spot_img
Home Blog Page 3178

ନୂଆ ରାଜ୍ୟ ମହିଳା କମିଶନ ସଦସ୍ୟ ନିଯୁକ୍ତ

ଭୁବନେଶ୍ୱର: ନୂଆ ରାଜ୍ୟ ମହିଳା କମିଶନ ସଦସ୍ୟ ନିଯୁକ୍ତ । ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ସ୍ୱର୍ଣ୍ଣଲତା ସାମଲ, ସୁଜାତା ଦିଗଲ, ବିଜୟ ବରୱା, ସ୍ୱାଗତିକା ମହାନ୍ତି, ବବିତା ସ୍ୱାଇଁ ସଦସ୍ୟ ନିଯୁକ୍ତ । ଅତିରିକ୍ତ ସଚିବ ବିଥିକା ସ୍ୱାଇଁ ସରକାରୀ ସଦସ୍ୟ ରହିବେ । ମହିଳା ଓ ଶିଶୁ କଲ୍ୟାଣ ବିବାଗର ଅତିରିକ୍ତ ସଚିବ ବିଥିକା ସ୍ୱାଇଁ ।

ଆଇଏମଡି ପକ୍ଷରୁ ସତର୍କତା ଜାରି, ମେ ମାସରେ ଆସିପାରେ ହିଟଓ୍ବେଭ

ଭୁବନେଶ୍ୱର: ମେ ମାସରେ ଆସିପାରେ ହିଟଓ୍ବେଭ । ଏନେଇ ଆଇଏମଡି ପକ୍ଷରୁ ସତର୍କତା ଜାରି କରାଯାଇଛି । ତେବେ ମେ ମାସରେ ବି ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି- ବିଶେଷ କରି ଉପକୂଳ ଓଡ଼ିଶାରେ ହିଟଓ୍ବେଭ ଆସିପାରେ । ସେହିପରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରରେ ବି ହିଟଓ୍ବେଭ ଆସିପାରେ । ମେ ମାସରେ ସାଧାରଣ ତାପମାତ୍ରାଠାରୁ ଅଧିକ ହେବାର ସମ୍ଭାବନା ରହିଛି । ମେ ମାସରେ କାଳବୈଶାଖୀ ହେବା ସହ ହିଟଓ୍ବେଭ ରହିବା ସମ୍ଭାବନା ରହିଛି ।

ଆସନ୍ତା ସପ୍ତାହରେ ତାପମାତ୍ରା ବଢିବା ସମ୍ଭାବନା ରହିଛି । ମେ ୧୨ରୁ ୧୮ ତାରିଖ ମଧ୍ୟରେ ହିଟ ଓ୍ବେଭ ଆସିପାରେ ବୋଲି ସେ କହିଛନ୍ତି । ସେପଟେ ନୂଆଦିଲ୍ଲୀରେ ଆୟୋଜିତ ହୋଇଛି ମିଡିଆ ସର୍ଭେ ଆନାଲିସିସ । ପାଣିପାଗ ସମ୍ପର୍କିତ ବୁଲେଟିନ ପ୍ରସ୍ତୁତି ଓ ଏହାର ପ୍ରସାର ସମ୍ପର୍କରେ ହୋଇଛି ଆଲୋଚନା । କୌଣସି ପ୍ରକାର ପାଣିପାଗ ସମ୍ପର୍କିତ ସୂଚନାର ପ୍ରସାର ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଆସୁଛି । ଏକ୍ଷେତ୍ରରେ କମ୍ୟୁନିଟି ରେଡିଓ ସମେତ ବିଭିନ୍ନ କାରିଗରିର ଉପଯୋଗ କରାଯାଉଛି ।

ପାଣିପାଗ ସମ୍ପର୍କିତ ଫୋରକାଷ୍ଟିଂର ଗୁରୁତ୍ବ ସର୍ବଦା ରହିଛି । ଭାରତୀୟ ପାଣିପାଗ ବିଭାଗ ନିକରଟେ ଅନେକ ପ୍ରକାର ତଥ୍ୟ ରହିଛି । ପାଣିପାଗ ଓ ଜଳବାୟୁ ସମ୍ପର୍କରେ ଆୟୋଜିତ ମିଡିଆ ସମ୍ମିଳନୀରେ ଯୋଗ ଦେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି- ଆଇଏମଡି ପକ୍ଷରୁ ପ୍ରସାରିତ ହେଉଥିବା ବିଭିନ୍ନ ସୂଚନାର କିପରି ଅଧିକ ଉପଯୋଗୀ ହୋଇପାରିବା ସେ କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ନେଇ ଆଲୋଚନା ହୋଇଛି । ଲୋକମାନେ ଯେପରି ସରଳ ଭାବେ ସମସ୍ତ ସୂଚନା ପାଇପାରିବେ ଏବଂ ଜନଜୀବନର ସୁରକ୍ଷା ହୋଇପାରିବ ସେଥିଲାଗି ଗୁରୁତ୍ବ ଦିଆଯାଇଛି ।

ହେଟ ସ୍ପିଚ ମାମଲାରେ ଅଭିଯୁକ୍ତଙ୍କ ଧର୍ମ ନଦେଖି ତୁରନ୍ତ ମାମଲା ରୁଜୁ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ବଢୁଥିବା ହେଟ ସ୍ପିଚକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ । କୌଣସି ରାଜ୍ୟରେ ହେଟ ସ୍ପିଚ ହେଉଥିଲେ ଅଭିଯୋଗ ନହେଲେ ମଧ୍ୟ ରାଜ୍ୟ ସରକାର ନିଜ ଆଡୁ ମାମଲା ରୁଜୁ କରିବେ । ଧାର୍ଯ୍ୟ ସମୟ ମଧ୍ୟରେ ଯଦି କୌଣସି ପଦକ୍ଷେପ ନ ନିଆଗଲା ତାହେଲେ ଏହାକୁ କୋର୍ଟଙ୍କ ଅବମାନନା ବୋଲି ଗ୍ରହଣ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଦେଶର ସବୁ ରାଜ୍ୟକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ହେଟ ସ୍ପିଚ ଧର୍ମନିରପେକ୍ଷ ଦେଶକୁ ଗଭୀର କ୍ଷତି ପହଞ୍ଚାଉଛି ।

ପୂର୍ବରୁ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡକୁ ସୁପ୍ରିମକୋର୍ଟ ଏଭଳି ନୋଟିସ ଦେଇଥିଲେ । ପୂର୍ବରୁ ମହାରାଷ୍ଟ୍ରରେ ହେଟ ସ୍ପିଚକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ କୋର୍ଟ । ଏଭଳି ଘଟଣାକୁ ହାଲୁକା ଭାବେ ନ ନେବାକୁ କୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । ହେଟସ୍ପିଚ ଦେଉଥିବା ଲୋକ ଯେଉଁ ଧର୍ମର ହେଉଥାନ୍ତୁ ନା କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର । ଏଥିସହ ସୋସିଆଲ ମିଡିଆରୁ ସେମାନଙ୍କ ଭାଷଣକୁ ଡିଲିଟ କରିବା ନେଇ ବ୍ୟବସ୍ଥା ହେବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଆବେଦନକାରୀ ଶୁଣାଣି ବେଳେ ହେଟ ସ୍ପିଚ ମାମଲାର ତଦାରଖ କରିବା ପାଇଁ ପ୍ରତି ରାଜ୍ୟରେ ଜଣେ ନୋଡାଲ ଅଫିସର ନିଯୁକ୍ତି ପାଇଁ ଆବେଦନ କରିଥିଲେ । କିନ୍ତୁ ପ୍ରତି ରାଜ୍ୟ ପିଛା ନୁହେଁ ବରଂ ପ୍ରତି ଜିଲ୍ଲା ପିଛା ନୋଡାଲ ଅଫିସର ରହିବା ଦରକାର ବୋଲି କହିଥିଲେ ସୁପ୍ରିମକୋର୍ଟ । ବିଚାରପତି କେ.ଏମ ଜୋସେଫ ଏବଂ ବିଭି ନାଗାରଥନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ହେଟସ୍ପିଚ ଦେଇଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ବିଭିନ୍ନ ବ୍ୟକ୍ତିଙ୍କ ବିରୋଧରେ ଆବେଦନକାରୀ ମାମଲା ରୁଜୁ କରିଥିଲେ । ଆସନ୍ତା ମେ ୧୨ ତାରିଖରେ କୋର୍ଟ ମାମଲାର ଶୁଣାଣି କରିବେ ।

ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପକ୍ଷରୁ ସପ୍ତରଙ୍ଗ-୨୦୨୩ ମହାସମାରୋହରେ ଆୟୋଜିତ

କାନବେରା: ଅଷ୍ଟ୍ରେଲିଆ ଓଡ଼ିଆ ସମାଜ; ଓରିଓଜ ଇଙ୍କ ଦ୍ଵାରା ଏହାର ଦଶମ ଦ୍ଵିବାର୍ଷିକ ଅଧିବେଶନ,” ସପ୍ତରଙ୍ଗ-୨୦୨୩” ମହାସମାରୋହରେ ଆୟୋଜନ କରାଯାଇଛି । ସମାବେଶରେ ଅଷ୍ଟ୍ରେଲିଆର ସମସ୍ତ ରାଜ୍ୟରୁ ଓଡ଼ିଆମାନେ ସେମାନଙ୍କର ପରିବାର ଓ ବନ୍ଧୁବାନ୍ଧବମାନଙ୍କ ସହିତ ଯୋଗ ଦେଇଥିଲେ । ଘର ବାହାରେ ଗୋଟିଏ ଘରେ ଏକଜୁଟ ହୋଇ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି, ଉତ୍ତୁଙ୍ଗ ଐତିହ୍ୟ ଏବଂ ସଶକ୍ତ ଭାତୃତ୍ବର ପରାକାଷ୍ଠାକୁ ପାଳନ କରିବାର ସ୍ମୃତି ନିଆରା ଏବଂ ଅବିସ୍ମରଣୀୟ ଥିଲା ।

ମହୋତ୍ସବ ସ୍ଥଳ କାନବେରାର ବଣ, ଜଙ୍ଗଲ, ବୃକ୍ଷ, ଲତା, ପାହାଡ, ପର୍ବତ ତଥା ଜଳପ୍ରପାତ ଘେରା ଓ ସବୁଜିମା ଭରା ସୁନ୍ଦର, ସୁଶୋଭିତ ଏବଂ ସୁରମ୍ୟ ଗ୍ରୀନ ହିଲ୍ସ ସେଣ୍ଟର ଥିଲା । ହସ, ମଜା, ମଜଲିସ, କୌତୁକ ଓ ମଉଛବ ବନାଇବା ତଥା ଶାରୀରିକ ଏବଂ ମାନସିକ ସ୍ତରର ସୁସ୍ଥତାକୁ ପୁନଉଜ୍ଜୀବିତ ଓ ଉତଫୁଲ୍ଲିତ୍ତ କରିବା ପାଇଁ ଏହି ସମ୍ମିଳନୀ ସଠିକ୍ ସୁଯୋଗ ଆଣିଦେଇଥିଲା। ବିଶେଷକରି କରୋନାର ପ୍ରାଦୁର୍ଭାବ ଯୋଗୁଁ ଦୀର୍ଘ ପାଞ୍ଚ ବର୍ଷର ବ୍ୟବଧାନରେ ଏହି ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିବାରୁ ଅଂଶ ଗ୍ରହଣକାରୀ ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ, ଅଜସ୍ର ଉତ୍ସାହ ଏବଂ ଅଫୁରନ୍ତ ଉଦ୍ଦୀପନା ପରିଲକ୍ଷିତ ହୋଇଥିଲା ।

ସପ୍ତରଙ୍ଗ-୨୦୨୩କୁ ଭାରତୀୟ ହାଇକମିଶନର ପ୍ରତିନିଧି ନରେନ୍ଦ୍ର ରଣା ଏବଂ ଫିନାକ୍ଟର ସଭାପତି ଶାନ୍ତି ରେଡ୍ଡୀ ଉଦଘାଟନ କରିଥିଲେ । ଏହାପରେ ଓରିଓଜର ନବନିର୍ବାଚିତ ସଭାପତି ଡଃ ମନୋଜ ନାୟକ ଏବଂ ନୂଆ କାର୍ଯ୍ୟକାରୀ କମିଟି,ବିଦାୟୀ ସଭାପତି ଡଃ ନଳିନୀ ପତି ଓ ତାଙ୍କର ଟିମଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ। ବୈଠକକୁ ସମ୍ବୋଧନ କରି ଡଃ ପତି ତାଙ୍କର ତିନି ବର୍ଷର କାର୍ଯ୍ୟକାଳ ମଧ୍ୟରେ ସମଗ୍ର ଓରିଓଜ ପରିବାର ପକ୍ଷରୁ ଯେଭଳି ସ୍ନେହ, ଶ୍ରଦ୍ଧା, ସଦିଚ୍ଛା ଓ ସହଯୋଗ ଲାଭ କରିଛନ୍ତି, ସେଥିପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ମହାମାରୀର ପ୍ରକୋପ ସତ୍ତ୍ୱେ ତାଙ୍କର କମିଟି ଓରିଓଜକୁ ଆନ୍ତର୍ଜାତିକ ସ୍ଵୀକୃତି ପ୍ରଦାନ କରିବା ସହିତ ମାତୃପ୍ରଦେଶ ଓଡ଼ିଶାରେ ମଧ୍ୟ ସୁଖ୍ୟାତି ଲାଭ କରାଇପାରିଥିବା ଡଃ ପତି ପ୍ରକାଶ କରିଥିଲେ ।

ସଭାରେ ଅଭିଭାଷଣ ପ୍ରଦାନ କରି ଓରିଓଜର ସଭାପତି ଡଃ ମନୋଜ ନାୟକ ସପ୍ତରଙ୍ଗର ଅଭୂତପୂର୍ବ ସଫଳତା ପାଇଁ ସନ୍ତୋଷ ବ୍ୟକ୍ତ କରିଥିଲେ। ବିସ୍ତୃତ ଭୌଗଳିକ ଇଲାକାରେ ପରିବ୍ୟାପ୍ତ ସମଗ୍ର ଅଷ୍ଟ୍ରେଲିଆ ମହାଦେଶର ଓଡ଼ିଆ ସମ୍ପ୍ରଦାୟଙ୍କ ମଧ୍ୟରେ ଏକ ମନ, ଏକ ପ୍ରାଣ ଏବଂ ଏକନିଷ୍ଟ ଭାବନା ଜାଗ୍ରତ କରାଇବା ତଥା ଏକ ବୃହତ୍ ପରିବାର ଭଳି ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ପାରିବା ଦ୍ଵାରା ଏହି ମିଳନ ପର୍ବର ଅସଲ ଉଦ୍ଦେଶ୍ୟ ସାଧନ ହୋଇଥିବା ସେ ଉଲ୍ଲେଖ କରିଥିଲେ ।

ସବୁଠୁ ପ୍ରମୁଖ ବିଷୟ ହେଲା ଯେ ଆମର ବାଳୁତ ଓ ଯୁବ ସଦସ୍ୟ ମାନେ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରିବାରେ ଯେଉଁ ଭଳି ଭାବରେ ଅହେତୁକ ଆଗ୍ରହ ଓ ଅତୁଳନୀୟ ଆବେଗ ଦେଖାଇଲେ ତାହା ଦର୍ଶନୀୟ ବିଷୟବସ୍ତୁ ଥିଲା ବୋଲି ଡଃ ନାୟକ କହିଥିଲେ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅସୀମ କୃପା ଫଳରେ କାନବେରାର ଟିମ ଅସମ୍ଭବକୁ ସମ୍ଭବ କରି ଦେଖାଇ ପାରିଥିବା ସେ ସୂଚାଇଥିଲେ। ସମ୍ମିଳନୀର ସଫଳତା ପାଇଁ ଡଃ ନାୟକ ପ୍ରତ୍ୟେକ ରାଜ୍ୟର କର୍ମକର୍ତ୍ତା, ସାଂସ୍କୃତିକ ମୁଖ୍ୟ ଏବଂ ପୂର୍ବତନ ତଥା ବର୍ତ୍ତମାନର କାର୍ଯ୍ୟକାରୀ କମିଟିର ସଦସ୍ୟଗଣଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏହି ଅବସରରେ ଓରିଓଜର ସାଙ୍ଗଠନିକସ୍ଥିତିକୁ ସୁଦୃଢ଼ କରିବା ନେଇ ଫଳପ୍ରସୂ ଯୋଗଦାନ ପାଇଁ ସଂସ୍ଥାର ବରିଷ୍ଠ ସଦସ୍ୟ ଶ୍ରୀ ଚାରୁ ଚନ୍ଦ୍ର ମିଶ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରଥମ ଥର ପାଇଁ ଓଡ଼ିଶାର ଐତିହ୍ୟ ଓ ଇତିହାସକୁ ଆଧାର କରି ପରିକଳ୍ପନା କରାଯାଇଥିବା କୁଇଜ୍ ପ୍ରତିଯୋଗିତାକୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ। ସେହିପରି ଓରିଓଜର ଯୁବ ବାହିନୀ ଦ୍ଵାରା ଚଳାଯାଇଥିବା ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅଂଶଗ୍ରହଣକାରୀ ମାନଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଥିଲା । ସପ୍ତରଙ୍ଗ-୨୦୨୩ର ପ୍ରଧାନ ଆକର୍ଷଣ ବିବିଧ ରଙ୍ଗାରଙ୍ଗ ସାଂସ୍କୃତିକ ସଂରଚନା ଥିଲା ।

ଏ ମଧ୍ୟରେ ଭିନ୍ନ ଭିନ୍ନ ସ୍ୱାଦର ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତ ବୟସର କଳାକାରମାନଙ୍କୁ ନେଇ ପରିବେଷିତ ୫୫ ଟି ମନୋରଞ୍ଜକ ପ୍ରସ୍ତୁତି ଅନ୍ତର୍ଭୁକ୍ତ ଥିଲା। ପିଲା ମାନଙ୍କ ଦ୍ଵାରା ମଞ୍ଚ ଉପରେ ପ୍ରଦର୍ଶିତ ଶ୍ରେଷ୍ଠ ସୃଜନଶୀଳ କଳା ଚାତୁର୍ଯ୍ୟର ଅନୁଭବ ଖୁବ ରୋମାଞ୍ଚକ ଓ ଉପଭୋଗ୍ୟ ଥିଲା। ବିଭିନ୍ନ ପ୍ରଦେଶର ସାଂସ୍କୃତିକ ମୁଖ୍ୟ ମାନେ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ। ଓଡ଼ିଶାରୁ ଆସିଥିବା ପରିଣତ ବୟସର ମାତାପିତା ଓ ପରିବାର ସଦସ୍ୟ ମାନେ ସମ୍ମିଳନୀର ବିଭିନ୍ନ ଉପସ୍ଥାପନାରେ ବଢ଼ିଚଢ଼ିକି ଭାଗ ନେବା ସାଙ୍ଗକୁ ପୁରା ଆସର କାଳରେ ଖୁବ୍ ଉତ୍ସାହିତ ଥିବା ନଜର କରାଯାଇଥିଲା । ତିନି ଦିନର ମହା ଅଧିବେଶନ ମଧ୍ୟରେ ଆଗନ୍ତୁକ ପ୍ରତିନିଧି ମାନଙ୍କୁ ନାନା କିସମର ପାରମ୍ପରିକ ସ୍ଵାଦିଷ୍ଟ ଓଡ଼ିଆ ବ୍ୟଞ୍ଜନରେ ଆପ୍ୟାୟିତ କରାଯାଇଥିଲା ।

ଭାରତର ଜି-୨୦ ସଭାପତିତ୍ବକୁ ନେଇ ଏମ୍‌ସ ଭୁବନେଶ୍ୱର ଛାତ୍ରଛାତ୍ରୀଙ୍କ ପକ୍ଷରୁ ମାନବଶୃଙ୍ଖଳ

ଭୁବନେଶ୍ୱର: ଭାରତର ଜି-୨୦ ସଭାପତିତ୍ବର ସଫଳତାକୁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଇଛି । ଆଜି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ବିଶାଳ ମାନବଶୃଙ୍ଖଳ ଗଠନ କରାଯାଇଥିଲା। ପ୍ରାୟ ସାଢ଼େ ତିନିଶହ ଛାତ୍ରୀଙ୍କୁ ନେଇ ଜି୨୦କୁ ଚିତ୍ରଣ କରୁଥିବା ଏକ ପ୍ରତିସ୍ବରୂପ ସୃଷ୍ଟି କରାଯାଇଥିଲା । ଏମ୍‌ସ ପରିସରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏପରି ମାନବଶୃଙ୍ଖଳ ବେଶ ଆକର୍ଷଣୀୟ ହୋଇଥିଲା ।

ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ବିଷୟବସ୍ତୁର ବିଶେଷତାକୁ ସାରା ବିଶ୍ବରେ ପହଞ୍ଚାଇବାର ପ୍ରୟାସ କରିଥିଲେ ଏମ୍‌ସର ଛାତ୍ରଛାତ୍ରୀ । ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଜି୨୦ ଜନଭାଗିଦାରୀ ଅଭିଯାନ ଅନ୍ତର୍ଗତ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ଖାଦ୍ୟରେ ମିଲେଟ୍‌ର ବ୍ୟବହାର ସମେତ ପାର୍ଶ୍ୱିବର୍ତ୍ତୀ ଗ୍ରାମଗୁଡିକରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ, ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏମ୍‌ସର ଜାତୀୟ ସେବା ଯୋଜନା(ଏନଏସଏସ) ପକ୍ଷରୁ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ ଭଳି ଏକାଧିକ କାର୍ଯ୍ୟକ୍ରମ ଜନ ଭାଗିଦାରୀ ଅଭିଯାନର ଅଂଶ ଥିଲା ।

ଜି୨୦ ଅଭିଯାନରେ ଏମ୍‌ସ ଭୁବନେଶ୍ୱରର ସକ୍ରିୟ ସହଭାଗୀତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ଏମ୍‌ସ ଭୁବନେଶ୍ୱର ସର୍ବଦା ନୂତନ ଜ୍ଞାନକୌଶଳ ଏବଂ ସମ୍ବେଦନଶୀଳତା ସହିତ ଜନସାଧାରଣଙ୍କ ସେବା କରିବାକୁ ପ୍ରତିଶ୍ରୁତିବଦ୍ଧ। ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏପରି ମାନବଶୃଙ୍ଖଳ ସୃଷ୍ଟି ଭାରତର ବିଶ୍ୱସ୍ତରୀୟ ନେତୃତ୍ୱ ତଥା ନାରୀଶକ୍ତିର ଜାଗରଣକୁ ପ୍ରମାଣିତ କରୁଥିବା ଡ. ବିଶ୍ବାସ ପ୍ରକାଶ କରିଛନ୍ତି ।

ଏଥିସହିତ ଆଜି ଏମ୍‌ସର ଛାତ୍ରଛାତ୍ରୀ କୋଭିଡ୍‌ ଏବଂ ଅନ୍ୟାନ୍ୟ ବିଭିନ୍ନ ସାମାଜିକ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଓପିଡି ପରିସରରେ କଳାତ୍ମକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଜି୨୦ ଅଭିଯାନର ଉଦ୍‌ଯାପନୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କୁଳସଚିବ ବି ବି ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡିନ୍‌ ଡ. ପି ଆର ମହାପାତ୍ର, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡା, ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ, ପିଆର୍‌ ସେଲ୍‌ ମୁଖ୍ୟ ଡ. ପ୍ରଭାସ ରଂଜନ ତ୍ରିପାଠୀ, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ କର୍ମଚାରୀ ଯୋଗ ଦେଇଥିଲେ ।

ଝାରସୁଗୁଡ଼ା ଉପନିର୍ବାଚନ; ପ୍ରଚାର ବେଳେ ରାବଣ ଉପାଖ୍ୟାନ କହି ହଟହଟା ହେଲେ ବିଜେପି ନେତା ବସନ୍ତ

ଝାରସୁଗୁଡ଼ା: ଝାରସୁଗୁଡା ଉପନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ତେବେ ନିର୍ବାଚନମଣ୍ଡଳିରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ଆଜି ପ୍ରଚାର ବେଳେ ବେଶ ହଟ୍ଟହଟ୍ଟା ହୋଇଥିବା ଦେଖିବାକୁ ମିଳିଛି । ଆଜି ଲଇକେରା ବ୍ଲକ ଅନ୍ତର୍ଗତ ପାକେଲପଡ଼ା ପଞ୍ଚାୟତର ତାଳମୁଣ୍ଡା ଗାଁରେ ଏକ ନିର୍ବାଚନୀ ସଭା କରିବାକୁ ଯାଇଥିଲେ ବସନ୍ତ ପଣ୍ଡା । ପ୍ରଥମତଃ ତାଙ୍କ ନିର୍ବାଚନୀ ସଭାକୁ କେହି ଆସିନଥିଲେ । ବହୁ ଉଦ୍ୟମ ପରେ ଆଠରୁ ଦଶ ଜଣ ବ୍ୟକ୍ତି ଗାଁ ମଣ୍ଡପରେ ଏକାଠି ହୋଇଥିଲେ । ମଣ୍ଡପକୁ ଘେରି ଗାଁର ଆଉ ୮ ଦଶ ଜଣ ଲୋକ ମଧ୍ୟ ଛିଡା ହୋଇଥିଲେ ।

ଯେଉଁ ମଣ୍ଡପରେ ନିର୍ବାଚନୀ ସଭା ହେଉଥିଲା ସେହି ମଣ୍ଡପ ନିର୍ମାଣ ପାଇଁ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସ୍ବର୍ଗତ ନବ ଦାସ ଅନୁଦାନ ଦେଇଥିଲେ ବୋଲି ଶୁଣିବା ପରେ ବସନ୍ତ ପଣ୍ଡା ହଡବଡେଇ ଯାଇଥିଲେ । ପୁରାଣ ପ୍ରସଙ୍ଗ ଉତଥାପନ କରି ବିଜେଡିକୁ ରାବଣ ବୋଲି ସମ୍ବୋଧନ କରିବାକୁ ଲୋକଙ୍କୁ ପ୍ରବର୍ତାଇଥିଲେ । ଫଳରେ ଉପସ୍ଥିତ ଲୋକେ ଉତ୍ୟକ୍ତ ହୋଇ ବସନ୍ତ ପଣ୍ଡାଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିଲେ । କେନ୍ଦ୍ର ସରକାର ସମଗ୍ର ଦେଶକୁ ବିକ୍ରି କରିସାରିଲାଣି ବୋଲି ଉପସ୍ଥିତ ଗ୍ରାମବାସୀଙ୍କ ମଧ୍ୟରୁ ଜଣେ ସିଧାସିଧା ମୁହଁରେ ଜବାବ ଦେଇଥିଲେ ।

ନବ ଦାସଙ୍କ ହତ୍ୟାକାରୀ କିଏ ବୋଲି ଏହି ସଭାରେ ବସନ୍ତ ପଣ୍ଡା ପ୍ରଶ୍ନ କରିଥିଲେ । ନବ ଦାସଙ୍କ ହତ୍ୟାକାରୀଙ୍କୁ ଖୋଜିବା ଆଇନର କାମ ବୋଲି ଲୋକେ କହିଥିଲେ ମଧ୍ୟ ବସନ୍ତ ପଣ୍ଡା ଅବାନ୍ତର ଯୁକ୍ତି କରିଥିଲେ । ଫଳରେ ହତ୍ୟାକାରୀଙ୍କ ସମ୍ପର୍କରେ ବସନ୍ତ ପଣ୍ଡା ଯେଉଁ କପୋଳକଳ୍ପିତ କଥା କହୁଛନ୍ତି ତାର ପ୍ରମାଣ ମାଗିଥିଲେ । ଏହି ନିର୍ବାଚନୀ ସଭାରେ ବସନ୍ତ ପଣ୍ଡା ଏବଂ ତାଙ୍କ ସହଯୋଗୀଙ୍କୁ ବେଶ ହଟ୍ଟହଟ୍ଟା ହେବାକୁ ପଡିଥିଲା । ଉପନିର୍ବାଚନ ପୂର୍ବରୁ ବିଜେପିର ଜଣେ ବରିଷ୍ଠ ନେତା ଏଭଳି ଅପଦସ୍ତ ହେବା ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି ।

ଦିଲ୍ଲୀ ମଦ ନୀତି ମାମଲା; ସିସୋଦିଆଙ୍କୁ ଝଟକା, ମିଳିଲାନି ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଅବକାରୀ ନୀତି ମାମଲାରେ ଆଉ ଏକ ଝଟକା ଲାଗିଛି । ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ କୋର୍ଟ ଶୁକ୍ରବାର ତାଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି । ରାଉଜ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ଜଜ ଏମକେ ନାଗପାଲ ମନିଷ ସିସୋଦିଆଙ୍କ ଜାମିନ ଆବେଦନ କାରଜ କରିଛନ୍ତି । ଏବେ ନିମ୍ନ ଅଦାଲତଙ୍କ ଏହି ନିଷ୍ପତ୍ତି ବିରୋଧରେ ସିସୋଦିଆ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ । କୋର୍ଟରେ ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାମିନ ଆବେଦନକୁ ବିରୋଧ କରିଥିଲେ । ସୂଚନାଥାଉକି, ଅବକାରୀ ନୀତିରେ କଥିତ ଅନିୟମିତତା ଅଭିଯୋଗରେ ସିବିଆଇ ୨୬ ଫେବ୍ରୁଆରୀରେ ସିସୋଦିଆଙ୍କୁ ଗିରଫ କରିଥିଲା । ଏବେ ସେ ତିହାର ଜେଲରେ ବନ୍ଦ ଅଛନ୍ତି ।

ବ୍ରିଜଭୂଷଣ ଜେଲ୍ ନଯିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ: ଆନ୍ଦୋଳନରତ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ସମସ୍ୟା ଆଗକୁ ବଢ଼ିପାରେ । ବ୍ରିଜଭୂଷଣଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଦିଲ୍ଲୀ ଜନ୍ତର ମନ୍ତରରେ ଆନ୍ଦୋଳନ କରୁଛନ୍ତି । ବିଭିନ୍ନ ରାଜନୈତିକ ଦଳ ସହ ବିଶିଷ୍ଟ ବ୍ୟକ୍ତିମାନେ ସେମାନଙ୍କ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି । ଅନ୍ୟପକ୍ଷରେ ବିଜେପି ସମର୍ଥିତ କିଛି ନେତା କୁସ୍ତିଯୋଦ୍ଧାଙ୍କ ଧାରଣାକୁ ମିଛ ବୋଲି କହୁଛନ୍ତି ।

ଏମିତି କି ଗତକାଲି ଇଣ୍ଡିଆନ ଅଲିମ୍ପିକ ଆସୋସିଏସନର ଅଧ୍ୟକ୍ଷ ପିଟି ଉଶା ମଧ୍ୟ କୁସ୍ତିଯୋଦ୍ଧାଙ୍କ ଧାରଣାକୁ ଅଗଣତାନ୍ତ୍ରିକ ବୋଲି ଦର୍ଶାଇଥିଲେ । କୁସ୍ତିଯୋଦ୍ଧାଙ୍କ କହିବା କଥା ଆମେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ପଦକ ଜିତିଛୁ । ଦେଶର ସମ୍ମାନ ପାଇଁ ଆମେ ସବୁକିଛି କରିଛୁ । ହେଲେ ଜଣେ ନାବାଳିକା ସମତେ ୭ ଜଣଙ୍କ ସହ ବ୍ରିଜଭୂଷଣ ଯେଉଁ ଯୌନ ନିର୍ଯାତନା କରିଛନ୍ତି ତାଙ୍କୁ ଦଣ୍ଡ ମିଳିବା ଆବଶ୍ୟକ । ଆଗକୁ ଯେପରି କ୍ରୀଡ଼ା କ୍ଷେତ୍ରରେ କେହି ଶୋଷଣର ଶିକାର ନହୁନ୍ତି ।

ସରକାର ଆମ ଗୁହାରୀ ଶୁଣି ନ୍ୟାୟ ପ୍ରଦାନ କରନ୍ତୁ । ଅନ୍ୟପକ୍ଷରେ ସରକାର ବ୍ରିଜଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାର କୁସ୍ତିଯୋଦ୍ଧାଙ୍କ ଦାବିକୁ ମାନି ନେଇଛନ୍ତି । ଶୁକ୍ରବାର ସଲିସିଟର ଜେନେରାଲ ଏନେଇ ସୂଚନା ସୁପ୍ରିମକୋର୍ଟରେ ଦେଇଛନ୍ତି । ଏହାରି ମଧ୍ୟରେ କୁସ୍ତିଯୋଦ୍ଧାମାନେ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରିଛନ୍ତି ଯେ ବ୍ରିଜଭୂଷଣଙ୍କୁ ସମସ୍ତ ପଦରୁ ହଟାଯାଉ ଏବଂ ଜେଲ ପଠାଯାଉ ।

ସାମ୍ବାଦିକ ସମ୍ମିଳନୀ କରି କୁସ୍ତିଯୋଦ୍ଧାମାନେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେମାନଙ୍କ ଧାରଣା ଏବେ ସମାପ୍ତ ହେବ ନାହିଁ । ସୂଚନାଥାଉକି, ଏପର୍ଯ୍ୟନ୍ତ ସୁଦ୍ଧା କୁହାଯାଉଥିଲା ଯେ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ କୁସ୍ତିଯୋଦ୍ଧାମାନେ ଧାରଣା ସମାପ୍ତ କରିଦେବେ କିନ୍ତୁ ଏପରି କରିବାକୁ ସେମାନେ ସ୍ପଷ୍ଟ ମନା କରିଦେଇଛନ୍ତି । ବିନେଶ ଫୋଗାଟ କହିଛନ୍ତି ଯେ, ଆମକୁ ସୁପ୍ରିମକୋର୍ଟଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ।

ବ୍ରିଜବୂଷଣଙ୍କୁ ସମସ୍ତ ପଦରୁ ହଟାଯାଉ । ସେ ନିଜ ପଦର ଦୁରୁପଯୋଗ କରିପାରନ୍ତି । ଆମେ କୌଣସି ବି କମିଟି ବା କମିଟିର ସଦସ୍ୟଙ୍କ ଉପରେ ଭରସା ନାହିଁ । ଏ ଲଢେଇ କେବଳ ଏଫଆଇଆର ପର୍ଯ୍ୟନ୍ତ ସୀମିତ ନୁହେଁ ବ୍ରିଜ ଭୂଷଣଙ୍କୁ ଦଣ୍ଡ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ । ବ୍ରିଜଭୂଷଣଙ୍କୁ ଜେଲକୁ ପଠାଯାଉ ।

‘କର୍ଣ୍ଣାଟକରେ ଚାଲିଥିବା ୪୦ ପର୍ସେଣ୍ଟ ସରକାରକୁ ଆସନ୍ତା ନିର୍ବାଚନରେ ରାଜ୍ୟବାସୀ ଗାଦିଚ୍ୟୁତ କରିବେ’

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାରଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟାର୍ଗେଟ । ରାଜ୍ୟରେ ଚାଲିଥିବା ୪୦ ପର୍ସେଣ୍ଟ ସରକାରକୁ ଆସନ୍ତା ନିର୍ବାଚନରେ ରାଜ୍ୟବାସୀ ଗାଦିଚ୍ୟୁତ କରିବେ ବୋଲି କହିଛନ୍ତି ରାହୁଲ । ବିଜେପିକୁ ୪୦ ସଂଖ୍ୟା ସୁହାଉଛି । ଏଣୁ ଆସନ୍ତା ନିର୍ବାଚନରେ କର୍ଣ୍ଣାଟକରେ ବିଜେପି ୪୦ ଆସନ ପାଇବ ବୋଲି କହିଛନ୍ତି ରାହୁଲ । କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତି ପଞ୍ଚାୟତକୁ ଏକ କୋଟି ଲେଖାଏ ଟଙ୍କା ମିଳିବ ବୋଲି ସେ କହିଛନ୍ତି । ସେପଟେ ଅଭିନେତା ଶିବରାଜ କୁମାରଙ୍କ ପତ୍ନୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ. ବାଙ୍ଗାରାପ୍ପାଙ୍କ କନ୍ୟା ଗୀତା ଶିବରାଜ କୁମାର କଂଗ୍ରେସରେ ସାମିଲ ।

ଜେଡିଏସ ପରିତ୍ୟାଗ କରି କଂଗ୍ରେସର ହାତ ଧରିଛନ୍ତି ଗୀତା । ପିସିସି ସଭାପତି ଡି.କେ. ଶିବକୁମାରଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ଗୀତା । ୨୦୧୪ରେ ଶିବମୋଗା ଲୋକସଭା ଆସନରୁ ଜେଡିଏସ ଟିକେଟରେ ଲଢି ସେ ପରାଜିତ ହୋଇଥିଲେ । ଏହି ଆସନରୁ ବିଜୟୀ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦ୍ୟୁରପ୍ପା ।

୨୦୨୧ରେ ଗୀତାଙ୍କ ଭାଇ ମଧୁ ବାଙ୍ଗରାପ୍ପା ବି ଜେଡିଏସ ତ୍ୟାଗ କରି କଂଗ୍ରେସରେ ମିଶିଥିଲେ । ସେତେବେଳେ ଭାଇଙ୍କ ଏହି ପଦକ୍ଷେପକୁ ସମର୍ଥନ କରିଥିଲେ ଗୀତା । ଗୀତାଙ୍କ ଅନ୍ୟ ଜଣେ ଭାଇ କୁମାର ବାଙ୍ଗରାପ୍ପା ବିଜେପିରେ ଅଛନ୍ତି । ସେ ସୋରବା ବିଧାନସଭା ଆସନରୁ ବର୍ତ୍ତମାନ ବିଧାୟକ ଅଛନ୍ତି । ଆସନ୍ତା ନିର୍ବାଚନରେ ସୋରବା ଆସନ ଦେଖିବ ଦୁଇ ଭାଇଙ୍କ ମଧ୍ୟରେ ଲଢେଇ । ମଧୁ କଂଗ୍ରେସ ଟିକେଟରେ ଲଢୁଥିବାବେଳେ କୁମାର ଲଢୁଛନ୍ତି ବିଜେପି ଟିକେଟରୁ ।

ସୀମା ବିବାଦ ପ୍ରସଙ୍ଗରେ ଚୀନକୁ ଭାରତର କଡ଼ା ଚେତାବନୀ

ବ୍ୟୁରୋ : ସୀମା ବିବାଦ ପ୍ରସଙ୍ଗରେ ଚୀନକୁ କଡ଼ା ଚେତାବନୀ । ସେପଟେ ଅନ୍ତର୍ଜାତୀୟ ସୀମାରେଖରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ଆହ୍ବାନ ଦେଇଛି ଚୀନ । ସୀମା ବିବାଦ ପ୍ରସଙ୍ଗରେ ଗତକାଲି ଚୀନକୁ ପ୍ରତିରକ୍ଷା ମନ୍ତ୍ରୀ କଡ଼ା ଚେତାବନୀ ଦେଇଥିବାବେଳେ ସ୍ବାଭାବିକ ଅବସ୍ଥା ଫେରାଇଆଣିବା ଲାଗି ଆହ୍ବାନ ଦେଇଛନ୍ତି ଚୀନ ପ୍ରତିପକ୍ଷ ଜେନେରାଲ ଲି ସାଙ୍ଗଫୁ ।

 

 

ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ଲାଗି ଉଦ୍ୟମ କରିବା ଆବଶ୍ୟକ ବୋଲି କହିଛନ୍ତି ସାଙ୍ଗଫୁ । ସୀମା ପ୍ରସଙ୍ଗରେ ଚୀନ ଓ ଭାରତ ମଧ୍ୟରେ କେତେକ ମତପାର୍ଥକ୍ୟ ରହିଥିବା ସତ୍ତ୍ବେ ଅନେକ ପ୍ରସଙ୍ଗରେ ଦୁଇ ରାଷ୍ଟ୍ର ମଧ୍ୟରେ ସହମତି ରହିଆସିଛି । ସାମଗ୍ରିକ ଓ ଦୀର୍ଘସ୍ଥାୟୀ ତଥା କୌଶଳଗତ ଦୃଷ୍ଟିଭଙ୍ଗୀ ଦୃଷ୍ଟିରୁ ଦୁଇ ଦେଶ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ଦିଗରେ କାର୍ଯ୍ୟ କରିବା ଲାଗି ଆହ୍ବାନ ଦେଇଛି ଚୀନ ।

ଭାରତ ଓ ଚୀନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୧୮ ରାଉଣ୍ଡ କଥାବାର୍ତ୍ତା ହୋଇସାରିଥିବାବେଳେ ଲଦାଖ, ହଟ୍ ସ୍ପ୍ରିଙ୍ଗସ୍, ଗଲଓ୍ବାନ ଓ ପଙ୍ଗୋଙ୍ଗ ହ୍ରଦ ପ୍ରସଙ୍ଗକୁ ନେଇ ରହିଥିବା ବିବାଦ ଦୂର କରିବାକୁ ଉଦ୍ୟମ ହୋଇଛି ।