ସ୍ପାଏ ନୁହେଁ ତ ସୀମା ହାଇଦର, ଦୁଇ ଦିନ ଧରି ଏଟିଏସର ମାରାଥନ୍ ଜେରା

ନୁଆଦିଲ୍ଲୀ : ସୀମା ହାଇଦରର ସତ କଣ ? ସୀମା ଶତ୍ରୁ ରାଷ୍ଟ୍ର ପାକିସ୍ତାନର ସ୍ପାଏ ନୁହେଁ ତ ? ସୀମା ପାକ ଆର୍ମି କିମ୍ବା ଆଇଏସଆଇ ସହ ଲିଙ୍କରେ ନାହିଁ ତ ? ଏପରି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ୟୁପି ଏଟିଏସ । ସୋମବାରଠାରୁ ଚାଲିଥିବା ପାକିସ୍ତାନୀ ସୀମା ହାଇଦର ଏବଂ ତାର ପ୍ରେମୀ ସଚିନକୁ ଉତ୍ତର ପ୍ରଦେଶ ଏଟିଏସର ଜେରା ଆଜି ବି ଜାରି ରହିଛି । ସୋମବାର ସୀମା, ସଚିନ ଓ ସଚିନର ବାପାଙ୍କୁ ଏଟିଏସ ୮ ଘଣ୍ଚା ଜେରା କରିଛି ।

ସୀମା ଓ ସଚିନକୁ ଏଟିଏସ ଅଲଗା ଅଲଗା ଜେରା କରୁଛି । ପଚରାଉଚରାରୁ ଏଟିଏସ ଅନେକ ରହସ୍ୟ ଉଗାରିବାରେ ସଫଳ ହୋଇଛି । ସଚିନ ପୂର୍ବରୁ ସୀମା ଅନେକ ଭାରତୀୟ ଯୁବକଙ୍କ ସହ ପବଜି ଜରିଆରେ ସଂପର୍କ ରଖିପାରିଥିଲା । ସେ ସବୁ ଯୁବକ ଦିଲ୍ଲୀ ଏନସିଆରର ଥିଲେ ବୋଲି ସୀମା ଏଟିଏସକୁ କହିଛି । ସୀମାକୁ ଏଟିଏସ ଏକ ଇଂରାଜୀ ଲାଇନ ପଢିବାକୁ କହିଥିଲା । ସୀମା ତାକୁ ବେଶ ପ୍ରଭାବଶାଳୀ ଢଙ୍ଗରେ ପଢି ସମସ୍ତଙ୍କୁ ଚମକାଇ ଦେଇଥିଲା । ଚିନ୍ତାର ବିଷୟ ହେଲା, ସୀମାର ଉତ୍ତର ଏତେ ସ୍ମାର୍ଟ ଯେ ଏଟିଏସ ବେଶ ସତର୍କ ହୋଇଉଠିଛି । ସୀମାକୁ କେହି କେଉଁଠୁ ଗାଇଡ କରୁଛି କି ନାହିଁ ତାହା ଜାଣିବାକୁ ଏଟିଏସ ଉଦ୍ୟମ କରୁଛି ।

ସୀମାର ପାକିସ୍ତାନୀ ଶ୍ବଶୁରଘର ଓ ବାପାଘର ଲୋକ କଣ କରନ୍ତି । କେଉଁଠି ରହୁଛନ୍ତି ସେ ନେଇ ଜାଣିବାକୁ ଚେଷ୍ଟା କରିଛି ଏଟିଏସ । କାରଣ ସୀମାର ଭାଇ ଓ ଦାଦା ପାକ ଆର୍ମିରେ ନିୟୋଜିତ ଥିବାରୁ ଏଟିଏସର ସନ୍ଦେହ ବୃଦ୍ଧି ପାଇଛି । ସେହିପରି ଭିସା, ପାସପୋର୍ଟ, ଆଧାରକାର୍ଡ ଏବଂ ପିଲାଙ୍କ ସଂପର୍କୀତ କାଗଜପତ୍ର ଯାଞ୍ଚ କରିଛି । ଏଟିଏସ ଗ୍ରେଟର ନୋଇଡା ରବୁପୂରା ଥାନା ପ୍ରଭାରୀଙ୍କୁ ମଧ୍ୟ ଡକା ଯାଇଥିଲା । ଯାଞ୍ଚ ବେଳେ ମିଳିଥିବା ତଥ୍ୟକୁ ଥାନା ପ୍ରଭାରୀ ଏଟିଏସକୁ ହସ୍ତାନ୍ତର କରିଛନ୍ତି । ସୀମାର ପାକିସ୍ତାନୀ ସ୍ବାମୀ ଗୁଲାମ ହାଇଦର ସହ ମଧ୍ୟ କଥା ହେବ ଏଟିଏସ୍।