ସଂଯୁକ୍ତାଙ୍କ ମୁଖା ଖୋଲିଲେ ମା’ ଓ ଭଉଣୀ, କହିଲେ ପୋଲିସ ତାକୁ ତୁରନ୍ତ ଗିରଫ କରୁ

ଭୁବନେଶ୍ୱର: ସଂଯୁକ୍ତା ମହଲାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ଝିଅର ଅତ୍ୟାଚାରରେ ଅତିଷ୍ଠ ହୋଇ ଖୋଦ ସଂଯୁକ୍ତାଙ୍କ ପରିବାର ଏଭଳି ଅଭିଯୋଗ କରିଛନ୍ତି । ୨୦୧୭ ମସିହାରୁ ପରିବାର ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଛନ୍ତି ସଂଯୁକ୍ତା । ଏପରିକି ନିଜ ମା’, ଭାଇ ଓ ଭଉଣୀଙ୍କ ବିରୋଧରେ ଥାନାରେ ମିଛ ଅଭିଯୋଗ କରି ପରିବାରରେ ଗଣ୍ଡଗୋଳ କରୁଛନ୍ତି । ସଂଯୁକ୍ତାଙ୍କ ସବୁ କଳା କାରନାମା ସମ୍ପର୍କରେ ଗଣମାଧ୍ୟମରେ ଲମ୍ବା ଚିଠା ଦେଇଛନ୍ତି ତାଙ୍କ ମା ଓ ଭଉଣୀ । ପୈତୃକ ସମ୍ପତ୍ତି ହଡ଼ପ କରିବାକୁ ଚକ୍ରାନ୍ତ କରି ଜନ୍ମ କଲା ମାଠାରୁ, ବାପା, ପୁଅ ଓ ଝିଅକୁ ଦୂରେଇ ଦେଇଛନ୍ତି ସଂଯୁକ୍ତା । ଏପରିକି ପୁଅ ଓ ଝିଅଙ୍କ ନାଁରେ ଥାନାରେ ମିଛ ଅଭିଯୋଗ କରିଛନ୍ତି ।

କେବଳ ସେତିକି ନୁହେଁ ସାନ ପୁଅ କୋରାପୁଟରେ ସରକାରୀ ଚାକିରି କରୁଥିବା ବେଳେ ତା ବିରୋଧରେ ଉପରିସ୍ଥ ଅଧିକାରୀଙ୍କୁ ମିଛ ତଥ୍ୟ ଦେଇ ଚାକିରୀ ନେବାକୁ ଚେଷ୍ଟା କରୁଛନ୍ତି ସଂଯୁକ୍ତା । ପୁଅ ଛୁଟିରେ ଭୁବନେଶ୍ବର ଆସିଲେ, ତାର ଫଟୋ ଉଠେଇ ଉପରିସ୍ଥ ଅଧିକାରୀଙ୍କୁ ପଠାଇ ହଇରାଣ କରୁଛନ୍ତି । ଏଭଳି ଅଭିଯୋଗ କରିଛନ୍ତି ସଂଯୁକ୍ତାଙ୍କ ମାଆ । ସଂଯୁକ୍ତାଙ୍କ କୌଣସି ରୋଜଗାର ନଥାଇ ଦାମୀ ଗାଡି ଓ ଫ୍ଳାଟରେ କେମିତି ରହୁଛି ବୋଲି ମାଆ ପ୍ରଶ୍ନ କରିଛନ୍ତି । ଲୋକଙ୍କୁ ବ୍ଳାକମେଲ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ସଂଯୁକ୍ତା । ପରିବାର ଲୋକ ଏଭଳି ଅଭିଯୋଗ କରିଛନ୍ତି । କିଛି ଦିନ ତଳେ ସାନ ବୋହୂ ଓ ଭଉଣୀ ନାଁରେ ମଧ୍ୟ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଉଥିଲେ ସଂଯୁକ୍ତା । ସାନ ବୋହୂ ଓ ଭଉଣୀଙ୍କୁ ରାସ୍ତାରେ ସଂଯୁକ୍ତା ଧମକ ଦେଉଥିବା ଅଭିଯୋଗ କରିଛନ୍ତି ତାଙ୍କ ଭଉଣୀ । ସଂଯୁକ୍ତାଙ୍କ ଯୋଗୁ ତାଙ୍କ ସାନ ଭଉଣୀଙ୍କ ପରିବାର ବି ଭାଙ୍ଗିଛି । ସଂଯୁକ୍ତା ନିଜ ଶ୍ବଶୁର ଓ ତାଙ୍କ ପରିବାର ଲୋକଙ୍କ ନାଁରେ ବି ମିଛ ଏତଲା ଦେଇଛନ୍ତି । ପୂରା ପରିବାରକୁ ମାନସିକ ନିର୍ଯାତନା ସହ ଧମକ ଦେଉଥିବାରୁ ତାଙ୍କୁ ଗିରଫ କରିବାକୁ ସଂଯୁକ୍ତାଙ୍କ ମା’ ଓ ଭଉଣୀ ଦାବି କରିଛନ୍ତି ।