ପ୍ରଥମ ସୋମବାରରେ ଅଘଟଣ : ଝାଡେଶ୍ୱର ମନ୍ଦିରରେ ବୋଲବମ କାଉଡିଆଙ୍କ ମୃତ୍ୟୁ

ଦେବଗଡ : ଶ୍ରାବଣ ପ୍ରଥମ ସୋମବାରରେ ଶିବ ମନ୍ଦିରରେ ଅଘଟଣ । ଝାଡେଶ୍ୱର ମନ୍ଦିରରେ ବୋଲବମ କାଉଡିଆଙ୍କ ମୃତ୍ୟୁ । ମନ୍ଦିରରେ ଶୋଇଥିବା ଅବସ୍ଥାରେ ବୋଲବମ କାଉଡିଆଙ୍କ ମୃତ୍ୟୁ । ଦେବଗଡ ପ୍ରସିଦ୍ଧ ଶୈବପୀଠ ଝାଡେଶ୍ୱର ମନ୍ଦିରରେ ଘଟିଛି ଏହି ଅଘଟଣ । ମୃତକ ଜଣକ ହେଲେ ଦେବଗଡ ଜିଲା କୁଣ୍ଢେଇଗୋଳା ଦେଓଝରଣର ୪୨ ବର୍ଷୀୟ ବିଭୁତି ବେହେରା।

ସୂଚନା ଅନୁଯାୟୀ ବିଭୁତି ଢେଙ୍କାନାଳ ଜିଲ୍ଲା ବାଲିମୀ ସ୍ଥିତ ପଠାଣୀ ସାମନ୍ତ ଡିପ୍ଲୋମା କଲେଜରେ ପିଅନ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ୨ଟି ଗାଡିରେ ବାଲିମୀ ଥାନା ନୁଆଁଗାଁର ୫୦ ଜଣିଆ କାଉଡିଆ ଦଳ ଜଳାଭିଷେକ ପାଇଁ ଦେବଗଡ ଝାଡେଶ୍ୱର ମନ୍ଦିରକୁ ଆସିଥିଲେ । ସଂଧ୍ୟାରେ ନିକଟସ୍ଥ ବାଳିଆପିଟା ନାଳରୁ ଜଳ ସଂଗ୍ରହ କରି ମନ୍ଦିର ପରିସରରେ ସାଇତି ରଖିଥିଲେ । ରାତି ପ୍ରାୟ ୧୧ଟାରେ ଖାଇ ସାରି ମନ୍ଦିର ମଣ୍ଡପରେ ଶୋଇଥିଲେ । ଆଜି ପ୍ରତ୍ୟୂଷ ପ୍ରାୟ ୩ ଟା ସମୟରେ ସାଥୀ ମାନେ ତାଙ୍କୁ ଜଳାଭିଷେକ ପାଇଁ ଉଠାଇ ଥିଲେ ମଧ୍ୟ ସେ ଆଉ ଉଠିନଥିଲେ । ଫଳରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।