spot_img
Home Blog Page 3186

ଦିଲ୍ଲୀର ମେୟର ହେଲେ ଶେଲୀ ଓବରୟ, ପ୍ରାର୍ଥିପତ୍ର ପ୍ରତ୍ୟାହାର କଲା ବିଜେପି

ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ମେୟର ହେଲେ ଶେଲୀ ଓବରୟ । ଆମ୍ ଆଦମି ପାର୍ଟି ପ୍ରାର୍ଥୀ ଶେଲୀ ଜିତିଲେ ଦିଲ୍ଲୀ ଏମସିଡି । ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଶେଲୀ ନିର୍ଦ୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।

ସେହିପରି ଡେପୁଟି ମେୟର ହୋଇଛନ୍ତି ମହମ୍ମଦ ଇକବାଲ୍ । ଡେପୁଟି ମେୟର ନିର୍ବାଚନରୁ ମଧ୍ୟ ପ୍ରାର୍ଥୀ ହଟାଇଥିଲା ବିଜେପି । ନିର୍ବାଚନର କିଛି ସମୟ ପୂର୍ବରୁ ବିଜେପିର ମେୟର ପ୍ରାର୍ଥୀ ଶିଖା ରାୟ ଓ ଡେପୁଟି ମେୟର ପ୍ରାର୍ଥୀ ସୋନି ପାଣ୍ଡେ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ । ଏହାପୂର୍ବରୁ ଫେବ୍ରୁଆରୀରେ ହୋଇଥିଲା ମେୟର ନିର୍ବାଚନ । ସେତେବେଳେ ୧୫୦ ଭୋଟ୍ ପାଇ ଶେଲୀ ହିଁ ଜିତିଥିଲେ ମେୟର ଚେୟାର।

ଟ୍ରିବ୍ୟୁନାଲ ଗସ୍ତ ପରେ ପାଣି ଛାଡିଲା ଛତିଶଗଡ଼

ସମ୍ବଲପୁର: ମହାନଦୀ ଟ୍ରିବ୍ୟୁନାଲର ଗସ୍ତ ପରେ ଡରିଗଲା କି ଛତିଶଗଡ଼ । ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ପରେ ଖୋଲିଲା କଲମା ଡ୍ୟାମ୍ । ମୋଟ ୬୬ଟି ଗେଟରୁ ୨୦ଟି ଗେଟ୍ ଦେଇ ଛଡ଼ାଯାଉଛି ପାଣି । ବେଆଇନ ଭାବରେ ପାଣି ଗଚ୍ଛିତ ରଖିଥିଲେ କି ଛତିଶଗଡ ସରକାର ? ଅଣମୌସୁମୀ ସମୟରେ କାହିଁକି ଖୋଲିଲା କଲମା ଡ୍ୟାମ୍ ? କଲମା ଡ୍ୟାମର ଗେଟ ଖୋଲିବା ପରେ ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି ।

ଓଡ଼ିଶା ଛତିଶଗଡ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ୍ ଗତ ୨୦ ତାରିଖରେ ଛତିଶଗଡ଼ ଯାଇ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହାପରେ ଆଜି ଛତିଶଗଡ଼ କଲମା ଡ୍ୟାମର ୨୦ଟି ଗେଟ ଖୋଲିଛି । ହୀରାକୁଦ ନଦୀବନ୍ଧ ଜଳସ୍ତର ବର୍ତ୍ତମାନ ୬୧୧.୭୫ ଫୁଟ ରହିଛି । ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପରେ ଆସନ୍ତା ମେ ୧୦ ତାରିଖରେ ହୀରାକୁଦ ଡେଲଟା ଅଞ୍ଚଳ ପରିଦର୍ଶନ କରିବ ଟ୍ରିବ୍ୟୁନାଲ ଟିମ୍ ।

ଆଜିଠୁ ଭୁବନେଶ୍ୱରରେ G-20ର ତୃତୀୟ ଶିକ୍ଷା ବୈଠକ

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ବରରେ ଅନୁଷ୍ଠିତ ହେବ G-20ର ତୃତୀୟ ଶିକ୍ଷା ବୈଠକ । ଆଜିଠୁ ତିନିଦିନ ଧରି ହେବାକୁ ଥିବା ଏହି ବୈଠକରେ 27ଟି ଦେଶର 63 ଜଣ ପ୍ରତିନିଧି ଯୋଗଦେବେ । ଏହା ପୂର୍ବରୁ G-20ର ଭାରତ ଅଧ୍ୟକ୍ଷତା କାହିଁକି କରୁଛି, ସେ ନେଇ ଉତ୍କଳ ଦିବସରୁ ଜନ ଭାଗିଦାରୀ କାର୍ଯ୍ୟକ୍ରମ ହୋଇଛି ।

ତିନି ଦିନିଆ ବୈଠକରେ ଶିକ୍ଷାରେ ଦକ୍ଷତା ବିକାଶ, ଶିକ୍ଷାରେ ବୈଷୟିକ ଜ୍ଞାନ କୌଶଳର ବିକାଶ ବାବଦରେ ବିସ୍ତୃତ ଭାବେ ଆଲୋଚନା ହେବ । ଦକ୍ଷତା ବିକାଶ ସ୍କୁଲ ସିଲାବସରେ ସାମିଲ ହେବ । ଏବେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ସାମିଲ ଥିବା ବେଳେ ଷଷ୍ଠ ଶ୍ରେଣୀରୁ ଦକ୍ଷତା ବିକାଶ ପାଠ୍ୟକ୍ରମ ବି ସାମିଲ ହେବ ।

ଓଡ଼ିଶା ଆସୁଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ, ବୁଲି ଦେଖିବେ ଡାକୋଟା

ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ହାନିଂ ଟାସ୍ କ୍ରିଷ୍ଣାମୂର୍ତ୍ତି। ତାଙ୍କ ସହ ଆସୁଛନ୍ତି କୋଲାକାତାରେ ଅବସ୍ଥାପିତ ଇଣ୍ଡୋନେସିଆ କନସୁଲ୍ ମହେଶ ଶର୍ମା ଓ ରାଷ୍ଟ୍ରଦୂତ କାର୍ଯ୍ୟାଳୟର ଦୁଇଜଣ ଅଧିକାରୀ । ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ହାନିଂ ଟାସ୍ କ୍ରିଷ୍ଣାମୂର୍ତ୍ତିଙ୍କ ସମେତ ୪ ଜଣ ଅତିଥି ଆଜି ରାତି ୮ଟାରେ ଭୁବନେଶ୍ବର ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଅପରାହ୍ନ ସାଢ଼େ ୧ଟାରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିବେ ।

ଅପରାହ୍ନ ୩ଟା ୩୦ରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଓ କନସୁଲ୍ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଲୋକସେବା ଭବନରେ ଭେଟିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ପରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଗସ୍ତ କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିମାନ ଡାକୋଟା ପରିଦର୍ଶନରେ ଯିବେ ।

ପ୍ରବାଦ ପୁରୁଷ ଡଚଙ୍କ ଧମକକୁ ଖାତିର ନ କରି ଇଣ୍ଡୋନେସିଆର ତତ୍କାଳୀନ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟା ଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ସାରିୟର୍ଙ୍କୁ ଡାକୋଟା ବିମାନଯୋଗେ ସାହାସର ସହିତ ଦିଲ୍ଲୀ ସମ୍ମିଳନୀରେ ଯୋଗଦେବା ପାଇଁ ନେଇ ଆସିଥିଲେ । ଡାକୋଟାକୁ ବିମାନବନ୍ଦରରେ ଦେଖି ବିଜୁ ବାବୁଙ୍କ ଏହି ଅଦମ୍ୟ ସାହସର ଇତିହାସକୁ ରୋମନ୍ଥନ କରିବେ ରାଷ୍ଟ୍ରଦୂତ ଓ ତାଙ୍କ ଟିମ୍ । ୨୯ ତାରିଖ ଅପରାହ୍ନ ଗୋଟାଏ ୧୫ ମିନିଟ୍ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି ।

୩୨୮ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେବଳ ସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ବ୍ୟବସ୍ଥାର ସୁବିଧା ପାଇପାରିବେ । ଏ ଧାରଣାକୁ ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫାଇଭ-ଟି ସ୍କୁଲ ମାଧ୍ୟମରେ ପିଲାଙ୍କ ପାଇଁ ତିଆରି ହୋଇଛି ବିରାଟ ସୁଯୋଗ । ରାଜ୍ୟରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ ଉତ୍ସବ । ଆଜି ଦ୍ବିତୀୟ ଦିନରେ ୫ଟି ଜିଲ୍ଲାରେ ୩୨୮ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରାପୁଟର ୫୮, ବଲାଙ୍ଗୀରର ୧୦୦ ଓ ସମ୍ବଲପୁରର ୬୧ ହାଇସ୍କୁଲ, ପୁରୀର ୫୩ ଓ କେନ୍ଦ୍ରାପଡ଼ାର ୫୬ଟି ସ୍କୁଲର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ଛାତ୍ରଛାତ୍ରୀଙ୍କ ସଫଳତା ହେଉଛି ଓଡିଶାର ସଫଳତା ।

ଜୀବନରେ ଫାଇଭ-ଟିର ଉପଯୋଗ କଲେ ପିଲାମାନେ ସବୁକ୍ଷେତ୍ରରେ ସଫଳ ହୋଇପାରିବେ । ଫାଇଭ-ଟି ସ୍କୁଲରେ ମିଳୁଥିବା ଆଧୁନିକ ସୁବିଧାର ସଦୁପଯୋଗ କରି ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ ଓଡିଶାର ଗୌରବ ବୃଦ୍ଧି ହେବ । ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩ ହଜାର ୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬ ହଜାର ୧୩୨ଟି ସ୍କୁଲ ରୂପାନ୍ତରିତ ହେବ ।

ଆଉ ୬ ମାସ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ସବୁ ସରକାରୀ ହାଇସ୍କୁଲ ରୂପାନ୍ତରିତ ହେବ । ଗତକାଲି ୪ଟି ଜିଲ୍ଲାର ୩୫୭ଟି ସ୍କୁଲ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଛାତ୍ରଛାତ୍ରୀଙ୍କ ସଫଳତା ହେଉଛି ଓଡିଶାର ସଫଳତା । ଜୀବନରେ ଫାଇଭ-ଟିର ଉପଯୋଗ କଲେ ପିଲାମାନେ ସବୁକ୍ଷେତ୍ରରେ ସଫଳ ହୋଇପାରିବେ ।

ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ନେଇ ଆଜି ବସିବ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ନେଇ ଆଜି ବସିବ ପ୍ରସ୍ତୁତି ବୈଠକ । ଦିନ ସାଢେ ୧୦ ଟାରେ ଲୋକସେବା ଭବନରେ ବସିବାକୁ ଥିବା ବୈଠକର ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ପୂର୍ବରୁ କେବଳ ଅକ୍ଟୋବରରୁ ନଭେମ୍ବର ଭିତରେ ବାତ୍ୟା ଆସୁଥିଲା । ହେଲେ ଗତ କିଛି ବର୍ଷରୁ ଫନୀ, ୟଶ ଓ ଅମ୍ପନ ପରି ବାତ୍ୟା ମେ ମାସ ଖରା ଦିନେ ଆସି ରାଜ୍ୟରେ ତାଣ୍ଡବ ସୃଷ୍ଟି କରିଥିଲା ।

ଏହାକୁ ନେଇ ପ୍ରତି ବର୍ଷ ଖରା ଦିନେ ବି ବାତ୍ୟା ମୁକାବିଲା ପାଇଁ ବୈଠକ ବସୁଛି । ଏ ନେଇ ସମସ୍ତ ତଥ୍ୟ ଓ ଦସ୍ତାବିଜ ନେଇ ବୈଠକରେ ଯୋଗ ଦେବାକୁ ସବୁ ସରକାରୀ ବିଭାଗକୁ ଚିଠି ଲେଖିଥିଲେ ସ୍ବତନ୍ତ୍ର ରିଲିଫ୍ କମିଶନର । ବାତ୍ୟା ସତର୍କତା, ଓଡ୍ରାଫ, ଏନଡିଆରଏଫ୍, ଅଗ୍ନିଶମ ବିଭାଗର ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବ । ସେହିପରି ବିକଳ୍ପ ଟେଲିକମ୍ ବ୍ୟବସ୍ଥା, ପାଣିପାଗ ଆକଳନ, ପ୍ରାଣୀ ସମ୍ପଦ ପାଇଁ ଖାଦ୍ୟ, ବହୁମୁଖୀ ଆଶ୍ରୟସ୍ଥଳୀ ଉପରେ ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ।

ରାସ୍ତା ମରାମତି, ବିଦ୍ୟୁତ ପୁନଃସଂଯୋଗୀକରଣ, ରାସ୍ତା, ଚାଷ ସୁରକ୍ଷା ପାଇଁ କନଟିଜେନସି ପ୍ଲାନ ସମେତ ବାତ୍ୟା ସମୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବି ବୈଠକରେ ଖସଡ଼ା ପ୍ରସ୍ତୁତ ହେବ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟରେ ଜିରୋ କାଜୁଆଲଟିକୁ ସବୁବେଳେ ଗୁରୁତ୍ବ ଦେଇଛନ୍ତି । ସବୁ ଜୀବନ ମୂଲ୍ୟବାନ ଏଜେଣ୍ଡାରେ କାମ କରି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି ସାରା ବିଶ୍ବ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଲଣ୍ଡନରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ୨୫୦ କୋଟି ଟଙ୍କା ଦେଲେ ଓଡ଼ିଆ ଶିଳ୍ପପତି

ନନ୍ଦିଘୋଷ ବ୍ୟୁରୋ: ଲଣ୍ଡନରେ ଶୁଭିବ ଜୟ ଜଗନ୍ନାଥ । ସାତ ଦରିଆ ପାରିରେ ପ୍ରତିଷ୍ଠା ହେବାକୁ ଯାଉଛି ଶ୍ରୀଜଗନ୍ନାଥ ମନ୍ଦିର । ମନ୍ଦିର ନିର୍ମାଣ ପାଇଁ ୨୫୦କୋଟି ଟଙ୍କା ପ୍ରଦାନ କରିବ ଫିନ୍ନେଷ୍ଟ କମ୍ପାନୀ । ଲଣ୍ଡନରେ ଶ୍ରୀଜଗନ୍ନାଥ ସୋସାଇଟି ୟୁକେ ଦ୍ବାରା ଆୟୋଜିତ ହୋଇଯାଇଛି ଜଗନ୍ନାଥ ସମ୍ମିଳନୀ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଏହି ଅବସରରେ ଗଜପତି ମହାରାଜ କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦରେ ଲଣ୍ଡନରେ ମନ୍ଦିର ପାଇଁ ସୋସାଇଟିର ଯେଉଁ ପ୍ରତିବଦ୍ଧତା ରହିଛି ତାହା ଶୀଘ୍ର ପୂରଣ ହେବ ।

ଏନେଇ ସୂଚନା ଦେଇଛନ୍ତି ଫିନ୍ନେଷ୍ଟ କମ୍ପାନୀର ଏମଡି ଅରୁଣ କର । ଫିନ୍ନେଷ୍ଟ କମ୍ପାନୀ ଦୁଇ ଜଣ ଓଡିଆ ଉଦ୍ୟୋଗୀଙ୍କ ମିଳିତ ସହଯୋଗରେ ଗଢି ଉଠିଛି । ମନ୍ଦିର ପାଇଁ ସମସ୍ତ ଖର୍ଚ୍ଚ ସହ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ବୋଲି କମ୍ପାନୀର ଚେୟାରମ୍ୟାନ ବିଶ୍ବଜିତ ପଟ୍ଟନାୟକ କହିଛନ୍ତି । ମନ୍ଦିର ପାଇଁ ଆବଶ୍ୟକୀୟ ଜମିକୁ ଅନୁମୋଦନ ମିଳିସାରିଛି । ୧୫ ଏକର ଜମି ପାଇଁ ୭୦ କୋଟି ଟଙ୍କା ଦେଇସାରିଛି ଫିନ୍ନେଷ୍ଟ କମ୍ପାନୀ । ମନ୍ଦିର ନିର୍ମାଣ ପାଇଁ ମଧ୍ୟ ସ୍ଥାନୀୟ ପ୍ରଶାସନକୁ ଅନୁମତି ମଗାଯାଇଛି ।

ଏଣିକି ଏକାସାଙ୍ଗରେ ଚାରୋଟି ମୋବାଇଲରେ ଗୋଟିଏ ହ୍ୱାଟ୍ସଆପ୍ ଆକାଉଣ୍ଟ ଚଲାଇପାରିବେ

ନନ୍ଦିଘୋଷ ବ୍ୟୁରୋ: ମେସେଜିଙ୍ଗ ଆପ୍ ହ୍ୱାଟ୍ସଆପରେ ଲଗାତାର ନୂଆ ନୂଆ ଅପଡେଟ୍ ଆସୁଛି । ଏବେ ହ୍ୱାଟ୍ସଆପ୍ ଆଉ ଏକ ଚମତ୍କାର ଫିଚର୍ସକୁ ରୋଲଆଉଟ୍ କରିଛି । ଏହି ଫିଚର ସହାୟତାରେ ଗୋଟିଏ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ଏକାସାଙ୍ଗରେ ଚାରୋଟି ଡିଭାଇସରେ ବ୍ୟବହାର କରାଯାଇପାରିବ । ମେଟାର ସିଇଓ ମାର୍କ ଜୁକରବର୍ଗ ନିଜେ ଏନେଇ ଘୋଷଣା କରିଛନ୍ତି । ସେ ଫେସବୁକରେ ଲେଖିଛନ୍ତି ଯେ ଆଜିଠୁ ଆପଣମାନେ ଅଧିକତମ ଚାରୋଟି ଫୋନରେ ଗୋଟିଏ ଫେସବୁକ ଆକାଉଣ୍ଟ ଲଗଇନ୍ କରିପାରିବେ ।

ପ୍ରକାଶଥାଉକି ଫିଚରକୁ ପୂର୍ବରୁ ବିଟା ଟେଷ୍ଟିଂ ପାଇଁ ଜାରି କରାଯାଇଥିଲା, କିନ୍ତୁ ଏବେ ୟୁଜର୍ସ ଏହି ଫିଚରକୁ ବ୍ୟବହାର କରିପାରିବେ । ହ୍ୱାଟ୍ସଅପ୍ କମ୍ପେନିୟନ ମୋଡ ଫିଚରକୁ ରୋଲ ଆଉଟ୍ କରିଛି । ଏହି ଫିଚର ସହାୟତାରେ ୟୁଜର୍ସଙ୍କୁ ମଲ୍ଟି-ଡିଭାଇସର ସପୋର୍ଟ ମିଳିବ । ଅର୍ଥାତ କମ୍ପେନିୟନ ମୋଡ ଫିଚରର ସହାୟତାରେ ୟୁଜର୍ସଙ୍କୁ ଗୋଟିଏ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ଅନ୍ୟ ଡିଭାଇସରେ ମଧ୍ୟ ବ୍ୟବହାର କରିବାରେ ସହାୟକ ହେବ ।

ହ୍ୱାଟ୍ସଆପର ନୂଆ ଫିଚରରେ ପ୍ରତ୍ୟେକ ଲିଙ୍କଡ ଡିଭାଇସ ସ୍ୱତନ୍ତ୍ର ରୂପରେ କାମ କରିବ ଏବଂ ଯଦି ପ୍ରାଇମେରୀ ଡିଭାଇସରେ କୌଣସି ନେଟୱର୍କ ଆକ୍ସେସ ନଥିବ ତେବେ ବି ୟୁଜର୍ସ ଅନ୍ୟ ସେକେଣ୍ଡାରୀ ଡିଭାଇସରେ ଆକାଉଣ୍ଟ ଆକ୍ସେସ କରିପାରିବେ । ୟୁଜର୍ସ ମ୍ୟାସେଜ ରିସିଭ କରିବାଠୁ ନେଇ ମେସେଜ୍ ପଠାଇ ପାରିବେ । ଏଠାରେ ଧ୍ୟାନ ଦେବା କଥା ଯେ ଯଦି ପ୍ରାଇମେରୀ ଡିଭାଇସ ଦୀର୍ଘ ସମୟ ପର୍ଯ୍ୟନ୍ତ ଇନଆକ୍ଟିଭ ରହେ ତେବେ ହ୍ୱାଟ୍ସଆପ୍ ଅଟୋମେଟିକ୍ ରୂପରେ ସମସ୍ତ ସେକେଣ୍ଡାରୀ ଡିଭାଇସରୁ ଲଗଆଉଟ୍ ହୋଇଯିବ ।

ଅତରିକ୍ତ ଡିଭାଇସରେ ଚାରୋଟି ସ୍ମାର୍ଟଫୋନ୍ ବା ପିସି ଏବଂ ଟାବଲେଟ ସାମିଲ ରହିଛି । ହ୍ୱାଟ୍ସଆପ୍ ଆକାଉଣ୍ଟକୁ ଅନେକ ପ୍ରକ୍ରିୟାରେ ଲିଙ୍କ କରାଯାଇପାରିବ । ଯଦି ଆପଣ ନିଜର ପ୍ରାଇମେରୀ ଡିଭାଇସ ସହ ଅନ୍ୟ ଡିଭାଇସରେ ମଧ୍ୟ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ଲିଙ୍କ କରିବାକୁ ଚାହିଁଲେ ତେବେ ଆପଣଙ୍କୁ ସେକେଣ୍ଡାରୀ ଡିଭାଇସର ହ୍ୱାଟ୍ସଆପ୍ ଆପ୍ଲିକେସନରେ ଯାଇ ଫୋନ୍ ନମ୍ବର ଦେବାକୁ ହେବ । ଏବେ ଆପଣଙ୍କୁ ପ୍ରାଇମେରୀ ଡିଭାଇସରେ ମିଳିଥିବା ଓଟିପିକୁ ଦାଖଲ କରିବାକୁ ହେବ । ଏହିପରି ପ୍ରାଇମେରୀ ଡିଭାଇସରେ କୋଡ ସ୍କାନ କରି ମଧ୍ୟ ଅନ୍ୟ ଡିଭାଇସକୁ ଲିଙ୍କ କରାଯାଇପାରିବ ।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପରଲୋକ

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପରଲୋକ । ୯୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରକାଶ ସିଂ । ମୋହାଲିର ଫୋର୍ଟିସ ହସ୍ପିଟାଲରେ ଦେହାନ୍ତ । ଶିରୋମଣି ଅକାଳୀ ଦଳର ଅଧକ୍ଷ ଥିଲେ ପ୍ରକାଶ ସିଂ ବାଦଲ । ରେକର୍ଡ ପାଞ୍ଚଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ପ୍ରକାଶ ସିଂ ବାଦଲ । ନିଶ୍ୱାସ ନେବାରେ ସମସ୍ୟା ହେବା କାରଣରୁ ଗତ ସପ୍ତାହରେ ମୋହାଲିରେ ଫୋର୍ଟିସ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସୋମବାର ସ୍ଥିତି ବିଗିଡ଼ିବାରୁ ଆଇସିୟୁରେ ରଖାଯାଇଥିଲା । ହେଲେ ଏବେ ପ୍ରାଣ ହରାଇଛନ୍ତି । ତାଙ୍କ ମୃତ୍ୟୁରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । ଅନେକ ରାଜନେତା ଏବଂ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ସମ୍ବଲପୁରରେ ଶାନ୍ତି ଫେରି ଆସିଥିବାରୁ ବିଜେପି ସହି ପାରୁନାହିଁ: ବିଜେଡି

ଭୁବନେଶ୍ୱର: ଶାନ୍ତିପ୍ରିୟ ସମ୍ବଲପୁରବାସୀଙ୍କ ଆନ୍ତରିକ ପ୍ରଚେଷ୍ଟା ଏବଂ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମ୍ବଲପୁରରେ ଶାନ୍ତି ଫେରିଆସିଛି । କିନ୍ତୁ ସମ୍ବେଦନଶୀଳ ମାମଲାର ରାଜନୀତିକରଣ କରି ଫାଇଦା ହାସଲ କରିବାକୁ ଚାହୁଁଥିବା ବିଜେପି ଏହା ସହି ପାରୁନାହିଁ । ସେଥିପାଇଁ ଓଡ଼ିଶା ବିଜେପି ନେତାମାନେ ବାଉଳିଚାଉଳି ହୋଇ ବିବୃତି ଦେଉଛନ୍ତି ବୋଲି କହିଛି ବିଜେଡି ।

ବିଜେଡି ମୁଖପାତ୍ର ଡ.ଲେନିନ ମହାନ୍ତି କହିଛନ୍ତି, ଦେଖି ଖୁସି ଲାଗିଲା ଯେ ବହୁତ ଦିନ ପରେ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ପଦାକୁ ବାହାରିଲେ ଏବଂ ଗଣମାଧ୍ୟମ ଆଗରେ ବିବୃତି ଦେଲେ। ତେବେ ତାଙ୍କ କଥା ଶୁଣି ଲାଗିଲା; ଗଣମାଧ୍ୟମରେ ସେ ଯାହା କହିଲେ, ତାହା ତାଙ୍କର ନିଜସ୍ୱ ମତାମତ ନୁହେଁ। ଅନ୍ୟ କାହାର ବାଧ୍ୟବାଧକତାରେ ସେ ଏଭଳି ବିବୃତି ଦେଇଛନ୍ତି। ତେବେ ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ନେଇ ସମୀର ବାବୁଙ୍କ ମୁହଁରେ ଆଜି ଯାହା କୁହାଗଲା, ତାହା ଶୁଣି ଆମକୁ ଆଶ୍ଚର୍ଯ୍ୟ ଲାଗୁଛି। କାରଣ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ବିଜେପି ଶାସିତ ରାଜ୍ୟରେ ଅପରାଧ, ହିଂସା ଓ ଦଙ୍ଗାର ତାଲିକା ଦେଖିଲେ, ଓଡ଼ିଶା ଏସବୁ ରାଜ୍ୟଠାରୁ ଢେର୍ ତଳେ ଅଛି ବୋଲି କହିଛନ୍ତି ଲେନିନ୍ ମହାନ୍ତି ।

ସେ ଆହୁରି କହିଛନ୍ତି କି ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ବୋଲି ସମସ୍ତେ ଜାଣନ୍ତି । ମାତ୍ର ବିଡ଼ମ୍ବନା ହେଲା ଓଡ଼ିଶା ବିଜେପିର ନେତାମାନେ କ୍ରମାଗତ ଭାବରେ ଓଡ଼ିଶାବାସୀଙ୍କୁ ଅରାଜକ ଆଖ୍ୟା ଦେଇ ଅପମାନିତ କରି ଚାଲିଛନ୍ତି । ବାସ୍ତବରେ ଓଡ଼ିଶା ବିଜେପିର ନେତାମାନେ ହିଁ ଓଡ଼ିଶାରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ଶାନ୍ତିପ୍ରିୟ ସମ୍ବଲପୁରବାସୀଙ୍କ ଆନ୍ତରିକ ପ୍ରଚେଷ୍ଟା ଏବଂ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମ୍ବଲପୁରରେ ଶାନ୍ତି ଫେରି ଆସିଥିବାବେଳେ ସମୀର ବାବୁଙ୍କ ମୁହଁରେ ଏଭଳି କୁହାଉଥିବା ଓଡ଼ିଶା ବିଜେପି ନେତାମାନେ ଏହା ସହିପାରୁ ନାହାନ୍ତି। ଏହି ସମ୍ବେଦନଶୀଳ ମାମଲାର ରାଜନୀତିକରଣ କରି ଫାଇଦା ହାସଲ କରିବାକୁ ସେମାନଙ୍କର ଯେଉଁ ମନ୍ଦ ଉଦ୍ଦେଶ୍ୟ ରହିଛି, ତାହା ସାଧିତ ହୋଇ ପାରୁନାହିଁ। ତେଣୁ ସେମାନେ ପ୍ରତିଦିନ ବାଉଳିଚାଉଳି ହୋଇ ଗଣମାଧ୍ୟମରେ ଏଭଳି ବୟାନବାଜି କରୁଛନ୍ତି।  ଏଭଳି ହୀନ ରାଜନୀନୈତିକ ଷଡ଼ଯନ୍ତ୍ର କରି ବିଜେପି ସାଢେ ଚାରି କୋଟି ଓଡ଼ିଆ ଏବଂ ଓଡ଼ିଶାକୁ ବଦନାମ କରୁଛି। ଶାନ୍ତି ଓ ଭାଇଚାରାରେ ବିଶ୍ୱାସ କରୁଥିବା ସମ୍ବଲପୁରବାସୀ ଆଗାମୀ ଦିନରେ ବିଜେପି ନେତାମାନଙ୍କ ଏଭଳି ହୀନ ରାଜନୀତିର ଉଚିତ ଜବାବ ଦେବେ ବୋଲି ଲେନିନ ମହାନ୍ତି ଚେତାଇ ଦେଇଛନ୍ତି ।