spot_img
Home Blog Page 3174

ସମ୍ବଲପୁର ଚନ୍ଦନିମାଲ ଓ ବଡ଼ବାହାଲ ଜଙ୍ଗଲରେ ନିଜ ଗୁଳିରେ ଶିକାରୀ ମୃତ

ସମ୍ବଲପୁର: ନିଜ ବନ୍ଧୁକରେ ନିଜକୁ ଗୁଳି । ଗୁଳି ଫୁଟି ଶିକାରୀ ମୃତ । ସମ୍ବଲପୁର ଜିଲ୍ଲା କତରାବଗାଁ ଥାନା ଚନ୍ଦନିମାଲ ଓ ବଡ଼ବାହାଲ ଜଙ୍ଗଲ ମଝିର ଘଟଣା । ମୃତକ ହେଲେ ବଡ଼ବାହାଳ ଗାଁର କୁମର ଛତ୍ରିଆ । କୁମରଙ୍କ ସମେତ ୭ ଜଣ ବାରହା ଶିକାର ପାଇଁ ଜଙ୍ଗଲକୁ ଯାଇଥିଲେ । ହଠାତ ବାଇକ ଶବ୍ଦ ଶୁଣି ଘଟଣାସ୍ଥଳରୁ ସମସ୍ତେ ଫେରାର ହେବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ କୁମରଙ୍କ ବନ୍ଧୁକରୁ ଗୁଳିଫୁଟି ନିଜ ଦେହରେ ବାଜିଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ପୋଲିସ ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରୁ ଦୁଇ ବନ୍ଧୁକ ଜବତ କରିବା ସହ ୬ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ୍‌ ହେବେ ସିବିଆଇ ନିର୍ଦ୍ଦେଶକ, ଆସନ୍ତା ୨୫ରୁ ଦୁଇବର୍ଷ ପାଇଁ ନେବେ ଦାୟିତ୍ୱ

ନୂଆଦିଲ୍ଲୀ: ସିବିଆଇର ଟପ୍ ପୋଷ୍ଟରେ କର୍ଣ୍ଣାଟକ ଡିଜିପି । ସିବିଆଇ ନିର୍ଦ୍ଦେଶକ ହେଲେ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ୍‌ । ଆସନ୍ତା ଦୁଇ ବର୍ଷ ପାଇଁ କାର୍ଯ୍ୟଭାର ସମ୍ଭାଳିବେ ପ୍ରବୀଣ ସୁଦ୍‌ । କର୍ଣ୍ଣାଟକ ନିର୍ବାଚନ ବେଳେ ଚର୍ଚ୍ଚାରେ ଥିଲେ ପ୍ରବୀଣ । ଏବେ ସିବିଆଇ ନିର୍ଦ୍ଦେଶକ ଥିବା ସୁବୋଧ କୁମାର ଜୈଶଓ୍ୱାଲ ଆସନ୍ତା ୨୫ ତାରିଖରେ ଅବସର ନେବେ । ତାପରେ ଦାୟିତ୍ୱ ନେବେ ପ୍ରବୀଣ ସୁଦ୍‌ । କର୍ଣ୍ଣାଟକ ନିର୍ବାଚନ ବେଳେ ବେଶ୍ ଚର୍ଚ୍ଚାରେ ଥିଲେ ପୋଲିସ ଡିଜି ପ୍ରବୀଣ ସୁଦ୍‌ । କଂଗ୍ରେସ ନେତା ଡିକେ ଶିବକୁମାର ଆଣିଥିଲେ ବଡ଼ ଅଭିଯୋଗ  । ବିଜେପି ନେତାଙ୍କୁ ସୁହେଇଲା ଭଳି କାମ କରୁଥିଲେ ପୋଲିସ ଡିଜି  । ବିଜେପି ନେତାଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଥିଲେ ।

କେବଳ କଂଗ୍ରେସ ନେତାଙ୍କ ବିରୋଧରେ ରୁଜୁ କରୁଥିଲେ ମାମଲା । ବିନା କାରଣରେ ପ୍ରବୀଣ ବିରୋଧୀ କଂଗ୍ରେସକୁ ଅଯଥାରେ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା । ଏଭଳି ଚର୍ଚ୍ଚା ଭିତରେ ପ୍ରବୀଣ ସୁଦ୍ ସିବିଆଇ ମୁଖ୍ୟ ହେବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ପ୍ରକାଶ ପାଇଲା ସିଆଇଏସସିଇ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ, http://cisce.org ୱେବସାଇଟରେ ରେଜଲ୍ଟ ଉପଲବ୍ଧ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ବାଦଶ ପରୀକ୍ଷା ଫଳ । ICSE ଦଶମରେ ପାସ୍ ହାର ରହିଛି ୯୮.୯୪% । ସେହିପରି ISC ଦ୍ବାଦଶରେ ପାସ୍ ରହିଛି ୯୬.୯୩% । ଦଶମ ଓ ଦ୍ବାଦଶରେ ପରୀକ୍ଷା ଦେଇଥିଲେ ତିନି ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଦ୍ବାଦଶରେ ରିୟା ଅଗ୍ରଓ୍ବାଲ ୯୯.୭୫ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି । ସେହିପରି ଦଶମରେ ଋଷିଲ କୁମାର ୯୯.୮ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି । ଦଶମରେ ୯୯.୮ ପ୍ରତିଶତ ମାର୍କ ରଖି ଅନନ୍ୟା କାର୍ତ୍ତିକ ରହିଛନ୍ତି ଦ୍ବିତୀୟ ସ୍ଥାନରେ । ସେହିପରି ୯୮.୮ ପ୍ରତିଶତ ମାର୍କ ରଖି ଶ୍ରେୟା ଉପାଧ୍ୟାୟ ରହିଛନ୍ତି ତୃତୀୟ ସ୍ଥାନରେ । ଦ୍ବାଦଶରେ ୯୯.୭୫ ପ୍ରତିଶତ ମାର୍କ ରଖି ଇପସିତା ଭଟ୍ଟାଚାର୍ଯ୍ୟ ରହିଛନ୍ତି ଦ୍ବିତୀୟ ସ୍ଥାନରେ । ସେହିପରି ୯୯.୭୫ ପ୍ରତିଶତ ମାର୍କ ରଖି ମହମ୍ମଦ ଆରିଆନ ତାରିକ ତୃତୀୟ ସ୍ଥାନରେ ରହିଛନ୍ତି ।

ଦଶମ ଶ୍ରେଣୀରେ ୯ ଛାତ୍ରଛାତ୍ରୀ ରଖିଛନ୍ତି ରାଙ୍କ-୧ ପୋଜିସନ୍ । ସେମାନଙ୍କ ମଧ୍ୟରେ ରହିଛନ୍ତି ତିନି ଛାତ୍ରୀ । ଦ୍ବାଦଶରେ ପରୀକ୍ଷା ଦେଇଥିଲେ ୯୮ ହଜାର ୫୦୫ ଛାତ୍ରଛାତ୍ରୀ । ଦଶମରେ ପରୀକ୍ଷା ଦେଇଥିଲେ ୨ ଲକ୍ଷ ୩୭ ହଜାର ୬୩୧ ଛାତ୍ରଛାତ୍ରୀ । ଆଜି ପ୍ରକାଶ ପାଇଥିବା ICSE ଦଶମ ରେଜଲ୍ଟରେ ପ୍ରିୟଙ୍କା ପରାସର ଓ ବିଷ୍ଣୁ ପ୍ରସାଦ ଶତପଥୀ ଓଡ଼ିଶା ଟପ୍ପର ହୋଇଛନ୍ତି । ଉଭୟେ ୯୯.୪୦% ମାର୍କ ରଖି ମିଳିତ ଭାବେ ଟପ୍ପର ହୋଇଛନ୍ତି। ସେହିପରି ସଞ୍ଜନା ପଲେଇ, ପ୍ରତିକା ମିଶ୍ର, ପ୍ରେମା ମଞ୍ଜରୀ, ଆୟଷ ନନ୍ଦ ୯୯.୨୦% ମାର୍କ ରଖିଥିବା ବେଳେ ଅନୁଷ୍କା ମିତ୍ତଲ, ଓଜଲ ଆକାଶ, ଓକାର ମହାପାତ୍ର ଓ ଅମରେନ୍ଦ୍ର ସ୍ୱାଇଁ ୯୯.୦ ପ୍ରତିଶତ ମାର୍କ ରଖି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ସେହିପରି ISC ଦ୍ୱାଦଶ ପରୀକ୍ଷାରେ ଦିଶା ଗୋଏଲ ଓଡ଼ିଶା ଟପ୍ପର ହୋଇଛନ୍ତି । ସେ ୯୮.୨୬ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଥିବା ବେଳେ ସ୍ତୁତିଲେଖା ପଟ୍ଟନାୟକ ୯୮ %, ସୁଦୀପ ଅଧିକାରୀ ଓ ଶ୍ରୀୟା ଦତ୍ତ ୯୭.୫ ପ୍ରତିଶତ ମାର୍କ ରଖିଛନ୍ତି ।

ଆଜି ହୋଇ ନପାରେ କର୍ଣ୍ଣାଟକ ସିଏମ ପ୍ରାର୍ଥୀ ଘୋଷଣା, ଶିବକୁମାର କହିଲେ ଦଳ ପାଇଁ ଅନେକଥର ତ୍ୟାଗ କରିଛି….

ବେଙ୍ଗାଲୁରୁ: ଆଜି ହୋଇ ନପାରେ କର୍ଣ୍ଣାଟକ ସିଏମ ପ୍ରାର୍ଥୀ ଘୋଷଣା । ଆସନ୍ତାକାଲି ହାଇକମାଣ୍ଡ ନାଁ ଘୋଷଣା କରିବେ ବୋଲି ସୂଚନା ମିଳିଛି । ଦୁଇ ହେଭିଓ୍ବେଟ ଡି.କେ. ଶିବକୁମାର ଓ ସିଦ୍ଧରମୈୟାଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ସେନେଇ ଚାଲିଛି କଳ୍ପନାଜଳ୍ନନା । ମୁଖ୍ୟମନ୍ତ୍ରୀ ଚୟନ ପ୍ରସଙ୍ଗରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ସହ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ କଥା ହୋଇଥିବା ସୂଚନା ମିଳିଛି । ଗତକାଲି ଏନେଇ ଦଳର ନେତାଙ୍କ ଏକ ବୈଠକ ବସିଥିଲା । ସେପଟେ ଆଜି ଏଆଇସିସି ସଭାପତି ମଲ୍ଲିକାର୍ଜୁନଙ୍କ ଘରେ କଂଗ୍ରେସ ବିଧାୟକମାନେ ସମବେତ ହେଉଥିବା ଦେଖାଯାଇଛି ।

ସେମାନଙ୍କ ମଧ୍ୟରେ ଅଛନ୍ତି ସିଦ୍ଧରମୈୟା । ସିଦ୍ଧରମୈୟା ବି ଏକ ରୁଦ୍ଧଦ୍ବାର ବୈଠକ କରିଥିବା ସୂଚନା ମିଳିଛି । ଅଜି ସନ୍ଧ୍ୟା ୬ଟାରେ ବେଙ୍ଗାଳୁରୁର ସାଙ୍ଗ୍ରି-ଲା-ହୋଟେଲରେ କଂଗ୍ରେସ ବିଧାୟକଙ୍କ ବୈଠକ ବସିବ ବୋଲି ସୂଚନା ମିଳିଛି । ଏହି ବୈଠକରେ ଏକ ପ୍ରସ୍ତାବ ଗୃହୀତ ହେବା ପରେ ତାହାକୁ କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଯିବ । ତେଣେ ସିଦ୍ଧରମୈୟଙ୍କ ସପକ୍ଷରେ ସମର୍ଥକମାନେ ପୋଷ୍ଟର ମାରିଛନ୍ତି । ସେମାନେ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ବୋଲି ସୂଚନା ମିଳିଛି । ପରିବାର ସହ ବେଙ୍ଗାଳୁରୁଠାରୁ ୧୨୦କିମି ଦୂର ଶ୍ରୀ କାଦାସିଦ୍ଧେଶ୍ବରୀ ମନ୍ଦିର ପରିଦର୍ଶନ କରିଛନ୍ତି ଶିବକୁମାର । ସେପଟେ ସିଏମ ରେସରେ ସାମିଲ ହୋଇଛନ୍ତି ୨ ନେତା । ସେମାନେ ହେଉଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବର ଓ ଏଚ.କେ ପାଟିଲ ।

ଶ୍ରୀ କାଦାସିଦ୍ଧେଶ୍ବରୀ ମନ୍ଦିର ପରିଦର୍ଶନ ସମୟରେ ଡିକେ ଶିବକୁମାର କହିଛନ୍ତି, ଲୋକମାନେ କହୁଛନ୍ତି ଯେ ସିଦ୍ଧରମେୟାଙ୍କ ସହ ମୋର ମତଭେଦ ଅଛି । ହେଲେ ସ୍ପଷ୍ଟ କରିବାକୁ ଚାହେଁ ଆମ ଭିତରେ ସେମିତି କିଛି ବି ନାହିଁ । ଅନେକଥର ମୁଁ ଦଳ ପାଇଁ ତ୍ୟାଗ କରିଛି ଏବଂ ସିଦ୍ଧରମେୟାଙ୍କ ସହ ଛିଡ଼ା ହୋଇଛି । ସୁଦ୍ଧରମେୟାଙ୍କୁ ସବୁବେଳେ ସହଯୋଗ କରିଆସିଛି ବୋଲି ସେ କହିଛନ୍ତି ।

ଭୁବନେଶ୍ୱରରେ ଝାରସୁଗୁଡାର ନବନିର୍ବାଚିତ ବିଧାୟିକା ଦୀପାଳି ଦାସ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନେବେ ଆଶୀର୍ବାଦ

ଭୁବନେଶ୍ୱର: ଜିତିବା ପରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ଆସିଲେ ଝାରସୁଗୁଡା ବିଧାୟିକା ଦୀପାଳି ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଭୁବନେଶ୍ୱର ଆସିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ”ଏ ବିଜୟ ଝାରସୁଗୁଡା ବାସିଙ୍କ ବିଜୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟ, ବିକାଶର ବିଜୟ, ନବ ଦାସଙ୍କ ବିଜୟ । ଆଜି ଭୁବନେଶ୍ୱରରେ ପହଞ୍ଚିଲି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବି । ସମସ୍ତଙ୍କୁ ଭେଟି ଆଶୀର୍ବାଦ ନେବା ପାଇଁ ଆସିଛି । ସମସ୍ତେ ବହୁତ ପରିଶ୍ରମ କରିଛନ୍ତି । ସମସ୍ତଙ୍କୁ ଭେଟି ଆଶୀର୍ବାଦ ନେବି । ବାପାଙ୍କ ସ୍ୱପ୍ନ ଥିଲା ଝାରସୁଗୁଡାର ନୂତନ ନିର୍ମାଣ । ଗତକାଲି ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାହା ସ୍ବପ୍ନ ମୋ ବାପା ନବ ଦାସ ଦେଖିଥିଲେ ତାହା ପୂରଣ ହେବ ।

ଏବଂ ସେଥିପାଇଁ ମୁଖ୍ୟମନ୍ତ୍ରୀ ହାତ ବଢ଼ାଇଛନ୍ତି । ହାର୍ଟ ହସ୍ପିଟାଲ, କ୍ୟାନସର ହସ୍ପିଟାଲ, ଓଭରବ୍ରିଜ, ଡାୟୋଗନିଶିଷ ସେଣ୍ଟର ସବୁ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ପୂରଣ କରିବି । ମୋ ସୌଭାଗ୍ୟ ଓ ଗର୍ବ ଯେ ମୁଖ୍ୟମନ୍ତ୍ରୀ ମତେ ନିଜ ଝିଅ ଭାବେ ଦେଖୁଛନ୍ତି । ବାପା ଆଉ ନାହାନ୍ତି ସତ ହେଲେ ମୁଖ୍ୟମନ୍ତ୍ରୀଙ୍କ ହାତ ମୋ ମୁଣ୍ଡରେ ଅଛି । ତେଣୁ କିଏ କଣ କହିଲେ ମତେ କିଛି ଫରକ ପଡ଼ିବନି । ଜନତାଙ୍କ ଆଶୀର୍ବାଦ ଓ ବିଶ୍ୱାସ ମୋ ଉପରେ ଅଛି । ବାପା ବଞ୍ଚିଥିଲେ ବହୁତ ଖୁସି ହୋଇଥାନ୍ତେ । ତାଙ୍କ ସହ ଷ୍ଟେଜରେ ଭାଷଣ ଦେଇଛି ।” ପ୍ରକାଶଥାଉକି, ଗତକାଲି ଝାରସୁଗୁଡ଼ା ଉପନିର୍ବାଚ ଫଳ ପ୍ରକାଶ ପାଇଥିଲା । ଏଥିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ।

ଋଷର ୪ ସାମରିକ ଯୁଦ୍ଧବିମାନକୁ ଗୁଳିମାରି ଖସାଇଦେଲା ୟୁକ୍ରେନ

ମସ୍କୋ: ଋଷକୁ ଜବରଦସ୍ତ ଝଟକା । ୟୁକ୍ରେନ ସୀମାନ୍ତରେ ଋଷର ସାମରିକ ଯୁଦ୍ଧବିମାନକୁ ଖସାଇ ଦେଇଥିବା ନେଇ ଦାବି କରିଛି ୟୁକ୍ରେନ । ଋଷର ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ କୁହାଯାଇଛି ୟୁକ୍ରେନ ସୀମାରେ ଉଡୁଥିବାବେଳେ ନିଜ ଦେଶର ଦୁଇଟି ଫାଇଟର ଜେଟ ଓ ଦୁଇଟି ମିଲିଟାରୀ ହେଲିକପ୍ଟରକୁ ଖସାଇଦିଆଯାଇଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ବରିଷ୍ଠ ପରାମର୍ଶଦାତା ମିଖାଇଲୋ ପୋଦୋଲିକ କହିଛନ୍ତି ଋଷ ନିଜର କର୍ମଫଳ ପାଇଛି ।

ଖସାଇଦିଆଯାଇଥିବା ବିମାନ ମଧ୍ୟରେ ରହିଛି ଦୁଇଟି ଏମଆଇ ୮ ଏସ, ଗୋଟିଏ ଏସୟୁ-୩୫ ଓ ଗୋଟିଏ ଏସୟୁ- ୩୪ । ୟୁକ୍ରେନର ବ୍ରିଆନ୍ସକରେ ଘଟିଛି ଏହି ଘଟଣା । ୟୁକ୍ରେନ ଉପରେ ଆକ୍ରମଣ ଲାଗି ଏହି ବିମାନଗୁଡିକ ଯାଇଥିବାବେଲେ ପ୍ରତିଫଳ ଭୋଗିଥିବା କୁହାଯାଇଛି । ୟୁକ୍ରେନର ଚେରିନହିବ ଅଞ୍ଚଳରେ ମିସାଇଲ ଓ ବୋମା ଆକ୍ରମଣ ଲାଗି ଯୋଜନା ରହିଥିଲା । ବିମାନରେ ଥିବା ୪ଜଣ ଯାକ ଚାଳକଙ୍କ ମୃତ୍ୟୁ ଘଟିଛି ।

ଆରବ ସାଗରରେ ୧୨ ହଜାର କୋଟି ଟଙ୍କାର ଡ୍ରଗ୍ସ ଧରିଲା ଭାରତୀୟ ନୌସେନା

ଅହମ୍ମଦାବାଦ: ଭାରତୀୟ ନୌସେନାର ଗୁଇନ୍ଦା ୟୁନିଟ୍ ଏବଂ ଏନସିବିର ମିଳିତ ଅଭିଯାନରେ ଆରବ ସାଗରରେ ବଡ଼ ମାତ୍ରାରେ ଡ୍ରଗ୍ସ ଜବତ କରାଯାଇଛି । ତେବେ ଏପର୍ଯ୍ୟନ୍ତ ସୁଦ୍ଧା ଏହା ସବୁଠୁ ବଡ଼ ଡ୍ରଗ୍ସ କନସାଇନମେଣ୍ଟ ବୋଲି କୁହାଯାଉଛି । ପ୍ରାୟ ୨୬ଶହ କିଲୋଗ୍ରାମର ଡ୍ରଗ୍ସ ଜବତ କରିଛି ନୌସେନା ଓ ଏନସିବି । ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୧୨ ହଜାର କୋଟି ଟଙ୍କା ହୋଇଥିବା କୁହାଯାଉଛି । ନୌସେନାର ଜଣେ ଅଧିକାରୀଙ୍କ ଅନୁଯାୟୀ, ଜବତ କରାଯାଇଥିବା ଡ୍ରଗ୍ସ ଇରାନରୁ ଭାରତ ଆସୁଥିଲା । ଗୁଜରାଟର ବନ୍ଦରରେ ପହଞ୍ଚିବା ପୂର୍ବରୁ ହିଁ ଏହି ଡ୍ରଗ୍ସକୁ ଜବତ କରିନିଆଯାଇଛି ।

୨୬୦୦ କେଜି ଡ୍ରଗ୍ସ ସହ ଧରାପଡ଼ିଥିବା ମାଫିଆକୁ କୋଚି ବନ୍ଦର ନିଆଯାଇଛି । ସେଠାରେ ଏନସିବି ଏବଂ ନୌସେନା ମାମଲାର ଆଗାମୀ ତଦନ୍ତ କରିବେ । ତେବେ ଅଧିକାରୀ ଯାଞ୍ଚରେ ଲାଗିଛନ୍ତି ଯେ ଏହି ରାକେଟରେ କିଏ କିଏ ସାମିଲ ଥିଲେ । ଭାରତୀୟ ନୌସେନାର ନାଭାଲ ଇଣ୍ଟେଲିଜେନ୍ସ ୟୁନିଟକୁ ଏନେଇ ଏକ ଇନପୁଟ୍ ମିଳିଥିଲା । ଏଥିରେ କୁହାଯାଇଥିଲା ଯେ ଆରବ ସାଗର ରାସ୍ତାରେ ଡ୍ରଗ୍ସ ମାଫିଆ ଭାରତର କୌଣସି ସମୁଦ୍ରୀ ଉପକୂଳରେ ଡ୍ରଗ୍ସ ଡେଲିଭର କରିବାକୁ ଚାହୁଁଛନ୍ତି ।

ଏହି ଇନପୁଟ ଆଧାରରେ ନୌସେନା ଏବଂ ଏନସିବି ଏକ ମିଳିତ ଅପରେସନକୁ ରୂପ ଦେଇଥିଲେ ଏବଂ କୋଟି କୋଟି ଟଙ୍କାର ଡ୍ରଗ୍ସ ଧରିଛନ୍ତି । ନୌସେନାର ଯାହଜ (ଆଇଏନଏସ୍ ଟିଇଜି ଏଫ୍-୪୫) ଏହି ଡ୍ରଗ୍ସ କନସାଇନମେଣ୍ଟ ଆରବ ସାଗର ଅଞ୍ଚଳରୁ ଧରିଛି । ସୂଚନାଥାଉକି ଏହା ପୂର୍ବରୁ ଭାରତୀୟ ନୌସେନାର ନାଭାଲ ଇଣ୍ଟେଲିଜେନ୍ସ ୟୁନିଟ୍ ଫେବ୍ରୁଆରୀ ୨୦୨୨ରେ ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଥିଲା । ଗୁଜୁରାଟକୁ ଲାଗି ସମୁଦ୍ରୀ ଅଞ୍ଚଳରୁ ଅନେକଥର କୋଟି କୋଟି ଟଙ୍କାର ଡ୍ରଗ୍ସ ଧରାଯାଇଛି । କିନ୍ତୁ ସମୁଦ୍ରୀ ମାର୍ଗରେ ଭାରତ ଅଣାଯାଉଥିବା ଏହା ଏପର୍ଯ୍ୟନ୍ତ ସୁଦ୍ଧା ସବୁଠୁ ବଡ଼ ଡ୍ରଗ୍ସ କନସାଇନମେଣ୍ଟ ଅଟେ ।

ଓଟିପି ସେୟାରିଂ ସ୍କାମ ନେଇ ଏସଟିଏଫର ବଡ଼ ଧରଣର ରେଡ୍, ୩ ଗିରଫ

ଭୁବନେଶ୍ୱର: ଓଟିପି ସେୟାରିଂ ସ୍କାମ ନେଇ ଏସଟିଏଫର ବଡ଼ ଧରଣର ରେଡ୍ । ୩ ଜଣଙ୍କୁ ଗିରଫ କଲା ଏସଟିଏଫ୍ । ନୟାଗଡ଼ ଓ ଯାଜପୁରରୁ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ନୟାଗଡ଼ର ପଠାଣୀ ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୯ଟି ଦାମୀ ମୋବାଇଲ, ୪୭ଟି ସିମକାର୍ଡ, ୬୧ଟି ଏଟିଏମ୍ କାର୍ଡ ଓ ୨୩ଟି ସିମ୍ କଭର ଜବତ କରିଛି ଏସଟିଏଫ୍ । ଅଭିଯୁକଙ୍କୁ ଓଟିପି ସେୟାରିଙ୍ଗ ସ୍କାମ ନେଇ ଅନେକ ପ୍ରଶ୍ନ ପଚାରିଥିଲା ଏସଟିଏଫ୍ ।

ସନ୍ତୋଷ ଜନକ ଉତ୍ତର ଦେଇନପାରିବାରୁ ଅଭିଯୁକ୍ତଙ୍କୁ ଗିରଫ କରି ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ଏହି ଘଟଣାରେ କିଛି ପାକିସ୍ତାନୀ ଗୁଇନ୍ଦା ଅଧିକାରୀ ଓ ଆଇଏସଆଇ ଏଜେଣ୍ଟଙ୍କୁ ଲିଙ୍କ ଜେନେରେଟ କରି ତଥ୍ୟ ଦେଉଥିଲେ ଅଭିଯୁକ୍ତ । ଏଥିପାଇଁ ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟ ମୋଟା ଅଙ୍କର ଅର୍ଥ ଦେଉଥିଲେ । ଗତ ବର୍ଷ ରାଜସ୍ଥାନରେ ହନିଟ୍ରାପ ମାମଲାରେ ଧରାପଡ଼ିଥିବା ମହିଳା ପିଆଇଓ ଏଜେଣ୍ଟଙ୍କ ଶହ ଯୋଗାଯୋଗରେ ଥିଲେ ଏହି ୩ ଅଭିଯୁକ୍ତ । ସୋସିଆଲ ମିଡିଆ ପ୍ଳାଟ ଫର୍ମ, ହ୍ୱାଟ୍ସଆପ, ଟେଲିଗ୍ରାମ, ଇନଷ୍ଟା ଗ୍ରାମରେ ବିଭିନ୍ନ ଆକାଉଣ୍ଟ କରି ପାକିସ୍ତାନୀ ଏଜେଣ୍ଟଙ୍କୁ ଲିଙ୍କ ସେୟାର କରିଥିଲେ ।

ଭୀଷଣ ରୂପନେଇ ବାଂଲାଦେଶ ଓ ମିଆଁମାର ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ମୋକା’

ନନ୍ଦିଘୋଷ ବ୍ୟୁରୋ: ଲ୍ୟାଣ୍ଡଫଲ୍ କରିଛି ଅତି ଭୀଷଣ ବାତ୍ୟା ମୋକା । ବାଂଲାଦେଶର କକ୍ସବଜାର ଓ ଉତ୍ତର ମିଆଁମାର ଉପକୂଳ ମଧ୍ୟରେ ଭୀଷଣ ରୂପ ନେଇ ସ୍ଥଳଭାଗ ଛୁଇଁଛି ମୋକା । ପ୍ରଭାବରେ ବାଂଲାଦେଶ, ମିଆଁମାର ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାକୁ ୨ଶହ କିଲୋମିଟର ବେଗରେ ପବନ ବହୁଛି । ବାଂଲାଦେଶର କକ୍ସବଜାର, ଚଟ୍ଟଗ୍ରାମ ଓ ପାୟରା ବନ୍ଦରରେ ଆଲର୍ଟ ଜାରି କରାଯାଇଛି। ଗତ ଦୁଇ ଦଶନ୍ଧି ଭିତରେ ମୋକା ସବୁଠୁ ଶକ୍ତିଶାଳୀ ବାତ୍ୟା ଭାବେ ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି। ଭାସନ ଚାର ଉପକୂଳରେ ୫୫ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇଥିବା ବେଳେ ୩୦ ହଜାର ରୋହିଂଗ୍ୟା ଶରଣାର୍ଥୀଙ୍କୁ ସ୍ଥାନାନ୍ତର କରାଯାଇଛି ।

ଦକ୍ଷିଣ ପୂର୍ବାଞ୍ଚଳରେ ପ୍ରାୟ ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ସ୍ଥିତି ସମୀକ୍ଷା କରିବା ସହ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । କକ୍ସ ବଜାର ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବା ଆଶଙ୍କା ଥିବାରୁ ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଇଠି। ସେଠାରେ ୧୦ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । କକ୍ସ ବଜାର ଅଞ୍ଚଳରେ ପ୍ରାୟ ୧୦ ଲକ୍ଷ ରୋହିଂଗ୍ୟା ଶରଣାର୍ଥୀ ରହୁଥିବାରୁ ସେଠାରେ ସ୍ଥିତି ଅଧିକ ବିପର୍ଯ୍ୟସ୍ତ ହେବା ଆଶଙ୍କା କରାଯାଉଛି । ୮ ହଜାର ୬୦୦ ରେଡ କ୍ରିସେଣ୍ଟ ସ୍ବେଚ୍ଛାସେବୀ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଥିବାବେଳେ ଅନ୍ୟାନ୍ୟ ବାହିନୀକୁ ମୁତୟନ କରାଯାଇଛି । ବାତ୍ୟା ଯୋଗୁ ୮ ରୁ ୧୨ ଫୁଟର ଜୁଆର ଆସିବା ଆଶଙ୍କା କରାଯାଉଛି ।

କିଏ ପିନ୍ଧିବେ କର୍ଣ୍ଣାଟକ କ୍ରାଉନ? ଶିବକୁମାର ଓ ସିଦ୍ଧରମେୟାଙ୍କ ସମର୍ଥନରେ ଲାଗିଲା ପୋଷ୍ଟର

ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀଙ୍କୁ ନେଇ ମନ୍ଥନ । କିଏ ପିନ୍ଧିବେ କର୍ଣ୍ଣାଟକ କ୍ରାଉନ । ରେସରେ ଆଗରେ କର୍ଣ୍ଣାଟକ ପିସିସି ସଭାପତି ଡି କେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ବେଙ୍ଗାଳୁରୁ ସହର ସାରା ଶିବକୁମାର ଓ ସିଦ୍ଧରମୈୟାଙ୍କ ସମର୍ଥନରେ ପୋଷ୍ଟର ଲଗାଯାଇଛି । ରାଜ୍ୟର ଜଣାଶୁଣା କଂଗ୍ରେସ ନେତା ଡିକେ ଶିବକୁମାର । ରାଜ୍ୟ ପିସିସି ସଭାପତି ଅଛନ୍ତି ଶିବକୁମାର । ଶିବକୁମାର ୮ ଥରର ବିଧାୟକ । କ୍ରାଇସିସ ମ୍ୟାନେଜର ଭାବେ ଜଣାଶୁଣା ।

୨୦୧୮ରେ ଜେଡିଏସ ଓ କଂଗ୍ରେସ ମେଣ୍ଟରେ ପ୍ରମୁଖ ଭୂମିକା ନେଇଥିଲେ । ପ୍ରଭାବଶାଳୀ ଭୋକାଲିଗା ସମ୍ପ୍ରଦାୟର ନେତା ଶିବକୁମାର । ୧୯୮୫ରେ ଦେବେଗୌଡାଙ୍କ ବିରୋଧରେ ଲଢି ଚର୍ଚ୍ଚାକୁ ଆସିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ କ୍ରିଷ୍ଣାଙ୍କ ଅନୁଗତ ଭାବେ ଜଣାଶୁଣା । କନକପୁରାର ବିଧାୟକ ଅଛନ୍ତି ଶିବକୁମାର । ୧୯୯୯ରେ କୁମାରସ୍ବାମୀଙ୍କୁ ହରାଇଥିଲେ ଶିବକୁମାର । ୨୦୨୦ରୁ ପିସିସି ସଭାପତି ଅଛନ୍ତି ଶିବକୁମାର । ଗାନ୍ଧି ପରିବାରର ବିଶେଷ ଅନୁଗତ ଶିବକୁମାର ୧ ଲକ୍ଷ ୨୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।