କୁଇ ଓ ଦେଶିଆ ଭାଷା ଜାତୀୟ କର୍ମଶାଳା ଆରମ୍ଭ

1 min read

ଭୁବନେଶ୍ବର: କୁଇ ଓ ଦେଶିଆ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରାରମ୍ଭିକ ଶିକ୍ଷା ସ୍ତରରେ କହିବା, ପଢ଼ିବା, ବୁଝିବା ଓ ଲେଖିବାର ଉଦ୍ଦେଶ୍ୟ ନେଇ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବାକୁ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପରୀକ୍ଷଣ ପରିଷଦ (NCERT), ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE), ଭୁବନେଶ୍ଵର ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ମିଳିତ ଉଦ୍ୟମରେ ଏକ ୫ ଦିନିଆ ଜାତୀୟ କର୍ମଶାଳା ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି । ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଏହାକୁ ଉଦଘାଟନ କରିଥିଲେ ।

ଏହି ଅବସରରେ ଓଡ଼ିଆ ଶାସ୍ତ୍ରୀୟ ଭାଷା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାଷା ସମୂହର ଡିନ ପ୍ରଫେସର ନୃସିଂହ ଚରଣ ପଣ୍ଡା  ଏବଂ ବିଶିଷ୍ଠ ସାହିତ୍ୟିକା ଡ. ପ୍ରୀତିଧାରା ସାମଲ କୁଇ ଓ ଦେଶିଆ ଭାଷାରେ ପ୍ରାଥମିକ ସ୍ତରରେ ପଠ୍ୟପୁସ୍ତକ ତିଆରି କଲା ବେଳେ କେଉଁ କେଉଁ ଦିଗପ୍ରତି ଧ୍ୟାନ ଦେବାକୁ ପଡିବ ଉଲ୍ଲେଖ କରିଥିଲେ । ସମାଜଶାସ୍ତ୍ର ବିଭାଗର ସହ ପ୍ରାଧ୍ୟାପକ ଡ. କପିଳ ଖେମୁଣ୍ଡୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଓଡିଆ ବିଭାଗର ଅଧ୍ୟାପିକା ଡ. ରୁଦ୍ରାଣୀ ମହାନ୍ତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଓଡ଼ିଆ ଶାସ୍ତ୍ରୀୟ ଭାଷା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଏହି କର୍ମଶାଳା ଆସନ୍ତା ଜୁନ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

NCERT ଦ୍ବାରା ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିର ପାଞ୍ଚ ଦିବସୀୟ କର୍ମଶାଳାରେ କୁଇ ଓ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯିବ । ପ୍ରଫେସର ତ୍ରିପାଠୀ ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ନିଜ ଭାଷା ତଥା ମାତୃଭାଷାରେ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ଓ ରାଷ୍ଟ୍ରୀୟ ସଂହତି ଉପରେ ଗୁରୁତ୍ବ ଦେଇଥିଲେ । ସେ କହିଥିଲେ, ‘ମାତୃଭାଷାର ବିକାଶ ରାଷ୍ଟ୍ରର ବିକାଶ । ଭାଷା ପାଇଁ ଅନେକ ରାଷ୍ଟ୍ର ବିଭାଜିତ ହୋଇଛି ଓ ଅନେକ ରାଷ୍ଟ୍ର ଗଠନ ହୋଇଛି । କୁଇ ଓ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ ହେବା ଦ୍ୱାରା ଏହି ଭାଷାଭାଷୀ ଲୋକଙ୍କର ବିକାଶ ହେବା ସହ ଦେଶର ବିକାଶ ହୋଇପାରିବ’ ।

ପ୍ରଫେସର ପଣ୍ଡା ଶ୍ରବଣ, କଥନ, ପଠନ ଓ ଲିଖନକୁ ଗୁରୁତ୍ବ ଦେଇ ଏହି କାର୍ମଶାଳାରେ କୁଇ ଓ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯିବ ଓ ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ ସମ୍ପନ୍ନ ହେବ ବୋଲି କହିଥିଲେ । ଡ ପ୍ରୀତିଧାର ସାମଲ କୁଇ ଓ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ ବେଳେ ଏହି ଭାଷାଭାଷୀ ଲୋକଙ୍କ ଉଚ୍ଚାରଣ, ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ବ ଦେବାକୁ କହିଥିଲେ ।