କାଦୁଅ ପଚ ପଚ ଧାନ ବିଲରେ ରାହୁଲ, ଟ୍ରାକ୍ଟର ଚଳାଇଲେ, ଧାନ ରୋଇଲେ

ଚଣ୍ଡିଗଡ଼: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏବେ ଭିନ୍ନ ଭିନ୍ନ ଅବତାରରେ ଦେଖିବାକୁ ମିଳୁଛି । କେବେ ଟ୍ରକ୍ ଚଲାଉଛନ୍ତି ତ କେବେ ବାଇକ ମେକାନିକ୍ ହୋଉଛନ୍ତି। ଏବେ ଚାଷ କ୍ଷେତରେ ଚାଷୀ ବେଶରେ ନଜର ଆସିଛନ୍ତି ରାହୁଲ । ସକାଳୁ ସକାଳୁ ହରିୟାଣାର ସୋନିପତର ଏକ ଗାଁରେ ପହଞ୍ଚି ଅନ୍ୟ ଚାଷୀଙ୍କ ସହ ମିଶି ଧାନ ରୋଇଛନ୍ତି ରାହୁଲ ଗାନ୍ଧି ।

ସୂଚନା ଅନୁସାରେ, ରାହୁଲ ହିମାଞ୍ଚଳ ପ୍ରଦେଶ ଯାଉଥିଲେ । ରାସ୍ତାରେ ଚାଷୀଙ୍କୁ ଧାନ କ୍ଷେତ ରୋଉଥିବାର ଦେଖି ନିଜେ ସେମାନଙ୍କ ପାଖରେ ପହଞ୍ଚିଥିଲେ । ପିନ୍ଧିଥିବା ଫୁଲ୍ ପ୍ୟାଣ୍ଟ ଫୋଲ୍ଡ କରି ଚାଷ କ୍ଷେତକୁ ଓହ୍ଲାଇଥିଲେ । ନିଜେ ଧାନ ରୋଇବା ସହ ଟ୍ରାକ୍ଟର ଚଲାଇଥିଲେ ।  ଚାଷୀଙ୍କ ହାଲଚାଲ ପଚାରି ବୁଝିଥିଲେ । ହଠାତ୍ ରାହୁଲଙ୍କୁ ନିଜ ପାଖରେ ପାଇ ଖୁସି ହୋଇଯାଇଥିଲେ ଚାଷୀ ।

ବହୁ ଚର୍ଚ୍ଚିତ ଭାରତଯୋଡ ଯାତ୍ରା ପରେ ସାଧାରଣ ଲୋକଙ୍କୁ ଭେଟୁଛନ୍ତି ରାହୁଲ । ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଦୁଃଖ ବୁଝୁଛନ୍ତି । ଏହାପୂର୍ବରୁ ୨୩ ମେ’ ରେ ରାହୁଲ ଚଣ୍ଡିଗଡ଼ ଯାଇ ଟ୍ରକରେ ଯାତ୍ରା କରିଥିଲେ । ଟ୍ରକ୍‌ ଡ୍ରାଇଭରଙ୍କୁ ତାଙ୍କ ସମସ୍ୟା କଥା ପଚାରି ବୁଝିଥିଲେ । ବେଙ୍ଗାଳୁରୁରେ ଜଣେ ଡେଲିଭରୀ ବୟ ସହ ବାଇକରେ ଯାଇ ତାଙ୍କ ସମସ୍ୟା ବୁଝିଥିଲେ । ଦିଲ୍ଲୀ କରୋଲ ବାଗରେ ବାଇକ ମେକାନିକଙ୍କ ସହ ନିଜେ ଗାଡି ରିପାୟାର କରିବା ସହ ସେମାନଙ୍କ କଥା ବୁଝିଥିଲେ ।