UPSC ସିଭିଲ ସର୍ଭିସ ପରୀକ୍ଷାରେ ୬୭ ରାଙ୍କ ହାସଲ କରିଛନ୍ତି ଓଡ଼ିଶାର କସ୍ତୁରୀ ପଣ୍ଡା

ଭୁବନେଶ୍ୱର: ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ୬୭ ରାଙ୍କ ହାସଲ କରିଛନ୍ତି ଓଡ଼ିଶାର କସ୍ତୁରୀ ପଣ୍ଡା । ସେ ଘରୁ ରହି ପ୍ରସ୍ତୁତି କରି ଏହି ସଫଳତା ପାଇଛନ୍ତି । ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ମୁଁ ଯେବେ ଲିଷ୍ଟ ଦେଖିଲି ବିଶ୍ୱାସ ହେଲାନି । ଏହା ମୋର ଦ୍ୱିତୀୟ ପ୍ରୟାସ ଥିଲା । ଗତଥର ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ଯାଇଥିଲି । ମାତ୍ର ୧୦, ୧୨ ମାର୍କ ପାଇଁ କଟିଯାଇଥିଲି । ବାପା ମାଆଙ୍କୁ ସିଲେକ୍ସନ ନେଇ ଯେବେ କହିଲି ସେମାନେ ଖୁସିରେ ଆତ୍ମହରା ହୋଇଯାଇଥିଲେ । ମା ବାପାଙ୍କ ଖୁସି ଆଜି ଦିନର ସବୁଠୁ ବଡ଼ ଗିଫ୍ଟ ମୋ ପାଇଁ ।

ବାପା ମାଆଙ୍କ ଆଶୀର୍ବାଦ ପାଇଁ ଏ ସଫଳତା ମୁଁ ପାଇଛି । ବାପାଙ୍କୁ ଦେଖି ଦେଖି ଲୋକଙ୍କ ସେବା କରିବି ବୋଲି ମନ ବଳାଇଥିଲି । ସେବେଠୁ ନିଷ୍ପତ୍ତି ନେଇଥିଲି ଆଇଏଏସ୍ ଅଧିକାରୀ ହୋଇ ଲୋକଙ୍କ ସେବା କରିବି । ମହିଳା ଏବଂ ଶିଶୁଙ୍କ ଶିକ୍ଷା ବିକାଶ ଦିଗରେ କାମ କରିବାକୁ ଚାହୁଁଛି । ଭଦ୍ରକରୁ ସ୍କୁଲି ଶେଷ କରିଥିଲି । ଯୁକ୍ତ ଦୁଇ ଡିଏଭି ଚନ୍ଦ୍ରଶେଖରପୁରରୁ ଶେଷ କରିଛି । ୟୁପିଏସସି ପ୍ରସ୍ତୁତି ଘରେ ରହି କରିଥିଲି । ମୁଁ ଓଡ଼ିଶା ଭିତରେ ରହି ଘରେ ପ୍ରସ୍ତୁତି କରି ଏହି ସଫଳତା ପାଇଛି ବୋଲି କହିଛନ୍ତି କସ୍ତୁରୀ ପଣ୍ଡା ।