ସେହି ୪ ମିନଟରେ କ’ଣ ହୋଇଥିଲା ? ଯଦି ଟାଇମରେ ଚାଲିଥାନ୍ତା ବେଙ୍ଗାଲୁରୁ-ହାୱାଡା ଏକ୍ସପ୍ରେସ୍ ତେବେ…

1 min read

ଭୁବନେଶ୍ବର: ଶୁକ୍ରବାରର କାଳ ରାତି । ଅନ୍ଧାର ଭିତରୁ ଶୁଭିଥିଲା ଭୟଙ୍କର ଶବ୍ଦ । କେହି କିଛି ବୁଝିବା ଆଗରୁ ଲିଭି ଯାଇଥିଲା, ଶହ ଶହ ଲୋକଙ୍କ ଜୀବନ ଦୀପ । କରମଣ୍ଡଳ ଏକ୍ସପ୍ରେସ ପାଲଟି ଥିଲା ଲୌହ ଦାନବ । ମାଲ ଗାଡ଼ିକୁ ଧକ୍କା ଦେବା ପରେ ଛିଟିକି ପଡିଥିଲା ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ ଉପରେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଚାହୁଁ ଚାହିଁ କିଏ ଅନାଥ ହୋଇ ଯାଇଥିଲା ତ କାହା ମୁଣ୍ଡରୁ ସିନ୍ଦୁର ଲିଭି ଯାଇଥିଲା । କିଏ ବୃଦ୍ଧ ବାପାମାଆଙ୍କୁ ଛାଡ଼ି ସବୁଦିନ ପାଇଁ ଚିରନିଦ୍ରାରେ ଚାଲି ଯାଇଥିଲା । ଆଉ ଭାଗ୍ୟ ବଳରେ ଯେଉଁମାନେ ବଞ୍ଚି ଯାଇଛନ୍ତି ସେମାନେ ମଧ୍ୟ ଜୀବନ ସହ କରୁଛନ୍ତି ସଂଗ୍ରାମ ।

ତେବେ ଦୁର୍ଘଟଣା ପୂର୍ବର ୪ ମିନିଟକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ୪ ମିନିଟରେ କ’ଣ ଘଟିଥିଲା ? କ’ଣ ଏହି ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରି ନଥାନ୍ତି ? ଏହାବାଦ ବେଙ୍ଗାଲୁରୁ-ହାଓ୍ବଡା ଏକ୍ସପ୍ରେସ ଅଢେଇ ଘଣ୍ଟା ବିଳମ୍ବରେ ଚାଲିବା ଓ କରମଣ୍ଡଳ ସହ ଦୁର୍ଘଟଣାଗ୍ରସ୍ତ ହେବା ପାଇଁ କାହାକୁ ଦାୟୀ କରାଯିବ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସେହି ଶେଷ ୪ ମିନିଟ

ଶୁକ୍ରବାର ରାତି ୬ଟା ୫୨ରୁ ୬ଟା ୫୬ । ସାମାନ୍ୟ ଭୁଲ ଲିଭାଇ ଦେଲା ୨୮୮ ଜଣଙ୍କ ଜୀବନ ଦୀପ ।

୬ଟା ୫୨ରେ କରମଣ୍ଡଳ ଏକ୍ସପ୍ରେସ ଘଣ୍ଟା ପ୍ରତି ୧୨୮ କିମି ସ୍ପିଡରେ ଖନ୍ତପଡ଼ା ଷ୍ଟେସନକୁ ଅତିକ୍ରମ କରି ବାହାନଗା ବଜାର ଷ୍ଟେସନଠାରୁ ମାତ୍ର ୧୦ କିମି ଦୂରରେ ଥିଲା ।

କରମଣ୍ଡଳ ଏକ୍ସପ୍ରେସକୁ ଚେନ୍ନାଇ ଯିବାକୁ ଥିବା ମେନ୍ ଲାଇନରେ ସିଗନାଲ ମିଳିବାର ଥିଲା । ୬ଟା ୫୪ରେ ରେଲଓ୍ବେ କଣ୍ଟ୍ରୋଲ ରୁମରୁ କଣ୍ଟ୍ରୋଲ ପ୍ୟାନେଲ ସିଗନାଲ କନଫର୍ମ କରିଥିଲା ।

୬ଟା ୫୫ରେ କଣ୍ଟ୍ରୋଲ ସେଣ୍ଟର କିମ୍ବା କେବିନ ଗାର୍ଡଙ୍କ ଦ୍ବାରା ହେଲା କିଛି ଭୁଲ । ମେନ ଲାଇନରେ ନଯାଇ କରମଣ୍ଡଳ ହାଇ ସ୍ପିଡରେ ଲୁପ ଲାଇନରେ ପଶିଥିଲା ଓ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ି ସହ ପିଟି ହୋଇଥିଲା ।

୬ଟା ୫୬ରେ କରମଣ୍ଡରର ଇଞ୍ଜିନ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା । କରମଣ୍ଡଳର ୨୨ଟି ବଗି ଟ୍ରାକରୁ ଖସି ଯାଇଥିଲା । ୩ଟି ବଗି ଅନ୍ୟ ଟ୍ରାକରେ ପଡିଥିଲା ।

ସେହି ୬ଟା ୫୬ରେ ପାଖ ଲାଇନରେ କ୍ରସ୍ କରୁଥିବା ବେଙ୍ଗାଲୁରୁ-ହାଓ୍ବଡା ସୁପରଫାଷ୍ଟ ଏକ୍ସପ୍ରେସର ପଛ ଦୁଇଟି ବଗି ସହ କରମଣ୍ଡଳର ବଗି ପିଟି ହୋଇଥିଲା । ଆଉ ନିମିଷକରେ ରେଲଓ୍ବେ ଟ୍ରକା ପାଲଟି ଯାଇଥିଲା ଶବର ପାହାଡ଼ ।

ବିଳମ୍ବରେ ଚାଲୁ ନଥିଲେ ବେଙ୍ଗାଲୁରୁ-ହାଓ୍ବଡା ଏକ୍ସପ୍ରେସ

ସୂଚନାଯୋଗ୍ୟ, ଟ୍ରାକରୁ ଖସିବା ପରେ କରମଣ୍ଡଳ ଏକ୍ସପ୍ରେସ ବିପରୀତ ଲାଇନରେ ହାଇ ସ୍ପିଡରେ ଯାଉଥିବା ବେଙ୍ଗାଲୁରୁ-ହାଓ୍ବଡା ଏକ୍ସପ୍ରେସର ପଛ ଦୁଇଟି ବଗି ସହ ପିଟି ହୋଇଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଲା ଉକ୍ତ ଦିନ ବେଙ୍ଗାଲୁରୁ-ହାଓ୍ବଡା ଏକ୍ସପ୍ରେସ ଅଢେଇ ଘଣ୍ଟା ବିଳମ୍ବରେ ଚାଲୁଥିଲା । ଯଦି ଟ୍ରେନଟି ଠିକ ସମୟରେ ଚାଲୁଥାନ୍ତି, ତେବେ ଦୁର୍ଘଟଣାର ବହୁତ ଆଗରୁ ଉକ୍ତ ସ୍ଥାନ ପାର ହୋଇ ଚାଲି ଯାଇଥାନ୍ତି । ଏପରି ହୋଇଥିଲେ, ଉକ୍ତ ଟ୍ରେନର ଦୁଇଟି ବଗିରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ଜୀବନ ଏମିତି ଅକାଳରେ ଝଡ଼ି ଯାଇନଥାନ୍ତା ।