୪୨ ବର୍ଷରେ ପାଦ ଥାପିଲେ ମହେନ୍ଦ୍ର ସିଂ ଧୋନି

1 min read

ନନ୍ଦିଘୋଷ ବ୍ୟୁରୋ : ଷ୍ଟମ୍ପ ପଛରେ ରହିଛି ମ୍ୟାଚର ମୋଡ ବଦଳାଇ ଦେଉଥିବା ଖେଳାଳି । ଜଣିଏ ଖେଳାଳି ଯିଏ କ୍ରିକେଟପ୍ରେମୀଙ୍କ ପାଇଁ କେତେବେଳେ ମାହି ତ ଆଉକେତେବେଳେ ଦି କୁଲ ମ୍ୟାନ ପୁଣି ଆଉକେବେ ଏମଏଡି । ଆଜି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୪୨ ତମ ଜନ୍ମଦିନ ।

କିଛି ଦିନ ତଳେ ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଂଗ୍ସ ପଞ୍ଚମ ଥର ପାଇଁ IPL ଚାମ୍ପିଅନ ହୋଇଥିଲା । ଧୋନିଙ୍କ ନେତୃତ୍ବରେ ୨୦୧୧ ବିଶ୍ବକପ ଜିତିଥିଲା ଭାରତ । ୨୮ ବର୍ଷ ପରେ ଭାରତକୁ ବିଶ୍ବକପ ଜିତାଇ ସଫଳ ଅଧିନାୟକଙ୍କ ତାଲିକାରେ ସେ ସାମିଲ ହୋଇଥିଲେ । ୨୦୧୧ ବିଶ୍ୱକପ ଭାରତରେ ହେଉଥିଲା । ତାଙ୍କ ଅଧିନାୟକତ୍ୱରେ ବିଶ୍ବର ପ୍ରଥମ ଦେଶ ଭାବେ ନିଜ ମାଟିରେ ବିଶ୍ବକପ ଜିତିବାର ରେକର୍ଡ କରିଥିଲା ଭାରତ ।

ଏହା ପୂର୍ବରୁ ୨୦୦୭ରେ ପ୍ରଥମ T-20 ବିଶ୍ବକପରେ ଭାରତର ନେତୃତ୍ବ ନେଇ ସେ ଦେଶକୁ ବିଶ୍ବବିଜୟୀ କରିଥିଲେ । ଓ୍ବିକେଟ କିପର ଭାବେ ଏକ ଦିବସୀୟରେ ସର୍ବାଧିକ ୧୮୩ ରନର ଅପରାଜିତ ପାଳି ଖେଳିବାର ରେକର୍ଡ ରହିଛି ଧୋନିଙ୍କ ନାଁରେ । ତାଙ୍କ ନେତୃତ୍ବରେ ଭାରତ ପ୍ରଥମଥର ପାଇଁ ଏକ ଦିବସୀୟ ଓ ଟେଷ୍ଟରେ ଏକ ନମ୍ବର ଟିମ ହୋଇଥିଲା । ୨୦୧୪ ଶେଷ ଆଡ଼କୁ ସେ ଟେଷ୍ଟ କ୍ରିକେଟକୁ ଅଲବିଦା କରିଥିଲେ । ସେହିପରି ୨୦୨୦ ଅଗଷ୍ଟ ୧୫ରେ ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଥିଲେ । ଏବେ ସେ କେବଳ IPL ଉପରେ ଫୋକସ କରିବା ସହ ପ୍ରତିଭାବାନ କ୍ରିକେଟରଙ୍କୁ ମାର୍ଗଦର୍ଶନ ଦେଉଛନ୍ତି ।