୨୦୨୪ ସାଧାରଣ ନିର୍ବାଚନ ପାଇଁ ୨୬ଟି ବିପକ୍ଷ ଦଳ ଏକଜୁଟ, ବିରୋଧୀ ମେଣ୍ଟର ନାଁ ‘INDIA’

1 min read

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଚାଲିଥିବା ୨୬ ବିରୋଧୀ ଦଳର ବୈଠକରେ ବଡ଼ ନିଷ୍ପତ୍ତି । ବୈଠକରେ ବିରୋଧୀ ମେଣ୍ଟକୁ ନୂଆ ନାଁ ମିଳିଛି । ଆଜି ୨୬ ଦଳର ବୈଠକ ସମୟରେ ମେଣ୍ଟ ନାଁ ଉପରେ ମୋହର ଲାଗିଛି । କୁହାଯାଉଥିଲା ଯେ ବିରୋଧୀ ମେଣ୍ଟର ନାଁ ପୂର୍ବଭଳି ୟୁପିଏ ହିଁ ରହିପାରେ । ହେଲେ ଅପରାହ୍ନ ୩ଟା ସୁଦ୍ଧା ସ୍ପଷ୍ଟ ହୋଇଯାଇଛି ଯେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ବିରୋଧୀଙ୍କ ଇଣ୍ଡିଆ (INDIA) ଟକ୍କର ଦେବ । INDIA ର ଫୁଲଫର୍ମ ହେଉଛି ନ୍ୟାସନାଲ ଡେଭେଲପମେଣ୍ଟାଲ ଇନକ୍ଲୁସିଭ ଆଲାୟନ୍ସ । ଇଣ୍ଡିଆ ନାଁକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ସୂଚନା ମିଳିଛି । ଆଜିର ବୈଠକରେ ୬ଟି ପ୍ରସଙ୍ଗରେ ଆଲୋଚନା ହେଉଥିବା ଜଣାପଡିଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ କମନ ମିନିମମ ପ୍ରୋଗ୍ରାମ ଚିଠା ପ୍ରସ୍ତୁତି ଓ ବିପକ୍ଷ ଗୋଷ୍ଠୀ ମେଣ୍ଟ ପାଇଁ ଆବଶ୍ୟକୀୟ ଯୋଗସୂତ୍ର ତିଆରି କରିବା ପାଇଁ ସବ କମିଟି କରାଯିବ।

ସେହିପରି ଦଳଗୁଡ଼ିକର ସମ୍ମେଳନ, ରାଲି ଓ ଦୁଇ ଦଳ ମଧ୍ୟରେ ବିରୋଧାଭାସ ଦୂର କରିବା ପାଇଁ ସବ କମିଟି ଗଠନ କରାଯିବ। ରାଜ୍ୟ ଆଧାରରେ ସିଟ୍ ସେୟାରିଂ ନେଇ ମଧ୍ଯ ବୈଠକରେ ଆଲୋଚନା ହେଉଛି । ଇଭିଏମ୍ ପ୍ରସଙ୍ଗରେ ଚର୍ଚ୍ଚା କରି ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦେବା । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାରୁ ଆଉଟ କରିବାକୁ ପ୍ରସ୍ତୁତ ହେଉଛି ରୋଡମ୍ୟାପ୍ । କଂଗ୍ରେସ, ଟିଏମସି, ଶିବସେନା, ସମାଜବାଦୀ ପାର୍ଟି ଭଳି ୨୫ଟି ଦଳର ନେତା ଗତକାଲିଠାରୁ ବେଙ୍ଗାଳୁରୁରେ ଡେରା ପକାଇଥିବା ବେଳେ ଆଜି ପହଞ୍ଚିଛନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ବାର। ସେପଟେ ବିରୋଧୀ ମହାମେଳିର ସଫଳତା ଦେଖି ବିଜେପି ବିଚଳିତ । ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟକୁ ନ୍ୟାସନାଲ ଡିଜାଷ୍ଟର ଆଲାଆନ୍ସ କହି ସମାଲୋଚନା କରିଛି କଂଗ୍ରେସ । ଇଣ୍ଡିଆ ନାମକରଣ ପଛରେ ଅନେକ କାରଣ ରହିଥିବା କୁହାଯାଉଛି ।

ଏହି ନାମକରଣ ପରେ ବିରୋଧୀ ନେତାମାନେ ଧଡ଼ାଧଡ଼ ‘ଚକ ଦେ ଇଣ୍ଡିଆ’ ଟ୍ୱିଟ୍ କରୁଛନ୍ତି । ଏଥିରୁ ଏକ ପ୍ରକାର ସ୍ପଷ୍ଟ ଯେ ସେମାନେ କେଉଁ ପ୍ରକାରର ଚାଲ ଖେଲିଛନ୍ତି । ଏବେ ନିର୍ବାଚନରେ ବାରମ୍ବାର ଇଣ୍ଡିଆ ନାଁ ଶୁଣାଯିବ, ଯାହା ରାଷ୍ଟ୍ରବାଦ ଭାବନାରେ ପ୍ରେରିତ ହେବ । ବିଜେପି ନେତୃତ୍ୱାଧୀନ ଏନଡିଏ ସବୁବେଳେ ରାଷ୍ଟ୍ରବାଦ କଥା କହିଥାଏ । ତେବେ ବିଜେପିର ଏହି ରାଷ୍ଟ୍ରବାଦକୁ ଟକ୍କର ଦେବା ପାଇଁ ବିରୋଧୀ ଇଣ୍ଡିଆ ଚାଲ୍ ଚାଲିଛନ୍ତି । ବୁଝାପଡ଼ୁଛି ଯେ ଏକ ନୂଆ ମୁଭମେଣ୍ଟ ସୃଷ୍ଟି କରିବା ଏବଂ ମୋଦି-ଶାହଙ୍କ ଯୋଡି ବିରୋଧରେ ମାହୋଲ ସୃଷ୍ଟି କରିବା ପାଇଁ ବହୁତ ବିଚାର ବିମାର୍ଶ କରି ଏହି ନାଁ ବଛାଯାଇଛି ।

ତେବେ ବିରୋଧୀ ମେଣ୍ଟର ଏହି ନୂଆ ନାଁକୁ ନେଇ ଔପଚାରିକ ଘୋଷଣା ହୋଇନାହିଁ । ଉଦ୍ଧବ ଠାକରେ ଗୋଷ୍ଠୀର ଶିବସେନା ନେତା ପ୍ରିୟଙ୍କା ଚତୁର୍ବେଦୀ ଟ୍ୱିଟ କରି କହିଛନ୍ତି ତେବେ ଏଥର ୨୦୨୪ ହେବ ‘ଟିମ୍ ଇଣ୍ଡିଆ ବନାମ ଟିମ୍ ଏନଡିଏ’ ଚକ ଦେ ଇଣ୍ଡିଆ । ସେହିପରି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମଧ୍ୟ ଟ୍ୱିଟ କରିଛି ଯେ ବିରୋଧୀ ଦଳର ମେଣ୍ଟ ଭାରତର ପ୍ରତିନିଧିତ୍ୱ ଅଟନ୍ତି । ଏବେ ବିଜେପିକୁ ଇଣ୍ଡିଆ କହିବାରେ ମଧ୍ୟ କଷ୍ଟ ହେବ । ଅବଶ୍ୟ କିଛି ସମୟ ପରେ ଏହି ଟ୍ୱିଟ୍ ଡିଲେଟ କରାଯାଇଥିଲା । ସେହିପରି ଅନେକ କଂଗ୍ରେସ ନେତାମାନେ ମଧ୍ୟ ଇଣ୍ଡିଆ ନାମକରଣକୁ ନେଇ ଟ୍ୱିଟ୍ କରିଛନ୍ତି । ଏହି ନାଁରୁ ଅନୁମାନ କରାଯାଇପାରେ ଯେ ୨୦୨୪ ଲଢେଇ ବହୁତ ଜୋରଦାର ହେବ ।