ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବକୁ ମଞ୍ଜୁରୀ

1 min read

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ ବୈଠକରେ ନୂଆ ଯୋଜନା ‘ମୋ ଘର’ ସହ ୧୮ଟି ପ୍ରସ୍ତାବକୁ ମୋହର। ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ପାଇଁ ଆସିଲା ମୋ ଘର ଯୋଜନା । ନବୀନ ସରକାରଙ୍କ ୫ମ ପାଳିର ୪ର୍ଥ ବର୍ଷ ପୂରଣରେ ରାଜ୍ୟବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋ ଘର ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ଯୋଜନାକୁ ଅନୁମୋଦନ କରିଛନ୍ତି । ଏଥିରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ନେଇପାରିବେ ହିତାଧିକାରୀ । ପ୍ରଥମବର୍ଷର ରିହାତି ଅବଧି ପରେ ପରବର୍ତ୍ତୀ ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିପାରିବେ । ଏଥିପାଇଁ ଜୁନ ୧୬ ତାରିଖରୁ ଆବେଦନ ଗ୍ରହଣ କରାଯିବ।

ଏକାମ୍ର କ୍ଷେତ୍ର ବିକାଶ ପାଇଁ ସଂଶୋଧିତ ଆକ୍ସନ୍ ପ୍ଲାନକୁ କ୍ୟାବିନେଟ୍ ମଂଜୁରୀ । ଏଥିପାଇଁ ଖର୍ଚ୍ଚ ହେବ ୧୫୬ କୋଟି ୨୧ ଲକ୍ଷ ଟଙ୍କା । କୋଣାର୍କ ମନ୍ଦିର ପରିସର ଚତୁପାର୍ଶ୍ବ ବିକାଶ କରିବାକୁ ସ୍ବତନ୍ତ୍ର ପ୍ରକଳ୍ପ କରାଯିବ । ଏହାକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଏ ବାବଦରେ ୨୦୯ କୋଟି ୭୩ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହେବ । ନବକଳେବର ହେବ ଭିସୁଟ୍। ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଗତବର୍ଷ ଅନୁମୋଦନ କରାଯାଇଥିବା ବେଳେ ୨୦୨୬ ସୁଦ୍ଧା ୨୪ଟି ଅଣ୍ଡର ଗ୍ରାଜୁଏଟ୍ ବିଭାଗରେ ୧୦ ହଜାରରୁ ଅଧିକ ପିଲାଙ୍କ ପାଠପଢା ବ୍ୟବସ୍ଥା କରାଯିବ । ଏଥିପାଇଁ ତିନିଟି ପର୍ଯ୍ୟାୟରେ ୨ହଜାର କୋଟି ଖର୍ଚ୍ଚକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଓଡ଼ିଶା ବେସରକାରୀ ମହାବିଦ୍ୟାଳୟ, କନିଷ୍ଠ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅନୁଦାନ ନିୟମ-୨୦୦୮ ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି।

ସେହିପରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟକୁ ମଂଜୁରୀ ମିଳିଛି । ରାଜ୍ୟରେ ଅବକାରୀ ପ୍ରଶାସନର ସଫଳ ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ଅବକାରୀ କନଷ୍ଟେବଳ ପଦବୀକୁ ଜିଲ୍ଲାସ୍ତର ଏବଂ ଇଆଇ ଓ ଇବି ୟୁନିଟ୍ ସ୍ତରରୁ ଡିଭିଜିନାଲ ସ୍ତର, ସରକାରୀ ଉପନିରୀକ୍ଷକ ପଦବୀକୁ ଜିଲ୍ଲାସ୍ତର ଏବଂ ଇଆଇ ଓ ଇବି ୟୁନିଟ୍ ସ୍ତରରୁ ରାଜ୍ୟସ୍ତରକୁ ରୂପାନ୍ତରିତ ହୋଇଛି । ବାଗଚୀ ଶ୍ରୀଶଙ୍କର କର୍କଟ କେନ୍ଦ୍ର ଗବେଷଣା ପ୍ରତିଷ୍ଠାନ ପାଇଁ ଷ୍ଟାମ୍ପ ଦେୟ ଓ ପଂଜିକରଣ ଫି ଛାଡ଼କୁ କ୍ୟାବିନେଟ୍ ମଂଜୁରୀ ମିଳିଛି ।

ଓଡ଼ିଶା ଚକବନ୍ଦୀ ଅଧିନିୟମ-୩୪କୁ ଉଲ୍ଲଂଘନ କରି ଜମି ବିକ୍ରି ହୋଇଥିଲେ ଏହାକୁ ଅବୈଧ ବିବେଚିତ କରାଯିବ । କ୍ୟାବିନେଟ୍ ଏହି ଅଧିନିୟନ ଧାରା ୩୪ ଓ ୩୫ ଉଚ୍ଛେଦ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଫଳରେ ଚକ ଜମି ବିକ୍ରି କରାଯାଇପାରିବ । ଜଳାଭାବ ଅଞ୍ଚଳରେ ଭୂତଳ ଜଳ ବିନିଯୋଗ ଯୋଜନା ପାଇଁ ଅର୍ଥରାଶି ବ୍ୟବସ୍ଥା କରାଯାଇଛି । ଜେଜେଏମରେ ବଲାଙ୍ଗୀରରେ ୨ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ମଂଜୁରୀ ମିଳିଛି । ZWIGATO ଓ ‘ଡେଲିଭରୀ ବୟ’ ଦୁଇଟି ଫିଲ୍ମକୁ କରମୁକ୍ତ କରିବା ନେଇ ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ ମିଳିଛି ।

ସେହିପରି ବିଧାନସଭାରୁ ଫେରି ଆସିଥିବା ଆପାର୍ଟମେଣ୍ଟ ବିଲ୍ ଓ ଓନରସିପ ବିଲ୍ ବଦଳରେ ନୂତନ ଅଧ୍ୟାଦେଶକୁ କ୍ୟାବିନେଟ ମୋହର ମାରିଛି । ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ ୨୦୨୩ ଅଧ୍ୟାଦେଶକୁ କ୍ୟାବିନେଟ ଅନୁମୋଦନ କରିଛି । ଆଗକୁ ଏହି ଅଧ୍ୟାଦେଶ ଦ୍ବାରା କ୍ରେତାମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ସମ୍ଭବ ହେବ ବୋଲି ସରକାର ଆଶା କରିଛନ୍ତି । ରିଅଲ ଇଷ୍ଟେଟ ନିୟମାବଳୀ ଓ ବିକାଶ ଅଧିନିୟମ ୨୦୧୬ ଏବଂ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ ୨୦୨୧ ମଧ୍ୟରେ ଥିବା ବିରୋଧଭାସ ଦେଖାଦେଇଥିଲା । ଫଳରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ ୨୦୨୧ର ବିଜ୍ଞପ୍ତିକୁ ବିରୋଧ କରି ହାଇକୋର୍ଟରେ ଏକାଧିକ ମାମଲା ଦାୟର ହୋଇଛି । ଏହି ମାମଲା ଯୋଗୁଁ ଆପାର୍ଟମେଣ୍ଟ ପଞ୍ଜୀକରଣ ବନ୍ଦ ରହିଛି । ବିକ୍ରି କବଲା ପଞ୍ଜୀକୃତ ହେଉନଥିବାରୁ ରାଜ୍ୟ ସରକାର ରାଜସ୍ବ ହରାଉଛନ୍ତି । ଦୀର୍ଘଦିନ ଧରି ଏହି ଅଚଳାବସ୍ଥା ହଟାଇବାକୁ ସରକାର ଅଧ୍ୟାଦେଶ ଆଣିବାକୁ ନିଷ୍ପତ୍ତି ନେଇଥିଲେ ।