୩ଦିନ ବନ୍ଦ ରହିବା ପରେ ବର୍ଦ୍ଧିତ ମୂଲ୍ୟ ସହ ଖୋଲିଲା ପାହାଳ ମିଠା ମାର୍କେଟ

ଭୁବନେଶ୍ୱର: ଆଉ ମିଳିବନି ୫ ଟଙ୍କିଆ ରସଗୋଲା । ଦୀର୍ଘ ୩ଦିନ ବନ୍ଦ ରହିବା ପରେ ଖୋଲିଲା ପାହାଳ ମିଠା ମାର୍କେଟ । ମାର୍କେଟ ଖୋଲିବା ସହ ବିଭିନ୍ନ ମିଠାର ଦରବୃଦ୍ଧି ଘଟିଛି । କ୍ଷୀରଦର ବୃଦ୍ଧି ଯୋଗୁଁ ବ୍ୟବସାୟୀ ସଙ୍ଘ ଏପରି ନିଷ୍ପତ୍ତି ନେଇଥିଲା । କେବଳ ରସଗୋଲା ନୁହେଁ ଛେନା ଗଜା , ପୋଡ଼ ଆଉ ଅନ୍ୟାନ୍ୟ ଛେନା ଜାତୀୟ ମିଠାର ମଧ୍ୟ ଦର ବଢ଼ିଛି । ଚଳିତ ମାସ ଆରମ୍ଭରୁ ଓମଫେଡ ଦର ଲିଟର ପିଛା ୪ ଟଙ୍କା ବଢ଼ିଥିବା ବେଳେ ସେହି ଅନୁପାତରେ ଛେନା ଦର ମଧ୍ୟ ୨୦ଟଙ୍କା ବୃଦ୍ଧି ହୋଇଥିଲା ।

ତେବେ ଏହାକୁ ନେଇ ପାହାଳ ମିଠା ବ୍ୟବସାୟୀ ସଙ୍ଘ ପକ୍ଷରୁ ମିଠା ଦର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ୩ ଦିନ ଧରି ମାର୍କେଟ ବନ୍ଦ ରହିବା ପରେ ବର୍ଦ୍ଧିତ ଦର ସହ ଦୋକାନ ଖୋଲିଛି । ତେବେ କୌଣସି ବିରୋଧ ନୁହେଁ ବରଂ ସାଧାରଣ ଲୋକଙ୍କୁ ଦର ବୃଦ୍ଧି ସମ୍ପର୍କରେ ସୂଚନା ଦେବାକୁ ମାର୍କେଟ ବନ୍ଦ କରାଯାଇଥିବା ନେଇ ବ୍ୟବସାୟୀ ସଙ୍ଘର ସଭାପତି ସୂଚନା ଦେଇଥିଲେ । ପାହାଳ ମିଠାର ଚାହିଦା ଖୁବ ଅଧିକ ଥିବାରୁ ଏଠାରୁ ପ୍ରତ୍ୟେକ ଦିନ ପ୍ରାୟ ୪ଟନ୍ ମିଠା ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠା ଯାଇଥାଏ । ଏହା ବ୍ୟତୀତ ଏହି ମିଠା ବଜାର ଦର ଠାରୁ ଅନେକ ଶସ୍ତା ହୋଇଥିବାରୁ ସାମାନ୍ୟ ଦର ବୃଦ୍ଧି ଗ୍ରାହକଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ଉଭୟ ବ୍ୟବସାୟୀ ଓ ଗ୍ରାହକ ପ୍ରକାଶ କରିଥିଲେ ।