spot_img
Home Blog Page 3328

କଳାକାରଙ୍କୁ ପାରିଶ୍ରମିକ ନଦେବା ଅଭିଯୋଗ, ମୁହଁ ଖୋଲିଲେ ଅକ୍ଷୟ ପରିଜା

ଭୁବନେଶ୍ୱର: ଅକ୍ଷୟ ପରିଜା ପ୍ରଡ଼କସନ ହାଉସ ବିରୋଧରେ ପାରିଶ୍ରମିକ ନଦେବା ଅଭିଯୋଗ ଘଟଣା । ପ୍ରତିକ୍ରିୟା ରଖିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ଅକ୍ଷୟ କହିଛନ୍ତି, ସେ ଏବେ ବିଦେଶରେ ଅଛନ୍ତି । କିଛି କଳାକାର ତାଙ୍କ ବିରୋଧରେ ଟଙ୍କା ଦେଇନଥିବା ଅଭିଯୋଗ କରିଛନ୍ତି । ତାଙ୍କର ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଟେକନିକାଲ ସମସ୍ୟା ଯୋଗୁ ଫ୍ରିଜ ହୋଇଯାଇଥିଲା । ତାହା ଆଜି କ୍ଳିୟର ହୋଇଛି ।

ଅକ୍ଷୟ ପରିଜା କହିଛନ୍ତି ମୁଁ ଜାତୀୟ ଚ୍ୟାନେଲ ସହିତ କାମ କରୁଛି । ସଂପୃକ୍ତ ଚ୍ୟାନେଲ ଠାରୁ ଦେଢ କୋଟି ଟଙ୍କା ପାଇବାର ଅଛି। ୨୬ ଲକ୍ଷ ଟଙ୍କା କଳକାରଙ୍କୁ ଦେବାର ଅଛି । କାହାରି ଟଙ୍କା ରଖିବାର ଅଭିପ୍ରାୟ ନାହିଁ ବୋଲି ଅକ୍ଷୟ ପ୍ରତିକ୍ରିୟା ଦେଇଛନ୍ତି । କଳାକାରଙ୍କୁ ପାରିଶ୍ରମିକ ମିଳିନଥିବା ଅଭିଯୋଗରେ ଆଜି ଭୁବନେଶ୍ବର କଣ୍ଟାବାଡ଼ରେ ଅକ୍ଷୟ ପରିଜା ପ୍ରଡକ୍ସନ କାର୍ଯ୍ୟାଳୟ ସାମ୍ନାରେ କଳାକାର, ଟେକନିସିଆନ ଧାରଣା ଦେଇଥିଲେ । ଶାନ୍ତି ସିରିଏଲରେ କାମ କରୁଥିବା କଳାକାର ଗତ ୪ ମାସ ହେଲା ପାରିଶ୍ରମିକ ପାଇନଥିବା ଅଭିଯୋଗ ହୋଇଥିଲା ।

ନୃତ୍ୟ ଓ ଗୀତ ଗାଇ ଅଭିଯୋଗ କଲେ ଆଦିବାସୀ

ଢେଙ୍କାନାଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନିଆରା ପ୍ରତିବାଦ । ନୃତ୍ୟ ଓ ଗୀତ ଗାଇ ଅଭିଯୋଗ ଜଣାଉଛନ୍ତି ଆଦିବାସୀ । ଆରଆଇ ମାନଙ୍କ ମିଛ ରିପୋର୍ଟ ପାଇଁ ବର୍ଷ ବର୍ଷ ଧରି ହଇରାଣ ହେଉଛନ୍ତି ଶବର ଜନଜାତି । ଯେଉଁଥି ପାଇଁ ନିଜ ହକ ପାଇଁ ଆଜି ଶତାଧିକ ଶବର ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଦିବାସୀ ନୃତ୍ୟ କରି ଗିତ ଗାଇ ନିଆରା ଢଙ୍ଗରେ ପ୍ରତିବାଦ କରୁଛନ୍ତି ।

ସହରର ବାଜିଚୌକ ଛକ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯାଳୟ ପର୍ଯ୍ୟନ୍ତ ଆସି ଧାରଣାରେ ବସିଛନ୍ତି ସମସ୍ତେ । ଜମି ପଟ୍ଟାରେ ଶବର ବଦଳରେ ସଅର କିଭଳି ଲେଖାହେଲା ବୋଲି ପ୍ରଶ୍ନ କରିଛନ୍ତି । ପ୍ରଶାସନିକ ସ୍ତରରେ ଏଭଳି ତ୍ରୁଟିକୁ ନେଇ ପ୍ରଶ୍ନ କରିଛନ୍ତି ଏହି ଆଦିବାସୀ ସମ୍ପ୍ରଦାୟ  ।

ନଦୀରୁ ଖସିଲା ମାଟି ଅତଡ଼ା, ପୋତି ହୋଇଗଲେ ୨ ମହିଳା

କୋରାପୁଟ: ମାଟି ଅତଡ଼ା ଖସି ଦୁଇ ମହିଳାଙ୍କର ମୃତ୍ୟୁ । କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ହିକମପୁଟ ନିକଟରେ ଅଭାବନୀୟ ଘଟଣା । ମୃତକ ହେଲେ ଗାଗଡ଼ାପଣ୍ଡି ଗାଁର ଦୈମତ କନ୍ତ୍ରୀ ଓ ଶୋଷି ହନ୍ତାଳ । ମାରଡ଼ା ନଦୀରୁ ମାଟି କାଢିବାବେଳେ ମାଟିରେ ପୋତି ହୋଇ ୨ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ଗୁରୁତରଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

ପୁରୀରେ ଲାଇନଚ୍ୟୁତ ଟ୍ରେନ୍ ବଗି

ପୁରୀ: ରେଳ ଷ୍ଟେସନ ନିକଟରେ ଅଘଟଣ  । ପୁରୀ-ଗୁଣପୁର ଟ୍ରେନ ପଛକୁ ଫେରିବା ବେଳେ ପଛ ଲାଇନଚ୍ୟୁତ ଘଟିଛି ବଗି  । ବଗିରେ କୌଣସି ଯାତ୍ରୀ ନଥିଲେ, ତେଣୁ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି  । ସେପଟେ ବଗିଟି ଲାଇନଚ୍ୟୁତ ଘଟି ଷ୍ଟେସନ ନିକଟରେ ରହିଛି  । ସେପଟେ ଘଟଣା ବିଷୟରେ ଖବର ପାଇ ରେଳ ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଁଚିଛନ୍ତି  ।

କାହିଁକି ଓ କେଉଁ କାରଣରୁ ଦୁର୍ଘଟଣା ଘଟିଲା ସେ ବିଷୟରେ ଅନୁଧ୍ୟାନ କରୁଛନ୍ତି ଅଧିକାରୀ   । ଏନେଇ ମଧ୍ୟ ଏକ ଟିମ୍ ତଦନ୍ତ କରିବ ବୋଲି ସୂଚନା ମିଳିଛି  । ଯେଉଁଥିରେ କାହିଁକି ଓ କେଉଁ କାରଣରୁ ବଗି ଲାଇନଚ୍ୟୁତ ଘଟିଲା ସ୍ପଷ୍ଟ ହେବ  । ସେପଟେ ଯଦି ବଗିରେ ଯାତ୍ରୀ ରହିଥାଆନ୍ତେ, ତେବେ ବଡ଼ ଧରଣର ଅଘଟଣ ଘଟିଥାନ୍ତା ନିଶ୍ଚୟ  ।

ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି, ବଢ଼ିଲା ପାନ୍-ଆଧାର ଲିଙ୍କ୍ ଅବଧି

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି । ପାନ୍-ଆଧାର ଲିଙ୍କ୍ ଅବଧିକୁ ଆଗକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏବେ ପାନ୍ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିବାର ଶେଷ ତାରିଖ ୩୦ ଜୁନ ୨୦୨୩ କୁ ବୃଦ୍ଧି କରିଦିଆଯାଇଛି । ପୂର୍ବରୁ ଏହି ଅବଧି ୩୧ ମାର୍ଚ୍ଚ ୨୦୨୩ ଥିଲା । କରଦାତା ଏବେ ୩୦ ଜୁନ ପର୍ଯ୍ୟନ୍ତ ଜରିମାନା ଦେଇ ନିଜ ପାନ୍ କାର୍ଡ, ଆଧାର କାର୍ଡ ସହ ଲିଙ୍କ କରିପାରିବେ ।

ଆଜି ସିବିଡିଟି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଟିକସଦାତାଙ୍କୁ ଆହୁରି ଆଶ୍ୱସ୍ତି ଦେବା ପାଇଁ ପାନ୍ କାର୍ଡ ଏବଂ ଆଧାର କାର୍ଡ ଲିଙ୍କ କରିବାର ଶେଷ ତାରିଖକୁ ୩୦ ଜୁନ ୨୦୨୩ କୁ ବୃଦ୍ଧି କରାଯାଇଛି । ଏହା ପଞ୍ଚମ ଥର ଅଟେ ଯେ ସିବିଡିଟି ପାନ୍ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିବାର ଶେଷ ତାରିଖରେ ପରିବର୍ତ୍ତନ କରିଛି । ଯଦି କରଦାତା ୩୦ ଜୁନ ୨୦୨୩ ସୁଦ୍ଧା ନିଜ ପାନ୍ ଏବଂ ଆଧାରକୁ ଲିଙ୍କ କରିବାରେ ଅସଫଳ ରୁହନ୍ତି ତେବେ ତାଙ୍କ ପାନ କାର୍ଡ ନିଷ୍କ୍ରିୟ ହୋଇଯିବ । ଅର୍ଥାତ ଆପଣ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣସ ଫାଇଲ କରିପାରିବେନି ।

ଏଥିସହିତ ଆପଣ ଅନେକ ବ୍ୟାଙ୍କିଂ ସର୍ଭିସେଜ ପରଫର୍ମ ବା ଷ୍ଟକ୍ ମାର୍କେଟ ଟ୍ରାଞ୍ଜାକ୍ସନ କରିପାରିବେନାହିଁ । ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କ ପାନ୍ ସହ ଆଧାର ଲିଙ୍କ ହୋଇଛି କି ନାହିଁ ତେବେ ଇନକମ୍ ଟ୍ୟାକ୍ସ ଇ-ଫାଇଲିଙ୍ଗ ପେଜକୁ ଭିଜିଟ କରନ୍ତୁ । ଏହାପରେ ପାନ୍ ଲିଙ୍କ ଅପ୍ସନରେ କ୍ଲିକ କରନ୍ତୁ ।  ୧୦ ଟିକିଆ ପାନ୍ ଏବଂ ୧୨ ଟିକିଆ ଆଧାର ନମ୍ବର ଭରନ୍ତୁ ।  ସୂଚନା ସଠିକ୍ ଭରିବା ପରେ ନୀଳ ରଙ୍ଗରେ ଭ୍ୟୁ ଲିଙ୍କ ଆଧାର ଷ୍ଟାଟସ୍ ଉପରେ କ୍ଲିକ କରନ୍ତୁ । ଯଦି ଆପଣଙ୍କର ଆଗରୁ ଲିଙ୍କ ହୋଇଥିବ ତେବେ ଏଥିରେ ଲିଙ୍କ୍ ହୋଇଯାଇଛି ବୋଲି ଲେଖିବ ଯଦି କରିନଥିବେ ତେବେ ପ୍ରୋସେସ ଅନୁଯାୟୀ ଆବଶ୍ୟକୀୟ ସୂଚନା ଭରି ଲିଙ୍କ୍ କରିପାରିବେ ।

ମାଲକାନଗିରି ଗସ୍ତରେ 5T ସଚିବ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

ମାଲକାନଗିରି: ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ମାଲକାନଗିରି ଗସ୍ତରେ ଅଛନ୍ତି  । ମାଥିଲିରେ ପହଞ୍ଚିବା ପରେ ଶିବସାଗର ଯାଇ ଉନ୍ନତିକରଣ ସମୀକ୍ଷା କରିଛନ୍ତି 5T ସଚିବ । ପରେ ପ୍ରସ୍ତାବିତ ରେଳ ଲାଇନ ଓ ସପ୍ତଧରା ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏହାପରେ ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ।

ଆଉ କିଛି ସମୟ ପରେ ସୀତାକୁଣ୍ଡରେ ପହଞ୍ଚି ବଣ୍ଡା ହିଲ୍ସର ଉନ୍ନତିକରଣର ସମୀକ୍ଷା କରିବେ ପାଣ୍ଡିଆନ । ପରେ ହନ୍ତଳଗୁଡ଼ା ଭିୟୁ ପଏଣ୍ଟର ନିର୍ମାଣ ଅନୁଧ୍ୟାନ କରି ଲୋକଙ୍କ ସହ ଆଲୋଚନା କରିବେ । ଏହାପରେ ବିଏସଏଫ କ୍ୟାମ୍ପ ଏବଂ ବଡ଼ପଦାରେ ସ୍କୁଲକୁ ଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ମଧ୍ୟ ଫାଇଭ-ଟି ସଚିବ ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପର ଅନୁଧ୍ୟାନ କରିବେ ।

 

ପୁଣି ମୋ ବସରୁ ଲୁଟ୍, ବାହାଘର ପାଇଁ ଲୁଗା କିଣିବାକୁ ଆସି ହେଲେ ଲୁଟର ଶିକାର

ଭୁବନେଶ୍ୱର: ପୁଣି ମୋ ବସରୁ ଲୁଟ୍ । ୫୦ ହଜାର ଟଙ୍କା ଲୁଟ୍ । ଲୁଟର ଶିକାର ହୋଇଛନ୍ତି ବାଙ୍କୀ ଅଞ୍ଚଳର ରାଜକିଶୋର ଜେନା । ମୋ ବସ୍‌ ଭିତରୁ ତାଙ୍କର ୫୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ବାହାଘର ପାଇଁ ଲୁଗାପଟା କିଣିବାକୁ ଭୁବନେଶ୍ବର ଆସିବା ବେଳେ ରାଜକିଶୋର ଲୁଟର ଶିକାର ହୋଇଛନ୍ତି । ବାଙ୍କୀ ଥାନା ବିଲୁପଡା ବଡ଼ ପଦନପୂରର ରାଜକିଶୋର ଜେନା ସପରିବାର ଭୁବନେଶ୍ବର ଆସିବା ପାଇଁ ତ୍ରିଶୂଳିଆରୁ ୧୮ ନମ୍ବର ବସରେ ବସିଥିଲେ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ତାଙ୍କର ୫୦ ହଜାର ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ ରାଜକିଶୋର । ବସ୍ କର୍ମଚାରୀ ବସ ଅଟକାଇ ଯାଞ୍ଚ କଲା ବେଳକୁ ଲୁଟେରାର ପତ୍ତା ମିଳିନଥିଲା । ରାଜକିଶୋର ଏନେଇ ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି ।

 

 

ଏପ୍ରିଲରେ କେତେ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ୍ ମାସ। ତେବେ ଯଦି ଏହି ମାସରେ ଆପଣଙ୍କର ବ୍ୟାଙ୍କରେ କିଛି କାମ ଅଛି। ତେବେ ସାରି ଦିଅନ୍ତୁ । କାରଣ ଏହି ମାସରେ ବ୍ୟାଙ୍କଗୁଡିକ ୧୬ ଦିନ ପାଇଁ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ବ୍ୟାଙ୍କ ଛୁଟିର ସୂଚନା ଦିଆଯାଇଛି ।

ପର୍ବପର୍ବାଣୀ ଅନୁଯାୟୀ ସବୁ ରାଜ୍ୟରେ ବ୍ୟାଙ୍କ ଛୁଟି ଭିନ୍ନ ଭିନ୍ନ ତାରିଖରେ ପଡିଥାଏ। ଅନେକ ରାଜ୍ୟ ଓ ସହରରେ ମଧ୍ୟ ବ୍ୟାଙ୍କ ଛୁଟି ସ୍ଥାନୀୟ ପର୍ବ ଉପରେ ନିର୍ଭର କରିଥାଏ । ଯଦି ଆପଣ ମଧ୍ୟ ବ୍ୟାଙ୍କ ଶାଖାକୁ ଯାଇ କିଛି କାମ କରିବାକୁ ଚାହୁଁଛନ୍ତି, ତେବେ ଘରୁ ବାହାରିବା ପୂର୍ବରୁ ଛୁଟିଦିନର ସମ୍ପୂର୍ଣ୍ଣ ତାଲିକା ଦେଖିନିଅନ୍ତୁ |

ଏପ୍ରିଲ୍ ୧: ଆର୍ଥିକ ବର୍ଷ ଶେଷ ପାଇଁ ସମସ୍ତ ବ୍ୟାଙ୍କ ବନ୍ଦ
ଏପ୍ରିଲ୍ ୨: ରବିବାର
ଏପ୍ରିଲ୍ ୩: ମହାବୀର ଜୟନ୍ତୀ (ଭୋପାଳରେ ଛୁଟି)
ଏପ୍ରିଲ୍ ୪: ମହାବୀର ଜୟନ୍ତୀ
ଏପ୍ରିଲ୍ ୫: ବାବୁ ଜଗଜୀବନ ରାମ ଜୟନ୍ତୀ
ଏପ୍ରିଲ୍ ୭: ଗୁଡ୍‌ ଫ୍ରାଇଡେ
ଏପ୍ରିଲ୍ ୮: ଦ୍ୱିତୀୟ ଶନିବାର
ଏପ୍ରିଲ୍ ୯: ରବିବାର
ଏପ୍ରିଲ୍ ୧୪: ଡ. ବାବାସାହେବ ଆମ୍ବେଦକର ଜୟନ୍ତୀ
ଏପ୍ରିଲ୍ ୧୫: ବିହୁ / ହିମାଚଳ ଦିବସ / ବଙ୍ଗାଳୀ ନୂଆ ବର୍ଷ
ଏପ୍ରିଲ୍ ୧୬: ରବିବାର
ଏପ୍ରିଲ୍ ୧୮: ଶବ୍-ଏ-କଦର (ଜମ୍ମୁ, ଶ୍ରୀନଗରରେ ବ୍ୟାଙ୍କ ବନ୍ଦ)
ଏପ୍ରିଲ୍ ୨୧: ଇଦ-ଉଲ୍-ଫିତର (ରମଜାନ୍ ଇଦ୍)
ଏପ୍ରିଲ୍ ୨୨: ଚତୁର୍ଥ ଶନିବାର ଓ ରମଜାନ୍ ଇଦ୍
ଏପ୍ରିଲ୍ ୨୩: ରବିବାର
ଏପ୍ରିଲ୍ ୩୦: ରବିବାର

ପୋଷ୍ଟ ମାଷ୍ଟର ନିଯୁକ୍ତି ପରୀକ୍ଷାରେ ଜାଲିଆତି, ଫୁଲବାଣୀରେ ଧରାପଡ଼ିଲା ୬ ନକଲି ପ୍ରମାଣପତ୍ର

ଫୁଲବାଣୀ: ପୋଷ୍ଟ ମାଷ୍ଟର ପଦବୀ ଲାଗି ଫୁଲବାଣୀର ୮୫ଟି ଶାଖା ପାଇଁ ହୋଇଛି ଯୋଗ୍ୟତା ପରୀକ୍ଷା । ଏଥିରୁ ୫୭ ଜଣ ଯୋଗ୍ୟତା ହାସଲ କରିଥିବା ବେଳେ, ଯାଞ୍ଚ ବେଳେ ୬ ଜଣଙ୍କ ପ୍ରମାଣ ପତ୍ର ନକଲି ବୋଲି ଜଣାପଡ଼ିଛି । ପାଞ୍ଚ ଜଣ ପରୀକ୍ଷାର୍ଥୀ ଆହ୍ଲାବାଦ ବୋର୍ଡ ସାର୍ଟିଫିକେଟ ଏବଂ ଜଣେ NIOSର ଜାତୀୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ଆଣିଥିବା ଜଣାପଡ଼ିଛି । ଏହାକୁ ନେଇ ଡାକ ବିଭାଗ ଅଧିକାରୀ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି । ଘଟଣାର ପର୍ଦ୍ଦାଫାସ ପରେ ପୋଲିସ ତନାଘନା ଆରମ୍ଭ କରିଛି ।

ସୂଚନା ଅନୁସାରେ, ଫୁଲବାଣୀ ଡାକ ମଣ୍ଡଳ ପକ୍ଷରୁ ୮୫ଟି ଶାଖାର ପୋଷ୍ଟ ମାଷ୍ଟର ଓ ସହକାରୀ ପୋଷ୍ଟ ମାଷ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।ଏହି ପଦବୀ ପାଇଁ ସର୍ବନିମ୍ନ ଯୋଗ୍ୟତା ମାଟ୍ରିକ ପାସ୍ ରହିଥିଲା । ନିଯୁକ୍ତି ପାଇଁ ସମସ୍ତ ପ୍ରକ୍ରିୟା ଅନଲାଇନରେ ହୋଇଥିଲା । ମାଟ୍ରିକ ପରୀକ୍ଷାର ମାର୍କ ଭିତ୍ତିରେ ଯୋଗ୍ୟ ପ୍ରାର୍ଥୀ ଚୟନ ପାଇଁ ବ୍ୟବସ୍ଥା ରହିଥିବା ବେଳେ, ୮୫ ଜଣ ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୫୭ ଜଣ ନିର୍ଦ୍ଦିଷ୍ଟ ଦିନ ଉପସ୍ଥିତ ରହିଥିଲେ । ସମସ୍ତ ପ୍ରାର୍ଥୀଙ୍କ ମାଟ୍ରିକ ପ୍ରମାଣପତ୍ର ଯାଞ୍ଚ ପରେ ସେଥି ମଧ୍ୟରୁ ୬ ଜଣଙ୍କ ପ୍ରମାଣପତ୍ର ଜାଲ ବୋଲି ଜଣାପଡ଼ିଥିଲା । ଅଭିଯୁକ୍ତଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଳାର ପ୍ରମୋଦ ସାହୁ, ଖୋର୍ଦ୍ଧାର ଶୁଭଙ୍କର ବେହେରା, କନ୍ଧମାଳର ମାନିନୀ ମାଝୀ, ପ୍ରମିତ କୁମାର ବେହେରା ଏବଂ ଭଦ୍ରକ ଜିଲ୍ଲାର ନରେନ୍ଦ୍ର ମହାନ୍ତି ଆଲ୍ଲାବାଦରୁ ସାର୍ଟିଫିକେଟ ସଂଗ୍ରହ କରିଛନ୍ତି । ସେହିପରି ଖୋର୍ଦ୍ଧାର ପ୍ରହ୍ଲାଦ ବେହେରା NIOSର ପ୍ରମାଣପତ୍ର ଦାଖଲ କରିଥିବା ଡାକ ଅଧୀକ୍ଷକ ଏତଲାରେ ଦର୍ଶାଇଛନ୍ତି ।

ଏହା ପୂର୍ବରୁ ବଲାଙ୍ଗୀର ଓ କେନ୍ଦ୍ରାପଡ଼ାରେ ଧରାପଡ଼ିଥିଲା ନକଲି ସାର୍ଟିଫିକେଟ୍ । କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ ବିଭାଗରେ ୧୫ଟି ଗ୍ରାମୀଣ ଡାକ ସେବକ ପଦବୀରେ ନିଯୁକ୍ତି ପାଇଁ ଅନଲାଇନରେ ବହୁ ଯୁବକ ଯୁବତୀ ଆବେଦନ କରିଥିଲେ । ମେରିଟ ଲିଷ୍ଟ ପ୍ରକାଶ ପାଇବା ପରେ ଗତ ୨୧ ତାରିଖରେ ଭଦ୍ରକ ଜିଲ୍ଲା ଲୁଣିଆ ଗ୍ରାମର ଅନିତା ଜେନାଙ୍କୁ ଡିଭିଜନ ଅଫିସକୁ ସାର୍ଟିଫିକେଟ୍ ଯାଞ୍ଚ ପାଇଁ ଡକାଯାଇଥିଲା । ତେବେ ଯାଞ୍ଚ ସମୟରେ ତାଙ୍କର ସାର୍ଟିଫିକେଟ୍ ଉପରେ ଅଧିକାରୀଙ୍କ ସନ୍ଦେହ ହୋଇଥିଲା । ପଚରାଉଚରା କରିବାରୁ ସାର୍ଟିଫିକେଟ୍ ନକଲି ବୋଲି ମାନିଥିଲେ ଛାତ୍ରୀ । ଏହାପରେ ସମସ୍ତ ଡକ୍ୟୁମେଣ୍ଟ ଛାଡ଼ି ପଳାଇଥିଲେ । ଡାକ ଅଧିକ୍ଷକ ଏନେଇ ଟାଉନ ଥାନାରେ ଏକ ଏତଲା ଦେଇଛନ୍ତି । ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

ସଂରକ୍ଷଣ ବ୍ୟବସ୍ଥାକୁ ନେଇ କର୍ଣ୍ଣାଟକରେ ଜୋରଦାର ଆନ୍ଦୋଳନ

ବେଙ୍ଗାଲୁରୁ: ସଂରକ୍ଷଣ ପାଇଁ ସଂଗ୍ରାମ । ସଂରକ୍ଷଣ ବ୍ୟବସ୍ଥାରେ କାଣ୍ଟଛାଟକୁ ବିରୋଧ କରି ଆଜି ବି କର୍ଣ୍ଣାଟକରେ ଉଗ୍ର ଆନ୍ଦୋଳନ । ବନଜରା ଓ ଭୋବି ସମ୍ପ୍ରଦାୟ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅନୁସୂଚିତ ଜାତିଙ୍କ ପାଇଁ ସରକାର ଘୋଷଣା କରିଥିବା ଇଣ୍ଟରନାଲ ରିଜରଭେସନକୁ ଜୋରଦାର ବିରୋଧ କରି ବନଜରା ସମ୍ପଦାୟ ଆନ୍ଦୋଳନ କରୁଛି ।

ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ପୋଷ୍ଟର ପୋଡ଼ିବା ସହ କର୍ଣ୍ଣାଟକର ବିଜେପି ସରକାର ବିରୋଧରେ ନାରାବାଜି କରିଛନ୍ତି । ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ବ୍ୟବସ୍ଥାରେ କାଣ୍ଟଛାଣ୍ଟ ଲାଗି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ସୁପାରିସ କରିଛନ୍ତି।

ସଦାଶିବ କମିସନ ରିପୋର୍ଟ ଆଧାରରେ ଅନୁସୂଚିତ ଜାତି ପାଇଁ ରହିଥିବା ୧୭ପ୍ରତିଶତ ସଂରକ୍ଷଣରୁ ୬ ପ୍ରତିଶତ ଅନୁସୂଚିତ ଜାତି (ଲେଫ୍ଟ) ଓ ୫.୫ ପ୍ରତିଶତ ଅନୁସୂଚିତ ଜାତି(ରାଇଟ) ୪.୫ ପ୍ରତିଶତ ସ୍ପୃଶ୍ୟ ଏବଂ ୧ ପ୍ରତିଶତ ଅନ୍ୟାନ୍ୟଙ୍କ ପାଇଁ ରଖିବାକୁ ରାଜ୍ୟ ପ୍ରସ୍ତାବ ଦେଇଛି । ଏହାକୁ ବିରୋଧ କରିବା ସହ ତୁରନ୍ତ ନିଷ୍ପତ୍ତି ବଦଳାଇବାକୁ ବନଜାରା ଓ ଭୋବି ସମ୍ପ୍ରଦାୟ ଦାବି କରିଛି ।