ଗୁରୁବାର ମଧ୍ୟାହ୍ନ ସୁଦ୍ଧା ସୌରାଷ୍ଟ୍ର ଓ କଚ୍ଛ ଅତିକ୍ରମ କରିବ ବାତ୍ୟା ‘ବିପର୍ଯ୍ୟୟ’, ବହିପାରେ ୧୫୦ କିମି ବେଗରେ ପବନ

ଗାନ୍ଧିନଗର: ଅତିଭୟଙ୍କର ବାତ୍ୟା ’ବିପର୍ଯ୍ୟୟ’ ଲାଗି ହାଇଆଲର୍ଟ । ଗୁଜରାଟରେ ’ବିପର୍ଯ୍ୟୟ’ଗୁରୁବାର ମଧ୍ଯାହ୍ନ ସୁଦ୍ଧା ସୌରାଷ୍ଟ୍ର ଓ କଚ୍ଛ ଅତିକ୍ରମ କରିବ । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୫୦ କିଲୋମିଟର ରହିବ ବୋଲି କହିଛି ଆଇଏମଡି । ଅତି ଭୟଙ୍କର ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟରେ ୧୪ ତାରିଖରେ ଅରେଞ୍ଜ ଆଲର୍ଟ ଓ ୧୫ ତାରିଖରେ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ଲଗାତାର ସମୀକ୍ଷା କରୁଛି । ଗୁଜରାଟରେ ୧୨ଟି ଏନଡିଆରଏଫ ଟିମ୍ ମୁତୟନ ହୋଇଥିବାବେଳେ ସେନା, ବାୟୁସେନା, ନୌସେନା, ତଟରକ୍ଷୀ ବାହିନୀ ଏନଡିଆରଏଫ ମୁତୟନ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଲାଗି ଜାହାଜ ଓ ହେଲିକପ୍ଟର ନିୟୋଜିତ ହୋଇଛି । ତିନିବାହିନୀର ବିପର୍ଯ୍ୟୟ ରିଲିଫ ଟିମ୍ ଓ ମେଡିକାଲ ଟିମ୍ ବି ସତର୍କ ରହିଛନ୍ତି ।

ବାତ୍ୟାର ସ୍ଥିତି ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଚ୍ଛ, ଜାମନଗର, ମୋର୍ବି, ଗିର ସୋମନାଥ, ପୋରବନ୍ଦର, ଦେବଭୂମି ଦ୍ବାରକାରେ ବାତ୍ୟାର ପ୍ରଭାବ ବେଶୀ ପଡ଼ିବା ଆଶଙ୍କା ରହିଛି । କଚ୍ଛରେ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ବାତ୍ୟା ପ୍ରତି ସତର୍କ ରହିବା ଲାଗି ଗୁଜରାଟ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ ଓ ଲକ୍ଷାଦ୍ବୀପ ପ୍ରଶାସନକୁ ପରାମର୍ଶ ଦିଆଯାଇଛି ।