spot_img
Home Blog Page 3215

ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ

ଭୁବନେଶ୍ୱର :  ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ । ଅନ୍ୟ ପାଇଁ ଝାଳ ବୁହାଉଥିବା ମଣିଷ ପାଇଁ ଦିନଟିଏ । ୮୦ରୁ ଅଧିକ ଦେଶରେ ପ୍ରତିବର୍ଷ ମେ ଏକ ତାରିଖକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି ।

ଶ୍ରମିକ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ତରଫରୁ ଭୁବନେଶ୍ବର ଜୟଦେବ ଭବନରେ ରାଜ୍ୟସ୍ତରୀୟ ସମାରୋହ ପାଳନ କରାଯାଉଛି । ଏହି ଅବସରରେ 5T ଉପକ୍ରମରେ ଶ୍ରମିକ ମାନଙ୍କ ପାଇଁ ନୂତନ ପ୍ରଯୁକ୍ତି ସେବାର ଶୁଭାରମ୍ଭ କରାଯିବ । ଯେଉଁଥିରେ ଓଡିଶାର ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡର ଓ୍ବେବସାଇଟ ଓ ଅନଲାଇନ ପୋର୍ଟାଲ ଉନ୍ମୋଚିତ ହେବ ।

ପରିଶ୍ରମ ପୋର୍ଟାଲ ମାଧ୍ୟମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ୧୫ଟି ନୂତନ ସେବା ମିଳିପାରିବ । ସେହିପରି ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ନିର୍ମାଣ ଶ୍ରମିକ ପୋର୍ଟାଲ ମାଧ୍ୟମରେ ସେସ ମଡ୍ୟୁଲ ଆରମ୍ଭ କରାଯିବ । ସମାରୋହରେ ମୁଖ୍ୟ ଅତିଥିଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମଇ ଦିବସର ଅବସରରେ ରାଜ୍ୟର ପ୍ରଗତିରେ ଶ୍ରମିକ ଭାଇଭଉଣୀ ମାନଙ୍କ ଅମୂଲ୍ୟ ଯୋଗଦାନକୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି ।

ଗ୍ରାହକଙ୍କୁ ଆଶ୍ୱସ୍ତି; ଶସ୍ତା ହେଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର

ନୂଆଦିଲ୍ଲୀ :  ଶସ୍ତା ହେଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର । ୧୯କେଜିଆ କମର୍ସିଆଲ ସିଲିଣ୍ଡର ଦର ୧୭୧.୫ଟଙ୍କାକୁ ହ୍ରାସ କରିଛନ୍ତି ତେଲ କମ୍ପାନୀ । ଫଳରେ ପୂର୍ବରୁ କମର୍ସିଆଲ ସିଲି ଣ୍ଡର ଦର ୨୦୨୮ଟଙ୍କା ଥିବା ବେଳେ ଏବେ ଦର ହ୍ରାସ ପାଇ ୧୮୫୬.୫୦ରେ ପହଞ୍ଚିଛି । ଆଜିଠୁ ଏହି ହ୍ରାସ ଦର ଲାଗୁ ହୋଇଛି । ପୂର୍ବରୁ ୯୧ଟଙ୍କା ୫୦ପଇସା ହ୍ରାସ ପାଇଥିଲା କମର୍ସିଆଲ ସିଲିଣ୍ଡରର ଦର । ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।

ବଦଳିଲା ପାଣିପାଗର ମିଜାଜ, ସାରା ରାଜ୍ୟରେ ମେଘୁଆ ପାଗ

ଭୁବନେଶ୍ୱର :  ତାତିରୁ ମିଳିଲଶ ଆଶ୍ବସ୍ତି, ବଦଳିଲା ପାଣିପାଗର ମିଜାଜ । ସାରା ରାଜ୍ୟରେ ଜାରି ରହିଛି ମେଘୁଆ ପାଗ । କିଛି ସ୍ଥାନରେ ସକାଳୁ ହାଲୁକା ବର୍ଷା ହେଉଛି । ରାଜଧାନୀ ଭୁବନେଶ୍ବରରେ ପାଗ ମେଘୁଆ ରହିବା ସହ ଝିପିଝିପି ବର୍ଷା ମଧ୍ୟ ହୋଇଛି । ସମ୍ବଲପୁର ଓ ବରଗଡ଼ରେ ସକାଳୁ ପ୍ରବଳ ବର୍ଷା ହୋଇଛି ।

ଆଜି କାଳବୈଶାଖୀ ନେଇ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ତୁହାକୁ ତୁହା ବର୍ଷା ହେଉଛି । ଝଡ଼ ତୋଫାନ ସମୟରେ ଘରୁ ନବାହିରାବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଶେଷ ଦିନ ; ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେବେ ମାଆ

ବ୍ରହ୍ମପୁର :  ଆଜି ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଶେଷ ଦିନ । ଦିନ ତମାମ ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେବା ପରେ ମଧ୍ୟରାତ୍ରୀରେ ମୁଖ୍ୟ ମନ୍ଦିରକୁ ଫେରିବେ ମାଆ । ବାପଘରୁ ଭାରତୁରା ନେଇ ଶାଶୂଘରକୁ ଯିବେ ମାଆ ସାଆନ୍ତାଣୀ । ଝିଅ ବିଦାବେଳେ ବାପଘର ସାହିରେ ଦେଖିବାକୁ ମିଳିବ ଭାବପୂର୍ଣ୍ଣ ଦୃଶ୍ୟ । ଏହାପରେ ବେଷଭୂଷା ସହ ଦେଶିବେହେରା ସାହିରୁ ମୁଖ୍ୟ ମନ୍ଦିରକୁ ବାହାରିବ ବିରାଟ ପଟୁଆର ।

ବିଭିନ୍ନ ସାହି ପରିକ୍ରମା କରିବା ସହ ମାନସିକଧାରୀ ଶ୍ରଦ୍ଧାଳୁମାନେ ନିଜ ମାନସିକ ଘଟକୁ ଧରି ମାଆଙ୍କ ପଛେ ପଛେ ଯାତ୍ରା କରିବେ । କଟକଣା ଯୋଗୁଁ ବିଗତ ବର୍ଷ ଯାତ୍ରା ହୋଇ ନଥିବାରୁ ଏଥର ଅଧିକ ସଂଖ୍ୟାରେ ମାନସିକ ଘଟଧାରୀ ଯାତ୍ରା କରିବାର ସମ୍ଭାବନା ରହିଛି । ପାଖାପାଖି ୭୦ରୁ ୮୦ ହଜାର ମାନସିକ ଘଟଧାରୀ ମହିଳା ମାଆଙ୍କ ସହ ଯାତ୍ରା କରିବେ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ମାନସିକଧାରୀ ମୁଖ୍ୟ ମନ୍ଦିରରେ ଘଟ ବିସର୍ଜନ କରି ଘରକୁ ଫେରିବେ । ମାଆଙ୍କ ଆଗମନକୁ ନେଇ ଉତ୍ସାହିତ ଶାଶୂଘର ଲୋକେ । ମାଆ ଫେରୁଥିବାରୁ ସାହିରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ୨ ତାରିଖ ଅପରାହ୍ନ ଯାଏଁ ମନ୍ଦିରରେ ଘଟ ବିସର୍ଜନ କାର୍ଯ୍ୟକ୍ରମ ରହିଛି ।

ନ୍ୟାୟ ଅପେକ୍ଷାରେ କୁସ୍ତିଯୋଦ୍ଧା ; ନବମ ଦିନରେ ଧାରଣା

ନୂଆଦିଲ୍ଲୀ : ଦିଲ୍ଲୀର ଜନ୍ତର-ମନ୍ତ୍ରର ଠାରେ କୁସ୍ତିଯୋଦ୍ଧାଙ୍କ ଧାରଣା ନବମ ଦିନରେ ପହଞ୍ଚିଛି । କୁସ୍ତିଯୋଦ୍ଧାମାନେ ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି । ଯେପର୍ଯ୍ୟନ୍ତ ନ୍ୟାୟ ନମିଳିଛି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ । କୁସ୍ତିଯୋଦ୍ଧା କହିଛନ୍ତି ଯେ, କୁସ୍ତିସଂଘ ଆନ୍ଦୋଳନକୁ ଭିନ୍ନରୂପ ଦେବାକୁ ଚେଷ୍ଟା କରୁଛି । ହେଲେ ନ୍ୟାୟାଳୟ ଉପରେ ପୂର୍ଣ୍ଣ ଭରସା ରହିଛି ।

କୌଣସି ଖେଳାଳୀଙ୍କ ଉପରେ ଅପରାଧିକ ମାମଲା ନଥିବା ବେଳେ ବ୍ରିଜଭୂଷଣଙ୍କ ଭଳି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଏବେ କୁସ୍ତି ମହାସଂଘର ସଂପାଦକ ଭାବେ ରହିଛନ୍ତି । ଆଇନଗତ ପ୍ରକ୍ରିୟା ଉପରେ କୁସ୍ତିଯୋଦ୍ଧାଙ୍କର କିଛି କହିବାର ନାହିଁ । ଅନେକ ରାଜ୍ୟର ଖେଳାଳିମାନେ ସମର୍ଥନ କରୁଛନ୍ତି । ଆଗକୁ ଲଢେଇ ଜାରି ରହିବ ବୋଲି କୁସ୍ତି ଯୋଦ୍ଧା କହିଛନ୍ତି । ସେପଟେ ରାଜନୈତିକ ସମର୍ଥନ ଯୋଗୁଁ ଏହି ଆନ୍ଦୋଳନ ଜୋର ଧରୁଛି ବୋଲି ବ୍ରିଜଭୂଷଣ କହିଛନ୍ତି ।

ଆଜିଠୁ ୩ମାସ ଯାଏ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ

କେନ୍ଦ୍ରାପଡ଼ା :  ଆଜିଠୁ ୩ମାସ ଯାଏ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ । ଜୁଲାଇ ୩୧ ତାରିଖ ଯାଏ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ଭିତରକନିକାରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଖେଇ ଆସୁଛି । ଏହାକୁ ଆଖି ଆଗରେ ରଖି ଉଭୟ ପର୍ଯ୍ୟଟକ ଓ କୁମ୍ଭୀରଙ୍କ ସୁରକ୍ଷା ଦୃଷ୍ଟିରୁ ରାଜନଗର ବନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ସମୟ ଭିତରେ ଦେଶ ବିଦେଶରପର୍ଯ୍ୟଟକଙ୍କ ଭିତରକନିକା ଭ୍ରମଣ ଓ ପ୍ରବେଶ ବନ୍ଦ ରହିବ। ପ୍ରଜନନ ଋତୁ ସମୟରେ କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ବସା ବାନ୍ଧନ୍ତି । ନଦୀକୂଳ ଠାରୁ ଜୁଆର ଛୁଇଁପାରୁନଥିବା ନିରାପଦ ସ୍ଥାନରେ ବସାବାନ୍ଧି ଅଣ୍ଡା ଦେଇଥାନ୍ତି । ଏହି ସମୟରେ କୁମ୍ଭୀର ଅଧିକ ହିଂସ୍ର ହୋଇଥାନ୍ତି । ସେମାନଙ୍କୁ ବାଧାଦେଲେ ଆକ୍ରମଣ କରିବାକୁ ପଛାନ୍ତି ନାହିଁ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩ମାସ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି ।

ରାଜ୍ୟ ସରକାରଙ୍କ ଫୋକସରେ ପଛୁଆ ବର୍ଗ; ଆଜିଠୁ ସ୍ୱତନ୍ତ୍ର ସର୍ଭେ

ଭୁବନେଶ୍ୱର :  ରାଜ୍ୟ ସରକାରଙ୍କ ଫୋକସରେ ପଛୁଆ ବର୍ଗ । ସେମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତିକୁ ନେଇ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର ସର୍ଭେ । ଓଡିଶା ସରକାରଙ୍କ ଦ୍ବାରା ଅଧିସୂଚୀତ ପଛୁଆ ବର୍ଗର ଲୋକଙ୍କୁ ନେଇ ସର୍ଭେ କରାଯିବ । ଉଭୟ ଅନଲାଇନ ଓ ଅଫଲାଇନରେ ତଥ୍ୟ ଦାଖଲ କରିହେବ ।

ଓବିସି କମିଶନଙ୍କ ଓ୍ବେବସାଇଟରେ ଅନଲାଇନ୍ ଏବଂ ଅଙ୍ଗନବାଡି ଓ ସ୍କୁଲ ଘରେ ଖୋଲିଥିବା ଏନୁମରେଟର କେନ୍ଦ୍ରରେ ଅଫଲାଇନରେ ତଥ୍ୟ ଦାଖଲ କରିପାରିବେ । ଏଥିରେ ଅଙ୍ଗନବାଡି କର୍ମୀ ଓ ଶିକ୍ଷକ ଏନୁମରେଟର ଭାବେ ନିୟୋଜିତ ହେବେ । ସୁରପଭାଇଜରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ମେ ୨୧ରୁ ୨୭ ଯାଏ ହେବ ସ୍ପେଶାଲ ଡ୍ରାଇଭ ।

ଉଭୟ ଅନଲାଇନ ଓ ଅଫଲାଇନରେ ସଂଗୃହିତ ତଥ୍ୟକୁ ଡିଜିଟାଲ ଫର୍ମାଟରେ ରଖାଯିବ। ପରେ ଜୁନ ୬ରେ ଡ୍ରାଫ୍ଟ ପବ୍ଲିକେସନ କରି ଗ୍ରହଣ କରାଯିବ ଆପତ୍ତି ଅଭିଯୋଗ । ଜୁଲାଇ ୧୨ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତଥ୍ୟ । ଏଥିଲାଗି ସବୁ ଜିଲ୍ଲାରେ ଟ୍ରେନରଙ୍କୁ ଦିଆଯାଇଛି ତାଲିମ ।

ଭୁବନେଶ୍ବରରେ ମୋଟ ୧୦୧ଟି କେନ୍ଦ୍ରରେ ହେବ ସର୍ଭେ କାର୍ଯ୍ୟ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲରହିବ ସମସ୍ତ କେନ୍ଦ୍ର । ପଛୁଆ ବର୍ଗ ଅନ୍ତର୍ଗତ ବ୍ୟକ୍ତି ନିଜ ଜାତି ସମ୍ପର୍କିତ ତଥ୍ୟ ଓ ପ୍ରମାଣ ପତ୍ର ସହ କେନ୍ଦ୍ରକୁ ଯାଇ କରିବେ ପଞ୍ଜିକରଣ । ରାଜ୍ୟ ସରକାର ୨୦୨୦ ମସିହାରେ ଓବିସି କମିଶନ ଗଠନ କରିଥିଲେ । ୨୦୨୧ରେ ପଛୁଆବର୍ଗ ସର୍ଭେ କରିବାକୁ ଚାହିଁଥିଲେ ବି କୋଭିଡ ଯୋଗୁ ସମ୍ଭବ ହୋଇନଥିଲା । ପଛୁଆ ବର୍ଗଙ୍କୁ ସାମାଜିକ, ଶିକ୍ଷାଗତ ଓ ଅର୍ଥନୈତିକ ସୁବିଧା ସୁଯୋଗ ଦେବାପାଇଁ ଆଜିଠୁ ସର୍ଭେ କରାଯିବ ।

କେନ୍ଦ୍ରାପଡ଼ାର ଶିକ୍ଷାନୁଷ୍ଠାନ ବିକାଶ ପାଇଁ ସ୍ବତନ୍ତ୍ର ଅନୁଦାନ

ଭୁବନେଶ୍ବର:ଦୀର୍ଘଦିନର ସମସ୍ୟା ୨୪ ଘଣ୍ଟାରେ ପୂରଣ । କେନ୍ଦ୍ରାପଡାର ଶିକ୍ଷାନୁଷ୍ଠାନର ବିକାଶ ପାଇଁ ରାଜ୍ୟ ସରକାର ଦେଲେ ସ୍ବତନ୍ତ୍ର ଅନୁଦାନ । ୨ଟି ପର୍ଯ୍ୟାୟରେ ସ୍କୁଲ ଓ କଲେଜରେ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ବ୍ୟବସ୍ଥା ପାଇଁ ଅର୍ଥରାଶୀ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫୭ଟି ସ୍କୁଲ ପାଇଁ ଖର୍ଚ୍ଚ ହେବ ୨୬ କୋଟି, ଦ୍ବିତୀୟ ପର୍ଯ୍ୟାୟରେ ୨୫ଟି କଲେଜ ପାଇଁ ଖର୍ଚ୍ଚ ହେବ ୧୮ କୋଟି ଟଙ୍କା ।

ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ, ପାନୀୟ ଜଳ ସହ ଶୌଚାଳୟ ବ୍ୟବସ୍ଥା ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ । ଏଥିସହ ଦ୍ବିତୀୟ ପର୍ଯ୍ୟାୟ ପାଇଁ ୨୫ଟି କଲେଜରେ ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ, ପାନୀୟ ଜଳ ସହ ଶୌଚାଳୟ ପାଇଁ ୧୮ କୋଟି ଟଙ୍କା ଖର୍ଚ୍ଚ ହେବ । ନିକଟରେ 5T ସଚିବ ଭିକେ ପାଣ୍ଡିଆନଙ୍କ କେନ୍ଦ୍ରାପଡା ଗସ୍ତ ସମୟରେ ଏଭଳି ବ୍ୟବସ୍ଥା ପାଇଁ ଛାତ୍ରଛାତ୍ରୀ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ମାଧ୍ୟମରେ ସ୍କୁଲ ଓ କଲେଜ ପାଇଁ ଅନୁଦାନ ରାଶୀ ପ୍ରଦାନ କରାଯାଇଛି ।

ବଦଳିବ ବୁଢ଼ୀ ଠାକୁରାଣୀ ମନ୍ଦିର ରୂପ: ୧୫ ଦିନରେ ମାଷ୍ଟର ପ୍ଲାନ ଦେବାକୁ 5T ସଚିବଙ୍କ ପରାମର୍ଶ

ଭୁବନେଶ୍ବର: ରୂପାନ୍ତରିତ ହେବ ମାଆ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର । ନୂଆ ରୂପରେ ଝଟକିବ ମନ୍ଦିର । ଏଥିପାଇଁ ମାଷ୍ଟାର ପ୍ଲାନ ପ୍ରସ୍ତୁତ କରି ୧୫ ଦିନ ମଧ୍ୟରେ ଦେବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି 5T ସଚିବ ବ୍ରହ୍ମପୁର ଗସ୍ତରେ ଯାଇ ମାଆ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରିଥିଲେ । ବ୍ରହ୍ମପୁରରେ ପହଞ୍ଚିବା ପରେ ପ୍ରଥମେ ମାଆଙ୍କ ଯାତ୍ରା ସ୍ଥଳକୁ ଯାଇ ଅସ୍ଥାୟୀ ମନ୍ଦିରରେ ମାଆଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ । ଏହାପରେ ସ୍ଥାୟୀ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିବା ସହ ଦୀପ ଜାଳି ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଥିଲେ । ପରେ ମନ୍ଦିର ପରିଦର୍ଶନ କରିବା ସହ ଏହାର ବିକାଶ ସମ୍ପର୍କରେ ମନ୍ଦିର କମିଟି ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ।

ବୁଢ଼ୀ ଠାକୁରାଣୀ ମନ୍ଦିର ଏକ ପ୍ରାଚୀନ ମନ୍ଦିର । ପ୍ରତିଦିନ ଏଠାକୁ ଶହ ଶହ ଭକ୍ତ ଆସିଥାନ୍ତି । ତେଣୁ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେଠାରେ ଉପଯୁକ୍ତ ଭିତ୍ତିଭୂମିର ବିକାଶ କରିବାକୁ ସ୍ଥିର କରାଯାଇଥିଲା । ଏନେଇ ୧୫ ଦିନ ମଧ୍ୟରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ 5T ସଚିବ ପରାମର୍ଶ ଦେଇଥିଲେ ।

ଆଲୋଚନାରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ ସଭ୍ୟ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲାପାଳ ପ୍ରମୁଖ ଭାଗ ନେଇଥିଲେ ।

ଭୁବନେଶ୍ବରରେ ଶୀଘ୍ର କାର୍ଯ୍ୟକାରୀ ହେବ ସ୍ବତନ୍ତ୍ର ପେଟ ଆକ୍ଟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଖୁବଶୀଘ୍ର ଲାଗୁ ହେବ ସ୍ବତନ୍ତ୍ର ପେଟ ଆକ୍ଟ । ଗତକାଲି ଅନୁଷ୍ଠିତ ବିଏମସିର କର୍ପୋରେସନ ବୈଠକରେ ସର୍ବସମ୍ମତି କ୍ରମେ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ସ୍ବତନ୍ତ୍ର ଆଇନ ପାରିତ ହୋଇଛି । ଏହାକୁ ବିଏମସି ପକ୍ଷରୁ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ବିଭାଗକୁ ପଠାଯିବ । ସରକାରଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହୋଇ ଭୁବନେଶ୍ବର ପାଇଁ କାର୍ଯ୍ୟକାରୀ କରାଯିବ ।

ପୂର୍ବରୁ ଚିଠା ପ୍ରସ୍ତୁତ କରି ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ପଶୁପ୍ରେମୀ, ପଶୁପକ୍ଷୀଙ୍କ ମାଲିକଙ୍କ ପରାମର୍ଶ ନିଆଯାଇଥିଲା । ଏହି ଆଇନ କାର୍ଯ୍ୟକାରୀ ହେଲେ ଏଣିକି ଘରେ ପଶୁପକ୍ଷୀଙ୍କୁ ରଖିବାକୁ ହେଲେ ବିଏମସିର ଅନୁମତି ସହ ପଞ୍ଜିକରଣ କରିବା ବାଧ୍ୟତାମୂଳକ ହେବ । ପଶୁପକ୍ଷୀଙ୍କ ପାଇଁ ନିଜସ୍ବ ତଥା ସ୍ବତନ୍ତ୍ର ସ୍ଥାନ ନଥିଲେ ଜନବସତି ମଧ୍ୟରେ ପୋଷିବା କଷ୍ଟକର ହେବ । ପେଟ ଆକ୍ଟ ଲାଗୁ ହେଲେ ଭୁବନେଶ୍ବର ରାଜ୍ୟର ପ୍ରଥମ ସହର ହେବ ବୋଲି ସୂଚନା ଦେଇଛନ୍ତି ବିଏମସି ଡେପୁଟି କମିଶନର ରମେଶ ଚନ୍ଦ୍ର ଜେନା ।