ବିହାର ସରକାରୀ କାର୍ଯ୍ୟକ୍ରମ ପୋଷ୍ଟର ଓ ବ୍ୟାନରରୁ ଡେପୁଟି ସିଏମ ଗାଏବ

ପାଟନା :  ବିହାର ସରକାରୀ କାର୍ଯ୍ୟକ୍ରମ ପୋଷ୍ଟରରୁ ଗାଏବ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ତେଜସ୍ବୀ ଯାଦବ । ମଳମାସ ମେଳା ନେଇ ନାଳନ୍ଦାର ରାଜିଗିରିରେ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲଥିବାବେଳେ ମରାଯାଇଥିବା ପୋଷ୍ଟର ଓ ହୋର୍ଡିଂରେ ତେଜସ୍ବୀଙ୍କ ଉଭାନ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନାଳନ୍ଦା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିଜ ଜିଲ୍ଲା ହୋଇଥିବାବେଳେ କେବଳ ନୀତୀଶଙ୍କ ଫଟୋ ଲାଗିଛି ।

ପ୍ରତି ତିନିବର୍ଷରେ ଏହି ମେଳା ହେଉଥିବାରୁ ଜନସାଧାରଣଙ୍କୁ ହୋର୍ଡିଂ ଓ ପୋଷ୍ଟରରେ ସ୍ବାଗତ କରୁଛନ୍ତି ନୀତୀଶ । ପୋଷ୍ଟର ଓ ବ୍ୟାନରରେ ତେଜସ୍ବୀ ନଥିବାରୁ ନୀତୀଶ ଓ ତାଙ୍କ ଦଳ ମଧ୍ୟରେ ସୁସଂପର୍କ ନଥିବା ନେଇ ଚର୍ଚ୍ଚା ହେଉଛି । ଚାକିର ପାଇଁ ଜମି ଘୋଟାଲାରେ ସିବିଆଇ ଚାର୍ଜସିଟରେ ତେଜସ୍ବୀଙ୍କ ନାମ ଆସିବା ପରେ ତାଙ୍କୁ ସାଇଡ ଲାଇନ କରିବା ନେଇ ନୀତୀଶ ଉଦ୍ୟମ କରୁଛନ୍ତି ବୋଲି କୁହାଯାଉଛି ।

ତେବେ ଏସବୁକୁ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଆରଜେଡି ମୁଖପାତ୍ର ଶକ୍ତି ସିଂ ଯାଦବ । ଯେଉଁମାନେ ମେଳାରେ ମୁଖ୍ୟ ଅତିଥିଭାବେ ଯୋଗଦେବେ ସେମାନଙ୍କ ଫଟୋ ହୋର୍ଡିଂ ଓ ପୋଷ୍ଟରରେ ଲାଗିଛି । ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଫଟୋ ଲାଗିବା ନ ଲାଗିବା ନେଇ କିଛି ଅର୍ଥ ନାହିଁ ବୋଲି କହିଛନ୍ତି ଶକ୍ତି ସିଂ ଯାଦବ । ସେହିପରି ଜେଡିୟୁ ଜାତୀୟ ସାଧାରଣ ସଂପାଦକ ରାଜୀବ ରଞ୍ଜନ ମଧ୍ୟ କଥାକୁ ଏଡାଇ ଦେଇ କହିଛନ୍ତି, ଏଥିରେ କୌଣସି ପଲିଟିକ୍ସ ନାହିଁ ।