ପଶ୍ଚିମ ଦ୍ବାରରେ ଶ୍ରଦ୍ଧାଳୁଙ୍କଠାରୁ ଲାଞ୍ଚ ନେବା ଘଟଣା, ସଂପୃକ୍ତ ହାବିଲଦାରଙ୍କୁ ନିଲମ୍ବନ କଲେ ଏସପି

ପୁରୀ: ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ଶ୍ରଦ୍ଧାଳୁଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ଓଏସଏପି ହାବିଲଦାରଙ୍କୁ କାର୍ଯ୍ୟରୁ ନିଲମ୍ବନ କଲେ ପୁରୀ ଏସପି । ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଦେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବେଶ ବାରଣ ରହିଛି । ଏହା ସତ୍ତ୍ବେ ଆଜି କିଛି ବଙ୍ଗୀୟ ପର୍ଯ୍ୟଟକଙ୍କୁ ଜଣେ ସେବାୟତ ପ୍ରବେଶ କରାଇଥିଲେ । ପଶ୍ଚିମ ଦ୍ବାରରେ ଥିବା ସୁରକ୍ଷାକର୍ମୀ ସମ୍ପୃକ୍ତ ସେବାୟତଙ୍କ ନିକଟରୁ ଅର୍ଥ ଗ୍ରହଣ କରୁଥିବା ସିସିଟିଭିରୁ ଜଣାପଡ଼ିଥିଲା । ଭିଡିଓରେ ସେବାୟତଙ୍କ ଠାରୁ ଡ୍ୟୁଟିରେ ଥିବା ପୋଲିସ କର୍ମୀ ଲାଞ୍ଚ ଗ୍ରହଣ କରୁଥିବା ଜଣାପଡ଼ିବା ପରେ ପୁରୀ ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସମ୍ପୃକ୍ତ ଓଏସଏପି ହାବିଲଦାରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଚାରିଦ୍ବାର ଦେଇ ଭକ୍ତଙ୍କ ପ୍ରବେଶ ନେଇ ବିଭିନ୍ନ ମହଲରୁ ଦାବି ହେଉଥିବା ବେଳେ ସିଂହଦ୍ବାର ବ୍ୟତୀତ ଅନ୍ୟ ତିନି ଦ୍ବାରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିଛି ।