ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ପ୍ରଭାବରେ ସାରା ରାଜ୍ୟରେ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର: ପୁଣି ଆସୁଛି ବର୍ଷା । ଦାନା ବାନ୍ଧୁଛି ଆଉ ଗୋଟିଏ ଲଘୁଚାପ । ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଜୁଲାଇ ୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି  । ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଉଛି । ରାଜ୍ୟରେ ତାପମାତ୍ରା କମିଲେ ବି ଅନୁଭୂତ ହେବ ଗୁଳୁଗୁଳି । ଜଳୀୟବାଷ୍ପ ଯଥେଷ୍ଟ ଅଧିକ ରହିଥିବାରୁ ଆର୍ଦ୍ରତା ଅଧିକ ରହିଛି । ଆସନ୍ତା ୨ ଓ ୩ ତାରିଖ ବେଳକୁ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ରାଜ୍ୟରେ ଏବେ ୧୫୬.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ବାଭାବିକ ବର୍ଷା ୧୯୨.୩ ମିଲିମିଟର ତୁଳନାରେ ୧୯ ପ୍ରତିଶତ କମ୍ । ଦେବଗଡ଼ରେ ସର୍ବାଧିକ ୩୦୭.୬ ମିମି ବର୍ଷା ରେକର୍ଡ ହୋଇଛି । ଯାହା ୮୬ ପ୍ରତିଶତ ଅଧିକ । ଝାରସୁଗୁଡା, ଢେଙ୍କାନାଳ, ବରଗଡ଼ ଏସବୁ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ମୌସୁମୀ ବିଳମ୍ବରେ ଆସିଥିଲେ ବି ଆଗାମୀ ଦିନର ବର୍ଷା ସ୍ବାଭାବିକ ରହିବ ।