ମଣିପୁରରେ ଥମୁନି ହିଂସା, ଶାନ୍ତି ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଖଡଗେ

1 min read

ଇମ୍ଫାଲ: ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଥମୁନି ହିଂସା । ସଶସ୍ତ୍ର ପୋଲିସ ମୁତୟନ ସତ୍ତ୍ବେ ଜାରି ରହିଛି ହିଂସା ଓ ପୋଡ଼ାଜଳା । ସ୍ଥିତି ସ୍ବାଭାବିକ କରିବାରେ ବିଫଳ ରାଜ୍ୟ ସରକାର । ସେପଟେ ଆଜି ମଣିପୁରରେ ଶାନ୍ତି ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ଏକ ଟିମ୍। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ।

ସେ କହିଛନ୍ତି- ମଣିପୁରରେ କିଛି ଦିନ ଧରି ହିଂସା ଜାରି ରହିଛି । ରାଜ୍ୟରେ 355 ଧାରା ବଳବତ୍ତର ରହିଛି। ଏହା ସତ୍ତ୍ବେ ହିଂସା ଥମିବାର ନାଁ ନେଉନାହିଁ । ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି । ଗତକାଲି ହିଂସାରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ମଣିପୁରର ବିଭିନ୍ନ ସ୍ଥାନରେ ଉଗ୍ରବାଦୀମାନେ ସାଧାରଣ ଲୋକଙ୍କ ଉପରେ ଗୁଳି ଚାଳନା କରିବା ଯୋଗୁ ସ୍ଥିତି ପୁଣିଥରେ ଉତ୍ତେଜନାପୂର୍ଣ୍ଣ ହୋଇଛି ।

ରାଜ୍ୟରେ ୪୦ ସଶସ୍ତ୍ର ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ କହିଥିବା ସତ୍ତ୍ବେ ସ୍ଥିତିରେ କୌଣସି ସୁଧାର ଆସୁନାହିଁ । ଏବେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଛି । ରାଜ୍ୟରେ ସେନା ଓ ଆସାମ ରାଇଫଲ୍ସର ୧୦ ହଜାରରୁ ଅଧିକ ଯବାନ ମୁତୟନ ହୋଇଥିଲେ ବି ହିଂସା ନିୟନ୍ତ୍ରଣ ବାହାରେ ରହିଛି । ଆଦିବାସୀ ମାନ୍ୟତା ଦେବା ଲାଗି ମେତେଇମାନେ ଦାବି କରିବା ପରେ ପରେ ଗତ ମେ ୩ ତାରିଖରୁ ମଣିପୁରରେ ହିଂସା ଜାରି ରହିଛି ।