ବାହାନଗା ହାଇସ୍କୁଲକୁ 5T ଉପକ୍ରମରେ ଆଦର୍ଶ ସ୍କୁଲ ଭାବେ ଗଢ଼ିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି  । 5T ଉପକ୍ରମରେ ଏହାକୁ ଏକ ମଡେଲ ସ୍କୁଲ କରାଯିବ । ‍ବାଲେଶ୍ୱର ଜିଲ୍ଲା ବାହନଗା ହାଇସ୍କୁଲ ତଥା ଏହାର ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରୀ ସ୍କୁଲ ଘରକୁ ସମ୍ପୂର୍ଣ୍ଣ ଭଙ୍ଗାଯିବ । 5T ଉପକ୍ରମରେ ଏହାର ପୁନଃନିର୍ମାଣ କରାଯିବା ସହିତ ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨ ତାରିଖରେ ବାହନଗା ରେଳ ଷ୍ଟେସନରେ ଭୟାବହ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହ ସାମୟିକ ଭାବରେ ବାହନଗା ହାଇସ୍କୁଲରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ମୃତଦେଗୁଡ଼ିକୁ ଅନ୍ୟତ୍ର ନିଆଯାଇ ସ୍କୁଲ ବିଶୋଧନ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ, ଜନସାଧାରଣଙ୍କ ମଧ୍ୟରେ ଭୟ ରହିଛି । ତେଣୁ ସ୍କୁଲଘର ଭାଙ୍ଗି ଏହାର ପୁନଃନିର୍ମାଣ ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, 5T ସଚିବ ଭିକେ ପାଣ୍ଡିଆନ, ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍. ଅଶ୍ୱଥୀ ଭିଡିଓ କନଫରେନ୍ସିଂ ଜରିଆରେ ବାଲେଶ୍ୱର ଜିଲ୍ଲାପାଳ, ସ୍କୁଲ ପରିଚାଳନା କମିଟିର ସଦସ୍ୟ, ପଞ୍ଚାୟତ ପ୍ରତିନିଧି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ସମସ୍ତଙ୍କର ମତାମତ ନିଆଯାଇଥିଲା । ଛାତ୍ରଛାତ୍ରୀ, ଅଭିବାବକ ଓ ଶକ୍ଷକ ଶିକ୍ଷୟିତ୍ରୀଙ୍କ ମନରେ ସେ ଦିନର ଦୃଶ୍ୟ ଏବେବି ଭୟ ସୃଷ୍ଟି କରୁଛି ଏବଂ ସେମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେଣୁ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ବାହାନଗା ହାଇସ୍କୁଲ ଓ ଏହାର ପରିସରରେ ଥିବା ପ୍ରାଥମିକ ଓ  ଏଲିମେଣ୍ଟାରୀ ସ୍କୁଲଘର ଭାଙ୍ଗି ପୁନଃନିର୍ମାଣ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଏହା ପରେ ସ୍କୁଲ ପୁନଃନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି ।