spot_img
Home Blog Page 3280

ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା

ବେଙ୍ଗାଲୁରୁ: ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ସରକାର । ଶପଥ ସମାରୋହ ପାଇଁ ଭବ୍ୟ ଆୟୋଜନ । କାନ୍ତିରାଭା ଷ୍ଟାଡିୟମରେ ଆୟୋଜିତ ହୋଇଛି ମେଗା ଇଭେଣ୍ଟ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା ଏବଂ ଡେପୁଟି ସିଏମ ଭାବେ ଶପଥ ନେବେ ଡି କେ ଶିବକୁମାର । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ଅଧା ମନ୍ତ୍ରିମଣ୍ଡଳ ଶପଥ ନେଇପାରେ ବୋଲି ଚର୍ଚ୍ଚା ହେଉଛି । ଶପଥ ସମାରୋହରୁ ବିରୋଧୀ ଏକତା ବାର୍ତ୍ତା । ସମାନ ବିଚାରଧାରା ରଖୁଥିବା ଦଳକୁ କଂଗ୍ରେସ ନିମନ୍ତ୍ରଣ କରିଛି। ଉତ୍ସବରେ ସାମିଲ ହେବେ ଛତିଶଗଡ଼, ରାଜସ୍ଥାନ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମେତ ତାମିଲନାଡୁ, ବିହାର ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । ଆରଜେଡିର ତେଜସ୍ୱୀ ଯାଦବ, ଏନସିପି ସୁପ୍ରିମୋ ଶରଦ ପାୱାର, ପିଡିପି ମୁଖ୍ୟ ମେହବୁବା ମୁଫତି, ସିପିଆଇର ଡି ରାଜା, ସିପିଏମର ସୀତାରାମ ୟେଚୁରୀ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି କଂଗ୍ରେସ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ଦଳର ସାଂସଦ କାକୋଳି ଘୋଷଙ୍କୁ ପ୍ରତିନିଧି କରି ପଠାଇବ ଟିଏମସି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଓ ବିଏସପି ସୁପ୍ରିମୋ ମାୟାବତୀଙ୍କୁ କଂଗ୍ରେସ ଶପଥ ସମାରୋହକୁ ନିମନ୍ତ୍ରଣ କରାଯାଇନଥିବା ଜଣାପଡ଼ିଛି । ଷ୍ଟାଡିୟମରେ ୨୫ ହଜାର ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ରହିଛି  । ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

ଦ୍ୱିତୀୟ ଦିନରେ କଳାହାଣ୍ଡି ସମୀକ୍ଷା, ପିପଲନଲା ଜଳସେଚନ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କଲେ 5T ସଚିବ

କଳାହାଣ୍ଡି: ଦ୍ୱିତୀୟ ଦିନରେ କଳାହାଣ୍ଡି ସମୀକ୍ଷା । ସକାଳୁ ସକାଳୁ ବିକାଶର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଭବାନୀପାଟଣା ପିପଲନଲା ଜଳସେଚନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଏହି ପ୍ରକଳ୍ପ ଦ୍ବାରା ପିପଲନଲା, କଳାହାଣ୍ଡି, ଲାଞ୍ଜିଗଡ଼, ଭଟ୍ଟାଙ୍ଗପଦର ଅଞ୍ଚଳର ଚାଷୀ ଉପକୃତ ହେବେ । ପରେ ଭଟ୍ଟାଙ୍ଗପଦର ଏଚଏସ ଗ୍ରାଉଣ୍ଡରେ ପହଞ୍ଚି ଛାତ୍ରଛାତ୍ରୀ ଓ ଏସଏଚଜି ମାଆମାନଙ୍କ ସହିତ ଆଲୋଚନା କରି ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି । ଭଟ୍ଟାଙ୍ଗପଦରରୁ ଭବାନୀପାଟଣା ପର୍ଯ୍ୟନ୍ତ ରାସ୍ତାକୁ ଉନ୍ନତିକରଣ କରାଯିବ । ଏହାସହ ରାବଣଦୋର ଜଳପ୍ରପାତର ମଧ୍ୟ ବିକାଶ କରାଯିବ । ପର୍ଯ୍ୟଟକଙ୍କ ପାଇଁ ନୂଆ ଡେଷ୍ଟିନେସନ ସାଜିବ । ଏହାସହ ରାସ୍ତାର ମଧ୍ୟ ସଂପ୍ରସାରଣ କରାଯିବା ସହ ଖୁବଶୀଘ୍ର ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ । ବର୍ଷକ ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ପ୍ରସ୍ତାବିତ ଯୁକ୍ତ ତିନି ଡିଗ୍ରୀ ମହାବିଦ୍ୟାଳୟ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ।

ଏହା ପରେ ମା’ ମାଣିକେଶ୍ବରୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ଉନ୍ନତିକରଣ ପାଇଁ ସେବାୟତ ଓ ଲୋକଙ୍କ ସହ ଆଲୋଚନା କରିବେ । ଏହାପରେ କଲମପୁର ମିନି ଷ୍ଟାଡିୟମ, ମଙ୍ଗଳପୁର ବ୍ୟାରେଜ ନିକଟରେ ଇନ୍ଦ୍ରାବତୀ ପାର୍କ ଓ ମିଉଜିୟମ ପରିଦର୍ଶନ କରିବେ । ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ କାର୍ଯ୍ୟର ତଦାରଖ କରିବେ 5T ସଚିବ । ଆମପାଣି ବୁଢ଼ାରଜା ମନ୍ଦିର, ଡୋକ୍ରିଚଞ୍ଚରା ଏବଂ ଗୁଡ଼ହାଣ୍ଡିର ବିକାଶ ନେଇ ଲୋକଙ୍କ ସହିତ ଆଲୋଚନା କରିବେ । ସେଠାରୁ ଧର୍ମଗଡ଼ ଯାଇ ମାଆ ଭଣ୍ଡାରଘରଣୀ ମନ୍ଦିରର ଉନ୍ନତିକରଣ ପାଇଁ ଆଲୋଚନା କରିବେ । ଧର୍ମଗଡ଼ ଯଶୋଦା ଆଶ୍ରମରେ ଅନ୍ତେବାସୀଙ୍କ ସହିତ କିଛି ସମୟ ବିତାଇବେ ଭିକେ ପାଣ୍ଡିଆନ । ପରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ, ଧର୍ମଗଡ଼ ପଞ୍ଚାୟତ କଲେଜ, ବିଜୁ କଲ୍ୟାଣ ମଣ୍ଡପ ପରିଦର୍ଶନ କରି ସାଧାରଣ ଲୋକ ଓ ଏସଏଚଜି ସଦସ୍ୟାଙ୍କ ସହ ଆଲୋଚନା କରିବେ ।

ବଜାରରୁ ହଟିବ ୨ ହଜାର ଟଙ୍କିଆ ନୋଟ୍, ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କରେ ବଦଳାଇ ପାରିବେ

ନନ୍ଦିଘୋଷ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୨୦୦୦ ଟଙ୍କିଆ ନୋଟକୁ ବଜାରରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି । ଅବଶ୍ୟ ଏବେ ବଜାରରେ ଏହି ନୋଟ୍ ବୈଧ ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛି ଯେ ସେମାନେ ତତ୍କାଳ ପ୍ରଭାବରେ ୨୦୦୦ ଟଙ୍କିଆ ନୋଟ୍ ଜାରି କରିବା ବନ୍ଦ କରନ୍ତୁ । ଆରବିଆଇ କହିଛି ଯେ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ନୋଟ୍ ବୈଧ ରହିବ । ଅର୍ଥାତ ଯାହାଙ୍କ ପାଖରେ ଏବେ ୨ହଜାର ଟଙ୍କା ନୋଟସ ଅଛି, ସେଗୁଡ଼ିକୁ ବ୍ୟାଙ୍କରେ ବଦଳାଇବାକୁ ପଡ଼ିବ । ନୋଟ୍ ବଦଳାଇବାର ପ୍ରକ୍ରିୟା ମେ ୨୩ ତାରିଖରୁ ଆରମ୍ଭ ହେବ । ଆରବିଆଇ ପ୍ରେସ ରିଲିଜରେ କହିଛି ଯେ ୨୦୧୮-୧୯ରେ ହିଁ ୨ହଜାର ଟଙ୍କିଆ ନୋଟ୍ ଛପା କାର୍ଯ୍ୟ ବନ୍ଦ କରାଯାଇଥିଲା । ୨୦୧୭ ସୁଦ୍ଧା ୮୯ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ୍ ବଣ୍ଟନ ବନ୍ଦ ହୋଇଥିଲା ।

ବଜାରରେ ମୋଟ ଛପାର ୧୦.୮ପ୍ରତିଶତ ୨ ହଜାର ଟଙ୍କିଆ ନୋଟ୍ ଅଛି । ଏବେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟ୍ ବୈଧ ଅଟେ । ସେପ୍ଟେମ୍ବର ୩୦, ୨୦୨୩ ପର୍ଯ୍ୟନ୍ତ ବୈଧ ରହିବ ୨ ହଜାର ଟଙ୍କିଆ ନୋଟ୍  । ଏକକାଳୀନ ୧୦ଟି ୨ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କରେ ଡିପୋଜିଟ୍ କରିପାରିବେ । ୨ ହଜାର ଟଙ୍କିଆ ନୋଟ୍ ଗ୍ରାହକଙ୍କୁ ନଦେବାକୁ ବ୍ୟାଙ୍କକୁ ପରାମର୍ସ ଦେଇଛି ଆରବିଆଇ । ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ପରେ ୨ହଜାର ଟଙ୍କା ନୋଟ୍ ବଜାରକୁ ଅଣାଯାଇଥିଲା । ବିମୁଦ୍ରୀକରଣରେ ୫୦୦ ଏବଂ ହଜାରେ ଟଙ୍କା ନୋଟ୍ ବନ୍ଦ କରାଯାଇଥିଲା । ଏହି ସମୟରେ ସରକାର କହିଥିଲେ ଯେ ଏହି ପଦକ୍ଷେପ ଦୁର୍ନୀତି ସମାପ୍ତ କରିବା ପାଇଁ ନିଆଯାଇଛି । ବିରୋଧୀଦଳ ମାନେ କହିଥିଲେ ଯେ ସରକାର ଏହି ନିଷ୍ପତ୍ତି ବିନା ଭାବି ଚିନ୍ତି ନେଇଛନ୍ତି ।

 

‘ମୁଁ ଭିକ ମାଗୁଛି ମୋ ପୁଅକୁ ଜେଲ୍ ପଠାନ୍ତୁନି’, ସମୀରଙ୍କୁ ମେସେଜ୍ କରି ଏପରି ନିବେଦନ କରିଥିଲେ ଶାହରୁଖ

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ପୂର୍ବତନ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡେଙ୍କ ଉପରେ ଶାହରୁଖ ଖାନଙ୍କଠୁ ୨୫ କୋଟି ଟଙ୍କା ଲାଞ୍ଚ ନେବାର ଅଭିଯୋଗ ରହିଛି । ଏହି ମାମଲାରେ ତଦନ୍ତ କରୁଛି ସିବିଆଇ । ଏବେ ନିଜକୁ ରକ୍ଷା କରିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସମୀର ୱାଙ୍ଖେଡେ । ସମୀର ନିଜ ଯାଚିକାରେ ଶାହରୁଖଙ୍କ ସହ ହୋଇଥିବା କଥାବାର୍ତ୍ତାର ହ୍ୱାଟ୍ସଆପ୍ ଚାଟର ସ୍କ୍ରିନସଟ୍ ମଧ୍ୟ ଏଥିରେ ଆଟାଚ୍ କରିଛନ୍ତି । ଚାଟ୍ ମୁତାବକ ଶାହରୁଖ ଖାନ ସମୀରଙ୍କୁ ନିବେଦନ କରିଥିଲେ ଯେ ଆର୍ଯ୍ୟନଙ୍କୁ ଜେଲ୍ ନପଠାଇବା ପାଇଁ । ଏହା ବଦଳରେ ସେ ସବୁ ପ୍ରକାରର ସହାୟତା କରିବା ପାଇଁ ପ୍ରସ୍ତୁତ ଥିଲେ ।

ସ୍କ୍ରିନସଟ୍ ମୁତାବକ, ଶାହରୁଖ ଖାନ ଲେଖିଥିଲେ ଯେ, ”ଭଗବାନଙ୍କ ପାଇଁ ତୁମ ଲୋକମାନଙ୍କୁ କୁହ ଯେ ଶୀଘ୍ରତା ନକରନ୍ତୁ । ମୁଁ ପ୍ରତିଜ୍ଞା କରୁଛି ଯେ ମୁଁ ସବୁ ସମୟରେ ଆପଣଙ୍କ ସହ ଛିଡ଼ା ରହିବି ଏବଂ ଆପଣ ଯାହା ହାସଲ କରିବାକୁ ଚାହୁଁଛନ୍ତି ବା ଉଦ୍ୟମ କରୁଛନ୍ତି ସେଥିରେ ସହାୟତା କରିବି । ଏହା ଏକ ମର୍ଦ୍ଦର ପ୍ରତିଜ୍ଞା ଅଟେ ଏବଂ ଆପଣ ମତେ ତ ଜାଣିଛନ୍ତି ମୁଁ ଏପରି କରିବାରେ ସକ୍ଷମ ଅଟେ । ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ପ୍ଲିଜ ମୋ ଉପରେ ଏବଂ ମୋ ପରିବାର ଉପରେ ଦୟା କରନ୍ତୁ ।

ଆମେ ସାଧା ସିଧା ଲୋକ ଅଟୁ ଏବଂ ମୋ ପୁଅ ସାମାନ୍ୟ ଦୁଷ୍ଟ ହେଲେ ସେ ଏକ ଦୁର୍ଦ୍ଦାନ୍ତ ଅପରାଧୀ ଭଳି ଜେଲରେ ରହିବା ଯୋଗ୍ୟ ନୁହେଁ । ଆପଣ ମଧ୍ୟ ଏହା ଜାଣିଛନ୍ତି । ମୁଁ ଆପଣଙ୍କୁ ଭିକ ମାଗୁଛି ଦୟା କରନ୍ତୁ । ଏହି ଚାଟ୍ ମୁତାବକ ଶାହରୁଖ ସମୀର ୱାଙ୍ଖେଡେଙ୍କୁ ଆଗକୁ କହିଛନ୍ତି, ମୁଁ ଆପଣଙ୍କୁ ଭିକ ମାଗୁଛି , ଦୟାକରି ତାକୁ ଜେଲ ଯିବାକୁ ଦିଅନ୍ତୁନି । ମାନସିକ ଭାବରେ ସେ ଭାଙ୍ଗିପଡ଼ିବ । କିଛି ଲୋକଙ୍କ ପାଇଁ ତାର ଆତ୍ମା ମରିଯିବ ।

ଆପଣ ମୋତେ କଥା ଦେଇଥିଲେ ଯେ ଆପଣ ମୋ ପୁଅକୁ ଏପରି ଯାଗାକୁ ପଠାଇ ସୁଧାରିବେନି ଯେଉଁଠାରୁ ଆସିବା ପରେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯିବ । ଯଦି କିଛି ପ୍ରକ୍ରିୟା ଅଛି ଯେଉଁଥିରେ ଆଇନ ଅଧିକାର ଅନୁଯାୟୀ ଆପଣଙ୍କ ନିଷ୍ଠାରେ ବିନା ଆଞ୍ଚ ଆସି ଆପଣ ସହାୟତା କରିପାରିବେ ତେବେ ମୁଁ ସବୁବେଳେ ଋଣୀ ହୋଇ ରହିବି । ମୋତେ ମାମଲାର ଅଧିକ ସୂଚନା ନାହିଁ, କିନ୍ତୁ ଯେବେ ଡିପାର୍ଟମେଣ୍ଟ ଇନଚାର୍ଜଙ୍କୁ ଲାଗିବ ଯେ ସବୁ ଠିକ୍ ଅଛି ଏବଂ ଆପଣ ସନ୍ତୁଷ୍ଟ ଅଛନ୍ତି ତେବେ ଆପଣଙ୍କ ଅଥରିଟି ତାଙ୍କର ଯାହା ବି ସର୍ତ୍ତ ଥିବ ତା ସହ ସର୍ଟ ରିପ୍ଲାଇ କରିଦେବେ ।

ମୁଁ ପ୍ରତିଜ୍ଞା କରୁଛି ଯେ ଆପଣଙ୍କୁ ମୋ ତରଫରୁ ସମସ୍ତ ସହଯୋଗ ମିଳିବ । ପ୍ଲିଜ ଏହି ଦରଖାସ୍ତକୁ ଦୟାର ସହ ଦେଖିଲେ ବଡ଼ ଉପକାର ହେବ । ପରିବାର ଲୋକ ଚାହୁଁଛନ୍ତି ଯେ ଆର୍ଯ୍ୟନ ଘରକୁ ଆସିଯାଉ ଏବଂ ତା ଉପରେ ଜେଲ ଯିବାର ବଦନାମୀ ନଲାଗୁ । ଏହା ତାର ଭବିଷ୍ୟତ ପାଇଁ ମଧ୍ୟ ବହୁତ ସହାୟକ ହେବ ଏବଂ ଏଥିପାଇଁ ଜଣେ ବାପା ଭାବରେ ଏପରି ନିବେଦନ କରୁଛି । ଆଶା କରୁଛି ଆପଣ ଏହା ଉପରେ ଧ୍ୟାନ ଦେବେ ।”

ସେୟାର ମୂଲ୍ୟକୁ ପ୍ରଭାବିତ କରିନି ଆଦାନୀ ଗ୍ରୁପ, କ୍ଲିନଚିଟ୍ ଦେଲେ ସୁପ୍ରିମକୋର୍ଟ ପ୍ୟାନେଲ୍

ନୂଆଦିଲ୍ଲୀ: ଆଦାନୀ ଗ୍ରୁପକୁ ଆଶ୍ୱସ୍ତି । ସୁପ୍ରିମକୋର୍ଟ ପକ୍ଷରୁ ନିଯୁକ୍ତ ଏକ୍ସପର୍ଟ ପ୍ୟାନେଲ ଆଦାନୀ ଗ୍ରୁପକୁ କ୍ଲିନ ଚିଟ୍ ଦେଇଛନ୍ତି । ଏହି ପ୍ୟାନେଲ ଆଦାନୀ ଗ୍ରୁପ ଉପରେ ହିଣ୍ଡେନବର୍ଗ ରିସର୍ଚ୍ଚ ପକ୍ଷରୁ ଲଗାଯାଇଥିବା ଅଭିଯୋଗର ତଦନ୍ତ କରୁଛି । ଏକ୍ସପର୍ଟ ପ୍ୟାନେଲ ଏହା ମଧ୍ୟ କହିଛି ଯେ ଏପରି ଲାଗୁଛି ଯେ ମାର୍କେଟ ରେଗୁଲେଟର ସେବି ପକ୍ଷରୁ ନିୟମରେ କୌଣସି ବିଚ୍ୟୁତି ହୋଇନାହିଁ । ଏକ୍ସପର୍ଟ ପ୍ୟାନେଲ ସୁପ୍ରିମକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ କହିଛି ଆଦାନୀ ଗ୍ରୁପ ପକ୍ଷରୁ ସେୟାରର ମୂଲ୍ୟରେ କୌଣସି ଗଡ଼ବଡ଼ କରାଯାଇ ନାହିଁ ଏବଂ ଗ୍ରୁପ ରିଟେଲ ଇନଭେଷ୍ଟର୍ସଙ୍କ ହିତର ରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଉଠାଇଛି ।

ପ୍ୟାନେଲର କହିବା ଅନୁଯାୟୀ ସେବି ଦ୍ୱାରା ଉପଲବ୍ଧ କରାଯାଇଥିବା ତଥ୍ୟ ସଙ୍କେତ ଦେଇଛି ଯେ ଆଦାନୀର କମ୍ପାନୀଗୁଡ଼ିକର ସେୟାରର ମୂଲ୍ୟରେ କିଛି ବି ଖାସ୍ ପାଟର୍ଣ୍ଣ ନାହିଁ । ବଜାର ହିସାବରେ ଏଥିରେ ବୃଦ୍ଧି ଓ ହ୍ରାସ ଦେଖାଯାଇଥିବା ସମ୍ଭାବନା । ପ୍ରକାଶ ଥାଉକି ହିଣ୍ଡେନବର୍ଗ ନିଜ ରିପୋର୍ଟରେ ଅଭିଯୋଗ କରିଥିଲେ ଯେ ଆଦାନୀ ଗ୍ରୁପ ସେୟାର ସହ ହେରଫେର କରିଛି ଏବଂ ପ୍ରାଇସକୁ ଓଭର ଭାଲ୍ୟୁ କରିଛି । ପ୍ୟାନେଲ ମୁତାବକ ସେବି ୧୩ ଭିନ୍ନ ଭିନ୍ନ ପ୍ରକାରର ଟ୍ରାଞ୍ଜାକ୍ସନର ଚିହ୍ନଟ କରିଛି ଏବଂ ଏହା ଉପରେ ସକ୍ରିୟ ରୂପରେ ଡାଟା ଏକଜୁଟ କରି ଏହାର ସମୀକ୍ଷା କରୁଛି ।

ମାଟ୍ରିକରେ ୯୦ ପ୍ରତିଶତ ମାର୍କ ଆସିଛି, ହେଲେ ଏ ସଫଳତା ଦେଖିବାକୁ ଜୀବିତ ନାହିଁ ଝିଅ

ଅନୁଗୁଳ: ଝିଅ ମାଟ୍ରିକରେ ୯୦ ପ୍ରତିଶତ ମାର୍କ ରଖିଛି । ଘର ଆଜି ହସଖୁସିରେ ଚହଲୁଥାଆନ୍ତା । ପିଠାପଣା ମିଠାରେ ସଭିଏ ଭାସୁଥାଆନ୍ତେ । ହେଲେ ସବୁଆଡ଼ ଖାଁ ଖାଁ ଆଉ କାନ୍ଦବୋବାଳି । କାରଣ ଛାଇଆଲୁଅର ଜୀବନରେ ସଫଳତା ଦେଖିବା ଆଗରୁ ବିଦାୟ ନେଇଯାଇଛି କଅଁଳ ବୟସ । ମାଟ୍ରିକ ରେଜଲ୍ଟ ଆସିବାର ୨ମାସ ଆଗରୁ ଆରପାରିକୁ ଚାଲିଯାଇଛି ଢେଙ୍କାନାଳର ମେଧାବୀ ଛାତ୍ରୀ ସ୍ବାତୀ ସୁଚରିତା ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଣିଭଣ୍ଡାର ଗାଁରେ ମୃତ ସ୍ବାତୀଙ୍କ ଘର । ବାପା ଅଭିରାମ ଜେନା ଅନୁଗୁଳରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେଠାରେ ସ୍ବାତୀ ଅନୁଗୁଳ ଗାନ୍ଧୀମାର୍ଗ ସରସ୍ବତୀ ବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଚଳିତବର୍ଷ ସେ ମାଟ୍ରିକ ପରୀକ୍ଷା ଦେଇଥିଲେ । ଭଲ ରେଜଲ୍ଟ ପାଇଁ ମଧ୍ୟ ଆଶା ରଖିଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା ।

ଗତ ମାର୍ଚ୍ଚ ୨୦ ତାରିଖରେ ବାପାଙ୍କ ସାଙ୍ଗରେ ଝିଅ ମାମୁ ଘର ଢେଙ୍କାନାଳ ଜିଲା ଭୁବନ ଧଳପଡ଼ା ଯିବା ରାସ୍ତାରେ ଯମୁନାକୋଟ ନିକଟରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ରେଜଲ୍ଟ ବାହାରିଥିବାବେଳେ ସ୍ବାତୀ ୯୦ ପ୍ରତିଶତ ମାର୍କ ରଖି ପାସ୍ କରିଛନ୍ତି । ହେଲେ ସବୁ ଖୁସି କେବେଠୁ ପାଣିରେ ମିଳେଇ ସାରିଛି । ଫଳ ପ୍ରକାଶ ପରେ ସ୍ବାତୀଙ୍କୁ ସଭିଏଁ ଝୁରୁଛନ୍ତି ।

ଦୁଇଦିନିଆ କଳାହାଣ୍ଡି ଗସ୍ତରେ 5T ସଚିବ ; ଗ୍ରାଉଣ୍ଡରେ ବିକାଶର ଅନୁଧ୍ୟାନ ସହ ଲୋକଙ୍କ ସମସ୍ୟା ପଚାରି ବୁଝୁଛନ୍ତି

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବିକାଶକୁ ରାଜ୍ୟ ସରକାରଙ୍କ ଫୋକସ୍‌ । ଜିଲ୍ଲାର ସାମଗ୍ରିକ ବିକାଶର ଅନୁଧ୍ୟାନ ପାଇଁ ଆଜିଠୁ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ଗ୍ରାଉଣ୍ଡରେ ବିକାଶର ଅନୁଧ୍ୟାନ କରିବା ସହ ଲୋକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରୁଛନ୍ତି । ବେଲଖଣ୍ଡି ଶିବ ମନ୍ଦିର ଯାଇ ଦର୍ଶନ କରିବା ପରେ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ପୂଜକ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ପରେ ଆମ ହସପିଟାଲରେ ଅଧୀନରେ ରୂପାନ୍ତରିତ ହେଉଥିବା ଏମ. ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଅନୁଧ୍ୟାନ କରିଛନ୍ତି । ଏହାପରେ ସାନ୍ଦୁଲ ଜଳସେଚନ ପ୍ରକଳ୍ପ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ । ଏହାପରେ ନର୍ଲା ମିନି ଷ୍ଟାଡିୟମ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟା ଶୁଣିଛନ୍ତି ଫାଇଭ-ଟି ସଚିବ । ଲୋକଙ୍କ ସମସ୍ୟା ନେଇ ଆବେଦନ ପତ୍ର ଗ୍ରହଣ କରିବା ସହ ଖୁବଶୀଘ୍ର ଖୁସି ଖବର ପାଇବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଏହାପରେ ମିଶନଶକ୍ତି କ୍ୟାଫେ ଗସ୍ତ କରି ସେଠାରେ ମଧ୍ୟାହ୍ନ ଭୋଜନ କରିଛନ୍ତି । ଭବାନୀପାଟଣା ପୋଲିସ ହାଇସ୍କୁଲଠାରେ ସମସ୍ୟା ସମ୍ପର୍କରେ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି ଫାଇଭ-ଟି ସଚିବ । ସେଠାରୁ ଆଶା ସାଗର ଯାଇ ଅନୁଧ୍ୟାନ କରିବା ପରେ ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଓ ମାଆ ଲଙ୍କେଶ୍ବରୀ ମନ୍ଦିର ଯାଇ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ଲଙ୍କେଶ୍ବରୀ ମନ୍ଦିରର ଉନ୍ନତିକରଣ ପାଇଁ ଅଢେଇ କୋଟି ଟଙ୍କା ଖର୍ଚ୍ଚହେବ ବୋଲି ଲୋକଙ୍କୁ କହିଛନ୍ତି । ଏହାପରେ ଭବାନୀପାଟଣା ସରକାରୀ ମେଡିକାଲ କଲେଜ ଓ ଟିଚିଂ ହସପିଟାଲ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।

ମେଡିକାଲ କଲେଜ ଅଡିଟୋରିୟମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ପରେ ଓୟୁଏଟି କଲେଜ ଅଡିଟୋରିୟମରେ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ପରେ ଭବାନୀପାଟଣା ଟାଉନହଲରେ ଏସଏଚଜିଙ୍କ ସହ ଆଲୋଚନା କରିବେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ସ୍ପୋର୍ଟ୍ସ ହଷ୍ଟେଲରେ ପିଲାଙ୍କ ସହିତ ଆଲୋଚନା କରିବା ସହ କିଛି ସମୟ ବିତାଇବେ । ଭଟ୍ଟାଙ୍ଗପଦର ଇକୋ ଟୁରିଜମ କପ୍ଲେକ୍ସରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ରାତ୍ର ରହଣି କାର୍ଯ୍ୟକ୍ରମ ରହିଛି ।

ବେନାମୀ ସିମ କାରବାର ଉପରେ ଲାଗିବ ରୋକ, ଡକୁମେଣ୍ଟରେ ସନ୍ଦିଗ୍ଧ ସୂଚନା ମିଳିଲେ ପୋଲିସକୁ ଜଣାଇବ ଟେଲିକମ୍ ବିଭାଗ

ଭୁବନେଶ୍ୱର: ବେନାମୀ ସିମ କାରବାର ଉପରେ ଲାଗିବ ରୋକ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋ । ଟେଲିକମ ସର୍ଭିସ ପ୍ରଭାଇଡରଙ୍କ ସହ କ୍ରାଇମବ୍ରାଞ୍ଚର ବୈଠକ ବସିଛି । ଜାତୀୟ ସୁରକ୍ଷା ପ୍ରତି ବିପଦ ପାଲଟିଛି ବେନାମୀ ସିମ । ବେନାମୀ ସିମକୁ ବ୍ୟବହାର କରି ଘଟୁଛି ଅପରାଧ । ଡକୁମେଣ୍ଟରେ ସନ୍ଦିଗ୍ଧ ସୂଚନା ମିଳିଲେ ପୋଲିସକୁ ଜଣାଇବ ଟେଲିକମ ଡିପାର୍ଟମେଣ୍ଟ । ଅପବ୍ୟବହାର ହେଉଥିବା ସିମ ଉପରେ ନଜର ରଖିବା ପାଇଁ ଏଡିଜିଙ୍କ ନିର୍ଦ୍ଦେଶ ।

ଆଧାର ସଂଯୋଗ ହୋଇଥିବା ନମ୍ବରକୁ ଭେରୀଫିକେସନ ପାଇଁ ପଠାଯିବ । ସ୍ଥାୟୀ ଓ ସ୍ୱୀକୃତିପ୍ରାପ୍ତ ଦୋକାନୀ କେବଳ ସିମ ବିକିପାରିବେ । ଜାଲ ସିମ ରୋକିବା ପାଇଁ ଟେଲିକମ କମ୍ପାନୀ ଜାରି କରିବେ ନୂଆ ସଫ୍ଟୱେର । ଯେଉଁଥିରେ ଜାଲ ସିମ ସମ୍ପର୍କରେ ସୂଚନା ଦେଲେ ସିମ ଡିଆକ୍ଟିଭେଟ ହେବ । Sop ମାନୁନଥିବା ଡିଲରଙ୍କୁ ବ୍ଲାକଲିଷ୍ଟେଡ଼ କରାଯିବ । ନକଲି ସିମ କାରବାର ରୋକିବାକୁ ଏଭଳି ନିର୍ଦ୍ଦେଶ ଦେଲା କ୍ରାଇମବ୍ରାଞ୍ଚ । କିଛିଦିନ ତଳେ STF ପକ୍ଷରୁ ଏଭଳି ଏକ ସାମ୍ନାକୁ ଆସିଥିଲା । ନକଲି ସିମ ଜରିଆରେ ପାକିସ୍ତାନକୁ ଗୁଇନ୍ଦା ତଥ୍ୟ ଦେଉଥିଲା ଅଭିଯୁକ୍ତ । OTP ସେୟାର କରି ISI ଏଜେଣ୍ଟଙ୍କ ସହ ରଖିଥିଲେ ଲିଙ୍କ ରଖିଥିଲେ ଅଭିଯୁକ୍ତ ।

ଜ୍ଞାନବ୍ୟାପୀରେ ମିଳିଥିବା କଥିତ ଶିବଲିଙ୍ଗର କାର୍ବନ ଡେଟିଂ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବାରଣାସୀର ଜ୍ଞାନବ୍ୟାପୀ ମସଜିଦ ପରିସରରୁ ମିଳିଥିବା କଥିତ ଶିବଲିଙ୍ଗର ସାଇଣ୍ଟିଫିକ୍ ସର୍ଭେ ଏବଂ କାର୍ବନ ଡେଟିଂ ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇ ସୁପ୍ରିମକୋର୍ଟ କହିଛନ୍ତି, ଏହି ମାମଲାରେ ସତର୍କତାର ସହ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ହାଇକୋର୍ଟଙ୍କ ଆଦେଶକୁ ଅତି ସାବଧାନତାର ସହ ଯାଞ୍ଚ କରିବାକୁ ହେବ । ଏହା ପରେ ଯାଇ କିଛି ନିଷ୍କର୍ଷରେ ପହଞ୍ଚିବା ।

ହାଇକୋର୍ଟଙ୍କ ରାଏ ବିରୋଧରେ ମୁସଲିମ ପକ୍ଷ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ । ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ୍ ନରସିହା ଏବଂ ଜେବି ପାରିଦୱାଲାଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ । ଗତ ୧୨ ତାରିଖରେ କଥିତ ଶିବଲିଙ୍ଗର କାର୍ବନ ଡେଟିଂ ଏବଂ ସାଇଣ୍ଟିଫିକ୍ ସର୍ଭେ କରିବା ନେଇ ଆଦେଶ ଦେଇଥିଲେ ହାଇକୋର୍ଟ । ଏହି ସର୍ଭେ ଦ୍ୱାରା ଏହା କେତେ ବର୍ଷର ଶିବଲିଙ୍ଗ ସେନେଇ ଜଣାପଡ଼ିଥାନ୍ତା । ମସଜିଦ୍ ପୂର୍ବରୁ ଏଠି ଶିବମନ୍ଦିର ଥିବା କଥା ଦାବି କରି ଆସୁଛନ୍ତି ହିନ୍ଦୁ ପକ୍ଷ ।

’ଓଡ଼ିଶାରେ ୨୦୨୪ରେ ପୁଣି ନବୀନ ପଟ୍ଟନାୟକ ସରକାର କରିବେ’

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଭାରତ ରତ୍ନ ପାଇଁ ହକଦାର । ତାଙ୍କୁ ଭାରତ ରତ୍ନ ନ ମିଳିବା ଦୁର୍ଭାଗ୍ୟଜନକ  । ୨୦୧୮ରେ ମୁଁ ଦାବି କରିଥିଲି ।  ପ୍ରଣବ ମୁଖାର୍ଜୀଙ୍କ ପୂର୍ବରୁ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବା ପାଇଁ ୨୦୧୮ରେ ମୁଁ ଦାବି କରିଥିଲା । କିନ୍ତୁ ତାହା ଏପର୍ଯ୍ୟନ୍ତ ହୋଇପାରିଲାନି । ପ୍ରତିରକ୍ଷା ବିଭାଗର ସଂସଦୀୟ କମିଟିର ଓଡ଼ିଶା ଗସ୍ତ ଅବସରରେ ଆସି ଏହା କହିଛନ୍ତି ବହୁଜନ ସମାଜ ପାର୍ଟି ସାଂସଦ କନୱର ଡ୍ୟାନିଶ ଅଲ୍ଲୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଧାରାକୁ ବେଶ୍ ପ୍ରଶଂସା କରିବା ସହିତ ଓଡ଼ିଶାର ବିକାଶ ଦେଶର ରୋଲ୍ ମଡେଲ ହେଉ ବୋଲି ମଧ୍ୟ ସେ ଆଶା କରିଛନ୍ତି । ଓଡ଼ିଶାର ବିକାଶ ଦେଖି ଖୁସି ଲାଗୁଛି । ଓଡ଼ିଶାରେ ସରକାରୀ ବିରୋଧୀ ହାୱା ନାହିଁ । ୨୦୨୪ରେ ପୁଣି ନବୀନ ସରକାର କରିବେ ବୋଲି ଅଲ୍ଲୀ କହିଛନ୍ତି ।

ରାଜନୀତିରେ ନବୀନଙ୍କୁ ସେ ଜଣେ ସକାରାତ୍ମକ ନେତା ବୋଲି କହିବା ସହ ନବୀନ ବାବୁ ଜାତୀୟ ରାଜନୀତିର ନେତୃତ୍ବ ନିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ଓଡ଼ିଶାରେ ଯେଉଁ ଭଳି ଧର୍ମନିରପେକ୍ଷତା ବଜାୟ ରହୁଛି ତାହା ଉଦାହରଣୀୟ । ଦେଶରେ ଧର୍ମନିରପେକ୍ଷତା ବଞ୍ଚିବା ଦରକାର । ୨୦୨୪ରେ ବିଜେପି ସଫା ହୋଇଯିବ । ଓଡ଼ିଶାରେ ବିଜେପିର କୌଣସି ଚାଲ ଚଳିବ ନାହିଁ । ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ନବୀନଙ୍କ ବଡ଼ପଣ । ସେ କାହାକୁ ଖରାପ କୁହନ୍ତି ନାହିଁ ବୋଲି କହିଛନ୍ତି କନୱର ଡ୍ୟାନିଶ ଅଲ୍ଲୀ ।