ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଲାଗି ବଢ଼ିଲା ଅଡୁଆ, ମଙ୍ଗଳବାର ମିଆମି କୋର୍ଟରେ ହେବେ ହାଜର

1 min read

ଓ୍ୱାଶିଂଟନ: କେତେକ ଗୁରୁତ୍ବପୂର୍ଣ୍ଣ ନଥି ପ୍ରସଙ୍ଗରେ ତାଙ୍କୁ ଅଭିଯୁକ୍ତ ସାବ୍ୟସ୍ତ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦ୍ବିତୀୟ ଥର ଲାଗି ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଥିବା ଟ୍ରମ୍ପଙ୍କ ଲାଗି ଏବେ ଅନେକ ଆଇନଗତ ସଙ୍କଟ ସୃଷ୍ଟି ହୋଇଛି । ଟ୍ରମ୍ପ କହିଛନ୍ତି- କ୍ଲାସିଫାଏଡ ଡକ୍ୟୁମେଣ୍ଟ ନେବା ପ୍ରସଙ୍ଗରେ ଦୁର୍ନୀତିଗ୍ରସ୍ତ ବାଇଡେନ ପ୍ରଶାସନ ପକ୍ଷରୁ ତାଙ୍କ ଆଟର୍ଣ୍ଣିଙ୍କୁ ସୂଚନା ଦିଆଯାଇଥିଲା । ଟ୍ରମ୍ପଙ୍କ ଆଟର୍ଣ୍ଣି ଜିମ୍ ଟ୍ରଷ୍ଟି କହିଛନ୍ତି ଟ୍ରମ୍ପଙ୍କ ନାମରେ ୭ଟି ଅଭିଯୋଗ ଦାୟର ହୋଇଛି । ତନ୍ମଧ୍ୟରେ ରହିଛି ଗୁଇନ୍ଦାଗିରି ଆଇନ ଉଲ୍ଲଂଘନ, ମିଥ୍ୟା ବିବୃତି ପ୍ରଦାନ, ଅନ୍ୟାୟ, ଷଡ଼ଯନ୍ତ୍ର ରଚନା ଇତ୍ୟାଦି । ଟ୍ରମ୍ପ କହିଛନ୍ତି ଆସନ୍ତା ମଙ୍ଗଳବାର ଦିନ ତାଙ୍କୁ ମିଆମିର ଏକ ଫେଡେରାଲ କୋର୍ଟ ହାଉସରେ ହାଜର ହେବା ଲାଗି ତାଙ୍କୁ ସମନ ଜାରି କରାଯାଇଛି । କ୍ଲାସିଫାଏଡ ଡକ୍ୟୁମେଣ୍ଟ ମାମଲାରେ ଟ୍ରମ୍ପଙ୍କୁ ଟାର୍ଗେଟ କରାଯାଉଛି ବୋଲି କହିଛନ୍ତି ତାଙ୍କ ଓକିଲ ।

ପୂର୍ବରୁ ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲାରେ ବି ଅଡୁଆର ସମ୍ମୁଖୀନ ହୋଇଥିଲେ ଟ୍ରମ୍ପ । ଟ୍ରମ୍ପଙ୍କ ଅଡୁଆ ଭିତରେ ତାଙ୍କୁ ସମର୍ଥନ କରିଛନ୍ତି ପ୍ରତିନିଧି ସଭାର ବାଚସ୍ପତି କେଭିନ ମ୍ୟାକାର୍ଥି । ଆମେରିକା ଲାଗି ଏକ କଳା ଦିବସ ଆସିଛି ବୋଲି ସେ କହିଛନ୍ତି । ଆଇନକୁ ବିଶ୍ବାସ କରୁଥିବା ପ୍ରତିଟି ଆମେରିକୀୟ ଟ୍ରମ୍ପଙ୍କ ସପକ୍ଷରେ ରହିବେ ବୋଲି ସେ କହିଛନ୍ତି । ହ୍ବାଇଟ ହାଉସ ପରିତ୍ୟାଗ କରିବା ପରେ ଫ୍ଲୋରିଡାସ୍ଥିତ ନିଜର ମାର-ଏ-ଲାଗୋ ପ୍ରାସାଦରେ କେତେକ କ୍ଲାସିଫାଏଡ ନଥି ଟ୍ରମ୍ପ ରଖିଥିବା ନେଇ ଅଭିଯୋଗ ହୋଇଥିଲା । ଗତବର୍ଷ ଅଗଷ୍ଟରେ ମାର-ଏ-ଲାଗୋ ପ୍ରାସାଦରୁ ଏଫବିଆଇ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ୧୧ ହଜାର ନଥି ନେଇଯାଇଥିଲା । ଗତ ୨୦୨୨ ଜାନୁଆରୀରେ ଟ୍ରମ୍ପ ୨୦୦ କ୍ଲାସିଫାଏଡ ଡକ୍ୟୁମେଣ୍ଟକୁ ନ୍ୟାସନାଲ ଆର୍କାଇଭସକୁ ପ୍ରଦାନ କରିଥିଲେ । ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ପରାସ୍ତ ପରେ ୨୦୨୧ ଜାନୁଆରୀ ୬ରେ ହଙ୍ଗାମା ନେଇ ବି ଟ୍ରମ୍ପଙ୍କ ବିରୋଧରେ ମାମଲା ଚାଲୁ ରହିଛି ।