spot_img
Home Blog Page 3216

ରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ

ପୁରୀ: ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରାରେ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ଏହାସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଦାୟିତ୍ଵରେ ରହିବେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ । ଏନେଇ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ । ଜୁନ୍ ୨୦ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଏନେଇ ଆଜି ପୋଲିସ ଏଡିଜି ଅମିତାଭ୍ ଠାକୁରଙ୍କ ଅଧ୍ୟକ୍ଷତାରେ ପୁରୀ ଏସପିଙ୍କ କାର୍ଯ୍ୟାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଜନଗହଳି ନିୟନ୍ତ୍ରଣ ସହ ଟ୍ରାଫିକ ସୁପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଘୋଷଯାତ୍ରା ସମୟରେ ଭୁବନେଶ୍ୱରରୁ ପୁରୀ, କୋଣାର୍କରୁ ପୁରୀ ଏବଂ ବ୍ରହ୍ମଗିରିରୁ ପୁରୀ ଆସୁଥିବା ଭକ୍ତ ଶ୍ରଦ୍ଧାଳୁମାନଙ୍କ ଯେଭଳି କୌଣସି ଅସୁବିଧା ନହେବ । ଏବଂ କେଉଁ ସ୍ଥାନରେ‌ ନିଜ ନିଜ ଗାଡ଼ି ପାର୍କିଂ କରିପାରିବେ ସେନେଇ ଏକ ଭିଡିଓ ପୋଲିସ ପକ୍ଷରୁ ଜାରି କରାଯିବ ବୋଲି କହିଛନ୍ତି ଏଡିଜି । ତେବେ କେବଳ ଜନଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ଭାବେ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏଥିସହ ପୁରୀ ସହର, ଶ୍ରୀମନ୍ଦିର ଭିତର, ବାହାର ଓ ଏହାର ଚତୁଃପାର୍ଶ୍ଵ ସହ ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା, ପୋଲିସ କଣ୍ଟ୍ରୋଲ ରୁମ୍ ସହ ଅନ୍ୟାନ୍ୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ଏଡିଜି । ଆଜି ଅନୁଷ୍ଠିତ ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଆଡିସନାଲ୍ ସିପି ଉମାଶଙ୍କର ଦାସ, ଡିଆଇଜି ଅଖିଳେଶ୍ବର ସିଂଙ୍କ ସହ ଜଗତସିଂହପୁର ଓ ପୁରୀ ଏସପି ଉପସ୍ଥିତ ଥିଲେ ।

ଯାଜପୁର ରୋଡ୍‌ ଟ୍ରେନ ଟ୍ରାଜେଡିର ପୋଷ୍ଟମର୍ଟମ ଆରମ୍ଭ, କାହା ଭୁଲ ପାଇଁ ଚାଲିଗଲା ୬ଟି ଜୀବନ

ଯାଜପୁର: କେମିତି ଗଡ଼ିଗଲା ବିନା ଇଞ୍ଜିନରେ ଟ୍ରେନ ? କାହାର ଭୁଲ ପାଇଁ ଚାଲିଗଲା ୬ଟି ଜୀବନ । କେତେ ଦିନ ହେଲା ଟ୍ରାକରେ ଠିଆ ହୋଇଥିଲା ବିନା ଇଞ୍ଜିନର ଏହି ମାଲଗାଡ଼ି ବଗି । ଯାଜପୁର ରୋଡ୍ ଟ୍ରେନ ଟ୍ରାଜେଡିର ଚାଲିଛି ପୋଷ୍ଟ ମର୍ଟମ । ସରଜମିନ ତଦନ୍ତରେ ଲାଗିଛନ୍ତି ରେଳବାଇର ଚାରିଜଣିଆ ତଦନ୍ତକାରୀ ଦଳ । ଘଟଣା ସ୍ଥଳ ପରିଦର୍ଶନ ସହ ସେଫଟି ସମ୍ବନ୍ଧୀୟ ଟିକିନିଖି ଯାଞ୍ଚ କରିଛି ଟିମ୍ । ଗତକାଲି ଡିଆରଏମ, ଏଡିଆରଏମ୍, ସେଫ୍ଟି ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାରେ ପଚରାଉଚରା କରିଥିଲେ ।

ଟ୍ରେନ ଦୁର୍ଘଟଣା ପରେ ପୁଣି ମାନବିକତା ଦେଖାଇଲା ବିଜେଡି । ଏଥିରେ ମୃତାହତ ହୋଇଥିବା ଶୋକସନ୍ତପ୍ତ ପରିବାରକୁ ଭେଟିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଗମ୍ଭାରିଆ, ବାଲିଆପାଳ ଏବଂ ଓଶଳାରେ ପହଞ୍ଚି ପ୍ରତି ମୃତକଙ୍କ ପରିବାରକୁ ବ୍ୟକ୍ତିଗତ ଭାବେ ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ସେପଟେ ଶବ ସତ୍କାର ଓ ଶୁଦ୍ଧି କ୍ରିୟା ଲାଗି ଜିଲ୍ଲା ରେଡକ୍ରସ୍ ସୋସାଇଟିରୁ ମଧ୍ୟ ସମସ୍ତ ମୃତକଙ୍କ ପରିବାରକୁ ୨୦ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଛି । ଗତକାଲି ଶୋକ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ତିନି ଗାଁର ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଟ୍ରେନ ଅଘଟଣ ପରେ ଗାଁରେ ଶୋକର ଛାୟା । ଶୋକାକୁଳ ପରିବେଶ । ଖବର ଆସିବା ପରେ ଗାଁରେ ଚୂଲି ଜଳୁନି । ଶବ ବ୍ୟବଚ୍ଛେଦ ପରେ ଗତକାଲି ବିଳମ୍ବିତ ରାତିରେ ଜନ୍ମମାଟିରେ ୫ ଜଣଙ୍କ ଚିତା ଜଳିଛି । ଆଜି ଆଉ ଜଣେ ମୃତକଙ୍କ ଶବ ସତ୍କାର କରାଯାଇଛି । ମୃତକଙ୍କ ମଧ୍ୟରେ ବାଲିଆପାଳ ଗାଁର ପ୍ରଶାନ୍ତ ଜେନା, ସୁଶାନ୍ତ ଜେନା, ଓ ଭୀମସେନ ଜେନା ଗୋଟିଏ ବଂଶର ବୋଲି ଜଣାପଡିଛି । ସେହିପରି ଗମ୍ଭାରିଆ ଗାଁର ମାନସ କୁମାର ସାମଲ ଓ ଗୌତମ କୁମାର ସାମଲଙ୍କ ଅନ୍ତ୍ୟେଷ୍ଟି ସରିଛି । ଅନ୍ୟ ମୃତକ ଜଣକ ହେଲେ ଓସଳା ଗାଁର ଦୋଳଗୋବିନ୍ଦ ପ୍ରଧାନ ।

କାଳ କେମିତି ଆସିବ କହିବା ମୁସ୍କିଲ । ଗତକାଲି ଯାଜପୁର ରୋଡ୍ ଟ୍ରେନ୍ ଦୁର୍ଘଟଣା ଏହା ସୂଚାଇ ଦେଇଛି । ଅବହେଳା ହେଉ ବା ଭୁଲବଶତଃ ଗତକାଲି କାଳବୈଶାଖୀ ବର୍ଷାରୁ ବର୍ତ୍ତିବାକୁ ଯାଇ ଚାଲିଯାଇଛି ୬ଟି ଅମୂଲ୍ୟ ଜୀବନ । ବିନା ଇଞ୍ଜିନରେ ଏହି ବଗିଗୁଡିକ ଗଡ଼ିବାରୁ ଚାପି ହୋଇଯାଇଥିଲେ ଖଲାସୀ ଶ୍ରମିକ ।

ଏଣିକି ଆଉ ଅଭାବ ଆଗରେ ମୁଣ୍ଡ ନୁଆଁଇବେନି ଚିନ୍ତାମଣି, ସାହାଯ୍ୟର ହାତ ବଢ଼ାଇଲେ 5T ସଚିବ

ଉମରକୋଟ: ଏଣିକି ଆଉ ଅଭାବ ଆଗରେ ମୁଣ୍ଡ ନୁଆଁଇବେନି ଚିନ୍ତାମଣି । ସ୍ବପ୍ନର ରାସ୍ତାରୁ ଆଉ ପଛକୁ ହଟିବେନି କିମ୍ବା ସେ ଥକିଯିବେନି । ଯେବେ ପାଠ ପଢ଼ାରେ ଅଭାବ ଡୋରି ବାନ୍ଧେ । ସେତେବଳେ ମନରେ ସାହାସ ଭରି ସାହାଯ୍ୟର ହାତ ବଢାନ୍ତି 5T ସଚିବ ଭିକେ ପାଣ୍ଡିଆନ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ଗାଁର ଝିଅ ଚିନ୍ତାମଣି ଗୌଡ଼ । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ମୋଟ ୫୮୪ ନମ୍ବର ରଖି ସମଗ୍ର ବ୍ଲକରେ ଟପ୍ପର ହୋଇଥିଲେ । ହେଲେ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ଚିନ୍ତାରେ ଥିଲେ ଚିନ୍ତାମଣି । ଏତିକି ବେଳେ ଏହି ଖବର ପହଞ୍ଚିଥିଲା 5T ସଚିବଙ୍କ ପାଖରେ । ତୁରନ୍ତ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଛାତ୍ରୀଙ୍କ ପାଠପଢ଼ା ଉପରେ ହସ୍ତକ୍ଷେପ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ପରେ ଚନ୍ଦାହାଣ୍ଡି ବିଡିଓ ଧର୍ମର ମାଝୀ ଚିନ୍ତାମଣିଙ୍କ କଲେଜ ପଢ଼ିବା ପାଇଁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସାହାଯ୍ୟ କରିଛନ୍ତି ।

ଚିନ୍ତାମଣି ତାଙ୍କ ପ୍ରାଥମିକ ଶିକ୍ଷା ଗମ୍ଭାରିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ପଢିଥିବା ବେଳେ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରୁ ସେ ମାଟ୍ରିକରେ ବ୍ଲକ ଟପ୍ପର ହୋଇଛନ୍ତି । ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରି ଦଶମରେ ୫୮୪ ନମ୍ବର ରଖିଥିଲେ । ସାହାଯ୍ୟ ପାଇବା ପରେ ଆଗକୁ ଅଧିକ ପାଠ ପଢ଼ି ଭବିଷ୍ୟତରେ ବିଜ୍ଞାନ ଶିକ୍ଷୟତ୍ରୀ ହେବାର ଲକ୍ଷ୍ୟ ରଖିଛନ୍ତି ଚିନ୍ତାମଣି । ଛାତ୍ରୀଙ୍କ ପାଠପଢ଼ା ଉପରେ ନଜରର ରଖାଯାଇଛି । ଆଗକୁ ଯାହା ଦରକାର ତାହା ସାହାଯ୍ୟ କରାଯିବ ବୋଲି କହିଛନ୍ତି ଚାନ୍ଦାହାଣ୍ଡି ବିଡିଓ ଧର୍ମରାଜ୍ ମାଝୀ ।

ଗ୍ରାମାଞ୍ଚଳର କୌଣସୀ ମେଧାବୀ ଛାତ୍ର ଶିକ୍ଷା ପାଇଁ ଅଭାବ ଆଗରେ ମୁଣ୍ଡ ନୁଆଁଇବେ ନାହିଁ । ସମସ୍ତ ବଣମଲ୍ଲିକୁ ବାହାରକୁ ଆଣି ନୂଆ ପରିଚୟ ଦେବାକୁ ସବୁବେଳେ ତତ୍ପର 5T ସଚିବ ଭିକେ ପାଣ୍ଡିଆନ ।

HSRP ନମ୍ବର ପ୍ଲେଟ୍‌ ନଥିଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ, ଜୁନ ୨୩ରୁ କଠୋର ନିୟମ ଲାଗୁ

ଭୁବନେଶ୍ୱର: HSRP ନମ୍ବର ପ୍ଲେଟ ନଥିଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ । ଜୁନ ୨୩ରୁ ଆଦାୟ ହେବ ମୋଟା ଅଙ୍କର ଫାଇନ୍ । HSRP ନମ୍ବର ପ୍ଲେଟ ନଥିଲେ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବା ସହ ୫ ହଜାର କିମ୍ବା ୧୦ ହଜାର ଟଙ୍କାର ଜୋରିମାନା ଆଦାୟ କରାଯିବ । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

୨୦୨୩ ଜୁନ ୭ ସୁଦ୍ଧା ମୋଟ୍ ୪୦ ଲକ୍ଷ ୯୩ ହଜାର ୬୦୮ ଗାଡ଼ି ସ୍ଲଟ ବୁକିଂ ହୋଇଛି । ସେଥିମଧ୍ୟରୁ ୩୫ ଲକ୍ଷ ୮୭ ହଜାର ୫୭୭ ଗାଡ଼ିରେ ଏଚଏସଆରପି ଲଗାଯାଇଛି । ଦଣ୍ଡ ବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକଙ୍କୁ ଶୀଘ୍ର HSRP ଲଗାଇବାକୁ ପରାମର୍ଶ ଦିଆଯାଇଛି ।

ପାକିସ୍ତାନକୁ ଓଟିପି ସେୟାର ମାମଲାରେ ଆଉ ଜଣେ ଗିରଫ

ଭୁବନେଶ୍ୱର: ପାକିସ୍ତାନକୁ ଓଟିପି ସେୟାର ମାମଲାରେ ଆଉ ଜଣେ ଗିରଫ । ଅଭିଯୁକ୍ତ ପ୍ରଦ୍ୟୁମ୍ନ କୁମାର ସାହୁକୁ ଗିରଫ କଲା STF । ପ୍ରଦ୍ୟୁମ୍ନର ଘର ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ମହିତମା ଗାଁରେ । ପାକିସ୍ତାନ ସୁନ୍ଦରୀଙ୍କ ଜରିଆରେ ଟ୍ରାପ୍ ହୋଇଥିଲେ ଅଭିଯୁକ୍ତ । ମାମଲାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା STF । ୫୦୦ରୁ ଅଧିକ ସିମ୍ ମୁଖ୍ୟ ଅଭିଯୁକ୍ତକୁ ଦେଇଥିଲେ ପ୍ରଦ୍ୟୁମ୍ନ । ମହିଳାଙ୍କ ପ୍ରୋଫାଇଲ ଫଟୋ ରଖି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଫସାଉଥିଲେ । ପୂର୍ବରୁ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯାଇଥିଲା । ଦେଶଦ୍ରୋହ ସମ୍ପର୍କିତ ତଥ୍ୟ NIA ଓ IBକୁ ହସ୍ତାନ୍ତର କରିଛି STF ।

ଟ୍ବିନ ସିଟିରେ କାଳବୈଶାଖୀ ବର୍ଷା, ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର: ଟ୍ବିନ ସିଟିରେ କାଳବୈଶାଖୀ ବର୍ଷା। ଭୁବନେଶ୍ବର, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼ । ବିଭିନ୍ନ ସ୍ଥାନରେ ପବନ ସହ ଖଣ୍ଡିଆ ଭୂତ ଦେଖାଯାଇଛି । ରାଜଧାନୀ ଭୁବନେଶ୍ବରରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ବର୍ଷା ପରେ ରାଜଧାନୀବାସୀ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ।

ନ୍ୟୁ ଜେନେରେସନ ବାଲାଷ୍ଟିକ ମିସାଇଲ ’ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ

ବାଲେଶ୍ୱର: ନ୍ୟୁ ଜେନେରେସନ ବାଲାଷ୍ଟିକ ମିସାଇଲ ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ ହୋଇଛି । ଧାମରା ଅବଦୁଲ କାଲାମ ଦ୍ବୀପରୁ ରାତ୍ରୀକାଳୀନ ପରୀକ୍ଷା କରିଛି ଷ୍ଟାଟେଜିକ୍ ଫୋର୍ସ କମାଣ୍ଡ । ମଧ୍ୟମ ଦୂରଗାମୀ ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ର ସ୍ଥିରିକୃତ ବେଗ, ଦିଗ ଓ ଲକ୍ଷ୍ୟ ସ୍ଥଳକୁ ସଠିକ୍ ଭାବେ ଟାର୍ଗେଟ କରିପାରିଥିବା ପ୍ରତିରକ୍ଷା ବିଭାଗ ତରଫରୁ କୁହାଯାଇଛି । ଏହି ପରୀକ୍ଷା ପରେ ସେନାରେ ଅଗ୍ନି ପ୍ରାଇମ୍ ମିସାଇଲକୁ ବ୍ୟବହାର ପାଇଁ ଅନୁମୋଦନ କରାଯିବ ।

ଅଗ୍ନି ପ୍ରାଇମର ଲକ୍ଷ୍ୟଭେଦ କ୍ଷମତା ୨ ହଜାର କିଲୋମିଟର । ଏଥିରେ ୩୦୦୦ କେଜି ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ । କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଆରଡିଓର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ହ୍ୱିଲ୍ ଚେୟାର ଆକ୍ସେସ ନଥିବାରୁ ଦିବ୍ୟାଙ୍ଗ ଆଥଲେଟଙ୍କୁ ଆଡମିଶନ ପାଇଁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ଦିବ୍ୟାଙ୍ଗ ଆଥଲେଟଙ୍କୁ ସ୍କୁଲରେ ମିଳିଲାନି ଆଡମିସନ୍ । ପାଠପଢ଼ା ପାଇଁ ପରିବାର ସହ ଡେରାଡୁନରୁ ବେଙ୍ଗାଲୁରୁ ସିଫ୍ଟ ହେବେ ପାରା ଆଥଲେଟ୍ ହୋପ୍ ଡାଭିଡ୍ । ଅନ୍ତର୍ଜାତୀୟସ୍ତରରେ ଦେଶ ପାଇଁ ଗୌରବ ଆଣିଥିବା ହୋପଙ୍କୁ ସ୍କୁଲରେ ଆଡମିସନ୍ ଦେବାକୁ ମନା କରିଦେଇଛନ୍ତି ଡେରାଡୁନର ଏକାଧିକ ନାମିଦାମୀ ସ୍କୁଲ । ଫଳରେ ହୋପଙ୍କ ପାଠପଢ଼ା ପାଇଁ ପରିବାର ବେଙ୍ଗାଲୁରୁ ସିଫ୍ଟ ହେବାକୁ ନିଷ୍ପତ୍ତି ନେଇଛନ୍ତି । ହୋପ୍ ହ୍ବିଲ ଚେୟାର ଟେନିସ୍ ଓ ହ୍ବିଲ ଚେୟାର ରେସିଂ ଆଥଲେଟ ।

ନିକଟରେ ଦୁବାଇରେ ଆୟୋଜିତ ମାରାଥନରେ ୩୫ ମିନିଟରେ ୪ କିମି ରେସିଂ କରି ରେକର୍ଡ କରିଥିଲେ ହୋପ୍ । ଡେରାଡୁନରେ ଥିବା ବହୁ ନାମି ସ୍କୁଲରେ ହ୍ବିଲ ଚେୟାର ଛାତ୍ରଛାତ୍ରୀଙ୍କ ପାଇଁ କିଛି ସୁବିଧା ନାହିଁ । ରାମ୍ପ କରାଯାଇ ନଥିବା ବେଳେ ଲିଫ୍ଟ ବ୍ୟବସ୍ଥା ମଧ୍ୟ ନାହିଁ । ଫଳରେ ହୋପଙ୍କ ଭଳି ଛାତ୍ରୀଙ୍କୁ ସ୍କୁଲରେ ନାମଲେଖା ଅନୁମତି ମିଳୁନଥିବା ତାଙ୍କ ମାଆ କହିଛନ୍ତି । ବେଙ୍ଗାଲୁରୁର ଅନେକ ସ୍କୁଲରେ ହୋପଙ୍କ ଭଳି ପିଲାଙ୍କ ପାଇଁ ସୁବିଧା ଥିବାରୁ ସେଠାରୁ ଚାଲିଯିବାକୁ ନିଷ୍ପତ୍ତି ନେଇଛୁ ବୋଲି ହୋପଙ୍କ ମାଆ କହିଛନ୍ତି ।

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ । ଏହା ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି ।  ଚଳିତବର୍ଷ କଳାରେ ୨ ଲକ୍ଷ ୨୯ ହଜାର ୧୧୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିପରି ଧନ୍ଦାମୂଳକରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଧନ୍ଦାମୂଳକ ଶିକ୍ଷାରେ ମୋଟ ୩ ହଜାର ୮୬୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏହି ମୋଟ୍‌ ପାସ ହାର ମଧ୍ୟରୁ ଛାତ୍ରୀଙ୍କ ପାସ୍ ହାର ୭୧.୧୦ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କ ପାସ୍ ହାର ୬୪.୨୩ ପ୍ରତିଶତ ରହିଛି । ସେହିପରି ଯୁକ୍ତ ଦୁଇ କଳାରେ ମୋଟ୍ ୧ ଲକ୍ଷ ୮୧ ହଜାର ୮୬୯ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । କଳାରେ ପାସହାର ରହିଛି ୭୮.୮୮ ପ୍ରତିଶତ । ଯୁକ୍ତଦୁଇ କଳରେ ପ୍ରଥମ ଶ୍ରେଣୀରେ ୩୨ହଜାର ୭୮୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୩୨ ହଜାର ୪୬୧ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି ୧ ଲକ୍ଷ ୧୬ହଜାର ୧୭୯ ଛାତ୍ରଛାତ୍ରୀ ।

ପୂର୍ବରୁ ଗତ ମେ’ ୩୧ ତାରିଖରେ ପ୍ରକାଶ ପାଇଥିଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଭୁବନେଶ୍ୱର ସିଏଚଏସଇ କାର୍ଯ୍ୟାଳୟ ପରିସରରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଫଳାଫଳ ଘୋଷଣା କରିଥିଲେ । ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ଆଗରେ ଛାତ୍ରୀ ଥିଲେ । ଆସନ୍ତାବର୍ଷଠାରୁ ଯୁକ୍ତ ଦୁଇ ପରୀକ୍ଷାରେ ବ୍ୟାପକ ସଂସ୍କାର ଅଣାଯିବ ନେଇ ଲକ୍ଷ୍ୟ ରହିଛି । ଆସନ୍ତାବର୍ଷ ଏକାସାଙ୍ଗରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ନେଇ ସିଏଚଏସଇ ପ୍ରତିଶ୍ରୁତି ଦେଇଛି ।

ବ୍ରିଜ୍ ପିଲର ମଝିରେ ଫସିଛି ନାବାଳକ, ଉଦ୍ଧାର ପାଇଁ ଜାରି ରହିଛି ରେସ୍କ୍ୟୁ ଅପରେସନ୍

ପାଟନା: ବ୍ରିଜ୍ ପିଲର ମଝିରେ ଫସିଛି ନାବାଳକ । ବିହାର ରୋହତାସ ଜିଲ୍ଲାର ନାସିରଗଞ୍ଜ ଦାଉଦନଗରରେ ଥିବା ଏକ ପୋଲର ଦୁଇଟି ଖୁଣ୍ଟ ମଝିରେ ଫସି ରହିଥିବା ନାବାଳକକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୧୧ ବର୍ଷୀୟ ରଞ୍ଜନ ମାନସିକ ଦୁର୍ବଳ ହୋଇଥିବା ବେଳେ ଗତକାଲିଠାରୁ ସେ ଫେରାର ଥିଲେ । ଅନେକ ସମୟ ଧରି ଖୋଜାଖୋଜି ପରେ ବି ତାଙ୍କ ପତ୍ତା ମିଳି ନଥିଲା । ପୋଲ ଖୁଣ୍ଟ ମଝିରୁ ପିଲା କାନ୍ଦୁଥିବାର ଶବ୍ଦ ଶୁଣି ରଞ୍ଜନଙ୍କ ପରିବାରକୁ ଜଣାଇଥିଲେ । ଗତକାଲି ଅପରାହ୍ଣ ୪ଟାରୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଏନଡିଆରଏଫ ଟିମ୍, ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ରେସ୍କ୍ୟୁ ଜାରି ରହିଛି । ଏବେସୁଦ୍ଧା ନାବାଳକଙ୍କୁ ଉଦ୍ଧାର କରାଯାଇପାରିନାହିଁ ।