spot_img
Home Blog Page 3251

ସମାଜସେବାରେ ଯୁକ୍ତ ଦୁଇ ଛାତ୍ର, ସରକାରୀ ମେଡିକାଲରେ ଦାନ କରୁଛନ୍ତି କେଶ

ଭଦ୍ରକ: ଅସହାୟଙ୍କ ସାଥୀ ସୁଦାମ । ଭୁବନେଶ୍ବରରୁ ଭଦ୍ରକ ଏବେ ତାଙ୍କ ସମାଜସେବାର ଚର୍ଚ୍ଚା । ରାଜଧାନୀ କଲେଜରେ ଯୁକ୍ତ ୨ରେ ପଢ଼ନ୍ତି ଭଦ୍ରକ ଚାନ୍ଦବାଲି ସୁନ୍ଦରପୁରର ସୁଦାମ ସାହୁ । ଏତେ କମ୍ ବୟସରୁ ଲୋକଙ୍କୁ ସହାୟତା କରିବାରେ ଖୁସିକୁ ସେ ଅନୁଭବ କରିଛନ୍ତି । ପାଠପଢ଼ା ସହ ସମାଜସେବାରେ ନିଜକୁ ଲିପ୍ତ ରଖିବାକୁ ପସନ୍ଦ କରୁଛନ୍ତି ।

ପ୍ରତି ରବିବାର ଏମ୍ସରେ ଅସହାୟ ରୋଗୀ ଓ ସମ୍ପର୍କୀୟଙ୍କୁ ମଧ୍ୟାହ୍ନ ଭୋଜନ ବାଣ୍ଟିବା ସହ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଯେଉଁଠି ଥିଲେ ବି ଧାଇଁ ଆସନ୍ତି ସହାୟତା କରିବାକୁ । କେବଳ ସେତିକି ନୁବେଁ ମୃତଦେହର ସତ୍କାର ବି କରନ୍ତି ସୁଦାମ । ଗତ କିଛି ମାସ ହେବ କ୍ୟାନ୍ସର ରୋଗୀଙ୍କୁ କେଶ ଦାନ କରିବାକୁ ନିଜ ମୁଣ୍ଡରେ କେଶ ରଖିଛନ୍ତି ସେ । ଏକ ସରକାରୀ ମେଡିକାଲରେ ସେ କେଶ ଦାନ କରିବେ ବୋଲି କହିଛନ୍ତି ସୁଦାମ। ଛାତ୍ର ଜୀବନରେ ସୁଦାମଙ୍କର ଏପରି ସାମାଜିକ କାର୍ଯ୍ୟ ପାଇଁ ଗାଁ ଠୁ ରାଜଧାନୀ ସବୁ ତାଙ୍କୁ ଛୁଟିଛି ପ୍ରଶଂସା ।

ରୁଟି ତାୱାରେ ଭାଇକୁ ମାରିଦେଲା ଭାଇ, ଥାନାରେ କଲା ପାଲଟା ଅଭିଯୋଗ

ବରଗଡ: ଭାଇ ସାଜିଲା ବଇରୀ । ପାରିବାରିକ କଳହକୁ ନେଇ ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ । ବରଗଡ ଜିଲ୍ଲା ପାଇକମାଲ ଥାନା ଡୁଙ୍ଗୁରିପାଲିରେ ଗତକାଲି ରାତିରେ ଦୁଇ ଭାଇ ମନୋଜ ଓ ଉପେଦ୍ର ସୁନାଙ୍କ ଭିତରେ ଝଗଡା ହୋଇଥିଲା । କଳହ ଏତେ ତୀବ୍ରତର ହୋଇଥିଲା ଯେ, ବଡ଼ ଭାଇ ଉପେନ୍ଦ୍ର ସାନ ଭାଇ ମନୋଜ ସୁନାକୁ ଏକ ରୁଟି ତିଆରି ତାୱାରେ ପିଟିଦେଇଥିଲା ।

ପରେ ଭାଇକୁ ରକ୍ତାକ୍ତ ଅବସ୍ଥାରେ ଦେଖି ପାଇକମାଳ ଥାନାରେ ଆତ୍ମସମର୍ପଣ କରିଥିଲା ହତ୍ୟାକାରୀ ଭାଇ । ଥାନାରେ ଓଲଟା ସାନ ଭାଇ ନାଁରେ ଅଭିଯୋଗ କରିଥିଲା । ଖବର ପାଇ ପାଇକମାଲ ଥାନା ପୋଲିସ ପହଞ୍ଚି ମନୋଜଙ୍କ ମୃତଦେହ ଉଦ୍ଧାର କରିଛି । ଘଟଣାର ତଦନ୍ତ ଜାରି ରହିଛି ।

ଦେଶରେ ମାଡି ଚାଲିଛି କୋରୋନା, ରାଜ୍ୟ ସହ କଥା ହେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡ଼ିଚାଲିଛି କରୋନା । ସ୍ଥିତିକୁ ନେଇ ଆଜି ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ସଂକ୍ରମଣର ସ୍ଥିତି ସମ୍ପର୍କରେ ଅବଗତ ହେବେ । ଦୀର୍ଘଦିନର ବ୍ୟବଧାନ ପରେ ଦେଶରେ ଉପରମୁହାଁ ହୋଇଛି କରୋନା ଗ୍ରାଫ ।

ଦୁଇ ଦିନ ମଧ୍ୟରେ କରୋନାର ନୂଆ ମାମଲାରେ ପାଖାପାଖି ୮୦ ପ୍ରତିଶତ ବୃଦ୍ଧି ଘଟିଛି । ଗତକାଲି ଦୈନିକ ସଂକ୍ରମଣ ୫ହଜାର ପାର ହେବା ପରେ ଆଲର୍ଟରେ ରହିଛନ୍ତି ସରକାର । ଦେଶରେ ଏବେ କରୋନା ଆକ୍ଟିଭ ମାମଲା ୨୫ ହଜାର ଉପରେ ରହିଛି । ଓଡ଼ିଶାରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି । ୩ ଅଙ୍କ ମୁହାଁ ହୋଇଛି ଦୈନିକ କରୋନା ସଂକ୍ରମଣ । ସ୍ଥିତିକୁ ଦୃଷ୍ଟିରେ ରଖି ଟେଷ୍ଟିଂ ସହିତ ସର୍ଭେଲାନ୍ସକୁ ବଢାଇଛି ସ୍ବାସ୍ଥ୍ୟ ବିଭାଗ ।

ସଂକ୍ରମଣ ବଢୁଥିଲେ ମଧ୍ୟ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁନାହିଁ । ଆସନ୍ତା ୧୦ ଓ ୧୧ ତାରିଖରେ କୋଭିଡ୍ ମକଡ୍ରିଲ କରାଯିବ । ଜନସାଧାରଣ ଭୟଭୀତ ନହୋଇ ସର୍ତକ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ପୁରୀ ବେଳାଭୁମିରେ ଗୁଡ ଫ୍ରାଇଡେ ଶୁଭେଚ୍ଛା ଦେଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଗୁଡ଼ ଫ୍ରାଇଡେ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳାକୃତି ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁନ୍ଦର୍ଶନ ପଟ୍ଟନାୟକ । ଏହା ସହିତ ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ମଧ୍ୟ ସେ କଳାକୃତି ନିର୍ମାଣ କରିଛନ୍ତି । ୬ ଟନ ବାଲିରେ ନିର୍ମିତ କଳାକୃତିରେ ଶାନ୍ତି, ମୈତ୍ରୀର ବାର୍ତ୍ତା ଦିଆଯାଇଛି । ଆକର୍ଷଣୀୟ କଳାକୃତିକୁ ଦେଖିବାକୁ ବେଳାଭୂମିରେ ଲୋକଙ୍କ ଭିଡ଼ ଜମୁଛି ।

ଆଜି ଗୁଡ ଫ୍ରାଇଡେ’ ପାଳୁଛନ୍ତି ଖ୍ରୀଷ୍ଟଧର୍ମୀ, ଅପରାହ୍ନରେ ଶାନ୍ତି ପଦଯାତ୍ରା

କଟକ: ଆଜି ଗୁଡ୍ ଫ୍ରାଇଡେ । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଦିନ । ଆଜିର ଦିନରେ ପ୍ରଭୁ ଯୀଶୁଙ୍କୁ କ୍ରୁସ ବିଦ୍ଧ କରି ହତ୍ୟା କରାଯାଇଥିଲା ।
। ଆଜି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଯୀଶୁଙ୍କ ଶରଣାପନ୍ନ ହୋଇ ନିଜ ଦୋଷ ସ୍ବୀକାର କରିଥାନ୍ତି । ଯାହାକୁ କନ୍ଫେସନ୍ କୁହାଯାଏ । ବିଭିନ୍ନ ଭାଷାରେ ଅର୍ଥାତ୍ ଓଡିଆ, ମାଲାଲୟମ୍, ଇଂରାଜୀ ଓ ହିନ୍ଦୀ ଭାଷାରେ ଭିନ୍ନଭିନ୍ନ ସମୟରେ କନ୍ଫେସନ୍ କରିଥାନ୍ତି ।

ଏଥିପାଇଁ ଉଭୟ ବାପ୍ଟିଷ୍ଟ ଓ କ୍ୟାଥେଲିକ୍ ଚର୍ଚ୍ଚରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାମୂହିକ ପ୍ରାର୍ଥନା କରିବାକୁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଅପରାହ୍ନରେ ଶାନ୍ତି ପଦଯାତ୍ରା କରି ସହର ପରିକ୍ରମା କରାଯିବ ।

୯ ଯାଏଁ କାଳବୈଶାଖୀ ତାଣ୍ଡବ, ଦକ୍ଷିଣ ଓଡିଶାକୁ ୟେଲୋ ଆଲର୍ଟ

ଭୁବନେଶ୍ବର: ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ । ଦିନରେ ପ୍ରବଳ ଖରା ଆଉ ଅପରାହ୍ନରେ ପ୍ରବଳ ବର୍ଷା । ଟ୍ରପ ଲାଇନ ପ୍ରଭାବରେ ସାରା ରାଜ୍ୟକୁ କଲବଲ କରୁଛି କାଳବୈଶାଖୀ ବର୍ଷା । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏପରି ପାଗ ଜାରି ରହିବାକୁ ଥିବାବେଳେ ଆଜି ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିବ। ଏଥିପାଇଁ ଗଜପତି, ଗଞ୍ଜାମ, ରାୟଗଡ଼ା ଓ କନ୍ଧମାଳରେ ବର୍ଷା ସାଙ୍ଗକୁ ଝଡ ପବନ ଓ ଘଡଘଡି ବିଜୁଳି ନେଇ ୟଲୋ ଆଲର୍ଟ ଜାରି ହୋଇଛି ।

ବର୍ଷା ସମୟରେ ୪୦ ରୁ ୫୦ କିମି ବେଗରେ ବହିବ ପବନ । ଆସନ୍ତାକାଲି ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବ । ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ ବର୍ଷା ପାଇଁ ସହାୟକ ହେଉଛି । ୧୦ ତାରିଖ ପରେ ପରେ ସାମୁଦ୍ରିକ ପବନ ରାଜ୍ୟକୁ ପ୍ରବେଶ କରିବ ନାହିଁ । ଫଳରେ ତାପମାତ୍ରା ବୃଦ୍ଧି ପାଇବ ଏବଂ ବର୍ଷା କମିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।

ଋଷ-ୟୁକ୍ରେନ ଯୁଦ୍ଧର ଅନ୍ତ ଲାଗି ଚୀନକୁ ମଧ୍ୟସ୍ଥତା କରିବାକୁ ଫ୍ରାନ୍ସର ନିବେଦନ

ବେଜିଂ: ଋଷ-ୟୁକ୍ରେନ ଯୁଦ୍ଧରେ ଅନ୍ତ ଲାଗି ହାତ ବଢ଼ାଇଲେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ଏନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଅନୁରୋଧ କରିଛନ୍ତି ମାକ୍ରନ । ବେଜିଂ ଗସ୍ତରେ ଥିବା ମାକ୍ରନ କହିଛନ୍ତି- ଯଦି ଋଷ-ୟୁକ୍ରେନ ଯୁଦ୍ଧରେ ପରିସମାପ୍ତି ଲାଗି ଜିନପିଙ୍ଗ ଉଦ୍ୟମ କରିବେ ତେବେ ସେ ଏଥିରେ ସହାୟତା କରିବେ । ତେଣେ ବିଶ୍ବଶାନ୍ତି ପ୍ରତି ଦୁଇରାଷ୍ଟ୍ରର ସକ୍ଷମତା ଓ ଦାୟିତ୍ବବୋଧ ରହିଛି ବୋଲି କହିଛନ୍ତି ଜିନପିଙ୍ଗ ।

ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ଲାଗି ଚୀନ ପ୍ରସ୍ତୁତ କରିଥିବା ଏକ ୧୨ ସୂତ୍ରୀ ପ୍ରସ୍ତାବ ସମ୍ପର୍କରେ ବି ହୋଇଛି ଆଲୋଚନା । ଦୁଇ ନେତାଙ୍କ ମଧ୍ୟରେ ଏକ ରୁଦ୍ଧଦ୍ବାର ବୈଠକ ବି ଅନୁଷ୍ଠିତ ହୋଇଛି । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବର୍ତ୍ତମାନ ସୁଦ୍ଧା ନିନ୍ଦା କରି ନଥିବା ମାକ୍ରନଙ୍କ ବେଜିଂ ଗସ୍ତ କାଳରେ ଯୁଦ୍ଧର ଅବସାନ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ବେଜିଂ ଗସ୍ତ କାଳରେ ମାକ୍ରନ ଯୁଦ୍ଧ ସମେତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ନେଇ ଆଲୋଚନା କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ପାଶ୍ଚାତ୍ୟ ରାଷ୍ଟ୍ର ସହ ଚୀନର ସମ୍ପର୍କ ତିକ୍ତ ହୋଇଥିବାବେଳେ ମାକ୍ରନଙ୍କ ଏହି ଗସ୍ତକୁ ନେଇ ଆମେରିକା ସତର୍କ ଦୃଷ୍ଟି ରଖିଛି । ତେଣେ ବେଜିଂରେ ମାକ୍ରନଙ୍କୁ ଭରପୂର ସାମରିକ ସମ୍ବର୍ଦ୍ଧନା ବି ଦିଆଯାଇଛି ।

ଜଳିଗଲା ତିନି ମହଲା କୋଠା, ଶୋଇଥିବାବେଳେ ଜଳିଗଲେ ୪ ଶିଶୁ

ଡେରାଡୁନ: ଉତ୍ତରାଖଣ୍ଡ ଡେରାଡୁନରେ ବଡ଼ ଧରଣର ଅଘଟଣ । ଅଗ୍ନିକାଣ୍ଡରେ ୪ ଶିଶୁ ଜୀବନ୍ତ ଦଗ୍ଧ । ଡେରାଡୁନ ଅନ୍ତର୍ଗତ ତିଉନି ଅଞ୍ଚଳରେ ଥିବା ଏକ ତିନି ମହଲାରେ ଅଗ୍ନିକାଣ୍ଡ ଘଟିଛି । ଆଜି ଭୋରରେ କୋଠାରେ କୌଣସି କାରଣରୁ ନିଆଁ ଲାଗିଥିଲା ।

ଅଘଟଣରେ ପ୍ରାଣ ହରାଇଥିବା ସମସ୍ତ ଶିଶୁଙ୍କ ବୟସ ୩ରୁ ୧୦ ବର୍ଷ ମଧ୍ୟରେ ହେବ । ନିଆଁ ଲାଗିବାବେଳେ ଶିଶୁମାନେ ଶୋଇଥିବାରୁ ସେମାନେ ବାହାରକୁ ବାହାରି ପାରି ନଥିଲେ । ଘରର ମାଲିକ ସୁରତରାମ ଯୋଶୀ ନାମକ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ୨ଟି ଦମକଳବାହିନୀ ଟିମ୍ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ କରିଛନ୍ତି ।

ତେବେ ଦମକଳ ଗାଡିରେ ପାଣି ନଥିବାରୁ ଘଟଣାସ୍ଥଳରେ ଗାଡି ପହଞ୍ଚିବା ଯଥେଷ୍ଟ ବିଳମ୍ବ ହୋଇଥିଲା । ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏଲପିଜି ସିଲିଣ୍ଡରରୁ ନିଆଁ ବାହାରିଥିବା କୁହାଯାଇଛି ।

ଟ୍ରାକ୍ ପାର ବେଳେ ଟ୍ରେନ ଧକ୍କାରେ ହାତୀ ମୃତ

ଅନୁଗୁଳ: ଟ୍ରେନ ଧକ୍କାରେ ହାତୀ ମୃତ । ଅନୁଗୁଳ- ସମ୍ବଲପୁର ରେଳ ଲାଇନ ଜରପଡା ଗାଁ ନିକଟରେ ଟ୍ରେନ ଧକ୍କାରେ ଏକ ଦନ୍ତାର ମୃତ୍ୟୁ ହୋଇଛି । ରେଳ ଲାଇନ ପାର ହେବା ସମୟରେ ହାତୀଟିକୁ ଧକ୍କା ଦେଇଥିଲା ଶାଲିମାର ଏକ୍ସପ୍ରେସ । ଦୁର୍ଘଟଣା ପରେ ୧୦୦ମିଟର ଦୂରରେ ଛିଟକି ପଡ଼ିଥିଲା ହାତୀ ।

ବିଭିନ୍ନ ସ୍ଥାନରେ ହାତୀ ଶରୀରର ଖଣ୍ଡ ବିଖଣ୍ଡିତ ଅଂଶ ପଡିରହିଛି । ସ୍ଥାନୀୟ ଲୋକ ରକ୍ତାକ୍ତ ହାତୀକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଓ ରେଳ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ମୋବାଇଲ୍‌ ଆପ୍‌ ମାଧ୍ୟମରେ କୋଟିଏରୁ ଅଧିକ ଟଙ୍କା ଠକେ

ବାଲେଶ୍ୱର: ମୋବାଇଲ୍‌ ଆପ୍‌ ମାଧ୍ୟମରେ କୋଟିଏରୁ ଅଧିକ ଟଙ୍କା ଠକେଇ । ବାଲେଶ୍ବର ଅଙ୍ଗାରଗଡ଼ିଆରୁ ଅଭିଯୁକ୍ତ ନିଲେଶ କୁମାର କରକୁ ଗିରଫକରି କୋର୍ଟ ଚାଲାଣ କରିଛି କ୍ରାଇମ୍‌ବ୍ରାଞ୍ଚ । ନିଲେଶର ଘର ଉପରେ ଚଡ଼ାଉ କରି ଏକାଧିକ ମୋବାଇଲ ସହିତ କାଗଜପତ୍ର ଜବତ କରିଛି ଟିମ୍ । ପଚରା ଉଚରା ପରେ ତାକୁ ସ୍ବତନ୍ତ୍ର ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା ।

ମୋବାଇଲ ଆପ୍‌ ଡ଼ାଉନ୍‌ଲୋଡ କରି ସେହି ଆପ୍‌ ମାଧ୍ୟମରେ ଟଙ୍କା ଲଗାଇବା ଓ ଲାଭ ପାଇବା ନେଇ ଅଭିଯୁକ୍ତ ନିଲେଶ ପ୍ରଚାର କରିଥିଲା । ଲୋକେ ଆପ୍‌ ଡ଼ାଉନ୍‌ଲୋଡ କରି ଠକାମିର ଶିକାର ହୋଇଥିବା ନେଇ ସହଦେବଖୁଣ୍ଟା ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏହି ମାମଲାକୁ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରିବା ପରେ ଆଜି କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ଅଭିଯୁକ୍ତକୁ ଗିରଫ କରିଛି ।