ବିଡାବିଡା ଟଙ୍କା ସହ ସେଲଫି, ଅଡୁଆରେ ପଡିଲେ ପୋଲିସ ଅଧିକାରୀ

ଲକ୍ଷ୍ନୗେ: ସ୍ତ୍ରୀ ଓ ଛୁଆଙ୍କ ସେଲଫିକୁ ନେଇ ଅଡୁଆରେ ଉତ୍ତରପ୍ରଦେଶର ପୋଲିସ ଅଧିକାରୀ ରମେଶ ଚନ୍ଦ୍ର ସାହାଣୀ । ଉନ୍ନାଉ ଜିଲ୍ଲାରେ ଷ୍ଟେସନ ହାଉସ ଅଫିସର ଭାବେ ରମେଶ କାର୍ଯ୍ୟରତ ଥିଲେ। ନିକଟରେ ତାଙ୍କ ସ୍ତ୍ରୀ ଓ ପିଲାମାନେ ବିଡା ବିଡା ୫୦୦ ଟଙ୍କିଆ ନୋଟ ସହ ସେଲଫି ନେଇ ସୋସିଆଲ ମିଡିଆରେ ଛାଡିବାରୁ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି।

ଜଣେ ଏସଏଚଓଙ୍କ ପରିବାର ଏତେ ଟଙ୍କା କେଉଁଠୁ ଆଣିଲେ ତାକୁ ନେଇ ତନାଘନା ଆରମ୍ଭ ହୋଇଛି । ପାଞ୍ଚ ଶହ ଟଙ୍କିଆ ୧୩ଟି ବିଡାକୁ ଖଟ ଉପରେ ରଖି ରମେଶଙ୍କ ପରିବାର ଫଟୋ ଉଠାଇଛନ୍ତି। ପାଖାପାଖି ୧୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଫଟୋ ଭାଇରାଲ ହେବା ପରେ ରମେଶଙ୍କୁ ଅନ୍ୟ ଥାନାକୁ ଟ୍ରାନ୍ସଫର କରାଯାଇଛି । ତେବେ ରମେଶଙ୍କ କହିବା କଥା ଏହି ଫଟୋ ୨୦୨୧ ମସିହାର । ସେ ଏକ ଜମି ବିକି ଏହି ଟଙ୍କା ଆଣିଥିଲେ।