ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ବିଷ ଦେଇ ମାରିଦେବାକୁ ଧମକ, ଭୟରେ ସ୍କୁଲ ଯାଉ ନାହାନ୍ତି ପିଲା

ନୟାଗଡ଼: ଖାଦ୍ୟରେ ବିଷଦେଇ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାରିଦେବାକୁ ଧମକ୍ । ମହିଳା ରୋଷେୟା ଭଗବତୀ ଯାନୀଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ଅଭିଭାବକମାନେ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ବାଣିଗୋଛା ଥାନା କନେଡି ଗାଁରୁ ଆସିଛି ଏଭଳି ଅଭିଯୋଗ ।

ଦୁଡା ଓ କନେଡି ଗାଁ ମଧ୍ୟରେ କେନ୍ଦୁପତ୍ରକୁ ନେଇ ବହୁଦିନ ଧରି ବିବାଦ ଚାଲିଥିଲା । କନେଡି ଗାଁର ଛାତ୍ରଛାତ୍ରୀମାନେ ଦୁଡା ବିଦ୍ୟାଳୟକୁ ପାଠ ପଢିବାକୁ ଆସିଥାନ୍ତି । ଗାଁ ବିବାଦକୁ କେନ୍ଦ୍ରକରି ଦୁଡା ବିଦ୍ୟାଳୟର ମହିଳା ରୋଷେୟା ଭଗବତୀ ଜାନୀ ଗାଁର ଛାତ୍ରଛାତ୍ରୀଙ୍କୁ ଖାଦ୍ୟରେ ବିଷଦେଇ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ଫଳରେ କନେଡି ଗାଁର ପ୍ରାୟ ୨୭ ଜଣ ଛାତ୍ରଛାତ୍ରୀ ଭୟରେ ୧୩ ଦିନ ହେଲା ବିଦ୍ୟାଳୟକୁ ଯାଉନାହାନ୍ତି । ମହିଳା ରୋଷେୟା ଜଣକ ବାରମ୍ବାର ଏଭଳି ଧମକ ଦେବା ଫଳରେ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ବିଦ୍ୟାଳୟ ପରିଚାଳନା କମିଟିକୁ ଅବଗତ କରାଇଛନ୍ତି ।

ଏ ବିଷୟରେ ମହିଳା ରୋଷେୟାଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି । ଯଦି ବିଦ୍ୟାଳୟ ପରିଚାଳନା କମିଟି ଏହି ସମସ୍ୟାର ସମାଧାନ ନକରନ୍ତି ତେବେ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ସହ ରାଜପଥ ଅବରୋଧ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି  । ଖୁବଶୀଘ୍ର ତଦନ୍ତ କରାଯାଇ ଘଟଣାର ସତ୍ୟତା ବାହାର କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସାଲା ।