spot_img
Home Blog Page 3238

ଚାକିରି ଲାଗି ଜମି ଦୁର୍ନୀତି ମାମଲା, ଆଜି ତେଜସ୍ବୀ ଯାଦବଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ପାଟନା: ଚାକିରି ଲାଗି ଜମି ଦୁର୍ନୀତି ମାମଲା । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଆଜି ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ତେଜସ୍ବୀଙ୍କୁ ଜାରି ହୋଇଛି ସମନ । କିଛି ଦିନ ତଳେ ପାଟନା, ମୁମ୍ବାଇ, ଦିଲ୍ଲୀ, ରାଞ୍ଚିର ୨୪ଟି ସ୍ଥାନରେ କରାଯାଇଥିବା ରେଡରୁ ମିଳିଥିଲା ବିପୁଳ ଟଙ୍କା, ସୁନା ଓ ଦସ୍ତାବିଜ । ପୂର୍ବରୁ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ପତ୍ନୀ ରାବଡି ଦେବୀଙ୍କୁ ବି ପଚରାଉଚରା କରିଥିଲା ସିବିଆଇ ।

ବହୁଚର୍ଚ୍ଚିତ ଏହି ମାମଲାରେ ଲାଲୁ ପ୍ରସାଦ, ରାବଡି ଦେବୀ, ଦୁଇ କନ୍ୟା ମିସା ଭାରତୀ ଓ ଅନ୍ୟମାନଙ୍କ ନାମ ରହିଛି । ସିବିଆଇର ଅଭିଯୋଗ କ୍ରମେ ୨୦୦୪ରୁ ୨୦୦୯ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବାବେଳେ ଏହି ଦୁର୍ନୀତି ଘଟିଥିଲା । ଏନେଇ ଗତ ମେ ୨୦୨୨ରେ ମାମଲା ରୁଜୁ ହୋଇଥିଲା । ଜମି ବଦଳରେ ୧୨ ଜଣଙ୍କୁ ରେଳବାଇରେ ଚାକିରି ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଲାଲୁଙ୍କ ପୂର୍ବତନ ଓଏସଡି ଭୋଲା ଯାଦବଙ୍କୁ ସିବିଆଇ ଗିରଫ କରିସାରିଛି ।

ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଓ୍ବାୟନାଡ ଗସ୍ତ, କର୍ମୀଙ୍କ ସମାବେଶରେ ଦେବେ ଉଦବୋଧନ

ଓ୍ୱାୟନାଡ଼: ଆଜି ଓ୍ୱାୟନାଡ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୋଦି ସରନେମ ମାମଲାରେ ସାଂସଦ ସଦସ୍ୟତା ରଦ୍ଦ ପରେ ଓ୍ୱାୟନାଡ଼ ଗସ୍ତରେ ପ୍ରଥମ ଥର ପାଇଁ ଯିବେ ରାହୁଲ ।  ଓ୍ବାୟନାଡର ପୂର୍ବତନ ସାଂସଦଙ୍କୁ ଭରପୂର ସ୍ବାଗତ କରିବା ଲାଗି ଜୋରଦାର ପ୍ରସ୍ତୁତି କରାଯାଇଛି । ରାହୁଲଙ୍କୁ ସ୍ବାଗତ କରିବା ଲାଗି କଂଗ୍ରେସ, ଆଇୟୁଏମଏଲ, କେରଳ କଂଗ୍ରେସ, କେସି-ଜେ, ଏନସିକେ ଆଦି ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ଓ୍ବାୟନାଡ ଅନ୍ତର୍ଗତ କାଲପେଟ୍ଟାରେ ସ୍ବାଗତ ସମ୍ବର୍ଦ୍ଧନା ଅବସରରେ ଏକ ସାଧାରଣ ସଭା ଓ ରୋଡ ସୋ’ର ଆୟୋଜନ କରାଯାଇଛି । ସାଧାରଣ ସଭା ଓ ରୋଡ ସୋ’ର ନେତୃତ୍ବ ନେବେ କେରଳ କଂଗ୍ରେସ ସଭାପତି କେ. ସୁଧାକରନ ।

ଏହି ସମାବେଶରେ ବହୁ ଏଆଇସିସି ସଦସ୍ୟ ଓ ରାଜ୍ୟସ୍ତରୀୟ ନେତା ଯୋଗ ଦେବେ । ସାଧାରଣ ସଭାରେ ଓ୍ବାୟନାଡ, କୋଝିକୋଡ, ମାଲାପୁରମ, ପଲକଡ, କାନ୍ନୁର ଓ କାସରଗୋଡ ଜିଲ୍ଲାର ହଜାର ହଜାର କର୍ମୀ ଯୋଗ ଦେବେ । ତେଣେ ରାହୁଲଙ୍କ ଦ୍ବାରା ଲେଖାଯାଇଥିବା ଏକ ଚିଠିକୁ ସାରା ଲୋକସଭା ନିର୍ବାଚନ ମଣ୍ଡଳୀରେ ଘରକୁ ଘର ବଣ୍ଟାଯାଉଥିବା ସୂଚନା ମିଳିଛି । କାହିଁକି ତାଙ୍କର ସଦସ୍ୟତା ଲୋପ ହେଲା, ସଂସଦରେ କ’ଣ ରହିଥିଲା ତାଙ୍କ ସଂଘର୍ଷ, କେନ୍ଦ୍ରର ମନମୁଖି ନୀତି ଆଦି ସମ୍ପର୍କରେ ଚିଠିରେ କରାଯାଇଛି ଉଲ୍ଲେଖ । ବିଜେପି ଓ ଆରଏସଏସ ବିରୋଧରେ ତାଙ୍କ ସଂଗ୍ରାମ ଜାରି ରହିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ରାହୁଲ ।

ରାଜ୍ୟରେ ଆରମ୍ଭ ହେଲା ସକାଳୁଆ ସ୍କୁଲ, ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ମର୍ଣ୍ଣିଂ କ୍ଲାସ୍

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଗ୍ରୀଷ୍ମ ପ୍ରବାହ। ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ସକାଳୁଆ କ୍ଲାସ୍ ଆରମ୍ଭ ହୋଇଛି । ଉଭୟ ସରକାରୀ ଓ ଘରୋଇ ସ୍କୁଲରେ ସକାଳ ୭ରୁ ୧୧ଟା ୩୦ ଯାଏ ହେଉଛି ମର୍ଣ୍ଣିଂ କ୍ଲାସ୍ । ସ୍କୁଲରେ ଖରା ଦିନ ପାଇଁ ପଦକ୍ଷେପ ନିଆଯାଇଛି । ପାନୀୟ ଜଳ ସହ ORS, ଫ୍ୟାନ ବ୍ୟବସ୍ଥା କରାଯିବ ।

ହିଟଓ୍ବେଭ୍ ହେଲେ ପଦକ୍ଷେପ ନିଆଯିବ ବୋଲି ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ କହିଛନ୍ତି। ଖରା ବଢ଼ିଲେ କ୍ଲାସ୍ ସମୟ କମାଇବାର ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସେହିପରି ପ୍ଲେ-ସ୍କୁଲ ସମୟ କମାଇବାକୁ ନିବେଦନ କରିଛନ୍ତି ଅଭିଭାବକ । ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କ୍ୟାଲେଣ୍ଡର ପ୍ରକାଶ ପାଇଛି । ମେ ୫ରୁ ଜୁନ୍ ୧୭ ଯାଏଁ ପିଲାଙ୍କ ଖରାଛୁଟି ରହିଛି।

ରାଜ୍ୟରେ ଅସମ୍ଭାଳ ତାତି, ୪୦ ଡିଗ୍ରୀ ଉପରେ ଏକାଧିକ ସହର

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ତାତି । ଆକାଶରୁ ବର୍ଷୁଛି ନିଆଁ । ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ପାରଦ । ଆଜିଠୁ ଆହୁରି ବଢ଼ିବ ତାପମାତ୍ରା । ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ଗରମ ଏବଂ ଶୁଷ୍କ ବାୟୁ ପ୍ରବାହ ବଢ଼ିଛି। ଫଳରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାତି ବଢ଼ିଛି । ଆସନ୍ତା ୭ ଦିନ ଯାଏ ଅଧିକାଂଶ ଜିଲ୍ଲାକୁ ଅରେଞ୍ଜ ଏବଂ କିଛି ଜିଲ୍ଲାକୁ ରେଡ୍ ମାର୍କ ଜାରି କରିଛି ପାଣିପାଗ କେନ୍ଦ୍ର । ବଲାଙ୍ଗୀର, ଟିଟିଲାଗଡ଼, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଜିଲ୍ଲାକୁ ରେଡ୍ ମାର୍କ ଜାରି କରାଯାଇଛି ।

ଭୁବନେଶ୍ବର ସମେତ ଝାରସୁଗୁଡ଼ା, ବାରିପଦା, ସମ୍ବଲପୁର, ଚାନ୍ଦବାଲି, ହୀରାକୁଦ, ବାଲେଶ୍ବର, କେନ୍ଦୁଝର ଭଳି ସହରରେ ସ୍ବାଭାବିକ ଠାରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିଛି । ଆସନ୍ତା ୧୪ରୁ ୨୦ ତାରିଖ ମଧ୍ୟରେ ସ୍ବାଭାବିକଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ଏପ୍ରିଲ ୧୫ ତାରିଖରୁ ମେ ମାସ ଶେଷ ପର୍ଯ୍ୟନ୍ତ ଅହେତୁକ ଭାବେ ତାପମାତ୍ରା ବୃଦ୍ଧି ହେବ । ଗତକାଲି ୪୦.୪ ଡିଗ୍ରୀ ସହିତ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିଲା ।

ବିମାନ ଭିତରେ ଫଣା ଟେକି ଝୁଲୁଛି ସାପ 

ବିମାନ ଭିତରେ ନାଗସାପ  । ପାଇଲଟ ମୁଣ୍ଡ ଉପରେ ଫଣା ଟେକି ଝୁଲୁଛି ସାପ  । ମଝି ଆକାଶରେ ବିଚଳିତ କଲା ନାଗ ସାପ ।   ଆମେରିକାର ୱୋରସେଷ୍ଟରରୁ ନେଲସପୁଟକୁ ସୋମବାର ଉଡାଣ ଭରିଥିବା କ୍ଷୁଦ୍ର ଏୟାରକାର୍ଫ୍ଟର କକପିଟରେ ଦେଖିବାକୁ ମିଳିଥିଲା ନାଗସାପ । ନାଗସାପ ବାହାରିବା ପରେ ପାଇଲଟ ସତକର୍ତାର ସହ ବିମାନ ଅବତରଣ କରିଥିଲେ  । ଆଉ ମଝିଆକାଶରେ ସାପକୁ ନେଇ ବିଚଳିତ ହୋଇପଡିଥିବା କର୍ମଚାରୀଙ୍କ ମଧ୍ୟରେ ସମୟଉପଯୋଗୀ ବୁଦ୍ଧି ଖଟାଇ  ଚର୍ଚ୍ଚାକୁ ଆସିଛନ୍ତି ପାଇଲଟ ।

ଦକ୍ଷିଣ ଆଫ୍ରିକୀୟ ପାଇଲଟ ରୁଡୋଲ୍ଟ ଇରାସମସଙ୍କୁ ନିଜ ବୁଦ୍ଧିମତା ପାଇଁ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି  । ବିମାନରେ ମୋଟ ୪ ଜଣ  ଯାତ୍ରୀ ଥିବାବେଳେ ପାଇଲଟ ପଛ ପାଖ ସିଟରେ କେପ୍ କୋବ୍ରା ଦେଖିଥିଲେ  । ସାପର ଆକ୍ରାମଣାତ୍ମକ ରୂପ ଦେଖି  ବିମାନରେ ଆତଙ୍କ ଖେଳିଯାଇଥିଲା  । ସେପଟେ ପାଇଲଟ ଜଣଙ୍କ ବିଚଳିତ ନହୋଇ ସଠିକ ବୃଦ୍ଧି ପ୍ରୟୋଗ କରିଥିଲେ  । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପାଇଲଟ ବିମାନର ଜରୁରୀ ଅବତରଣ କରିଥିଲେ  ।

ସୂଚନା ମୁତାବକ ରବିବାର ମଧ୍ୟାହ୍ନରେ ୱେରସେଷ୍ଟର ଏୟାର ଫିଲ୍ଡରେ ବିମାନ ୱିଙ୍ଗତଳେ ବିମାନ କର୍ତ୍ତୁପକ୍ଷ ସାପଟିକୁ ଦେଖିଥିଲେ  । ସାପକୁ ଧରିବା ପାଉଁ ଚେଷ୍ଟା କରିବା ପରେ ସେ ଇଞ୍ଜିନ କାଓଲିଙ୍ଗରେ ପଶିଯାଇଥିଲା  । କର୍ତ୍ତୁପକ୍ଷ ଇଞ୍ଜିନ କାଓଲିଙ୍ଗ ଖୋଲି ଦେକିବା ପରେ ସାପ ସେଠାରେ ମିଳି ନଥିଲା  । ସୋମବାର ବିମାନଟି ଜରୁରୀ ଅବତରଣ କରିବା ପରେ ମଧ୍ୟ ବିମାନ କର୍ତ୍ତୁପକ୍ଷ ସାପଟିକୁ ଖୋଜିଥିଲେ  । କିନ୍ତୁ ସାପଟି ମିଳିନଥିଲା  । ସେପଟେ ବିମାନରେ କିପରି ସାପ ପଶିଲା, ତାକୁ ନେଇ ତନାଘନା ଆରମ୍ଭ ହୋଇଛି  । ବିମାନ ବନ୍ଦରରୁ ସାପଟି ବିମାନରେ ପଶିଥିବା କଥା ଅନୁମାନ କରାଯାଉଛି  । ଯେହେତୁ ବିମାନ ବନ୍ଦରରେ ଅଧିକାଂଶ ବୁଦି ବୁଦିକିଆ ଗଛ ରହିଛି, ତେଣୁ ସାପ ଏହି ଅଞ୍ଚଳରେ ଆଗରୁ ଦେଖିବାକୁ ମିଳିଥାଏ  ।

ମଧୁ ସ୍ମୃତି ପୀଠର ଉନ୍ନତିକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ: ସତ୍ୟଭାମାପୁର ମଧୁ ସ୍ମୃତି ପୀଠର ଉନ୍ନତିକରଣ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଆରଡିସି ସୁରେଶ ଚନ୍ଦ୍ର ଦଳେଇ, ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ, ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

ମୁଖ୍ୟତଃ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କଲାଭଳି ଏକ ସୁବିଧା କେନ୍ଦ୍ର, ରାସ୍ତାର ପ୍ରଶସ୍ତିକରଣ, ପୀଠ ଭିତରେ ବ୍ୟାଟରୀ ଚାଳିତ ଯାନ, ଗାଡି ରହଣୀସ୍ଥଳ, ବିକାଶ ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଇ ଆଲୋଚନା କରାଯାଇଥିଲା ।

ଵିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ସମର କ୍ୟାମ୍ପ୍

ରାଉରକେଲା: ଵିଶ୍ବର ସର୍ଵ ବୃହତ ହକି ଷ୍ଟାଡିୟମ ଵିର୍ସା ମୁଣ୍ଡା ହକି ଷ୍ଟାଡିୟମ ରାଉରକେଲା ଠାରେ ଉଦଘାଟିତ ହୋଇଯାଇଛି ହକି ସମର କ୍ୟାମ୍ପ । ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ସମର କ୍ୟାମ୍ପରେ ୬ଵର୍ଷରୁ ୧୬ ବର୍ଷର ୭୫୦ ଜଣ ନାମ ପଞ୍ଜିକରଣ କରିଛନ୍ତି। ସେଥିମଧ୍ୟରୁ ଆଜି ୪୬୫ ଜଣ ପ୍ରତିଭାବାନ ବାଳକ ଓ ବାଳିକା ଅଂଶ ଗ୍ରହଣ କରିଛନ୍ତି । ଆସନ୍ତାକାଲି ସକାଳ ଠାରୁ ହକି ଖେଳର ତାଲିମ ପ୍ରଦାନ କରାଯିଵ ।

ଏପ୍ରିଲ ୧୦ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ସମର କ୍ୟାମ୍ପ ।ଏହି କ୍ୟାମ୍ପରେ ତାଲିମ ନେଵା ପାଇଁ ୧୦ ଜଣ ପ୍ରତିଭାବାନ ବାଳକ ଓ ଵାଳିକାଙ୍କ ପାଇଁ ଜଣେ ଲେଖାଏଁ ହକି କୋଚଙ୍କ ବ୍ୟବସ୍ଥା କରାଯାଇଛି। ବିଶ୍ବର ସର୍ଵ ବୃହତ ହକି ଷ୍ଟାଡିୟମ୍ ଠାରେ ଖେଳିଵାର ସୁଯୋଗ ପାଇ ବାଳକ ଓ ବାଳିକାମାନେ ଖୁସି ପ୍ରକାଶ କରିଛନ୍ତି। ଉଦଘାଟନି ଉତ୍ସବରେ ବରିଷ୍ଠ ହକି କୋଚ କାଳୁ ଚରଣ ଚୌଧୁରୀ ଓ ରାଉରକେଲା ଅତିରିକ୍ତ ଏସପି ସଂଗ୍ରାମ କେଶରୀ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ।

ଅମର ପଟ୍ଟନାୟକଙ୍କ ଦ୍ଵାରା ଲିଖିତ ପୁସ୍ତକ ସମୀକ୍ଷା ବୈଠକ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକଙ୍କ ଦ୍ଵାରା ଲିଖିତ ପୁସ୍ତକ PANDEMIC DISRUPTIONS AND ODISHA’S LESSIONS IN GOVERNANCE ଉପରେ ସମୀକ୍ଷା । ଭୁବନେଶ୍ବରର ଏକ ହୋଟେଲରେ ଏହି ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା । ଏଥିରେ ସାମିଲ ହୋଇ ସାଂସଦ ଏବଂ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ କରୋନ କାଳରେ ଓଡ଼ିଶା କିପରି ସଫଳତାର ସହ ମୁକାବିଲା କରି ଭାରତରେ ଏକ ଉଦାହରଣ ସୃଷ୍ଟି କରିଛି, ତାରି ଉପରେ ଆଲୋକପାତ କରିଥିଲେ ।

ମହାମାରୀ ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ, ସବୁବେଳେ ସମାଜର ଗରିବ ଵର୍ଗ, ଶିଶୁ, ମହିଳା ଓ ବୟସ୍କ ଅଧିକ ବିପଦରେ ପଡିଥାନ୍ତି । ସେମାନଙ୍କ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏବଂ ଉପଦେଶ ଅନୁସାରେ ମହାମାରୀର ସଫଳ ମୁକାବିଲା କରି ନୂଆ ଇତିହାସ ସୃଷ୍ଟି କରିଥିଲା ଓଡ଼ିଶା । ଯେତେବେଳେ ଭାରତରେ ଅକ୍ସିଜେନ ଅଭାବରୁ ହଜାର ହଜାର ଲୋକ ମୃତ୍ୟୁ ମୁଖକୁ ଠେଲି ହୋଇ ଯାଉଥିଲା, ସେତେବେଳେ ଓଡ଼ିଶା ଅକ୍ସିଜେନର ବଳା ରାଜ୍ୟ ଭାବେ ଉଭା ହୋଇ ଯୋଗାଇ ଦେଇଥିଲା ସଞ୍ଜୀବନୀ । ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ପାଇଁ ସମ୍ଭବ ହୋଇ ପାରିଥିଲା ବୋଲି କହିଥିଲେ ସାଂସଦ ।

ଦଳ ବିରୋଧି କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ କଲେ ସୁପ୍ରିମୋ

ଭୁବନେଶ୍ୱର: ଭବାନୀ ଶଙ୍କର ନିଆଲ ବିଜୁ ଜନତା ଦଳରୁ ବହିଷ୍କୃତ । ଦଳ ବିରୋଧୀ କାମ ପାଇଁ ଦଳରୁ ବହିଷ୍କୃତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ । କଳାହାଣ୍ଡି ଜିଲ୍ଲାର ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଥିଲେ ଭବାନୀ ଶଙ୍କର ନିଆଲ । ସେହିପରି  ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳ ରୁ ବହିଷ୍କୃତ ହୋଇଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗର ଦିବାକର ଛାଟୋଇ।

ଯାଞ୍ଚ ହେବ ଓକିଲଙ୍କ ଡିଗ୍ରୀ, ଏକ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯାଞ୍ଚ ହେବ ଓକିଲଙ୍କ ଡିଗ୍ରୀ । ଚିହ୍ନଟ ହେବେ ନକଲି ଓକିଲ । ଆଜି ଏ ସଂକ୍ରାନ୍ତରେ ଅଜୟ ଶଙ୍କର ଶ୍ରୀବାସ୍ତବଙ୍କ ଏକ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ । ଏଥିପାଇଁ ପୂର୍ବତନ ବିଚାରପତି ଜଷ୍ଟିସ ଦୀପକ ଗୁପ୍ତାଙ୍କ ନେତୃତ୍ବରେ ଏକ ୮ଜଣିଆ ଟିମ୍ ଗଠନ କରାଯାଇଛି । ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠରେ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଚିସ ପିଏସ ନରସିଂହା ଓ ଜଷ୍ଟିସ ଜେ ପି ପରିଦିୱାଲା ମାମଲାର ଗୁରୁତ୍ବକୁ ବିଚାର କରି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଦେଶର ସମସ୍ତ ରାଜ୍ୟର ବାର କାଉନସିଲ ଏହି ପ୍ରକ୍ରିୟାରେ ସମସ୍ତ ଓକିଲଙ୍କ ଆଇନ ଡିଗ୍ରୀ ଯାଞ୍ଚ କରିବେ । ଯାଞ୍ଚ ପ୍ରକ୍ରିୟା ସରିବା ପରେ ଆସନ୍ତା ଅଗଷ୍ଟ ୩୧ ସୁଦ୍ଧା କମିଟି ତାର ରିପୋର୍ଟ ଖଣ୍ଡପୀଠଙ୍କ ନିକଟରେ ଦାଖଲ କରିବେ । ୮ଜଣିଆ କମିଟିରେ ପୂର୍ବତନ ବିଚାରପତି ଜଷ୍ଟିସ ଦୀପକ ଗୁପ୍ତାଙ୍କ ନେତୃତ୍ବରେ, ଜଷ୍ଟିସ ଅରୁଣ ଟଣ୍ଡନ, ଜଷ୍ଟିସ ରାଜେନ୍ଦ୍ର ମେନନ୍, ବରିଷ୍ଠ ଆଇନଜୀବୀ ରାକେଶ ଦ୍ବିବେଦୀ, ବରିଷ୍ଠ ଆଇନଜୀବୀ ମନିନ୍ଦର ସିଂ ପ୍ରମୁଖ ରହିଛନ୍ତି । କମିଟିକୁ ବାର କାଉନସିଲ ଅଫ୍ ଇଣ୍ଡିଆ ଅନ୍ୟ ୩ଜଣ ସଦସ୍ୟଙ୍କୁ ମନୋନୀତ କରିବେ ।

ଓକିଲ ମାନଙ୍କ ମୂଳ ଡିଗ୍ରୀ ସାର୍ଟିଫିକେଟ ସହ ଆଇନ ଡିଗ୍ରୀ ଓ ଅନ୍ୟାନ୍ୟ ଯୋଗ୍ୟତା ସାର୍ଟିଫିକେଟର ଯାଞ୍ଚ ହେବ । ଏଥିପାଇଁ ସାର୍ଟିଫିକେଟ ପ୍ରଦାନ କରିଥିବା ବୋର୍ଡ, ବିଶ୍ବବିଦ୍ୟାଳୟର ସହାୟତା ନେବ କମିଟି । ପୂର୍ବର ୨୦୧୫ ମସିହାରେ ପ୍ରଥମେ ଦେଶର ସମସ୍ତ ଓକିଲ ମାନଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଦୁଇଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ହେଲେ ଯାଞ୍ଚ ପାଇଁ ବୋର୍ଡ ଓ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଧିକ ଅର୍ଥ ଦାବି କରୁଥିବାରୁ ପ୍ରକ୍ରିୟା ସ୍ଥଗିତ ରହିଥିଲା । ମାମଲାର ଶୁଣାଣି କରି ସେତେବେଳେ ଦୁଇଜଣିଆ ଖଣ୍ଡପୀଠ ଯାଞ୍ଚ ପାଇଁ ଅର୍ଥ ଛାଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦେଶରେ ବର୍ତ୍ତମାନ ୨୫ଲକ୍ଷ ୭୦ ହଜାର ଓକିଲ ବିଭିନ୍ନ ରାଜ୍ୟ ବାର କାଉନସିଲ୍ ଅଧୀନରେ କାର୍ଯ୍ୟରତ ଅଛନ୍ତି ।