ଜଳ ପରିଚାଳନାରେ ସଫଳତା, ଦେଶରେ ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା ଲାଭ କଲା ଗଞ୍ଜାମ

ଭୁବନେଶ୍ବର: ଜଳ ପରିଚାଳନାରେ ସଫଳତା । ସର୍ବଭାରତୀୟ କ୍ଷେତ୍ରରେ ଝଟକିଲା ପୁଣି ଓଡ଼ିଶା । ଓଡ଼ିଶା ହାସଲ କରିଛି ଦ୍ବିତୀୟ ସ୍ଥାନ । ଜଳଶକ୍ତି ମନ୍ତ୍ରାଳୟ ଅଧୀନସ୍ଥ କେନ୍ଦ୍ର ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ବିଭାଗ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି । ଚତୁର୍ଥ ଜାତୀୟ ଜଳ ପୁରସ୍କାର କ୍ଷେତ୍ରରେ ପ୍ରଥମ ସ୍ଥାନରେ ମଧ୍ୟପ୍ରଦେଶ ରହିଥିବାବେଳେ ତୃତୀୟ ସ୍ଥାନରେ ଯୁଗ୍ମ ଭାବେ ରହିଛନ୍ତି ଆନ୍ଧ୍ରପ୍ରଦେଶ ଓ ବିହାର ।

ସେହିପରି ଦେଶରେ ସର୍ବଶ୍ରେଷ୍ଠ ଜିଲ୍ଲାର ମାନ୍ୟତା ଲାଭ କରିଛି ଗଞ୍ଜାମ । ଦ୍ବିତୀୟ ସ୍ଥାନରେ ତାମିଲନାଡୁର ନମକ୍କାଲ ଓ ତୃତୀୟ ସ୍ଥାନରେ ତେଲଙ୍ଗାନାର ଆଦିଲାବାଦ ରହିଛି । ଆସନ୍ତା ୧୭ ତାରିଖରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ପ୍ଲେନାରୀ ହଲରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରିବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ।

କେନ୍ଦ୍ର ପକ୍ଷରୁ ଜାରି ରହିଥିବା ଜଳ ସମୃଦ୍ଧି ଭାରତ ଆହ୍ବାନ ପରିପ୍ରେକ୍ଷୀରେ ଉତ୍ତମ କାର୍ଯ୍ୟାନ୍ବୟନ ଓ ପ୍ରଚେଷ୍ଟାକୁ ଦୃଷ୍ଟିରେ ରଖି ଏହି ପୁରସ୍କାର ଘୋଷଣା କରାଯାଇଛି । ଜଳ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ଜଳ ସମ୍ପଦର ସୁରକ୍ଷା ଆଦି ପ୍ରସଙ୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଉଛି ।