ଟମାଟୋ ପରେ ଖାଉଟିଙ୍କୁ ଜିରା ଚଡ଼କ , ରେକର୍ଡ ଭାଙ୍ଗିଲା ଜିରା ଦର

ଭୁବନେଶ୍ୱର :  ମହଙ୍ଗା ମାଡ଼ରୁ ନାହିଁ ନିସ୍ତାର । ପନିପରିବା ଦର ଖାଉଟିଙ୍କ ଉପରେ ଚଡ଼କ ପକାଇଥିବା ବେଳେ ଏବେ ହାଣ୍ଡିଶାଳରେ ମହଙ୍ଗ ହୋଇଛି ଛୁଙ୍କ । ଜିରା କେଜି ହଜାରେ ଟଙ୍କାରେ ପହଞ୍ଚିଛି । ୧୫ଦିନ ତଳେ ଜିରା ଦର ୫୫୦ଟଙ୍କା ଥିଲା । ଦୁଇ ଦିନ ତଳେ ୭ଶହ ଛୁଇଁଥିଲା । ଏବେ ଜିରା ହେଲାଣି ହୀରା । ଜିରା ଦର କେଜି ପ୍ରତି ହଜାରେ ଥିବାରୁ ଖାଉଟିଙ୍କ ନିଦ ହଜିଛି ।

ଟମାଟୋ ଶତକ ମାରିବା ପରେ ଅଦା, ରସୁଣ ଦର ବି ରେକର୍ଡ ଟପିଥିଲା । ଏବେ ବେଡି ଉପରେ କୋରଡ଼ା ସଦୃଶ ହୋଇ ସବୁ ରେକର୍ଡ ବ୍ରେକ୍ କରିଛି ଜିରା ଦର । ଖୁଚୁରା ବଜାରରେ ଜିରା କିଲୋ ପିଛା ହଜାରେ ଟଙ୍କାରେ ପହଞ୍ଚିଛି । ଗୁଜୁରାଟ ଓ ରାଜସ୍ଥାନରୁ ଯୋଗାଣ କମିଥିବାରୁ ଦର ବଢ଼ିଥିବା କୁହାଯାଉଛି ।

ପାଣିପାଗ ବିଗିଡ଼ିବାରୁ ଜିରା ଉତ୍ପାଦନ ପ୍ରଭାବିତ ହୋଇଛି । ସେପଟେ ବ୍ୟବସାୟୀ ସଂଘ କେନ୍ଦ୍ରର କର୍ପୋରେଟ୍ ପ୍ରୀତିକୁ ଦାୟୀ କରିଛି । ଘରୋଇ ବଜାର ଚାହିଦାକୁ ଆଖିବୁଜି ଚାଇନା ଓ ବାଂଲାଦେଶକୁ ଜିରା ରପ୍ତାନି କରାଯାଉଛି । ଫଳରେ ଯୋଗାଣ ଚାହିଦା ଜନିତ ସମସ୍ୟା ଲାଗି ବଜାରରେ ଏବେ ଜିରା ମହଙ୍ଗା ।