ବିସ୍ତୀର୍ଣ୍ଣ ବଡ଼ଦାଣ୍ଡ, ବିଶାଳ ଭକ୍ତ ସମାଗମ, ଦର୍ଶନର ସୁବିଧା ପାଇଁ ନିର୍ମାଣ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ: ବିସ୍ତୀର୍ଣ୍ଣ ବଡ଼ଦାଣ୍ଡ, ବିଶାଳ ଜନ ସମାଗମ । ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କଲେ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁ । ଶୃଙ୍ଖଳିତ ଦର୍ଶନ ପାଇଁ ସହାୟକ ହେଲା ପରିକ୍ରମା ପ୍ରକଳ୍ପ । ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପ୍ରଶସ୍ତ ଥିବାରୁ ଲକ୍ଷାଧିକ ଭକ୍ତ ରଥ ସମ୍ମୁଖରେ ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ ଦର୍ଶନର ପାଇଲେ ସୌଭାଗ୍ୟ । ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ସୁନାବେଶରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଥାଇ ମଧ୍ୟ ଶ୍ରୀଜିଉଙ୍କୁ ଅତି ନିକଟରୁ ଦେଖିବାର ସୌଭାଗ୍ୟ ପାଇଥିବାରୁ ଭକ୍ତଙ୍କ ମୁହଁରୁ ଛୁଟିଲା ପ୍ରଶଂସାର ସୁଅ । ପୂର୍ବରୁ ଶ୍ରୀମନ୍ଦିର ସମ୍ମୁଖ ଅଞ୍ଚଳ ଅତି ସଂକୀର୍ଣ୍ଣ ଥିବା ବେଳେ ପରିକ୍ରମା ପ୍ରକଳ୍ପ ଦ୍ୱାରା ଏହାର ନବକଳେବର କରାଯାଇ ସମ୍ପ୍ରସାରଣ କରାଯାଇଛି । ଯାହାଦ୍ୱାରା ରଥ ସମ୍ମୁଖରେ ହଜାର ହଜାର ଭକ୍ତ ଏକ ସମୟରେ ଦର୍ଶନ କରିବାର ବ୍ୟବସ୍ଥା ହୋଇଛି । ଯାହା ପୂର୍ବରୁ ସମ୍ଭବ ହୋଇ ପାରୁନଥିଲା ।

ପରିକ୍ରମା ପ୍ରକଳ୍ପ ଦ୍ୱାରା କେବଳ ଶ୍ରୀମନ୍ଦିର ସମ୍ମୁଖ ନୁହେଁ ସମଗ୍ର ପୁରୀ ସହରକୁ ସୁଗମ ଗମନା ଗମନ ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାହାଦ୍ୱାରା ଟ୍ରାଫିକ ମ୍ୟାନେଜମେଣ୍ଟ ମଧ୍ୟ ସହଜ ହୋଇପାରିଛି । ବିଶାଳ ଭକ୍ତ ସମୁଦ୍ରକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଅଧିକ ସହଜ ହୋଇଛି । ତେଣୁ ଭକ୍ତଙ୍କ ଭାବାବେଗ ଓ ଭିଡ଼କୁ ଦୃଷ୍ଟିରେ ରଖି ଦର୍ଶନର ଅବଧି ପର୍ଯ୍ୟାୟ କ୍ରମେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବଢ଼ାଇଥିଲା ପ୍ରଶାସନ । ଗତବର୍ଷ ଭଳି ଚଳିତ ବର୍ଷ କଡ଼ା କଟକଣା ଥିଲେ ମଧ୍ୟ ପୋଲିସ ମାନବିକତାକୁ ଅଧିକ ଗୁରୁତ୍ୱ ଦେଇଥିଲା । ସୁନାବେଶ ଭଳି ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ଥିବାରୁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।