ବ୍ରାହ୍ମଣୀ ନଦୀରୁ ଧରାପଡ଼ିଲା ବିରଳ ’ସାରଙ୍ଗ ମାଛ’

ଯାଜପୁର: ଯାଜପୁର ଜିଲ୍ଲା ବ୍ରାହ୍ମଣୀ ନଦୀରୁ ଧରାପଡ଼ିଲା ୪୦ କିଲୋଗ୍ରାମରୁ ଉର୍ଦ୍ଧ ଏକ ବିରଳ ସାରଙ୍ଗ ମାଛ । ଆଜି ଦିନ ୧୧ଟା ସମୟରେ ବ୍ରହ୍ମପୁର ଗ୍ରାମର ବିଚିତ୍ର ଦଳେଇ ଓ ସୁଦର୍ଶନ ଦଳେଇ ମାଛ ଧରିବାକୁ ଗାଁ ନିକଟରେ ଥିବା ବ୍ରାହ୍ମଣୀ ନଦୀକୁ ଯାଇଥିଲେ । ସେଠାରେ ମାଛ ଧରିବା ସମୟରେ ଅଚାନକ ଜାଲରେ ଏକ ବିଶାଳ କାୟ ମାଛ ପଡ଼ିଥିଲା । ଏତେବଡ଼ ମାଛକୁ ଦେଖି ଦୁଇ ମତ୍ସ୍ୟଜୀବୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏବଂ ଜାଲକୁ ନଦୀ ପଠାକୁ ଘୋଷାଡି ଆଣିଥିଲେ ।

ତେବେ ଏହି ମାଛଟିର ନାଁ କଳା ସାରଙ୍ଗ ବୋଲି ଜଣାପଡ଼ିଛି । ଯାହାର ଆନୁମାନିକ ଓଜନ ୪୦ କିଲୋଗ୍ରାମରୁ ଉର୍ଦ୍ଧ ହେବ ବୋଲି ଜଣାପଡ଼ିଛି । ଏହି ମାଛ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ବେସ୍ ଭିଡ଼ ଦେଖିବାକୁ ମିଳିଥିଲା ।