ପର୍ଯ୍ୟଟନ କ୍ଷେତ୍ରରେ ବଢିଛି ବଜେଟ୍, ବଢ଼ିଛି ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା

1 min read

ଭୁବନେଶ୍ୱର: ପର୍ଯ୍ୟଟନ କ୍ଷେତ୍ରରେ ବଢିଛି ବଜେଟ । ବଢିଛି ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା । ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଗତ ୪ ବର୍ଷ ମଧ୍ୟରେ ବେଶ୍ ଅଭିବୃଦ୍ଧି ହାସଲ କରିଛି । ୨୦୦୦ ମସିହାରେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ବିପର୍ଯ୍ୟୟ ପରିଚାଳନା ଓ ଦାରିଦ୍ର୍ୟ ଭଳି ସମସ୍ୟାର ସମ୍ମୁଖୀନ ହେଉଥିଲା । ଏବେ ଏହା ବହୁ ଆଗକୁ ବଢ଼ିଛି । ୨୦୨୨-୨୩ ବର୍ଷରେ ପର୍ଯ୍ୟଟନ ବିଭାଗର ବଜେଟ୍ ୬୬୦ କୋଟି ଟଙ୍କା ହୋଇଥିବା ବେଳେ ୨୦୦୦-୦୧ ରେ ଏହା ୨.୬୭ କୋଟି ଟଙ୍କା ଥିଲା । ଏଥିରେ ୨୪୬୧୯% ବା ୨୪୬.୧୯ ଗୁଣ ବୃଦ୍ଧି ଘଟିଛି ।

ଗତ ୨୩ ବର୍ଷ ମଧ୍ୟରେ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବ୍ୟାପକ ବୃଦ୍ଧି ଘଟିଛି । ୨୦୦୦ ମସିହାରେ ରାଜ୍ୟ ୨୮ ଲକ୍ଷ ୮୮ ହଜାର ୩୯୨ ଜଣ ଘରୋଇ ପର୍ଯ୍ୟଟକ ଓ ୨୩ ହଜାର ୭୨୩ ଜଣ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ସ୍ବାଗତ କରିଥିଲା । ଯାହା କୋଭିଡ ମହାମାରୀ ଆରମ୍ଭ ହେବା ପର୍ଯ୍ୟନ୍ତ ୨୦୧୯ରେ ୧ କୋଟି ୫୩ଲକ୍ଷ ୭ ହଜାର ୬୩୭ ଘରୋଇ ପର୍ଯ୍ୟଟକ ଓ ୧ଲକ୍ଷ ୧୫ ହଜାର ୧୨୮ ବିଦେଶୀ ପର୍ଯ୍ୟଟକ ଆସିଥିଲେ । ଯାହାକି ଘରୋଇ ପର୍ଯ୍ୟଟକରେ ୪୩୩% ବୃଦ୍ଧି, ଏବଂ ବିଦେଶୀ ପର୍ଯ୍ୟଟକରେ ୩୮୫% ବୃଦ୍ଧି ହୋଇଥିଲା ।

ଉନ୍ନତମାନର ସଡ଼କ ଯୋଗାଯୋଗ ସହିତ, ଦେଶ ଏବଂ ଦେଶ ବାହାରେ ଥିବା ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବିମାନ ଯୋଗାଯୋଗରେ ବୃଦ୍ଧି, ଅପରାଧ ହାର କମ୍, ଆଇନ ଶୃଙ୍ଖଳା ପରିସ୍ଥିତି, ଦକ୍ଷତା ବିକାଶ, ସ୍ଥିର ସରକାର ନିବେଶକଙ୍କ ଆତ୍ମବିଶ୍ୱାସ ବଢ଼ାଉଛି । ମହାମାରୀ ସମୟରେ ଯାତ୍ରା କଟକଣା ପ୍ରଚଳନ ଥିଲା, ସେତେବେଳେ ଓଡିଶା ସରକାର ରାଜ୍ୟରେ ଏକ ସ୍ଥାୟୀ ପର୍ଯ୍ୟଟନ ପରିବେଶର ବିକାଶ ପାଇଁ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରିଥିଲେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ।

ଆଜି ମୁଖ୍ୟମନ୍ତ୍ରୀ ଗତ ୪ ବର୍ଷ ମଧ୍ୟରେ ପର୍ଯ୍ୟଟନ ବିଭାଗର ଅଗ୍ରଗତି ଏବଂ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନେଇ ସମୀକ୍ଷା କରିଥିଲେ । ରାଜ୍ୟରେ ଜିଲ୍ଲା ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ ଗଠନ ପାଇଁ ସରକାରଙ୍କ ପ୍ରତିଶ୍ରୁତିକୁ ଦୋହରାଇଛନ୍ତି । ପର୍ଯ୍ୟଟନରେ ବ୍ୟବସାୟିକ ସୁଯୋଗ ଯୋଗାଇବା ପାଇଁ SHG ସହ MoU ସ୍ଵାକ୍ଷରିତ ହୋଇଛି । ଏହି ଦୁଇଟି ପ୍ରତିଶ୍ରୁତିକୁ ପୂରଣ କରି ବିଭାଗ ପକ୍ଷରୁ ଓଡ଼ିଶା ପର୍ଯ୍ୟଟନ ନୀତି ୨୦୨୨ ଅନୁଯାୟୀ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ସ୍ଥାନୀୟ ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ ଗଠନ କରାଯାଇଛି ।

ଏହି ପରିଷଦଗୁଡ଼ିକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ । ଏହାବ୍ୟତୀତ ପର୍ଯ୍ୟଟନ ବିଭାଗ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଥିବା ୨୦ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଏବଂ ୧୨ଟି କାଫେଟେରିଆକୁ ମିଶନ ଶକ୍ତି SHGକୁ ହସ୍ତାନ୍ତର କରିବା ପାଇଁ ପ୍ରକ୍ରିୟା ଜାରି ରହିଛି । ସେହିପରି ଲୋପ ପାଇଯାଉଥିବା ନୃତ୍ୟକଳା, ବାଦ୍ୟ ଯନ୍ତ୍ରର କିପରି ପୁନରୁଦ୍ଧାର ହୋଇପାରିବ ସେ ନେଇ ମଧ୍ୟ ଯୋଜନା କରାଯାଇଛି । କେବଳ ଭୁବନେଶ୍ବର କଟକ ନୁହେଁ ସୁଦୂର ମାଲକାନଗିରିରେ ମଧ୍ୟ ଲୋକକଳା ଉତ୍ସବମାନ ଆୟୋଜନ କରାଯାଉଛି ।