ସାରାଦେଶରେ ମୌସୁମୀ ବର୍ଷା, ରାଜଧାନୀକୁ ୫ ଦିନ ଆଗରୁ ଛୁଇଁଲା ମୌସୁମୀ

1 min read

ନୂଆଦିଲ୍ଲୀ: ସାରା ଦେଶରେ ମୌସୁମୀ ବର୍ଷା । ଦିଲ୍ଲୀ, ମୁମ୍ବାଇ ସମେତ ହରିଆଣା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ଦିଲ୍ଲୀରେ ଶନିବାର ରାତିରୁ ବର୍ଷା ଲାଗି ରହିଥିବା ବେଳେ ଅନେକ ସ୍ଥାନରେ ଓ୍ବାଟର ଲଗିଂ ଯୋଗୁ ଗାଡ଼ି ମୋଟର ଅଟକି ରହିଛି । ବାତ୍ୟା ବିପର୍ଯ୍ୟୟ ଯୋଗୁ ଚଳିତବର୍ଷ ମୌସୁମୀ ପ୍ରଭାବିତ ହୋଇଛି । ଦିଲ୍ଲୀକୁ ମୌସୁମୀ ଛୁଇଁବାର ୧୫ ଦିନ ପୂର୍ବରୁ ମୁମ୍ବାଇରେ ମୌସୁମୀ ପ୍ରବେଶ କରୁଥିବା ବେଳେ ଚଳିତବର୍ଷ ଆଗୁଆ ମୌସୁମୀ ବର୍ଷାରେ ଭିଜିଛି ରାଜଧାନୀ । ରାଷ୍ଟ୍ରୀୟ ରାଜଧାନୀରେ ୫ ଦିନ ଆଗୁଆ ମୌସୁମୀ ବର୍ଷା ଆରମ୍ଭ ହୋଇଛି ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଥମେ କେରଳ, ତାମିଲନାଡୁ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ଉପକୂଳ ଦେଇ ମୌସୁମୀ ଦେଶର ଅନ୍ୟ ରାଜ୍ୟକୁ ପ୍ରବେଶ କରିଥାଏ । ହେଲେ ଚଳିତବର୍ଷ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ସାରା ଦେଶରେ ମୌସୁମୀର ଗତି ଅସ୍ବାଭାବିକ ରହିଛି । ଜୁନ ୩୦ ତାରିଖ ଯାଏଁ ସବୁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୬ ଦିନ ପାଇଁ ଉତ୍ତର-ପଶ୍ଚିମ ଭାରତର ରାଜ୍ୟଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ ଆସାମରେ ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ଅତି ବିଗିଡ଼ିବାରେ ଲାଗିଛି । ପ୍ରାୟ ୨୨ ଜିଲ୍ଲାର ଲକ୍ଷାଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।