ବାହାନଗା ସ୍କୁଲ ହେବ ନମ୍ବର ଓ୍ବାନ୍, ସ୍କୁଲ ପିଲା ଓ ଶିକ୍ଷକଙ୍କ ସହ କଥା ହେଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

1 min read

ଭୁବନେଶ୍ୱର: ଓଡ଼ିଶାର ବେଷ୍ଟ ସ୍କୁଲ ହେବ ବାହାନଗା ହାଇସ୍କୁଲ । ୪ରୁ ୬ ମାସରେ ବାହାନଗା ହାଇସ୍କୁଲ ନୂଆ ରୂପ ପାଇବ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ 5T ସଚିବ ଭି.କେ ପାଣ୍ଡିଆନ ଏହି ପ୍ରତିଶ୍ରୁତି ଦେଇଛନ୍ତି । ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ଶତାଧିକ ମୃତଦେହ ହାଇସ୍କୁଲର କିଛି ଶ୍ରେଣୀଗୃହରେ ରଖାଯାଇଥିଲା । ପରେ ମୃତଦେହ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଭୟରେ ପିଲା ସ୍କୁଲ ଯିବାକୁ ରାଜି ହୋଇନଥିଲେ । ଏଥିପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍କୁଲ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଓ ପିଲାଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟ ଶାସନ ସଚିବ ଓ 5T ସଚିବ ଭିଡିଓ କନଫରେନସିଂରେ ଉପସ୍ଥିତ ଥିଲେ । ପିଲାଙ୍କ ସହ କଥା ହୋଇ ସମସ୍ୟା ସମ୍ପର୍କରେ ଅବଗତ ହେଲା ପରେ ୪ରୁ ୬ ମାସରେ ନୂଆ ସ୍କୁଲ ଗୃହ ନିର୍ମାଣ ସାରିବାକୁ 5T ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ଖେଳ ପଡ଼ିଆ ବି ହେବ । ଏଥିପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଖୁସି ପ୍ରକାଶ କରିଛନ୍ତି । ଆଜି ପୁରୁଣା ଶ୍ରେଣୀ ଗୃହ ଭଙ୍ଗା ଆରମ୍ଭ ହୋଇଛି ।  ଗତ ୨ ତାରିଖରେ ଦିନ ଟ୍ରେନ୍ ଦୁର୍ଘଟଣା ପରେ ହାଇସ୍କୁଲର କିଛି ଅତିରିକ୍ତ ଶ୍ରେଣୀ ଗୃହ ଓ ଖାଇବା ସ୍ଥାନରେ ମୃତଦେହ ରଖାଯାଇଥିଲା । ମୋ ସ୍କୁଲ ଯୋଜନାରେ ନୂଆ କୋଠା ନିର୍ମାଣ ଚାଲିଛି । ଏହାସହ 5T ସ୍କୁଲ କୋଠା ମଧ୍ୟ ରହିଛି । ତଥାପି ମୃତଦେହ ରଖାଯାଇଥିବା କଥା ଶୁଣି ପିଲା ସ୍କୁଲ ଯିବାକୁ ଡରୁଥିଲେ । ଆଜି ସଚିବଙ୍କ ସହ କଥା ହୋଇ ପ୍ରତିଶ୍ରୁତି ପାଇବା ପରେ ପିଲା ଓ ଅଭିଭାବକ ଆଶ୍ବସ୍ତି ହୋଇଛନ୍ତି । ମୃତଦେହ ରଖାଯାଇଥିବା ଶ୍ରେଣୀଗୃହ ଆଜି ଭଙ୍ଗାଯାଉଛି ।