ଗ୍ରାହକଙ୍କୁ ଆଶ୍ବସ୍ତି, ଏକମାସ କଲବଲ କରିବା ପରେ କମିଲା ପରିବା ଦର

1 min read

କଟକ: ଗତ ଏକ ମାସ ଧରି ଖାଉଟିକୁ କଲବଲ କଲା ପରିବା ଦର । ଯାହାକୁ ଛୁଇଁବ ୮୦ ପାର । କିଲେ ପରିବର୍ତ୍ତେ ଅଢେଇ ଶହ ନେଇ ଚଳାଉଥିଲେ ଲୋକେ । ହେଲେ ଏବେ ନୂଆ ପରିବା ଆସିବା ସହ ବାହାର ଆମଦାନି ପହଞ୍ଚିବା ପରେ ସ୍ଥିତିରେ ସୁଧାର ଆସିଛି । ଦରବୃଦ୍ଧି ଯୋଗୁଁ ବିକ୍ରି ବଟା ବି ଭଲ ହେଉ ନଥିଲା । ଲୋକେ ପରିବା ବଦଳରେ ଆମିଷ ଉପରେ ଅଧିକ ନିର୍ଭର କରୁଥିଲେ । କଟକର ଛତ୍ରବଜାର ପରିବା ବଜାର ଏକପ୍ରକାର ଖାଁ ଖାଁ ଲାଗୁଥିଲା । ହେଲେ ଏବେ ନୂଆ ଅମଳ ଆସିବା ପରେ ଦରରେ ୫୦ ପ୍ରତିଶତ ହ୍ରାସ ପାଇଥିବା କହିଛନ୍ତି ବ୍ୟବସାୟୀ ।

ବାଇଗଣ ଦର ଯେଉଁଠି ୮୦ ଥିଲା ଏବେ ୪୦ ଟଙ୍କାରେ ମିଳୁଛି । ସେହିପରି ପୋଟଳ ୨୦ ରୁ ୩୦ ଟଙ୍କା, କାକୁଡି ୩୦ ରୁ ୪୦, କଖାରୁ ୧୫ ଟଙ୍କା, ଭେଣ୍ଡି ୨୦ରୁ ୨୫, ଅମୃତଭଣ୍ଡା ୧୫ ଟଙ୍କା, ଗାଜର ୩୦, କଞ୍ଚାଲଙ୍କା-୯୦, ବିନ୍ ୩୦ ଟଙ୍କାରେ ମିଳୁଛି । ତେବେ ଟମାଟୋ ଦର ୯୦ରୁ ୧୦୦ ଟଙ୍କା ରହିଛି । ଶ୍ରାବଣ ମାସରେ ପରିବା ଦର ଦେଖି ଚିନ୍ତାରେ ଥିଲେ ଖାଉଟି । ଏବେ ମୂଲ୍ୟ ହ୍ରାସ ପାଇଥିବାବେଳେ ଆଉ କିଛି ଦିନ ପରେ ଅମଳ ବଢିଲେ ଦର ଆହୁରି କମିପାରେ ବୋଲି ଲୋକେ କହିଛନ୍ତି ।