟେ ବର୍ତ୍ତମାନ ପୋଲିସ ପହଁଚିବା ପରେ ସ୍ଥିତିରେ ସୁଧାର ଆସିଛି  ।

କର୍ଲାପାଟ ଅଭୟାରଣ୍ୟରେ ପୁଣି ଦନ୍ତା ହାତୀର ମୃତ୍ୟୁ

କଳାହାଣ୍ଡି: କର୍ଲାପାଟ ଅଭୟାରଣ୍ୟରେ ପୁଣି ଦନ୍ତାର ମୃତ୍ୟୁ । ମୃତ୍ୟୁ ପରେ ହାତୀକୁ ପୋତିଦେଲା ବନ ବିଭାଗ । ଦନ୍ତା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ କିଭଳି ବନ ବିଭାଗ ହାତୀକୁ ପୋତିଦେଲା ସେନେଇ ପ୍ରଶ୍ନ ଉଠିଛି ।

ଗତକିଛିଦିନ ହେଲା ହାତୀଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜଙ୍ଗଲରେ ଦୁର୍ଗନ୍ଧ ହେବାରୁ ହାତୀ ମୃତ୍ୟୁ ସମ୍ପର୍କରେ ଜାଣି ବନ ବିଭାଗ ହାତୀଟିକୁ ପୋତି ଦେଇଛି । ତେବେ ଦନ୍ତାର କିପରି ମୃତ୍ୟୁ ହେଲା ସେନେଇ କୌଣସି ସୂଚନା ନାହିଁ ।

ବିସ୍ଫୋରଣରେ ଥରିଲା ବାଂଲାଦେଶ, ୧୫ ଜଣଙ୍କ ମୃତ୍ୟୁ

ଢାକା: ବିସ୍ଫୋରଣରେ ଥରିଲା ବାଂଲାଦେଶ ଢାକା । ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆହତ ହୋଇଛନ୍ତି ୧୦୦ରୁ ଅଧିକ ଲୋକ । ଢାକାର ସିଦ୍ଦିକ ବଜାର ଅନ୍ତର୍ଗତ ଗୁଲିସ୍ତାନ ନାମକ ଏକ ଜନଗହଳିପୂର୍ଣ୍ଣ ମାର୍କେଟରେ ଏହି ବିସ୍ଫୋରଣ ଘଟିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୫ରୁ ଅଧିକ ଅଗ୍ନିଶମବାହିନୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।

ଆହତମାନଙ୍କୁ ସ୍ଥାନୀୟ ଢାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବ୍ରାକ୍ ବ୍ୟାଙ୍କର ଶାଖା ନିକଟରେ ଏହି ବିସ୍ଫୋରଣ ଘଟିଛି । ମୃତକଙ୍କ ମଧ୍ୟରେ କେତେକ ମହିଳା ଥିବା ସୂଚନା ମିଳିଛି । ଏହି କୋଠାରେ ସାନିଟାରି ସାମଗ୍ରୀ ବିକ୍ରି ହେଉଥିଲା । ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଲା ତାହାର ତଦନ୍ତ ଜାରି ରହିଛି ।

ବିଜେଡି ଲିଗାଲ ଫ୍ରଣ୍ଟରେ ସାମାନ୍ୟ ପରିବର୍ତ୍ତନ, ସୂଚନା ଦେଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ବିଜେଡି ଲିଗାଲ ଫ୍ରଣ୍ଟରେ ସାମାନ୍ୟ ପରିବର୍ତ୍ତନ  । ଏ ନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ  ।  ଗଜପତି ଜିଲ୍ଲା ଲିଗାଲ ଫ୍ରଣ୍ଟ ସଭାପତି ହୋଇଛନ୍ତି ପନ୍ତଲାଲ ପ୍ରସାଦ ରାଓ । କଳାହାଣ୍ଡି ଜିଲ୍ଲା ଲିଗାଲ ଫ୍ରଣ୍ଟ ସଭାପତି ହୋଇଛନ୍ତି ହରଜିନ୍ଦର ସିଂ ।

ସେହିପରି ନୟାଗଡ ଜିଲ୍ଲା ଲିଗାଲ ଫ୍ରଣ୍ଟ ସଭାପତି ହୋଇଛନ୍ତି ନିରଞ୍ଜନ ମିଶ୍ର ।  କଟକ ଜିଲ୍ଲା ଲିଗାଲ ଫ୍ରଣ୍ଟ ଉପସଭାପତି ହୋଇଛନ୍ତି ବଂଶୀଧର ଶତପଥୀ । ଲିଗାଲ ଫ୍ରଣ୍ଟ ଗଣମାଧ୍ୟମ ସଂଯୋଜକ ହୋଇଛନ୍ତି ଅମିତାଭ ମିଶ୍ର । 

ବିବାହିତ ଛାତ୍ରୀଙ୍କୁ ମିଳିବ ମାଟରନିଟି ଲିଭ୍

ନୂଆଦିଲ୍ଲୀ: ବିବାହିତ ଛାତ୍ରୀଙ୍କୁ ମିଳିବ ମାଟରନିଟି ଲିଭ୍ ବା ମାତୃତ୍ବ ଛୁଟି । ଯଦି କେହି ପାଠ ପଢ଼ୁଥାନ୍ତି ତାହାଲେ ବିଶ୍ବବିଦ୍ୟାଳୟ ତରଫରୁ ଛାତ୍ରୀଙ୍କୁ ୬ ମାସ ଛୁଟି ମିଳିବ । ଏଭଳି ଏକ ପଦକ୍ଷେପ ନେଇଛି କେରଳ ବିଶ୍ବ ବିଦ୍ୟାଳୟ । ଛାତ୍ରୀମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି କେରଳ ବିଶ୍ବବିଦ୍ୟାଳୟ । ପାଠ ପଢ଼ୁଥିବା ୧୮ ବର୍ଷ ବୟସରୁ ଅଧିକ ଛାତ୍ରୀଙ୍କୁ ଏଭଳି ଛୁଟି ମିଳିବ । ଯଦି କେହି ଛାତ୍ରୀ ଗ୍ରାଜୁଏସନ୍, ପୋଷ୍ଟଗ୍ରାଜୁଏସନ କରୁଥାନ୍ତି ଏବଂ ବିବାହ ପରେ ଗର୍ଭବତୀ ଅଛନ୍ତି ତାହାଲେ ସେମାନେ ଛୁଟି ନେଇପାରିବେ ।

ଏହି ସୁବିଧା କେବଳ ପିଏଚଡି କରୁଥିବା ଛାତ୍ରୀମାନଙ୍କ ପାଇଁ ଥିଲା । କିନ୍ତୁ ଏବେ ଏହି ସୁବିଧା ଗ୍ରାଜୁଏସନ ଏବଂ ପୋଷ୍ଟ ଗ୍ରାଜୁଏସନ କରୁଥିବା ଛାତ୍ରୀଙ୍କୁ ବି ମିଳିବ । ୬ ମାସ ପରେ ସେମାନଙ୍କୁ ପୁଣି ଆହମିଶନ କରିବାକୁ ବି ପଡ଼ିବନାହିଁ ।

ବାଂଲାଦେଶ ରାଜଧାନୀ ଢାକାରେ ବଡ଼ ବିସ୍ଫୋରଣ, ୧୪ ମୃତ, ୧୦୦ରୁ ଅଧିକ ଆହତ

ଢାକା: ବାଂଲାଦେଶ ରାଜଧାନୀ ଢାକାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୧୪ ଜଣଙ୍କ ଜୀବନ ଯାଇଥିଲାବେଳେ ଶହେରୁ ଅଧିକା ଲୋକ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଏହି ବିସ୍ଫୋରଣ ଏକ ୫ ମହଲା କୋଠାରେ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ହୋଇଥିଲା ଯେ, ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଏହାର କାରଣ ଏବେ ଯାଏ ଜଣାପଡ଼ିନି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ଅପରାହ୍ନ ୪ଟା ସମୟରେ ଏହି ବିସ୍ଫୋରଣ ହୋଇଥିଲା । ବାଂଲାଦେଶର ଜନଗହଳିପୂର୍ଣ୍ଣ ସ୍ଥାନ କୁହାଯାଉଥିବା ସିଦ୍ଦିକି ବଜାରରେ ରହିଛି ଏହି ବିଲ୍ଡିଂ । ଏହି ବିଲ୍ଡିଂରେ ବହୁତ ଅଫିସ ରହିଛି । ଘଟଣାସ୍ଥଳରେ ୫ଟି ଦମକଳ ବାହିନୀ ପହଞ୍ଚିଛନ୍ତି । ଏହି ବିସ୍ଫୋରଣ ଏତେ ଭୟଙ୍କର ହୋଇଥିଲା ଯେ, ପାଖରେ ଠିଆ ହୋଇଥିବା ଏକ ବସ୍ ବି ସମ୍ପୂର୍ଣ୍ଣ ପୋଡି ଯାଇଛି ।

୫ହଜାର ଲୋକଙ୍କ ମୃତ୍ୟୁରେ ନିଜକୁ ଦାୟୀ କରିଥିଲେ ଏବେ ସୁପ୍ରିମକୋର୍ଟରେ ହାଜର ହେବେ

କାଠମାଣ୍ଡୁ: ନେପାଳରେ ସରକାର ଗଢ଼ିବା ଅଧିକ ଦିନ ହୋଇନାହିଁ ହେଲେ ପ୍ରଧାନମନ୍ତ୍ରୀଙ୍କ ଉପରେ ସମସ୍ୟାର ବାଦଲ ଛାଇ ରହିଛି । ଗୋଟିଏ ପଟେ ପ୍ରଚଣ୍ଡଙ୍କ ସାମ୍ନାରେ ସରକାର ରକ୍ଷା କରିବାର ଚ୍ୟାଲେଞ୍ଜ ଥିବା ବେଳେ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ପୁଷ୍ପକମଳ ଦାହାଲ ପ୍ରଚଣ୍ଡଙ୍କ ବିରୋଧରେ ସାମୁହିକ ନରସଂହାରର ମକଦ୍ଦମା ରୁଜୁ ହୋଇଯାଇଛି । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ମାଓବାଦୀ ପୀଡିତଙ୍କ ପକ୍ଷରୁ କିଛି ଓକିଲ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି । ପ୍ରଚଣ୍ଡଙ୍କ ବିରୋଧରେ ମକଦ୍ଦମା ରୁଜୁ ହେବା ପରେ କୋର୍ଟ ୯ ମାର୍ଚ୍ଚରେ ହାଜର ହେବାକୁ ତାରିଖ ନିର୍ଦ୍ଧାରିତ କରିଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ବିରୋଧରେ ଦୁଇଟି ଭିନ୍ନ ଭିନ୍ନ ରିଟ୍ ଦାଖଲ କରାଯାଇଛି ।

ଉଭୟ ମାମଲାର ଶୁଣାଣି ଏକାସାଙ୍ଗରେ ହେବା ନେଇ ସୂଚନା ଦିଆଯାଇଛି । ସୁପ୍ରିମକୋର୍ଟ ୯ ମାର୍ଚ୍ଚ ସକାଳ ୧୦ଟାରେ ଶୁଣାଣି ସମୟରେ ପ୍ରଧାମନ୍ତ୍ରୀ ପ୍ରଚଣ୍ଡଙ୍କୁ କୋର୍ଟରେ ହାଜର ହେବା ପାଇଁ ୱାରେଣ୍ଟ ମଧ୍ୟ ଜାରି କରିଛନ୍ତି । ସୁପ୍ରିମକୋର୍ଟର ଓକିଲ କଲ୍ୟାଣ ବୁଢଥୋକି, ସୁବାସ, ଗିରି ସମେତ ୮ ଓକିଲ ଏବଂ ସୁପ୍ରିମକୋର୍ଟର ହିଁ ଓକିଲ ଜ୍ଞାନେନ୍ଦ୍ର ରାଜ ଅରନ ସମେତ ୧୪ ଜଣ ପ୍ରଚଣ୍ଡଙ୍କ ବିରୋଧରେ ଦୁଇଟି ଅଲଗା ଅଲଗା ଅଲଗା ଯାଚିକା ଦାଖଲ କରିଛନ୍ତି । ଗୁରୁବାର ରିଟ୍ ଉପରେ ଶୁଣାଣି କରିବାର ତାରିଖ ନିର୍ଦ୍ଧାରିତ କରାଯାଇଛି । ଆବେଦନକାରୀ କଲ୍ୟାଣ ବୁଢାଥୋକି କହିଛନ୍ତି ଯେ ପ୍ରଚଣ୍ଡ ନିଜେ ହିଁ ପାଞ୍ଚ ହଜାର ଲୋକଙ୍କ ହତ୍ୟାରେ ନିଜକୁ ଦାୟୀ କରିବା ସହ  ସାର୍ବଜନିକ ରୂପରେ ସ୍ୱୀକାର କରିଥିଲେ ଏବଂ ଏଥିପାଇଁ ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି ।

ପ୍ରକାଶ ଥାଉକି, ଜନଯୁଦ୍ଧ ନାଁରେ ପ୍ରଚଣ୍ଡଙ୍କ ଆଦେଶରେ ହିଁ ଅନେକ ସାମୁହିକ ନରସଂହାରକୁ ରୂପ ଦିଆଯାଇଥିଲା ଏବଂ ଏହା ଯୁଦ୍ଧ ନିୟମ ବିରୋଧରେ ଏକ ଘୃଣ୍ୟ କାର୍ଯ୍ୟ ଥିଲା । ଅନ୍ୟ ଏକ ଆବେଦନକାରୀ ଜ୍ଞାନେନ୍ଦ୍ର ରାଜ୍ ଅରନ କହିଛନ୍ତି ଯେ, ସଂକ୍ରମଣକାଳୀନ ନ୍ୟାୟ ପ୍ରସଙ୍ଗକୁ ସମାଧାନ କରିବା ପାଇଁ ବାରମ୍ବାର ସରକାରଙ୍କ ଧ୍ୟାନ ଆକର୍ଷିତ କରିବା ପରେ ମଧ୍ୟ କୌଣସି ଶୁଣାଣି ନହେବାରୁ ବାଧ୍ୟ ହୋଇ ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଛି । ସେହିପରି ଅଧିବକ୍ତା କିର୍ତ୍ତିନାଥ ଶର୍ମା ପୌଡେଲ କହିଛନ୍ତି ଯେ ପୀଡିତଙ୍କୁ ନ୍ୟାୟ ଦେବା ପାଇଁ ଅଭିଯାନ ଆରମ୍ଭ ହୋଇଛି । ନେପାଳ ସୁପ୍ରିମକୋର୍ଟ ଗତ ସପ୍ତାହରେ ହିଁ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦାହାଲ ପ୍ରଚଣ୍ଡଙ୍କ ଗିରଫଦାରୀ ଦାବି କରି ଯାଚିକା ଦାଖଲ କରିବାକୁ ଆଦେଶ ଦେଇଥିଲେ ।

ପ୍ରକାଶଯୋଗ୍ୟ, ତିନି ବର୍ଷ ପୂର୍ବେ ୧୫ ଜାନୁଆରୀ ୨୦୨୦ରେ କାଠମାଣ୍ଡୁରେ ଆୟୋଜିତ ଏକ ସାର୍ବଜନିକ କାର୍ଯ୍ୟକ୍ରମରେ ପ୍ରଚଣ୍ଡ ମାଓବାଦୀଙ୍କ ଦ୍ୱାରା ଚଲାଯାଇଥିବା ସଶସ୍ତ୍ର ବିଦ୍ରୋହ ସମୟରେ ମୃତ୍ୟବରଣ କରିଥିବା ୧୭ ହଜାର ଲୋକଙ୍କ ମଧ୍ୟରୁ ୫ହଜାର ନାଗରିକଙ୍କ ହତ୍ୟାର ଦାୟିତ୍ୱ ନେଇଥିଲେ ପ୍ରଚଣ୍ଡ । ପ୍ରଚଣ୍ଡ କହିଥିଲେ ଯେ ସଶସ୍ତ୍ର ବିଦ୍ରୋହ ସମୟରେ ମୃତ୍ୟୁବରଣ କରିଥିବା ୧୭ ହଜାର ଲୋକଙ୍କ ହତ୍ୟାର ଆରୋପ ତାଙ୍କ ଉପରେ ଲଗାଯାଉଛି ଯାହା କି ମିଛ ଅଟେ । ସେ କହିଥିଲେ ଯେ ୧୨ ହଜାର ନାଗରିକଙ୍କ ମୃତ୍ୟୁ ସରକାରୀ ଏଜେନ୍ସିଙ୍କ ଦ୍ୱାରା ଏବଂ ତତ୍କାଳୀନ ଶାସକଙ୍କ ଦ୍ୱାରା କରାଯାଇଥିଲା । କିନ୍ତୁ ସେ ଦୋଷ ମଧ୍ୟ ମୋ ଉପରେ ଲଗାଯାଉଛି ଯାହାକି ଠିକ୍ ନୁହେଁ । ସେ କେବଳ ୫ ହଜାର ହତ୍ୟାର ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ଅଛନ୍ତି । ଏଥିରୁ ସେ ପଛକୁ ହଟିବେ ନାହିଁ ଏବଂ ନାଁ ଏହି ଦାୟିତ୍ୱରୁ ସେ ପଛଘୁଞ୍ଚା ଦେବେ ।

‘ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟାରେ ଆମ ପରିବାର ଆଘାତ, ତଥ୍ୟ ଥିଲେ ପୋଲିସକୁ ଦିଅନ୍ତୁ’

ଝାରସୁଗୁଡ଼ା: ନବକିଶୋର ଦାସଙ୍କ ଚରିତ୍ରକୁ ଆକ୍ଷେପ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନବ ଦାସଙ୍କ ଝିଅ ଦୀପାଳି। ନରସିଂହଙ୍କ ବୟାନ ତାଙ୍କ ପରିବାରକୁ ଗଭୀର ଆଘାତ ଦେଇଛି । ନବ ଦାସଙ୍କ ମୃତ୍ୟୁକୁ ନେଇ କିଛି ତଥ୍ୟ ନରସିଂହଙ୍କ ପାଖରେ ଥିଲେ ପୋଲିସ କି କୋର୍ଟରେ ଦେବାକୁ କହିଛନ୍ତି ଦୀପାଳି ।

ଗଣମାଧ୍ୟମରେ ବାପାଙ୍କ ଚରିତ୍ର ସଂହାର ନକରିବାକୁ ସେ କହିଛନ୍ତି । ନବକିଶୋର ଦାସଙ୍କ ଦେହାନ୍ତ ପରେ ତାଙ୍କ ବିରୋଧରେ ଏପରି ମନ୍ତ୍ୟବ୍ୟ ଶୋଭନୀୟ ନୁହେଁ ବୋଲି ଦୀପାଳି କହିଛନ୍ତି। ଦୀପାଳି କହିଛନ୍ତି, ନରସିଂହ ମିଶ୍ର ଜଣେ ବରିଷ୍ଠ ନେତା  । ବାପାଙ୍କ ସହ ମିଶି ଅନେକ କାର୍ଯ୍ୟ କରିଛନ୍ତି  । ବାପାଙ୍କର ଜଣେ ଭଲ ବନ୍ଧୁ  । କିନ୍ତୁ ତାଙ୍କ ଦିବଙ୍ଗତ ପିତାଙ୍କୁ ନେଇ ସେ ରାଜନୀତି କରୁଛନ୍ତି  । ଟିକା ଟିପ୍ପଣୀ ଦେଉଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ  ।

ଆମ ପରିବାର ଲୋକ ନରସିଂହ ମିଶ୍ରଙ୍କ ବୟାନରେ ମର୍ମାହତ ହୋଇଛନ୍ତି ବୋଲି କହିଛନ୍ତି ଝିଅ ଦୀପାଳି  । ଯଦି ସେମିତି କିଛି ପ୍ରମାଣ ଅଛି ତେବେ ନରସିଂହ ମିଶ୍ର କୋର୍ଟରେ କିମ୍ବା ପୋଲିସକୁ ଦିଅନ୍ତୁ ବୋଲି କହିଛନ୍ତି ଝିଅ ଦୀପାଳି  ।

 

ମନ୍ଦିର ପରିସରରେ ମଟନ ଡେଲିଭରୀ କଲେନି ସ୍ବିଗି ବୟ, ଚାକିରିରୁ ବାହାର କରିଦେଲା କମ୍ପାନୀ

ନୂଆଦିଲ୍ଲୀ: ସବୁବେଳେ ଡେଲିଭରୀ ବୟ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ କେତେବେଳେ ଫଟୋ ଭାଇରାଲ ହୁଏ ତ ଆଉ କେତେବେଳେ ଡେଲିଭରୀ ବୟଙ୍କ କାହାଣୀ । କୁହାଯାଏ ବ୍ୟବସାୟରେ ଜାତି ଧର୍ମ ଦେଖାଯାଏ ନାହିଁ । କିନ୍ତୁ ଆଜି ଜଣେ ଡେଲିଭରୀ ବୟଙ୍କ ସହ ଏପରି ଘଟିଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।

ଦିଲ୍ଲୀର ଜଣେ ସ୍ବିଗି ବୟ ମଟନ କୋରମା ନେଇ ଡେଲିଭରୀ କରିବାକୁ ଯାଇଥିଲେ । ଡେଲିଭରୀର ସ୍ଥାନ ଥିଲା ମନ୍ଦିର ପରିସର । ହନୁମାନ ମନ୍ଦିର ପରିସର ଦେଖି ସ୍ବିଗି ବୟ ଜଣଙ୍କ ଡେଲିଭରୀ କରିବାକୁ ସିଧା ସିଧା ମନା କରିଦେଇଥିଲେ । ଡେଲିଭରୀ ବୟ ଜଣଙ୍କ ମନ୍ଦିର ବାହାରେ ଠିଆ ହୋଇ ଅର୍ଡର ଦେଇଥିବା ଲୋକକୁ ସେଠାରୁ ନେବାକୁ କହିଥିଲେ । ହେଲେ ଗ୍ରାହକ ତାଙ୍କୁ ମନ୍ଦିର ଭିତରକୁ ଆସି ମଟନ ଦେବାକୁ ବାଧ୍ୟ କରିଥିଲେ ।

ଏହାକୁ ଡେଲିଭରୀ ବୟ ଜଣଙ୍କ ମନା କରିବାରୁ ଗ୍ରାହକ ସ୍ବିଗିରେ ଅଭିଯୋଗ କରିଥିଲେ । ଏହାପରେ ସ୍ବିଗି ତରଫରୁ ଡେଲିଭରୀ ବୟ ସଚିନଙ୍କୁ ଚାକିରିରୁ ବାହାର କରିଦେଇଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ମନ୍ଦିର ଭଳି ଧାର୍ମିକ ସ୍ଥଳର ପବିତ୍ରତା ରକ୍ଷା କରିଥିବାରୁ ମନ୍ଦିର ପୂଜକ ସଚିନଙ୍କୁ ପୁରସ୍କୃତ କରିଥିଲେ ।  କେବଳ ଏତିକି ନୁହେଁ ସଚିନଙ୍କ ଚାକିରି ଚାଲିଯାଇଥିବାରୁ ମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ସେବକ ଭାବେ ଚାକିରି ମଧ୍ୟ ପ୍ରଦାନ କରିଥିଲେ ।