ପୁଣି ବଢୁଛି ଯମୁନା ଜଳସ୍ତର, ଦିଲ୍ଲୀରୁ ଆଗ୍ରା ସବୁଠି ବନ୍ୟା ଭୟ

1 min read

ନୂଆଦିଲ୍ଲୀ : ପୁଣି ଡରାଉଛି ଯମୁନା । ଜଳସ୍ତର ବଢୁଥିବାରୁ ଦିଲ୍ଲୀରୁ ଆଗ୍ରା ସବୁଠି ବନ୍ୟା ଭୟ । ଆଜି ସକାଳୁ ଦିଲ୍ଲୀରେ ଯମୁନା ଜଳସ୍ତର ପୁଣି ଥରେ ୨୦୬ ମିଟର ଛୁଇଁଛି । ତେବେ ତଳିଆ ଅଞ୍ଚଳବାସୀ ବନ୍ୟା ଆଶ୍ରୟସ୍ଥଳ ଛାଡ଼ି ନଯିବାକୁ ଅପିଲ କରିଛନ୍ତି ଦିଲ୍ଲୀ ସରକାର । ଲୋକ ନିର୍ମାଣ ବିଭାଗ ଓ ଦିଲ୍ଲୀ ମହାନଗର ନିଗମ ଟିମ୍ ସହର ସାରା ସଫେଇ କାର୍ଯ୍ୟ ଚଳାଇଛନ୍ତି ।

ଆଜି ବି ଦିଲ୍ଲୀରେ ବର୍ଷା ସମ୍ଭାବନା ରହିଥିବା ବେଳେ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଦିଲ୍ଲୀ ସମେତ ନୋଏଡା, ଗ୍ରେଟର ନୋଏଡାରେ ବି ସମ୍ଭାବ୍ୟ ବନ୍ୟା ନେଇ ସତର୍କତା ଜାରି କରାଯାଇଛି । ତାଜମହର ବଗିଚା ଭିତରେ ବି ପାଣି ପଶିଥିବା ବେଳେ କୌଣସି ସ୍ମାରକୀ କ୍ଷତିଗ୍ରସ୍ତ ହୋଇ ନଥିବା ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ କୁହାଯାଇଛି । ଏହାଛଡ଼ା ତାଜମହଲ ବେସମେଣ୍ଟକୁ ବି ପାଣି ପଶି ନଥିବା କହିଛି ପ୍ରତ୍ନତତ୍ତ୍ବ ବିଭାଗ ।

୧୯୭୮ ମସିହା ପ୍ରବଳ ବନ୍ୟାରେ ବି ପାଣି ମୁଖ୍ୟ ସମାଧିକୁ ଛୁଇଁ ପାରି ନଥିଲା । ବନ୍ୟାପାଣି ଯେପରି ସମାଧିସ୍ଥଳ ନଛୁଇଁପାରିବ ସେହିଭଳି ଡିଜାଇନରେ ଏହାର ନିର୍ମାଣ କରାଯାଇଛି ବୋଲି ପ୍ରତ୍ନତତ୍ତ୍ବ ବିଭାଗର ଜଣେ ଅଫିସର କହିଛନ୍ତି । ସେପଟେ ଉତ୍ତର ଭାରତର ୫ ରାଜ୍ୟରେ ବି ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରିଛି IMD । ଆସନ୍ତା ୨୧ ତାରିଖ ଯାଏଁ ସତର୍କତା ଜାରି କରାଯାଇଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ସମେତ ସେଣ୍ଟ୍ରାଲ ଇଣ୍ଡିଆର ଅଧିାକାଂଶ ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି ।