ମହିମା ଧର୍ମର ପ୍ରଚାର ପ୍ରସାରରେ ସହଯୋଗ କରିବେ ସରକାର, ବ୍ରାହ୍ମଣୀ ବ୍ରିଜ ହେଲା ମହିମା ସେତୁ

1 min read

ଢେଙ୍କାନାଳ: ମହିମା ଧର୍ମ ପ୍ରତି ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶେଷ ସମ୍ମାନ । ନବୀନ ନିବାସରେ ରହିଛି ତାଳପତ୍ର ପଙ୍ଖା । ଯୋରନ୍ଦାରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରି ମହିମା ଧର୍ମ ପ୍ରତି ନବୀନଙ୍କ ସମ୍ମାନକୁ ବଖାଣିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । ମହିମା ଗାଦିର ବିକାଶ ପାଇଁ ଯାହା ଦରକାର ସବୁ ଯୋଗାଇ ଦେବେ ସରକାର । ରାଜ୍ୟ ଓ ଦେଶରେ ମହିମା ଧର୍ମର ପ୍ରଚାର ପ୍ରସାର ପାଇଁ ସରକାର ସହାୟତା ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇ କହିଛନ୍ତି 5T ସଚିବ ।

ସରଳ ଧାର୍ମିକ ପରିବେଶରେ ରୂଚିପୂର୍ଣ୍ଣ ବିଚାର ଆଲୋଚନା । ଅଂହିସା, କରୁଣା ମନ୍ତ୍ରରେ ଉଚ୍ଚଶ୍ରେଣୀର ଚିନ୍ତା ଆଉ ସମାନତା ସମାଜ ପ୍ରସଙ୍ଗରେ ଚର୍ଚ୍ଚା । ଓଡ଼ିଶାର ନିଜସ୍ବ ଧର୍ମର ଆଦିପୀଠରେ ମହିମା ଧର୍ମର ମହନୀୟତା ବଖାଣିଛନ୍ତି 5T ସଚିବ । ଯୋରନ୍ଦାରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରିବା ସହ ମହିମା ସାଧୁଙ୍କଠାରୁ ନେଇଛନ୍ତି ଆଶୀର୍ବାଦ । ମହିମା ଧର୍ମ ପ୍ରତି ମୁଖ୍ୟମନ୍ତ୍ରୀଙ୍କର କେତେ ସମ୍ମାନ ରହିଛି ତାହା ଗୋଷାଇଁଙ୍କ ଗହଣରେ ବଖାଣିଛନ୍ତି 5T ସଚିବ । ନବୀନ ନିବାସରେ ଏକ ତାଳପତ୍ର ପଙ୍ଖା ରହିଛି । ଆସୁଥିବା ଅତିଥି ଏହି ବିଷୟରେ ପଚାରିଲେ ମହିମା ଧର୍ମ ପ୍ରସଙ୍ଗରେ ବୁଝାଇ କୁହନ୍ତି ମୁଖ୍ୟମନ୍ତ୍ରୀ । ମହିମା ଗୋଷାଇଁ ଓ ତାଙ୍କ ଅନୁଗାମୀ ଭୀମ ଭୋଇଙ୍କୁ ସମ୍ମାନ ସ୍ବରୂପ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ କରାଯାଉଛି ବୋଲି କହିଛନ୍ତି 5T ସଚିବ ।

ଢେଙ୍କାନାଳ ଗସ୍ତ କରି ପ୍ରଥମେ ଯୋରନ୍ଦା ରୂପାନ୍ତରିତ ହାଇସ୍କୁଲ ଯାଇଥିଲେ 5T ସଚିବ  । ସେଠାରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ପରେ ମହିମା ଗାଦିକୁ ଯାଇ ସାଧୁଙ୍କ ସହିତ ଆଲୋଚନା କରିଥିଲେ । ୧୦ କୋଟି ଟଙ୍କାରେ ଯୋରନ୍ଦା ପୀଠର ରୂପାନ୍ତରଣ ହେଉଛି । ରାସ୍ତାଘାଟ, ପାର୍କ, ପୋଖରୀର ପୁନରୁଦ୍ଧାର ସହିତ ଉନ୍ନତମାନର ଶୌଚାଳୟ ନିର୍ମାଣ ଚାଲିଛି । ଏହାଛଡ଼ା ବିଶ୍ରାମସ୍ଥଳୀ, ବଡ଼ମଠ, ଆଶ୍ରମ ଓ ମନ୍ଦିରଗୁଡିକ ଚିହ୍ନଟ ପାଇଁ ସାଇନେଜ୍ ବ୍ୟବସ୍ଥା ଏବଂ ସମଗ୍ର ପୀଠରେ ଆଲୋକୀକରଣ କାର୍ଯ୍ୟ ଜାରି ରହିଛି । ଆଗକୁ ରାଜ୍ୟ ଓ ଦେଶରେ ଥିବା ସମସ୍ତ ମହିମା ଗାଦିର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ଶେଷରେ ବକଳଧାରୀ ଓ କୌପିନଧାରୀ ମହିମା ସନ୍ନ୍ୟାସୀଙ୍କ ସହିତ ପ୍ରସାଦ ସେବନ କରିଥିଲେ ଭି.କେ. ପାଣ୍ଡିଆନ ।

5T ସଚିବ କହିଛନ୍ତି, ‘ମହିମା ଧର୍ମ ସାରା ବିଶ୍ବ ପାଇଁ ଆଦର୍ଶ । ଜାତି, ଧର୍ମ ଓ ବର୍ଣ୍ଣ  ନିର୍ବିଶେଷରେ ସମସ୍ତେ ସମାନ । ଏହି ସମଭାବର ଚିନ୍ତାଧାରା ସହିତ ବିଶ୍ବ କଲ୍ୟାଣ ହେଉଛି ଏହି ଧର୍ମର ଆଦର୍ଶ । ଏହା ଆମ ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରେ । ମୁଖ୍ୟମନ୍ତ୍ରୀ ମହିମା ଧର୍ମର ଆଦର୍ଶରେ ଗଭୀର ଭାବରେ ଅନୁପ୍ରାଣୀତ । ଏହାକୁ ଆଧାର କରି ସମସ୍ତଙ୍କ କଲ୍ୟାଣ ଓ ଉନ୍ନତି ମୁଖ୍ୟମନ୍ତ୍ରୀଙ୍କ ଜୀବନର ଏକମାତ୍ର ବ୍ରତ ।’

ସେ ଆଗକୁ କହିଛନ୍ତି, ‘ଓଡିଶାରେ ମହିମା ଧର୍ମର ଜନ୍ମ। ତେଣୁ ମହିମା ଧର୍ମର ପ୍ରଚାର ଓ ପ୍ରସାର ପାଇଁ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମହିମା ପୀଠର ବିକାଶ ପାଇଁ ପଦକ୍ଷେପ ନିଆଯିବ । ମହିମା ଧର୍ମର ମହାନ ସନ୍ଥ ଭୀମଭୋଇଙ୍କ ନାମରେ ବଲାଙ୍ଗୀର ମେଡିକାଲ କଲେଜ ନାମିତ ହୋଇଥିବା ବେଳେ ଭିନ୍ନକ୍ଷମ ଶିବିର ଆୟୋଜନ କରାଯାଉଛି ।’

ସେହିପରି କାଲୁରିଆ-ଗୋରଡିଆକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ଉପରେ ନିର୍ମିତ ସେତୁକୁ ମହିମା ସେତୁ ନାମରେ ନାମିତ କରାଯାଇଛି । ଯୋରନ୍ଦା, କାଲୁରିଆ ଓ ଗୋରଡ଼ିଆ ରାସ୍ତାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ୧୮୬୨. ୧୦ କିମିର ସେତୁ ପାଇଁ ଖର୍ଚ୍ଚ ହୋଇଛି ୨୩୫ କୋଟି ୫୬ ଲକ୍ଷ ଟଙ୍କା । ଏହାଦ୍ବାରା ଯୋରନ୍ଦା ମେଳାକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଉପକୃତ ହେଉଛନ୍ତି । ଏହାସହ ୬୨ଟି ଗାଁର ଲୋକଙ୍କ ପାଇଁ ଯୋଗାଯୋଗରେ ସୁବିଧା ହେଉଛି ।

5T ସଚିବଙ୍କ ଗସ୍ତ ସମୟରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସଚିବ ରୂପାରୋଶନ ସାହୁ, ଜିଲ୍ଲାପାଳ ସରୋଜ ସେଠୀ ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।