UPSC ଟପ୍ପର ଇଶିତା କିଶୋର କିଏ? ବାପାଙ୍କୁ ଦେଖି ଆଇଏଏସ୍ ହେବାକୁ କରିଥିଲେ ଚିନ୍ତା….

1 min read

ନୂଆଦିଲ୍ଲୀ: ୟୁପିଏସସି ସିଭିଲ ସର୍ଭିସ-୨୦୨୨ ପରୀକ୍ଷାରେ ଇଶିତା କିଶୋର ସାରା ଦେଶରେ ଟପ୍ କରିଛନ୍ତି । ପଲିଟିକାଲ ସାଇନ୍ସ ଏବଂ ଇଣ୍ଟରନ୍ୟାସନାଲ ରିଲେସନ ତାଙ୍କର ଅପସନାଲ ସବଜେକ୍ଟ ଥିଲା । ଶ୍ରୀ ରାମ କଲେଜ ଅଫ୍ କମର୍ସ, ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ଇକୋନୋମିକ୍ସରେ ଗ୍ରାଜୁଏସନ କରିଥିଲେ । ୟୁପିଏସସି ସିଏସି ୨୦୨୨ ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଇଶିତା କିଶୋର କ୍ୟାରିୟରରେ ଟପ୍ପର ରହି ଆସିଛନ୍ତି । ଏୟାର ଫୋର୍ସ ବାଲ ଭାରତୀ ସ୍କୁଲ ଏବଂ ଶ୍ରୀରାମ କଲେଜ ଅଫ୍ କମର୍ସ ଦିଲ୍ଲୀରୁ ଅଧ୍ୟୟନ ପୂରା କରିଥିବା ଇଶିତା ଛୋଟବେଳୁ ହିଁ ମନସ୍ଥ କରିନେଇଥିଲେ ଯେ ସେ ଆଇଏଏସ୍ ଅଧିକାରୀ ହେବେ ବୋଲି ।

ଇଶିତା ଗଣମାଧ୍ୟମକୁ ପ୍ରତିକ୍ରୟା ଦେଇ ତାଙ୍କର ସଫଳତାର ଯାତ୍ରା ସମ୍ପର୍କରେ କହିଛନ୍ତି । ଇଶିତା କିଶୋରଙ୍କ ବାପା ଭାରତୀୟ ବାୟୁସେନାରେ ଜଣେ ଅଧିକାରୀ ଭାବେ କାର୍ଯ୍ୟରତ ଏବଂ ସମ୍ପୂର୍ଣ୍ଣ ପରିବାର ଗ୍ରେଟର ନଏଡାରେ ରହୁଛି । ଇଶିତା ୨୦୧୪ରେ ବାଲ ଭାରତୀରୁ ଦ୍ୱାଦଶ ପାଠ ପୂରା କରିବା ପରେ ୨୦୧୭ରେ ଶ୍ରୀରାମ କଲେଜ ଅଫ୍ କମର୍ସରୁ ଇକୋନୋମିକ୍ସ (ଅନର୍ସ)ରେ ଗ୍ରାଜୁଏସନ ପୂରା କରିଥିଲେ । ୟୁପିଏସସି ପରୀକ୍ଷାରେ ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା । ଏହା ପୂର୍ବରୁ ସେ ଦୁଇଥର ପ୍ରିଲିମ୍ସରେ ବିଫଳ ହୋଇଥିଲେ । ଇଶିତା କହିଛନ୍ତି ଯେ ମୁଁ ଭାବିନଥିଲି ଯେ ମୁଁ ପ୍ରଥମ ସ୍ଥାନ ଅଧିକାର କରିବି ବୋଲି । ପ୍ରଥମେ ଯେବେ ମୁଁ ମୋ ରାଙ୍କ ଦେଖିଲି ବହୁତ ଖୁସି ହୋଇଯାଇଥିଲି ।

ପ୍ରଥମ ସ୍ଥାନ ଅଧିକାର କରିବା ପରେ ସାରା ପରିବାରରେ ଖୁସିର ଲହର ଦେଖାଯାଇଥିଲା । ଇଶିତା କହିଛନ୍ତି ମୁଁ ମୋ ବାପାଙ୍କୁ ସବୁବେଳେ ଦେଶ ସେବାରେ ତତ୍ପର ଥିବା ଦେଖିଛି । ଏଥିପାଇଁ ଛୋଟବେଳେ ହିଁ ମୋତେ ବାପାଙ୍କୁ ଦେଖି ମନକୁ ଆସିଥିଲା ଯେ ମୁଁ ମଧ୍ୟ ବଡ଼ ହୋଇ ଦେଶ ହିତରେ ହିଁ ଏପରି କୌଣସି କାମ କରିବି ଯାହାଫଳରେ ବାପାଙ୍କ ଭଳି ମାତୃଭୂମିର ସେବା କରିପାରିବି । ଇଶିତା କହିଛନ୍ତି ଯେ ସେ ଘରୁ ହିଁ ୟୁପିଏସସି ପାଇଁ ପ୍ରସ୍ତୁତି କରିଥିଲେ । ତାଙ୍କର ଅପସନାଲ ସବଜେକ୍ଟ ପଲିଟିକାଲ ସାଇନ୍ସ ଏବଂ ଇଣ୍ଟରନ୍ୟାସନାଲ ରିଲେସନ ଥିଲା ।

ଦୁଇଥର ବିଫଳ ହେବା ପରେ ଏଥର ଆଶା ଥିଲା ଯେ ସଫଳତା ପାଇବି ହେବେ ଶୀର୍ଷ ସ୍ଥାନ ପାଇବି ବୋଲି ଭାବିନଥିଲି । ମୋର ଏହି ସଫଳତା ପାଇଁ ପରିବାର ଲୋକଙ୍କ ଅକୁଣ୍ଠ ସମର୍ଥନ ରହିଥିଲା । ସମସ୍ତେ ମୋ ଉପରେ ଭରସା ରଖିଥିଲେ ଯେ ମୁଁ ସଫଳତା ପାଇବି ବୋଲି । ଖାସ୍ କରି ବାପା ମାଆଙ୍କ ହାତ ଥିବାରୁ ଏହି ସଫଳତା ମୁଁ ପାଇବାରେ ସକ୍ଷମ ହୋଇପାରିଛି । ଆଗକୁ ଦେଶ ସେବା ନିଷ୍ଠାର ସହ କରିବି ବୋଲି କହିଛନ୍ତି ଇଶିତା । ଯଦି ଗୋଟିଏ ଲକ୍ଷ୍ୟ ମନରେ ରଖିଛନ୍ତି ତେବେ ତା ପାଇଁ ଆନ୍ତରିକତା ରହିବା ଆବଶ୍ୟକ ଏବଂ ନିରନ୍ତର ତା ପାଇଁ ଉଦ୍ୟମ କରିବା ଆବଶ୍ୟକ ବୋଲି ଇଶିତା କହିଛନ୍ତି ।