ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତାକୁ ବିଶ୍ୱସ୍ତରୀୟ କରିବ ‘ୱାର୍ଲ୍ଡ ସ୍କିଲ୍ ସେଣ୍ଟର’

1 min read

ଭୁବନେଶ୍ବର: ବିଭିନ୍ନ ବିଷୟରେ ଦକ୍ଷତା ବିକାଶ ତାଲିମ ନେଇ ଆଜି ଓଡ଼ିଶାର ଯୁବକ ଯୁବତୀମାନେ ରାଜ୍ୟ ତଥା ରାଜ୍ୟ ବହାରେ ନିଯୁକ୍ତି ପାଉଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ୱାର୍ଲ୍ଡ ସ୍କିଲ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ର ଏହି ଧାରାକୁ ଆଉ ଏକ ଉଚ୍ଚତାକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି । ସ୍କିଲ୍ଡ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ମଧ୍ୟରେ ଏହି ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯାଇଛି । ଏହି କେନ୍ଦ୍ରରେ ଫିନିସିଙ୍ଗ୍ ସ୍କୁଲ ବା ଇଣ୍ଡଷ୍ଟ୍ରି ରେଡିନେସ୍ ଢାଞ୍ଚାରେ ଯୁବକଯୁବତୀଙ୍କୁ ଆବଶ୍ୟକ ଶିକ୍ଷା ଓ ତାଲିମ ଦିଆଯାଇ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କାମ କରିବା ପାଇଁ ପ୍ରସ୍ତୁତ କରାଯାଉଛି ।

କେନ୍ଦ୍ରରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ପ୍ରାର୍ଥୀଙ୍କୁ ତାଲିମ ଦିଆଯାଉଛି। ଦକ୍ଷତା ବିକାଶ ସହିତ ନିଯୁକ୍ତି ସମ୍ଭାବନା ବୃଦ୍ଧି ପାଇଁ ଏହି କେନ୍ଦ୍ରରେ ବର୍ଷକୁ ଦୁଇଟି ବ୍ୟାଚରେ ତାଲିମ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି, ଅତ୍ୟାଧୁନିକ ଲାବୋରେଟୋରି ଓ ବିଶ୍ୱସ୍ତରୀୟ ବିଭିନ୍ନ ଯନ୍ତ୍ରପାତି ଓ ତାଲିମ ଉପକରଣ ରହିଛି । ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ପରିଚିତ ସିଙ୍ଗାପୁର ସ୍ଥିତ ଆଇଟିଇଇଏସ୍ ସଂସ୍ଥାର ସହଯୋଗରେ କେନ୍ଦ୍ରର ପାଠ୍ୟକ୍ରମ ଓ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି ।

ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଳକା ମିଶ୍ର କହିଛନ୍ତି, ‘ଓଡ଼ିଶାରୁ ଦକ୍ଷତା ବିକାଶ ତାଲିମ ନେଇ ବାହାରୁଥିବା ଯୁବକଯୁବତୀଙ୍କୁ ଆଗାମୀ ଦିନରେ ଦେଶ ବିଦେଶରେ ନିଯୁକ୍ତି ବେଳେ ନିଶ୍ଚୟ ଗୁରୁତ୍ୱ ମିଳିବ । ମୁଖ୍ୟମନ୍ତ୍ରୀଙ୍କ ଏହି ପରିକଳ୍ପନା ପାଇଁ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଆଜି ସର୍ବଭାରତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ପାଇଛି । ଆମର ଲକ୍ଷ୍ୟ ହେଉଛି ଓଡ଼ିଶାର ଯୁବପିଢ଼ିକୁ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ପ୍ରାକ୍ଟିକାଲ ତାଲିମ ଦେଇ ବିଶ୍ୱସ୍ତରୀୟ ମାନବ ସମ୍ବଳ ପ୍ରସ୍ତୁତ କରିବା ।’

ୱାର୍ଲ୍ଡ ସ୍କିଲ୍ ସେଣ୍ଟର ହେଉଛି ଦେଶର ଏକ ଅଭିନବ ଦକ୍ଷତା ବିକାଶ କେନ୍ଦ୍ର । ରାଜ୍ୟର ବିଭିନ୍ନ ଶିଳ୍ପ ତାଲିମ ଅନୁଷ୍ଠାନରୁ ଆଇଟିଆଇ ବା ଡିପ୍ଲୋମା ପାସ୍ କରିଥିବା ପ୍ରାର୍ଥୀଙ୍କ ଦକ୍ଷତାକୁ ଆହୁରି ଶାଣିତ କରି ସେମାନଙ୍କୁ ବିଭିନ୍ନ ଶିଳ୍ପ କ୍ଷେତ୍ର ପାଇଁ ପ୍ରସ୍ତୁତ କରିବାକୁ ଏଠାରେ ଅତ୍ୟାଧୁନିକ ପାଠ୍ୟକ୍ରମ ଦିଆଯାଉଛି । ପ୍ରାକ୍ଟିକାଲ ଶିକ୍ଷା ସହ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ, ଯୋଗାଯୋଗ ଓ ବିଭିନ୍ନ ଜୀବନ କୌଶଳ ତାଲିମ ଦିଆଯାଉଛି । ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ଇଲେକ୍ଟ୍ରିକାଲ ଟୋକ୍ନୋଲୋଜି, ଏୟାର କଣ୍ଡିସନିଂ ଆଣ୍ଡ୍ ରେଫ୍ରିଜିରେସନ, ମେକାନିକାଲ ଆଣ୍ଡ୍ ଇଲେକ୍ଟ୍ରିକାଲ ସର୍ଭିସେସ୍, ମେକାଟ୍ରୋନିକ୍ସ ଓ ଭର୍ଟିକାଲ ଟେକ୍ନୋଲୋଜି ଭଳି ୫ଟି ବିଷୟ ରହିଛି । ରାଜ୍ୟରୁ ଆଇଟିଆଇ ବା ଡିପ୍ଲୋମା ଇଞ୍ଜିନିୟରିଂ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଯୋଗ୍ୟତା ଭିତ୍ତିରେ ଏହି ୧ ବର୍ଷିଆ ପାଠ୍ୟକ୍ରମରେ ତାଲିମର ସୁଯୋଗ ପାଉଛନ୍ତି । ସେହିପରି ସ୍କୁଲ ଅଫ ସର୍ଭିସେସ୍ ବିଭାଗରେ ବ୍ୟୁଟି ୱେଲନେସ୍ ଆଣ୍ଡ୍ ସ୍ପା ଓ ହେୟାର ଫ୍ୟାସନ ଆଣ୍ଡ୍ ଡିଜାଇନ ଭଳି ଦୁଇଟି ବଜାର ଉପଯୋଗୀ ବିଷୟ ରହିଛି । ଏଥିପାଇଁ ଯୁକ୍ତଦୁଇ ବା ଡିପ୍ଲୋମା ସାର୍ଟିଫିକେଟଧାରୀ ଆବେଦନ କରିପାରିବେ । ଏହି ତାଲିମର ସମୟ ସୀମାଏକ ବର୍ଷ ରହିଛି ।

ସୂଚନାଯୋଗ୍ୟ, ୨୦୨୧ ମସିହାରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଶୁଭାରମ୍ଭ ହୋଇଥିଲା । ପ୍ରଥମ ବ୍ୟାଚରୁ ବାହାରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୪ ଜଣ ସିଙ୍ଗାପୁରରେ ବିଭିନ୍ନ କମ୍ପାନୀରେ ପେଡ୍-ଇଣ୍ଟର୍ଣ୍ଣସିପ୍ କରିବାର ସୁଯୋଗ ପାଇଛନ୍ତି । ସେହିପରି ବିଭିନ୍ନ ବ୍ୟାଚର ସଫଳ ପ୍ରାର୍ଥୀ କିପରି ବିଭିନ୍ନ ପ୍ରମୁଖ ସଂସ୍ଥାରେ ନିଯୁକ୍ତି ପାଇପାରିବେ ସେଥିପାଇଁ ପ୍ଲେସମେଣ୍ଟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । କେନ୍ଦ୍ରରେ ବର୍ତ୍ତମାନ ତୃତୀୟ ବ୍ୟାଚର ପାଠ୍ୟକ୍ରମ ଚାଲିଛି । ସେପ୍ଟେମ୍ବରରେ ପରବର୍ତ୍ତି ବ୍ୟାଚର ଛାତ୍ରଛାତ୍ରୀଙ୍କ ପାଇଁ ତାଲିମ ଆରମ୍ଭ ହେବ ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଦିଆଯାଉଥିବା ବିଭିନ୍ନ ବିଷୟରେ ତାଲିମ ପାଇଁ ପ୍ରାର୍ଥୀଙ୍କଠାରୁ କୋର୍ସ ଫି’ ବାବଦରେ ୨୦ ହଜାର ଟଙ୍କା ନିଆଯାଉଛି । ତେବେ, ସେମାନଙ୍କ ଲାଗି ହଷ୍ଟେଲ ସୁବିଧା, ଖାଇବା, ୟୁନିଫର୍ମ ଓ ଯିବା ଆସିବା ଲାଗି ବସ୍ ସୁବିଧା ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଛି ।

ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ନିଜକୁ ବିଶ୍ୱସ୍ତରୀୟ ଦକ୍ଷ ମାନବ ସମ୍ବଳ ଭାବେ ଗଢ଼ି ତୋଳିବା ଲାଗି ଯେଉଁ ଆଶା ସୃଷ୍ଟି ହୋଇଛି ତାକୁ ପୂରଣ କରିବା ଦିଗରେ ସ୍କିଲ୍ଡ ଇନ୍ ଓଡ଼ିଶା ଏକ ସ୍ଲୋଗାନ ପାଲଟିଛି । ତେଣୁ ବିଶ୍ୱ ଦକ୍ଷତା କେନ୍ଦ୍ର ଜରିଆରେ ସରକାର ଯେଉଁ ସୁଯୋଗ ସୃଷ୍ଟି କରିଛନ୍ତି ରାଜ୍ୟର ଯୁବପିଢ଼ି ତା’ର ସୁଯୋଗ ନେବାକୁ ଆଗେଇ ଆସିବା ଦରକାର ବୋଲି କହିଛନ୍ତି ଅଳକା ମିଶ୍ର ।

ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନର ପାଠ୍ୟକ୍ରମ ଓ ତାଲିମ ବ୍ୟବସ୍ଥାରେ ଗୁଣାତ୍ମକ ବିକାଶ ଆଣିବା ବିଶ୍ୱ ଦକ୍ଷତା କେନ୍ଦ୍ରର ଆଉ ଏକ ଲକ୍ଷ୍ୟ । ବିଭିନ୍ନ ପ୍ରତିଷ୍ଠାନର ଶିକ୍ଷକମାନଙ୍କୁ ଅତ୍ୟାଧୁନିକ ତାଲିମ ଦେଇ ସେମାନଙ୍କୁ ଆଗାମୀ କାଲି ପାଇଁ ପ୍ରସ୍ତୁତ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର କାର୍ଯ୍ୟକ୍ରମ ହାତକୁ ନେଉଛି ।