ବାଲେଶ୍ୱର: ବାଲେଶ୍ୱରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ । କରମଣ୍ଡଳ ଏକ୍ସପ୍ରେସର ୩ ଏସି ବଗି ଏବଂ ୫ଟି ସ୍ଲିପର ବଗି ଲାଇନଚ୍ୟୁତ । ବାହାନଗା ପଣପଣା ନିକଟରେ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଦୁର୍ଘଟଣାରେ ଭାଙ୍ଗିଲା ବାହାନଗା ରେଳ ଫାଟକ । ମାଲବାହୀ ଟ୍ରେନକୁ ପଛପଟୁ ଧକ୍କା ଦେବା ଫଳରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅନେକ ଯାତ୍ରୀ ଆହତ ସୂଚନା । ଉଭୟ ପଟୁ ରେଳ ଚଳାଚଳ ବନ୍ଦ । ଗୁରୁତର ଆହତ ଯାତ୍ରୀଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଏବଂ ଗୋପାଳପୁର ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଘଟଣାସ୍ଥଳରେ ଅଗ୍ନିଶମ, ଓଡ୍ରାଫ ଓ ସ୍ଥାନୀୟ ପୋଲିସ । ଅନେକ ଯାତ୍ରୀ ଫସିରହିଥିବା ସୂଚନା । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ସିନ୍ଦେଙ୍କ ପ୍ରତିକ୍ରିୟା । ଘଟଣାସ୍ଥଳରେ ଅଛନ୍ତି ବାହାନଗା ତହସିଲଦାର, ଏସପି ସାଗରିକା ନାଥ । ଆମ୍ବୁଲାନ୍ସ ଦ୍ୱାରା ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରାଯାଉଛି । ଗୋଟିଏ ଟ୍ରାକରେ ୨ଟି ଟ୍ରେନ୍ ଆସିଥିବା କୁହାଯାଉଛି । ଘଟଣାସ୍ଥଳରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ଏମର୍ଜେନ୍ସି ନମ୍ବର ଜାରି କଲେ ଏସଆରସି । କଣ୍ଟ୍ରୋଲ ରୁମ୍ ନମ୍ବର-୬୭୮୨୨୬୨୨୮୬ ।
ସରକାରଙ୍କୁ ଅଲଟିମେଟମ, ୯ ଜୁନ ସୁଦ୍ଧା ବ୍ରିଜଭୂଷଣଙ୍କ ଗିରଫଦାରୀ ନହେଲେ ଦେଶବ୍ୟାପୀ ଆନ୍ଦୋଳନ
ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାମାନେ ଯୌନ ଶୋଷଣକୁ ଅଭିଯୋଗ ନେଇ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷମ ଶରଣ ସିଂହଙ୍କ ବିରୋଧରେ ବିକ୍ଷୋଭ କରୁଛନ୍ତି । ମାମଲାରେ ଲଗାତାର ଦ୍ୱିତୀୟ ଦିନ କୁରୁକ୍ଷେତ୍ରରେ ଖାପ ମହାପଞ୍ଚାୟତ ଆୟୋଜିତ ହୋଇଥିଲା । ଏହା ପୂର୍ବରୁ ଗୁରୁବାର ମଧ୍ୟ ୟୁପିର ମୁଜଫରନଗରରେ ମହାପଞ୍ଚାୟତ ହୋଇଥିଲା, କିନ୍ତୁ ଏଥିରେ କୌଣସି ପ୍ରସ୍ତାବ ପାରିତ ହୋଇନଥିଲା । ଶୁକ୍ରବାର ମହାପଞ୍ଚାୟତ ପରେ କୃଷକ ନେତା ରାକେଶ ଟିକୈତ ସରକାରଙ୍କୁ ୯ ଜୁନ୍ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ସେ କହିଛନ୍ତି ଜୁନ ୯ ତାରିଖ ମଧ୍ୟରେ ବିଜେପି ବାହୁବଳି ନେତା ତଥା ରେସଲର ସଂଘ ସଭାପତି ବ୍ରିଜଭୂଷଣଙ୍କ ଗିରଫଦାରୀ ନହେଲେ ଦେଶବ୍ୟାପୀ ଚାଷୀ ମହାପଞ୍ଚାୟତର ଆୟୋଜନ କରାଯିବ ।
୯ ତାରିଖରେ କୁସ୍ତିଯୋଦ୍ଧାଙ୍କ ସହ ଜନ୍ତରମନ୍ତରରେ ପହଞ୍ଚିବୁ । ପୋଲିସ ଅନୁମତି ନଦେଲେ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି । ପ୍ରକାଶଥାଉକି, ଉଭୟ ମହାପଞ୍ଚାୟତରେ ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀରୁ ଖାପ୍ ପ୍ରମୁଖମାନେ ସାମିଲ ଥିଲେ । ରାକେଶ ଟିକୈତ କହିଛନ୍ତି ଯେ ଆମେ ନିଷ୍ପତ୍ତି କରିଛୁ ଯେ ଆମେ ମହିଳା କୁସ୍ତିଯୋଦ୍ଧାମାନଙ୍କୁ ନ୍ୟାୟ ଦେବା ପାଇଁ ଦେଶବ୍ୟାପୀ ଏହିପରି ହିଁ ଖାପ୍ ପଞ୍ଚାୟତର ଆୟୋଜନ କରିବୁ । ଶାମଲିରେ ୧୧ ଜୁନ ଏବଂ ହରିଦ୍ୱାରରେ ୧୫ ଜୁନରୁ ୧୮ ଜୁନ ପର୍ଯ୍ୟନ୍ତ ପଞ୍ଚାୟତ ହେବ । ଯଦି ବ୍ରିଜଭୂଷଣଙ୍କୁ ୯ ଜୁନ ସୁଦ୍ଧା ଗିରଫ ନକରାଯାଏ ତେବେ ଆମେ ଆନ୍ଦୋଳନ ଆମ ହିସାବରେ କରିବୁ ବୋଲି ଚେତାବନୀ ଦେଇଛନ୍ତି ।
‘ମୋ ଶାଳୀକୁ ଭଲ ପାଉଥିଲା, ହତ୍ୟା କରିଦେଲି’
ପାରାଦୀପ: ପ୍ରେମ ବ୍ୟାପାରକୁ ନେଇ ପାରାଦୀପରେ ଯୁବକଙ୍କୁ ବୀଭତ୍ସ ହତ୍ୟା । ହତ୍ୟାର ଶିକାର ହୋଇଛନ୍ତି ଟୁବୁଲି ଜେନା । ପାରୀଦୀପ ଟ୍ୟାକ୍ସିଷ୍ଟାଣ୍ଡରୁ ପୋଲିସ ଟୁବୁଲିଙ୍କ କ୍ଷତାକ୍ତ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ରମେଶ ଜେନାକୁ ଗିରଫ କରିଛି । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଟୁବୁଲିଙ୍କୁ ରମେଶ ହତ୍ୟା କରିଥିବା ସ୍ବୀକାର କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଟୁବୁଲି ଓ ରମେଶଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଗଣ୍ଡାଖିଆ ଲୋକନାଥପୁରରେ । ଉଭୟ ପାରାଦୀପର ଏକ ହୋଟେଲରେ କାମ କରୁଥିଲେ । ରମେଶ ଜେନାର ଶାଳୀକୁ ଟୁବୁଲି ଭଲ ପାଉଥିଲେ ।
ଏହାକୁ ନେଇ ରମେଶ ଓ ଟୁବୁଲିଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଏଥିଥିରେ ରାଗ ରଖି ଟୁବୁଲିଙ୍କୁ ରମେଶ ହତ୍ୟା କରିଥିବା ସ୍ବୀକାର କରିଛି । ଆଜି ଭୋର ୪ଟା ସମୟରେ ଟୁବୁଲି ଟ୍ୟାକ୍ସିଷ୍ଟାଣ୍ଡର ମଣ୍ଡପ ଉପରେ ଶୋଇଥିବା ବେଳେ ରମେଶ ଏକ କୋଦାଳରେ ତାଙ୍କ ମୁହଁକୁ ହାଣିଥିଲା ଏବଂ ଛାତି ଉପରେ ବସି ବେକକୁ ଛୁରୀରେ କାଟି ଦେଇଥିଲା ବୋଲି ପୋଲିସ ଆଗରେ ମାନିବା ସହିତ ଡେମୋ ଦେଖାଇଛି । ଟୁବୁଲିଙ୍କ କ୍ଷତାକ୍ତ ମୃତଦେହ ପୋଲିସ ଜବତ କରିଛି । ଏକ ମୋବାଇଲ ଫୋନ ଓ ଗୋଟିଏ ସିମ୍ କାର୍ଡ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି ।
ରାଜ୍ୟରେ ଖୁବଶୀଘ୍ର ଖୋଲିବ ୭ ଟି ନୂଆ ବିଏସସି ନର୍ସିଂ କଲେଜ
ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଖୋଲିବ ୭ ଟି ନୂଆ ବିଏସସି ନର୍ସିଂ କଲେଜ । ବଲାଙ୍ଗୀର, ବାରିପଦା, ପୁରୀ, ବାଲେଶ୍ୱର, ତାଳଚେର, କୋରାପୁଟ ଓ ଯାଜପୁରରେ ଖୋଲିବ ଏହି ୭ କଲେଜ । ଏହାକୁ ମିଶାଇ ରାଜ୍ୟରେ ବିଏସସି ନର୍ସିଂ କଲେଜ ସଂଖ୍ୟା ୧୫କୁ ବୃଦ୍ଧି ପାଇବ । ବର୍ତ୍ତମାନ ରାଜ୍ୟରେ 8ଟି ସରକାରୀ ବିଏସସି ନର୍ସିଂ କଲେଜ ରହିଛି । ଏହି ସମସ୍ତ କଲେଜରେ ବର୍ତ୍ତମାନ ୭୫୦ ଟି ସିଟ୍ ରହିଛି ।
ଆଉ ନୂଆ ୭ଟି ବିଏସସି ନର୍ସିଂ କଲେଜ ଖୋଲିଲେ ମୋଟ୍ ୧୫ଟି କଲେଜରେ ବିଏସସି ନର୍ସିଂ ସିଟ ୧୪ ଶହ ୫୦ କୁ ବୃଦ୍ଧି ପାଇବ । ରାଜ୍ୟରେ ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟା ବୃଦ୍ଧି ପରେ ନର୍ସିଂ କଲେଜ ସଂଖ୍ୟା ବୃଦ୍ଧିର ଆବଶ୍ୟକତା ରହିଛି । ଚିକତ୍ସା କ୍ଷେତ୍ରରେ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା DMET ପ୍ରଫେସର ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ନର୍ସିଂ ପିଜି କଲେଜ ବ୍ରହ୍ମପୁର ଏବଂ ବୁର୍ଲାରେ ରହିଛି । ଆଗକୁ ଆଉ ଗୋଟିଏ ପିଜି ନର୍ସିଂ କଲେଜ କଟକରେ ଖୋଲିବା ନେଇ ସୂଚନା ଦିଆଯାଇଛି ।
କାହିଁକି ବ୍ରିଜଭୂଷଣଙ୍କୁ ଗିରଫ କରିନି ପୋଲିସ ? ଦୁଇ FIRରେ ବିଜେପି ବାହୁବଳୀ ନେତାଙ୍କ କଳା କାରନାମାର ଫୁଲ ଡିଟେଲ
ନୂଆଦିଲ୍ଲୀ: ଦୁଇ FIR, ୧୦ ଅଭିଯୋଗ । ବ୍ରିଜଭୂଷଣଙ୍କ ବିରୋଧରେ ଲାଗିଛି ସଂଗୀନ ଦଫା । ଧାରା ୩୫୪, ୩୫୪ ଏ, ୩୫୪ ଡି ଓ ପୋକସୋ ଆକ୍ଟରେ ମାମଲା ଦାଏର କରିଛି ପୋଲିସ । ଏତଲାରେ ୨୦୧୨ରୁ ୨୦୨୨ ମଧ୍ୟରେ ୧୦ଟି ଘଟଣାର ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଟୁର୍ଣ୍ଣାମେଣ୍ଟ ବେଳେ ଖେଳାଳିଙ୍କ ପ୍ରତି ଅଶ୍ଳୀଳ ଆଚରଣ, ଜବରଦସ୍ତି ମହିଳା ଖେଳାଳିଙ୍କୁ ଆଲିଙ୍ଗନ କରିବା, ମହିଳା କୁସ୍ତଯୋଦ୍ଧାଙ୍କୁ ବାହାନାରେ ଛୁଇଁବା ଆଦି ଅଭିଯୋଗ ଏତଲାରେ ଉଲ୍ଲେଖ ରହିଛି ।
ଫଟୋ ଉଠାଇବା ବାହାନାରେ ଛୁଇଁବା ଓ ବ୍ରିଜଭୂଷଣ ତାଙ୍କ ପିଛା କରୁଥିଲେ ବୋଲି ପୀଡ଼ିତା ନାବାଳିକାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ବିଜେପିର ବାହୁବଳି ନେତା ତଥା ରେସଲର ସଂଘ ସଭାପତିଙ୍କ ବିରୋଧରେ କୁସ୍ତିଯୋଦ୍ଧା ଆଣିଥିବା ଅଭିଯୋଗ ଆଧାରରେ ସଂଗୀନ ଦଫା ଲାଗିଥିଲେ ବି ଏଯାଏଁ ବ୍ରିଜଭୂଷଣଙ୍କୁ ଗିରଫ କରିନି ପୋଲିସ ।
କମିଶନରେଟ୍ ପୋଲିସ ହାତରେ ବଙ୍ଗୀୟ ମହିଳା ଲୁଟେରା ଗ୍ୟାଙ୍ଗ୍, ସପିଂ ମଲଗୁଡ଼ିକରୁ କରୁଥିଲେ ଲୁଟ୍
ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ବଙ୍ଗୀୟ ମହିଳା ଲୁଟେରା ଗ୍ୟାଙ୍ଗ୍ । ୯ ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଏହି ମହିଳାମାନେ ସପିଂ ମଲଗୁଡ଼ିକରୁ ଲୁଟ୍ କରୁଥିଲେ । ଗ୍ରାହକ ବେଶରେ ଯାଇ ଜିନିଷ ଚୋରି କରୁଥିଲେ । ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଏସିପି ଜୋନ-୫ ସଞ୍ଜୀବ ଶତପଥୀ । ଗତ ମେ’ ୩୧ ତାରିଖରେ ଓ ଗତକାଲି ରିଲାଏନ୍ସ ମଲରୁ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିଲା । ଏହି ଚୋରି ମୂଳରେ କିଛି ମହିଳାଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା ।
ଗତକାଲି କାଲି ସନ୍ଧ୍ୟାରେ ମହିଳାମାନେ ଆସି ପୁଣି ଚୋରି କରୁଥିବା ବେଳେ ମାଡ଼ି ବସିଥିଲା ପୋଲିସ । ଗ୍ୟାଙ୍ଗର ୯ ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ୪ ଜଣ ଫେରାର ହୋଇଯାଇଛନ୍ତି । ସେମାନେ ନିଆରା ଢଙ୍ଗରେ ଚୋରି କରୁଥିଲେ । ଅଭିଯୁକ୍ତଙ୍କଠାରୁ ଲକ୍ଷାଧିକ ଟଙ୍କାର କସମେଟିକ୍ସ ଜିନିଷ ଜବତ କରାଯାଇଛି । ସେମାନେ ଭୁବନେଶ୍ୱରରେ ଏକ ହୋଟେଲରେ ରହି ଚୋରି କରୁଥିଲେ । ଅନ୍ୟ ମଲଗୁଡ଼ିକରୁ ମଧ୍ୟ ସେମାନେ ଚୋରି କରିଥିବା ଅନୁମାନ କରୁଛି ପୋଲିସ । ସେମାନଙ୍କର ଏକ ବଡ଼ ରାକେଟ ଥିବା ସନ୍ଦେହ କରାଯାଉଛି । ସେମାନେ ଦେଶର ବିଭିନ୍ନ ସହର ବୁଲି ଚୋରି କରିଥାନ୍ତି । ଲୁଟେରାମାନେ ପଶ୍ଚିମବଙ୍ଗ ହରିପୁରର ଏବଂ ନିଜ ଗାଁରେ ଚୋରି ଜିନିଷ ବିକ୍ରି କରିଥାନ୍ତି ବୋଲି କହିଛି ପୋଲିସ ।

