ପୁଟିନଙ୍କ ରୋଷେୟା, ପୁଟିନଙ୍କ ବିରୋଧରେ ଫୁଙ୍କିଥିଲେ ବିଦ୍ରୋହର ବିଗୁଲ

ମସ୍କୋ: ୨୩ ବର୍ଷରେ ପୁଟିନ ପ୍ରଥମ ସଶସ୍ତ୍ର ବିଦ୍ରୋହର ସମ୍ମୁଖୀନ ହୋଇଥିଲେ। ଲାଗୁଥିଲା ମସ୍କୋ ତାଙ୍କ ହାତରୁ ବାହାରି ଯିବ। କାରଣ ବନ୍ଧୁ ସାଜିଥିଲା ବୈରି। କିନ୍ତୁ ୨୪ ଘଣ୍ଟା ଭିତରେ ବଦଳିଯାଇଥିଲା ଚିତ୍ର। ଯିଏ ଲକ୍ଷ୍ଯ ପାଇଁ ମରିବା ଓ ମାରିବା ପାଇଁ ପ୍ରସ୍ତୁତ ଥିଲା ଏବେ ସିଏ ଅସ୍ତ୍ର ତ୍ଯାଗ କରିଛି। ବୁଝାମଣା ପରେ ଦେଶ ଛାଡି ବେଲାରୁସ ଯିବାକୁ ରାଜି ହୋଇଛି। ପୁଟିନଙ୍କ ବିରୋଧରେ ଯିଏ ଯୁଦ୍ଧ ଘୋଷଣା କରିଥିଲା ସେହି ବ୍ଯକ୍ତି ହେଉଛି ୟେଭଗେନି ପ୍ରିଗୋଝିନ୍। କଏଦୀରୁ ହଟ୍ ଡଗ୍ ବିକ୍ରେତା।  ହଟ୍ ଡଗ୍ ବିକ୍ରେତାରୁ ରେସ୍ତୋଁରା ମାଲିକ। ରେସ୍ତୋଁରାରୁ ପ୍ରାଇଭେଟ୍ ଆର୍ମି। ସଂକ୍ଷେପରେ କହିଲେ ପ୍ରିଗୋଝିନର ଜୀବନ କୌଣସି ହଲିଉଡ୍ ଥ୍ରିଲରଠାରୁ କିଛି କମ୍ ନୁହେଁ ।

ଓ୍ୱାଗନର୍ ଗ୍ରୁପ୍ ମୁଖ୍ୟ ୟେଭଗେନି ପ୍ରିଗୋଝିନ୍ ଏକଦା ସେ ପୁଟିନଙ୍କର ଖାସ୍ ବିଶ୍ଵସ୍ତ ବ୍ୟକ୍ତି ଥିଲେ। ପୁଟିନଙ୍କ ରୋଷେୟା ଭାବରେ ପରିଚିତ ୟେଭଗେନି ପ୍ରିଗୋଝିନଙ୍କ ଜନ୍ମ ୧୯୬୧ରେ ଋଷର ସେଣ୍ଟ ପିଟର୍ସବର୍ଗରେ ହୋଇଥିଲା । ଛୋଟ ଥିବା ବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା । ସ୍କୁଲ ଶିକ୍ଷା ପରେ ଛୋଟ ମୋଟ ଅପରାଧରେ ସାମିଲ ହୋଇଥିଲେ । ମାତ୍ର ୨୦ ବର୍ଷ ବୟସରେ ତାଙ୍କ ବିରୋଧରେ ମାରପିଟ୍, ଡକାୟତି ଏବଂ ଜାଲିଆତି ଆଦି ମାମଲା ଦାୟର ହୋଇଥିଲା । କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୩ ବର୍ଷ ଜେଲ ଦଣ୍ଡାଦେଶ ଘୋଷଣା କରିଥିଲେ । ଜେଲରୁ ବାହାରିବା ପରେ ପ୍ରିଗୋଝିନ୍ ’ହଟ୍ ଡଗ୍’ବିକ୍ରି ପାଇଁ ଷ୍ଟଲ ଲଗାଇବା ଆରମ୍ଭ କରିଥିଲେ । ଏହା ପରେ ସେ ୧୯୯୫ରେ ହୋଟେଲ ଶିଳ୍ପରେ ପ୍ରବେଶ କରିଥିଲେ । ତାଙ୍କ ହୋଟେଲ ଖାଦ୍ୟକୁ ବେଶ୍ ପ୍ରଶଂସା ମିଳିଥିଲା । ପ୍ରିଗୋଝିନଙ୍କ ହୋଟେଲରେ ଋଷର ନାମୀଦାମୀ ବ୍ୟବସାୟୀ, ଶିଳ୍ପପତି ଓ ଅଧିକାରୀଙ୍କ ଭିଡ଼ ଜମିଥିଲା । ଏହିଠାରେ ପ୍ରିଗୋଝିନଙ୍କ ସହ ପୁଟିନଙ୍କ ଦେଖା ହୋଇଥିଲା । ଏହାପରେ ପୁଟିନଙ୍କ ବେଶ୍ ନିକଟତର ହୋଇଥିଲେ ୟେଭଗେନି ପ୍ରିଗୋଜିନ୍ ।

ପୁଟିନଙ୍କ ସହ କାହିଁକି ବିଶ୍ୱାସଘାତକତା କଲେ ପ୍ରିଗୋଝିନ୍ ?

 କ’ଣ ଚାହୁଁଛନ୍ତି ପ୍ରିଗୋଝିନ୍ ?

୧୬ ମାସ ଧରି ଚାଲୁଥିବା ୟୁକ୍ରେନ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି ପ୍ରିଗୋଝିନ୍ । ଋଷର ବିଭିନ୍ନ ଜେଲରେ ଥିବା କଏଦୀଙ୍କୁ ବାହାର କରି ନିଜ ସେନାରେ ସାମିଲ କରିଛନ୍ତି ସେ । ଋଷ ପାଇଁ ୟୁକ୍ରେନରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା ଓ୍ୱାଗନର । କିନ୍ତୁ ପୁଟିନ୍ ଓ ତାଙ୍କ ପ୍ରତିରକ୍ଷା ଅଧିକାରୀ ବାରମ୍ବାର ହସ୍ତକ୍ଷେପ କରୁଥିବାରୁ ଏହାକୁ ପସନ୍ଦ କରୁନାହାନ୍ତି ପ୍ରିଗୋଝିନ୍ । ପ୍ରିଗୋଝିନଙ୍କ ଗୋଟିଏ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ଋଷ ସେନାକୁ ବିଦ୍ରୋହ ପାଇଁ ଦାୟୀ କରିଥିଲେ। କୁହାଯାଉଛି ଯେ, ପ୍ରିଗୋଝିନ୍ ୟୁକ୍ରେନର ଅଧିକୃତ ଅଂଚଳକୁ ନିଜ କବଜାକୁ ନେବାକୁ ଚାହୁଁଥିଲେ। କିନ୍ତୁ ଋଷ ସେନା ଓ ପୁଟିନ ଏଭଳି କୌଣସି ଦାବିକୁ ମାନିବାକୁ ମନା କରିଦେଇଥିଲେ। ଏହାପରେ କୁଆଡେ ୱାଗନର କ୍ଯାମ୍ପ ଉପରେ ଋଷ ବାୟୁସେନା ରକେଟ୍ ମାଡ଼ କରିଥିଲା। ପ୍ରିଗୋଝିନ୍ ଏଥିପାଇଁ ଖପ୍ପା ଥିଲେ। ଆଉ ଫଳ ଥିଲା ବିଦ୍ରୋହ। ୨୦୨୨ ପୂର୍ବରୁ ୱାଗନର ସହିତ କୌଣସି ପ୍ରକାରର ସମ୍ପର୍କକୁ ଅସ୍ୱୀକାର କରୁଥିବା ପ୍ରିଗୋଝିନଙ୍କ ମହତ୍ୱାକାଂକ୍ଷା ୟୁକ୍ରେନ୍ ଯୁଦ୍ଧ ପରଠାରୁ ବଢ଼ି ଯାଇଛି । ପ୍ରିଗୋଝିନ୍ ଆଉ ପୁଟିନ କିମ୍ବା ଋଷ ନିୟନ୍ତ୍ରଣରେ ରହିବାକୁ ଚାହୁଁନାହାନ୍ତି। ଆଫ୍ରିକାର ୧୬ ଦେଶରେ ସକ୍ରିୟ ଥିବା ପ୍ରିଗୋଝିନ ସମ୍ଭବତଃ ୟୁକ୍ରେନର କିଛି ଅଂଶ ଉପରେ ନିଜ ବ୍ୟକ୍ତିଗତ ରାଜ୍ଯ ଚାହୁଁଥିଲା ।