ଡିଏନଏ ଟେଷ୍ଟ କରି ଶବକୁ ଚି଼ହ୍ନଟ କରିବା ପାଇଁ ପକ୍ରିୟା ଆରମ୍ଭ ହୋଇଛି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବାହନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଜି ୧୦ ଟା ସୁଦ୍ଧା ବାଲେଶ୍ୱର ଜିଲ୍ଲାପାଳ ଦେଇଥିବା ତଥ୍ୟ ଅନୁସାରେ ବାହାନଗା ଟ୍ରେନ ଟ୍ରାଜେଡିରେ ୨୭୫ ଜଣ ମୃତ୍ୟୁ ବରଣ କରିଛନ୍ତି । ସେଥିମଧ୍ୟରୁ ୧୦୮ ଜଣଙ୍କ ମୃତଦେହ ଚି଼ହ୍ନଟ ହୋଇଛି । ଶବ ହସ୍ତାନ୍ତର ପକ୍ରିୟା ଜାରି ରହିଛି । ଚାରୋଟି ମୃତଦେହକୁ ତାଙ୍କ ସମ୍ପର୍କୀୟ ଚି଼ହ୍ନଟ କରିଥିବା ବେଳେ ଖୁବ ଶୀଘ୍ର ସେମାନଙ୍କୁ ହସ୍ତାନ୍ତର କରାଯିବ । ୨୭୫ ଟି ମୃତଦେହ ମଧ୍ୟରୁ ୧୯୦ ଟି ଭୁବନେଶ୍ୱରକୁ ଅଣାଯାଇଛି । ୧୯୦ ଟି ମୃତଦେହ ପହଞ୍ଚିଥିବା ବେଳେ ଆଉ ୧୦ ଟି ଖୁବ ଶୀଘ୍ର ପହଞ୍ଚିବ ।

୧୮୦ ମୃତଦେହ ମଧ୍ୟରୁ ୨୩ ଟି ମୃତଦେହ ଚି଼ହ୍ନଟ ହୋଇଥିବା ବେଳେ ହସ୍ତାନ୍ତର ପକ୍ରିୟା ଆରମ୍ଭ ହୋଇଯାଇଛି । ଏହା ସହ ଦେଶର ଯେକୌଣସି ସ୍ଥାନରୁ ଏହି ଟ୍ରେନରେ ଥିବା ସମ୍ପର୍କୀୟଙ୍କ ବିଷୟରେ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୱେବସାଇଟ ଏବଂ ଦୁଇଟି ଟୋଲ ଫି ନମ୍ବର ଜାରି କରାଯାଇଛି । ଏକ ସ୍ୱତନ୍ତ୍ର ମେଡିକାଲ ଟିମ ଡିଏନଏ ଟେଷ୍ଟ କରି ଶବକୁ ଚି଼ହ୍ନଟ କରିବା ପାଇଁ ପକ୍ରିୟା ଆରମ୍ଭ କରାଯାଇଛି । ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅଧିକ ମୃତ୍ୟୁ ସଂଖ୍ୟା ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହାକୁ ମୁଖ୍ୟ ଶାସନ ସଚିବ ଖଣ୍ଡନ କରିଛନ୍ତି । ଏହା ସହ ସମସ୍ତ କାର୍ଯ୍ୟ ସାମ୍ବାଦିକଙ୍କ ସାମ୍ନାରେ କରାଯାଇଛି ଏଥିରେ ଲୁଚାଇବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।