spot_img
Home Blog Page 3299

ପରଲୋକରେ ବଲିଉଡର ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ପ୍ରଦୀପ ସରକାର, ୬୮ବର୍ଷ ବୟସରେ ଦେହାନ୍ତ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ପ୍ରଦୀପ ସରକାରଙ୍କ ପରଲୋକ । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ କିଡନୀ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ଡାଏଲିସିସ ଚାଲିଥିବା ବେଳେ ଗତକାଲି ରାତିରେ ହଠାତ ପ୍ରଦୀପଙ୍କ ଶରୀରରେ ପୋଟାସିଅମ ଲେବଲ କମିଯାଇଥିଲା । ଏଥିଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିନେତ୍ରୀ ନିତୁ ଚିନ୍ଦ୍ରା ଟୁଇଟ କରି ସୂଚନା ଦେଇଛନ୍ତି ।

ପରିଣିତା, ଲଗା ଚୁନରି ମେଁ ଦାଗ, ମର୍ଦ୍ଦାନି, ହେଲିକପ୍ଟର ଇଲା ଆଦି ଫିଲ୍ମ ନିର୍ମାଣ କରି ସେ ପ୍ରସିଦ୍ଧି ଲାଭ କରିଥିଲେ । ପ୍ରଦୀପଙ୍କ ମୃତ୍ୟୁରେ ଅଭିନେତା ଅଜୟ ଦେବଗନ, ମନୋଜ ବାଜପାୟୀଙ୍କ ସମେତ ବହୁ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

 

ସଂସଦରେ ରଦ୍ଦ ହେବ କି ରାହୁଲ ଗାନ୍ଧୀଙ୍କ ସଦସ୍ୟତା ?  

ନୂଆଦିଲ୍ଲୀ: ପୁଣି ରାଜନୈତିକ ଆକ୍ରୋଶର ଶିକାର ହେଲେ କି ରାହୁଲ? ସରନେମ୍ ପାଇଁ ଦଣ୍ଡ ନା ବଡ଼ ଷଡ଼ଯନ୍ତ୍ର ! ସୁରଟରୁ ଦଣ୍ଡାଦେଶ ଦେଶରେ ହଲଚଲ୍। ୨୦୧୯ର ‘ମୋଦି ସରନେମ୍’ ମାମଲାରେ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ସୁରଟ ଜିଲ୍ଲା କୋର୍ଟ। ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଏହି ରାୟ କଂଗ୍ରେସର ଚିନ୍ତା ବଢ଼ାଇ ଦେଇଛି । ସୁରଟ ଜିଲ୍ଲା କୋର୍ଟଙ୍କ ଏହି ରାୟ ପରେ ସଂସଦରୁ ସଦସ୍ୟତା ପଦ ହରାଇ ପାରନ୍ତି ରାହୁଲ ଗାନ୍ଧୀ । ଲୋକସଭାରୁ ରାହୁଲ ଅଯୋଗ୍ୟ ଘୋଷଣା ହୋଇପାରନ୍ତି । ଜନ ପ୍ରତିନିଧି ଆଇନ ଅନୁସାରେ ଯଦି କୌଣସି ସଦସ୍ୟ ୨ କିମ୍ବା ୨ରୁ ଅଧିକ ସମୟ ପାଇଁ ଜେଲ ଦଣ୍ଡାଦେଶ ପାଆନ୍ତି ତେବେ ତାଙ୍କୁ ଦଣ୍ଡାଦେଶ ପର୍ଯ୍ୟନ୍ତ କିମ୍ବା ପରେ ୬ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରାଯିବ । କିନ୍ତୁ ଏହି ଆଇନରେ ସଂସଦର ବର୍ତ୍ତମାନର ସଦସ୍ୟଙ୍କ ପାଇଁ ଅନ୍ୟ ଏକ ବ୍ୟବସ୍ଥା ରହିଛି । ସମ୍ପୃକ୍ତ ସାଂସଦଙ୍କ ଆବେଦନ ଉପରେ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିବନି। ସୁରଟ ଜିଲ୍ଲା କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ତେବେ ଏହି ସବୁ ମଧ୍ୟରେ ସୁପ୍ରିମକୋର୍ଟ ଆଇନଜୀବୀ ବିନୀତ ଜିନ୍ଦଲ ଲୋକସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ ଦାଏର କରି ରାହୁଲଙ୍କ ସଦସ୍ୟତା ରଦ୍ଦ କରିବାକୁ  ଦାବି କରିଛନ୍ତି । ସେହିପରି ପୂର୍ବତନ ଆଇନ ମନ୍ତ୍ରୀ କପିଲ ସିବଲ କହିଛନ୍ତି କି ରାହୁଲ ଏହି ଦଣ୍ଡାଦେଶ ସହ ସାଂସଦ ଭାବେ ଅଯୋଗ୍ୟ ହୋଇସାରିଛନ୍ତି । ଏଥିରେ ରୋକ୍ ଲାଗିଲେ ହିଁ ରାହୁଲ ତାଙ୍କ ସଦସ୍ୟତା ପଦ ରକ୍ଷା ପାଇ ପାରିବେ ।

କ’ଣ ରହିଛି ରାହୁଲଙ୍କ ପାଖରେ ବିକଳ୍ପ ?

ରାହୁଲ ୨ ବର୍ଷ ଜେଲଦଣ୍ଡାଦେଶ ହୋଇଥିବାରୁ ସେ ସଭ୍ୟ ପଦ ହରାଇପାରନ୍ତି ବୋଲି କୁହାଯାଉଛି । ତେବେ ରାହୁଲଙ୍କୁ କୋର୍ଟଙ୍କ ପକ୍ଷରୁ ତତ୍କାଳ ୩୦ ଦିନର ଜାମିନ ପ୍ରଦାନ କରି ଆଶ୍ୱସ୍ତ କରିଛନ୍ତି । ତେବେ ଏବେ ବି ରାହୁଲଙ୍କ ପାଖରେ ସଭ୍ୟ ପଦ ରଦ୍ଦ ନହେବା ପାଇଁ ଅନେକ ଆଇନଗତ ବିକଳ୍ପ ମଧ୍ୟ ରହିଛି ।

ସିଆରପିସି ଧାରା ୩୭୪ରେ ଥିବା ବ୍ୟବସ୍ଥା ଅନୁଯାୟୁ ରାହୁଲ ଗାନ୍ଧୀ ଏହି ଦଣ୍ଡାଦେଶକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିପାରିବେ । ଯଦି ସେସନ୍ସ କୋର୍ଟରୁ କୌଣସି ଆଶ୍ୱସ୍ତି ମିଳିଲାନି ତେବେ ସେସନ୍ସ କୋର୍ଟ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିହେବ । ସେହିପରି ସିଆରପିସିର ଧାରା ୩୮୯ ଅନୁଯାୟୀ ଆବେଦନକାରୀ ଦଣ୍ଡାଦେଶକୁ ସ୍ଥଗିତ ରଖିବାପାଇଁ ମଧ୍ୟ ଆବେଦନ କରିପାରିବେ । ସମ୍ବିଧାନର ଧାରା ୧୩୬ ଅଧୀନରେ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟର ମଧ୍ୟ ଦ୍ୱାରସ୍ଥ ହୋଇପାରିବେ ।

ଗନ୍ଧମାର୍ଦ୍ଦନକୁ ମିଳିଲା ଜୈବ ବିବିଧ ଐତିହ୍ୟ ସ୍ଥଳ ମାନ୍ୟତା

ଭୁବନେଶ୍ୱର: ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା BHS ମାନ୍ୟତା । ବାୟୋଡାଇଭର୍ସିଟି ହେରିଟେଜ୍ ସାଇଟ୍ ବା ଜୈବ ବିବିଧ ଐତିହ୍ୟ ସ୍ଥଳର ମାନ୍ୟତା ପାଇଲା ବଲାଙ୍ଗୀର ଓ ବରଗଡ଼ ଫରେଷ୍ଟ ଡିଭିଜିନର ଗନ୍ଧମାର୍ଦ୍ଦନ ପର୍ବତ । ରାଜ୍ୟର ତୃତୀୟ BHS ମାନ୍ୟତା ପାଇଛି ଗନ୍ଧମାର୍ଦ୍ଦନ । ଆଗରୁ କନ୍ଧମାଳ ଜିଲ୍ଲାର ମଣ୍ଡାସୁରୁ ଜର୍ଜ ଏବଂ ଗଜପତି ଜିଲ୍ଲାର ମହେନ୍ଦ୍ର ତନୟାକୁ ମିଳିଛି BHS ମାନ୍ୟତା । ଗନ୍ଧମାର୍ଦ୍ଦନରେ ୧ ହଜାର ୫୫ ପ୍ରକାର ବୃକ୍ଷ ପ୍ରଜାତି ରହିଥିବାବେଳେ ୮୪୯ ପ୍ରଜାତିର ଆଞ୍ଜିଓସ୍ପର୍ମ, ୫୬ ପ୍ରକାର ଟେରିଡୋଫାଇଟ, ୪୦ ପ୍ରକାର ବ୍ରାୟୋଫାଇଟ, ୪୫ ପ୍ରକାର ଲାଇକେନ, ୨ ପ୍ରକାର ଜିମନୋସ୍ପର୍ମ ରହିଛି ।

ଏହା ସହ ୫୦୦ ପ୍ରଜାତିର ପ୍ରାଣୀଙ୍କ ଅଭୟସ୍ଥଳୀ ହେଉଛି ଗନ୍ଧମାର୍ଦ୍ଦନ । ତନ୍ମଧ୍ୟରେ ଅଛନ୍ତି ୪୩ ପ୍ରକାର ସ୍ତନ୍ୟପାୟୀ, ୧୬୧ ପ୍ରକାର ପକ୍ଷୀ, ୪୪ ପ୍ରକାର ସରୀସୃପ, ୧୧୮ ପ୍ରକାର ଉଭୟଚର, ୨୭ ପ୍ରକାର ଡ୍ରାଗନଫ୍ଲାଏ ବାସ କରୁଛନ୍ତି । ସେହପିର ୮୩ ପ୍ରଜାତିର ସ୍ପାଇଡର ବି ଗନ୍ଧମାର୍ଦ୍ଦନରେ ରହିଛନ୍ତି ।

ୟୁଜରଙ୍କ ବହୁ ତଥ୍ୟ ଲିକ୍ ଅଭିଯୋଗ, ବ୍ରିଟେନରେ ବ୍ୟାନ ହେଲା ଟିକଟକ୍

ଲଣ୍ଡନ: ବ୍ରିଟେନରେ ବ୍ୟାନ ହେଲା ଟିକଟକ୍ । ଚୀନ କମ୍ପାନି ମାଲିକାନାଧୀନ ଭିଡିଓ ସେୟାରିଂ ଆପକୁ ବ୍ୟାନ କଲା ବ୍ରିଟେନ ସଂସଦ । ଗୋପନୀୟତା ଓ ସାଇବର ସିକ୍ୟୁରିଟି କାରଣରୁ ଏହି ପଦକ୍ଷେପ ନେଇଛନ୍ତି ସରକାର । ଟିକଟକକୁ ବହୁ ବ୍ରିଟେନ ସାଂସଦ ବ୍ୟବହାର କରୁଥିବାବେଳେ ସେମାନଙ୍କୁ ବି ଏହି ଆପ୍ ବ୍ୟବହାର ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ନୂଆ ନିୟମ ଫଳରେ ସଂସଦ ଭବନକୁ ଆସୁଥିବା ସାଂସଦ ଓ ପରିଦର୍ଶକମାନେ ଅଫିସିଆଲ ଓ୍ବାଇ-ଫାଇ କନେକସନ ଜରିଆରେ ଟିକଟକକୁ ଆସେସ କରିବାକୁ ଅନୁମତି ଦିଆଯିବ ନାହିଁ ।

ଅଭିଯୋଗ ଅନୁସାରେ ଟିକଟକ୍ ଆପ୍ ଜରିଆରେ ୟୁଜରମାନଙ୍କ ପର୍ଯ୍ୟାପ୍ତ ତଥ୍ୟ ସଂଗ୍ରହ କରାଯାଉଛି । ସେମାନଙ୍କ ବୟସ, ଲୋକେସନ, ଡିଭାଇସ ଓ ଏପରିକି ସେମାନଙ୍କ ଟାଇପିଂ ପ୍ୟାଟର୍ଣ୍ଣ ତଥ୍ୟକୁ ମଧ୍ୟ ସଂଗ୍ରହ କରାଯାଉଥିବା ଅଭିଯୋଗ ହୋଇଛି ।

ଆବାସିକ କୋଠାରେ ଧକ୍କା ହେଲା ଗ୍ଲାଇଡର, ପାଇଲଟଙ୍କ ସମେତ ଜଣେ ଯାତ୍ରୀ ଆହତ

ରାଞ୍ଚି: ଝାଡ଼ଖଣ୍ଡର ଧାନବାଦ ଜିଲ୍ଲାରେ ଏକ ଗ୍ଲାଇଡର ଦୁର୍ଘଟଣାଗ୍ରସ୍ତ । ଆବାସିକ କୋଠାରେ ଗ୍ଲାଇଡର ପଶିଯିବାରୁ ପାଇଲଟ ଓ ଜଣେ ୧୪ ବର୍ଷ ବୟସ୍କ ଯାତ୍ରୀ ଆହତ ହୋଇଛନ୍ତି । ଉଭୟଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।ଧାନବାଦର ବାରଓ୍ବାଡ଼ା ଏୟାରଷ୍ଟ୍ରିପରୁ ଗ୍ଲାଇଡରଟି ଉଡାଣ ଆରମ୍ଭ କରିଥିବାବେଳେ ମାତ୍ର ୫୦୦ ମିଟର ଦୂରରେ ଏକ କୋଠାରେ ଧକ୍କା ଖାଇଥିଲା । ଯାନ୍ତ୍ରିକ ତ୍ରୁଟି କାରଣରୁ ଗ୍ଲାଇଡରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଦୁର୍ଘଟଣା ପରେ ଗ୍ଲାଇଡରର କକପିଟ୍ ନଷ୍ଟ ହୋଇଯାଇଥିବାବେଳେ କୋଠାରେ ରହୁଥିବା ସଦସ୍ୟ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଆହତ ବ୍ୟକ୍ତିଜଣକ ଆକାଶମାର୍ଗରୁ ପାଟନା ସହର ପରିଦର୍ଶନ କରିବା ଲାଗି ଗ୍ଲାଇଡର ବ୍ୟବହାର କରିଥିଲେ । ଏହି ଗ୍ଲାଇଡ ସର୍ଭିସ ଏକ ଘରୋଇ କମ୍ପାନୀ ଦ୍ବାରା ପରିଚାଳିତ ହେଉଛି ଏବଂ ଏଥିରେ କେବଳ ଜଣେ ଯାତ୍ରୀ ଓ ଜଣେ ପାଇଲଟ ବସିବାର ବ୍ୟବସ୍ଥା ରହିଛି । ଦୁର୍ଘଟଣା ପରେ ଧାନବାଦରେ ଗ୍ଲାଇଡ ସର୍ଭିସ ବନ୍ଦ କରିଦିଆଯାଇଛି ।

ଆଜିଠୁ ମୁସଲମାନଙ୍କ ପବିତ୍ର ରମଜାନ ମାସ, ସଜେଇ ହୋଇଛି ମସଜିଦ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ମୁସଲମାନଙ୍କ ପବିତ୍ର ରମଜାନ ମାସ । ମୁସଲିମ ବିଧି ଅନୁସାରେ ବୁଧବାର ଥିଲା ଶାବାନ ମାସର ୨୯ ତମ ଦିନ । ଗୁରୁବାରଠାରୁ ରମଜାନ ଆରମ୍ଭ ହୋଇଥାନ୍ତା । ତେବେ ପ୍ରତିକୂଳ ପାଗ ଯୋଗୁ ଚନ୍ଦ୍ର ଦେଖାନଯିବାରୁ ଆଜିଠୁ ରମଜାନ ମାସ ଆରମ୍ଭ ହେଉଛି । ରମଜାନ ପାଇଁ ସଜେଇ ହୋଇଛି ମସଜିଦ୍ । ଘରେଘରେ ହୋଇଛି ପ୍ରସ୍ତୁତି । ରୋଜା ମାସ ପାଳୁଥିବା ମୁସଲମାନ ଭାଇଭଉଣୀ ଆଜିଠୁ ଉପବାସରେ ରହୁଛନ୍ତି । ମସଜିଦରେ ସମୁହ ନମାଜ ପାଠ ଅନୁଷ୍ଠିତ ହେବ।

ରମଜାନ ମାସରେ ଉପବାସ ରଖି ଦାନଧର୍ମ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଶିଶୁ, ଗର୍ଭବତୀ, ରୋଗୀ ଓ ବୟସ୍କ ଉପବାସ କରିନଥାନ୍ତି । ରମଜାନ ମାସକୁ ନଜରରେ ରଖି ମସଜିଦରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଆଜିଠୁ ବଢିବ ତାପମାତ୍ରା, ୨୬ ତାରିଖରୁ ପୁଣି ପଡ଼ିବ ପଶ୍ଚିମା ଝଡ଼ ପ୍ରଭାବ

ଭୁବନେଶ୍ୱର: ଆସୁଛି ଆଉ ଏକ ପଶ୍ଚିମାଝଡ଼ । ୨୬ରୁ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ପରିଲକ୍ଷିତ ହେବ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଝଡ଼-ପବନ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ରହିବା ସମ୍ଭାବନା ରହିଛି । ୨୭ରୁ ବଢ଼ିବ ବର୍ଷାର ବିସ୍ତୃତି, ୨୭ରେ ୧୧ ଉପକୂଳ ଜିଲ୍ଲା ସମେତ ପ୍ରଭାବିତ ହେବ ପାର୍ଶ୍ଵବର୍ତ୍ତୀ ଜିଲ୍ଲା । ଜାରି ରହିବ ଝଡ଼ ପବନ ଏବଂ ବିଜୁଳି ଘଡ଼ଘଡ଼ି । ରାଜ୍ୟରେ ସାମାନ୍ୟ ବଦଳିଛି ପାଗ । ବିଭିନ୍ନ ସ୍ଥାନରେ ପାଗ ମେଘୁଆ ଥିବାବେଳେ ଆଜିଠୁ ତାପମାତ୍ରା ବୃଦ୍ଧି ପାଇବ ।

କିଛିଦିନର ବ୍ୟବଧାନ ପରେ ପୁଣି ଫେରିବ ଖରା । ସ୍ବାଭାବିକ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ହେବ । ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ମଧ୍ୟାହ୍ନରେ ତାତି ବଢ଼ିଲେ ବି ଅପରାହ୍ନରେ ଘଡ଼ିଘଡ଼ି ବିଜୁଳି ସହ ବର୍ଷା ହେବ। କାଳବୈଶାଖୀ ପ୍ରଭାବରେ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଅପରାହ୍ମରେ ବର୍ଷା ହେବ । ଆଜି କାଳବୈଶାଖୀ ନେଇ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ବର, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିକୁ ସତର୍କ ସୂଚନା ଜାରି କରାଯାଇଛି ।

ଏପ୍ରିଲ ପହିଲାରୁ ଟ୍ରାଫିକ ନିୟମ ଉଲଂଘନକାରୀ ଓ ମଦ୍ୟପ ଚାଳକଙ୍କ ଉପରେ ରହିବ ତୀକ୍ଷ୍ଣ ନଜର

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା । ତା’ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ ରୋକିବା ପାଇଁ ଜାରି ହୋଇଛି ସ୍ବତନ୍ତ୍ର ମାର୍ଗଦର୍ଶିକା । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ହୋଇଛି SOP । ଏପ୍ରିଲ ପହିଲାରୁ ୭ ତାରିଖ ଅର୍ଥାତ ଏପ୍ରିଲ ପ୍ରଥମ ସପ୍ତାହରେ କଡ଼ାକଡ଼ି ଲାଗୁ ହେବ ମାର୍ଗଦର୍ଶିକା । ରାଜ୍ୟରେ ଏପ୍ରିଲ ପ୍ରଥମ ସପ୍ତାହକୁ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ବା ଜିରୋ ଫେଟାଲିଟି ଉଇକ ଭାବେ ପାଳନ କରାଯିବ।

ଟ୍ରାଫିକ ନିୟମ ଉଲଂଘନକାରୀ ଓ ମଦ୍ୟପ ଚାଳକଙ୍କ ଉପରେ ରହିବ ତୀକ୍ଷ୍ଣ ନଜର । ବଡ଼ ଅଙ୍କର ଜରିମାନା ସହ ଜେଲଦଣ୍ଡ ଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୨୦୨୧ ତୁଳନାରେ ୨୦୨୨ରେ ଏହି ହାର ଶତକଡା ୭.୬୦% ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨ ମସିହାରେ ରାଜ୍ୟରେ ମୋଟ ୧୧ ହଜାର ୬୬୩ଟି ସଡ଼କ ଦୁର୍ଘଟଣା ଘଟି ୫୪୬୭ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ୧୯୫ଟି ବ୍ଲାକ ସ୍ପଟ ଚିହ୍ନଟ ହୋଇଛି । କଟକ ଓ କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୩ଟି ଲେଖାଏଁ ବ୍ଲାକ ସ୍ପଟ୍ ଚିହ୍ନଟ ହୋଇଛି । ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରିବାକୁ ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ପୋଲିସ, ପରିବହନ, ଶିକ୍ଷା, ପୂର୍ତ୍ତ ଓ ଜାତୀୟ ରାଜପଥ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ପୁରୀ ରେଳଷ୍ଟେସନ ନିକଟରେ ପୁଣି ଅଗ୍ନିକାଣ୍ଡ

ପୁରୀ: ପୁରୀ ରେଳଷ୍ଟେସନ ନିକଟରେ ପୁଣି ଥରେ ଅଗ୍ନିକାଣ୍ଡ । ଷ୍ଟେସନର ୱାସିଂ ଲାଇନ୍ ମଧ୍ୟରେ ଥିବା ଏକ ଛୋଟ ଘରେ ଅଗ୍ନିକାଣ୍ଡ ଘଟିଥିଲା । ଘର ମଧ୍ୟରେ ଥିବା ବ୍ୟାଟେରି, ମେସିନ୍‌, ଅନ୍ୟାନ୍ୟ ଦାମୀ ଜିନିଷ ଆଦି ଜଳିଯାଇଛି । ନିଆଁ ଲାଗିବାର ମାତ୍ର କିଛି ସମୟ ପରେ ଆରପିଏଫ୍ ଓ ଜିଆରପି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏଥିରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ ସୃଷ୍ଟି ହୋଇଛି ।

ବାଇକ୍ ସାଇଡ ମରାକୁ କେନ୍ଦ୍ରକରି ଯୁବକଙ୍କ ଉନ୍ମତକାଣ୍ଡ

ଭଦ୍ରକ: ବାଇକ୍ ସାଇଡ ମରାକୁ କେନ୍ଦ୍ରକରି ଯୁବକଙ୍କ ଉନ୍ମତକାଣ୍ଡ । ଫଟୋ ଲ୍ୟାବ ଭିତରେ ପଶି ମାଲିକଙ୍କ ପୁଅକୁ ଛୁରୀ ଭୁସିଲା ଯୁବକ । ଭଦ୍ରକ ଟାଉନ ଥାନା ଅଧିନସ୍ଥ ବାଇପାସ୍ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଆଜି ଅପରାହ୍ନରେ ସାବିତ୍ରୀ କଲର ଲ୍ୟାବ୍ କାମ କରୁଥିବା ଜଣେ ପିଲା ଗାଡ଼ି ନେଇ ଆସୁଥିବା ବେଳେ ଅନ୍ୟ ଜଣେ ଯୁବକ ତାଙ୍କୁ ଗାଡି ସାଇଟ କରିବାକୁ କହିଥିଲା ।  ସେ ମଧ୍ୟ ସଙ୍ଗେ ସଙ୍ଗେ ଗାଡି ସାଇଟ କରିଥିଲେ ।  କିନ୍ତୁ ଯୁବକ ଜଣଙ୍କ ତାଙ୍କୁ ପାଟି କରିବା ସହିତ ପଛେ ପଛେ ଲ୍ୟାବ ପାଖକୁ ଆସିଥିଲା । ଏଥିରେ ଲ୍ୟାବ ମାଲିକଙ୍କ ପୁଅ ରାଜ ଭାରତ କ୍ରାନ୍ତି ପଚାରିବାରୁ ସେହି ଯୁବକ ଜଣଙ୍କ ତାଙ୍କୁ ହଠାତ ପାଖରେ ରଖିଥିବା ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣକୁ ପାଖରେ ଥିବା ପିଲା ପ୍ରତିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଫେରାର ହୋଇ ଯାଇଥିଲା ଅଭିଯୁକ୍ତ ଯୁବକ । ଛୁରାମାଡ଼ରେ ରାଜଙ୍କୁ ଗୁରୁତର ଭାବେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।