ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ଅଧ୍ୟାଦେଶ, ସବୁ ନୂଆ ପୁରୁଣା ପାଇଁ ଲାଗୁ ହେବ ଅଧ୍ୟାଦେଶ

1 min read

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ଗତ ମେ’ ୨୯ ତାରିଖରେ ଅନୁମୋଦନ କରିଥିବା ଓଡ଼ିଶା ଆପାର୍ଟମେଣ୍ଟ ଅଧ୍ୟାଦେଶ-୨୦୨୩କୁ ରାଜ୍ୟପାଳଙ୍କ ମଞ୍ଜୁରୀ ଗେଜେଟ୍ ବିଜ୍ଞପ୍ତି ଆକାରରେ ଆଇନ ବିଭାଗ ପ୍ରକାଶ କରିଛି । ଏହି ଅଧ୍ୟାଦେଶର ଗେଜେଟ୍ ବିଜ୍ଞପ୍ତି ଜାରି ପରେ ରାଜ୍ୟରେ ଦୀର୍ଘ ପ୍ରାୟ ଏକ ବର୍ଷରୁ ଅଧିକ ଦିନ ଧରି ଆପାର୍ଟମେଂଟ କିଣାବିକା ଉପରେ ରହିଥିବା କଟକଣା ନିରସ୍ତ୍ର ହୋଇଛି । ଏହି ଓଡ଼ିଶା ଆପାର୍ଟମେଂଟ ଅଧ୍ୟାଦେଶ-୨୦୨୩ ସବୁ ପୁରୁଣା ଓ ନୂଆ ଆପାର୍ଟମେଂଟ ତଥା ଉଭୟ ଫ୍ରି ଓ ଲିଜ୍ ହୋଲଡ୍ ଜମିରେ ନିର୍ମିତ ହୋଇଥିବା ଆପାର୍ଟମେଂଟ ନିମନ୍ତେ ଲାଗୁ ହେବ । ପ୍ରକଳ୍ପର ୫୦ ପ୍ରତିଶତ କିମ୍ବା ୭ଟି ଘର ବୁକ୍ ହୋଇଥିଲେ ଆସୋସିଏସନ୍ ଗଠନ ହେବ ଏବଂ ପ୍ରତ୍ୟେକ ଆପାର୍ଟମେଂଟ ପାଇଁ ଗୋଟିଏ ଲେଖାଏଁ ଆସୋସିଏସନ୍ ରହିବ । ଆପାର୍ଟମେଂଟ କିଣିଥିବା ସମସ୍ତ ବ୍ୟକ୍ତି ଆସୋସିଏସନର ସଦସ୍ୟ ରହିବେ ।

ରାଜ୍ୟ ଆଇନ ବିଭାଗ ପକ୍ଷରୁ ଜୁନ୍ ୨୮ ତାରିଖରେ ଜାରି ଗେଜେଟ୍ ବିଜ୍ଞପ୍ତି ଅନୁସାରେ ଓଡ଼ିଶା ଆପାର୍ଟମେଂଟ ଅଧ୍ୟାଦେଶ-୨୦୨୩କୁ ରାଜ୍ୟପାଳ ଜୁନ୍ ୨୧ ତାରିଖରେ ଅନୁମୋଦନ କରିଛନ୍ତି । ମେ’ ୨୯ ତାରିଖରେ ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ଆପାର୍ଟମେଂଟ ମାଲିକାନା ଅଧିନିୟମ-୧୯୮୨କୁ ଉଚ୍ଛେଦ କରି ଓଡ଼ିଶା ଆପାର୍ଟମେଂଟ ଅଧ୍ୟାଦେଶ-୨୦୨୩କୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଗତ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ । ଏହି ଅଧ୍ୟାଦେଶରେ ଆପାର୍ଟମେଂଟଗୁଡ଼ିକର ଉତ୍ତମ ପରିଚାଳନା ନିମନ୍ତେ ପ୍ରଚଳିତ ଆଇନର ବିଭିନ୍ନ ବ୍ୟବସ୍ଥାରେ ବିବିଧ ସଂଶୋଧନ ଓ ବିଭିନ୍ନ ଧାରାଗୁଡ଼ିକରେ ସଂଯୋଗ ଓ ପରିବର୍ତ୍ତନ ଅଣାଯାଇଛି । ଆପାର୍ଟମେଂଟ ଓ ସାମୂହିକ ଗୃହନିର୍ମାଣ ନିମନ୍ତେ ପ୍ରୋତ୍ସାହନ, ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ତା’ର ଉତ୍ତରାଧିକାରୀ ଓ ହସ୍ତାନ୍ତରଯୋଗ୍ୟ ଅଧିକାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ପରିବର୍ତ୍ତିତ ଅଧିନିୟମରେ ବ୍ୟବସ୍ଥାରେ ରହିଛି । ଏହି ପରିବର୍ତ୍ତିତ ଅଧିନିୟମ ଆପାର୍ଟମେଂଟ ମାଲିକମାନଙ୍କର ସାଧାରଣ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ସ୍ଥାନ ଉପରେ ଅଧିକାର ପ୍ରଦାନ କରାଇବ ବୋଲି ଜଣାପଡ଼ିଛି ।

ରିଏଲ ଇଷ୍ଟେଟ୍ ଅଧିନିୟମ-୨୦୧୬ ଏବଂ ଓଡ଼ିଶା ଆପାର୍ଟମେଂଟ ମାଲିକାନା ନିୟମ,୨୦୨୧ ମଧ୍ୟରେ ପରସ୍ପର ବିରୋଧାଭାସ ନିୟମ ରହିଥିଲା । ଓଡ଼ିଶା ଆପାର୍ଟମେଂଟ ମାଲିକାନା ନିୟମ-୨୦୨୧ର ବିଜ୍ଞପ୍ତିକୁ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଛି ଓ ହାଇକୋର୍ଟ ମଧ୍ୟ ଆପତ୍ତି ଉଠାଇଥିଲେ । ଏହି ମାମଲାଗୁଡ଼ିକ ଯୋଗୁ ଆପାର୍ଟମେଂଟର ପଞ୍ଜୀକରଣ ବନ୍ଦ ରହିଛି । ବିକ୍ରି କବଲା ପଞ୍ଜିକୃତ ହେଉନଥିବାରୁ ରାଜ୍ୟ ସରକାର ମଧ୍ୟ ରାଜସ୍ୱ ହରାଉଛନ୍ତି । ଦୀର୍ଘଦିନ ଧରି ଏଭଳି ଅଚଳାବସ୍ଥା ଥିବାରୁ ଏହାର ସମାଧାନ ପାଇଁ ତୁରନ୍ତ ଆଇନରେ ସଂଶୋଧନ ଆବଶ୍ୟକତା ପଡ଼ିଥିଲା । ତେଣୁ ପ୍ରଚଳିତ ଆଇନରେ ବ୍ୟାପକ ସଂଶୋଧନ ପରିବର୍ତ୍ତେ ପ୍ରଚଳିତ ଅଧିନିୟମକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ଏକ ନୂଆ ଅଧିନିୟମ ସରକାର ପ୍ରଣୟନ କରିଛନ୍ତି ।